ଭୁବନେଶ୍ବର: ଆଜି ପବିତ୍ର ଅଶୋକାଷ୍ଟମୀରେ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । ଏଥିପାଇଁ ରଥ, ପଥ ପ୍ରସ୍ତୁତ, ଚଳଚଞ୍ଚଳ ହୋଇଛି ଲିଙ୍ଗରାଜ ମନ୍ଦିର ପରିସର । ଆଜି ବାବା ଭୋଳାନାଥ ରୁକୁଣା ରଥରେ ବସି ସାଙ୍ଗରେ ଭଉଣୀ ରୁକ୍ମିଣୀ ଓ ଦୋଳଗୋବିନ୍ଦକୁ ନେଇ ରାମେଶ୍ୱର ମନ୍ଦିର ଅଭିମୁଖେ ଯାତ୍ରା କରିବେ । ଏନେଇ ଭୋର ସମୟରୁ ଆରମ୍ଭ ହୋଇଛି ଲିଙ୍ଗରାଜଙ୍କ ନୀତିକାନ୍ତି ଓ ପୂଜାର୍ଚ୍ଚନା । ଅପରାହ୍ନ ସାଢ଼େ ୩ଟାରୁ ରଥଟଣା । ଘର ଘର ନାଦରେ କମ୍ପିବ ଏକାମ୍ର କ୍ଷେତ୍ର ।
ଲିଙ୍ଗରାଜଙ୍କ ରଥଯାତ୍ରା ନୀତିକାନ୍ତି :

ଭୋର ୫ଟାରେ ଆରମ୍ଭ ହୋଇଛି ରଥଯାତ୍ରା ନୀତିକାନ୍ତି । ପ୍ରଥମେ ମଙ୍ଗଳ ଆଳତି ପରେ ଅନୁଷ୍ଠିତ ହୋଇଥିଲା ସାହାଣ ମେଲା ଦର୍ଶନ । ଏହାପରେ ରୋଷ ବା ପାକ୍ ପୂଜା, ଛାମୁ ପରିଷ୍କାର ନୀତି, ମହାସ୍ନାନ ନୀତି ହୋଇଥିଲା । ଦିନ 11ଟା ସମୟରେ ମହାପ୍ରଭୁଙ୍କ ବେଶ କରାଯାଇ ଯାତ୍ରା ପୂଜା କରାଯିବ । ମଧ୍ୟାହ୍ନ 12ଟା 30ରେ ପହଣ୍ଡି ଆରମ୍ଭ ହେବ । ପ୍ରଭୁ ଲିଙ୍ଗରାଜ, ରୁକ୍ମିଣୀ ଓ ଦୋଳଗୋବିନ୍ଦ ରଥାରୁଢ ହେବା ପରେ ସାଢେ 3ଟାରୁ ରଥଟଣା ଆରମ୍ଭ ହେବ । ହଜାର ହଜାର ଭକ୍ତ ରଥକୁ ରାମେଶ୍ବର ମନ୍ଦିର ଅଭିମୁଖେ ଟାଣିନେବେ । ସେଠାରେ ପହଞ୍ଚିବା ପରେ ପ୍ରଥମେ ଅଶୋକା କୁଣ୍ଡରେ ମହାପ୍ରଭୁ ସ୍ନାନ କରିବେ । ପରେ 14ଟି ଅଶୋକା କଢି ଲାଗି ହେବା ପରେ ରାମେଶ୍ବରଙ୍କ ସହ ଭେଟ ଆଳତି କରାଯିବ । ଏହାପରେ ଆସ୍ଥାନକୁ ବିଜେ କରିବେ ପ୍ରଭୁ ଲିଙ୍ଗରାଜ ।
ଶୁକ୍ରବାର ରାତିରେ ହୋଇଥିଲା ରଥ ପ୍ରତିଷ୍ଠା:

ରୁକୁଣା ରଥଯାତ୍ରା ପାଇଁ ମାର୍ଚ୍ଚ 12 ତାରିଖରୁ ଆରମ୍ଭ ହୋଇଥିଲା ରଥ କାମ । ପାଖାପାଖି 25 ଦିନ ଧରି ରଥ ନିର୍ମାଣ କାର୍ଯ୍ୟ ଚାଲିଥିଲା ଓ 70 ଜଣ ସେବାୟତ ଏଥିରେ ନିୟୋଜିତ ହୋଇଥିଲେ । ଶୁକ୍ରବାର ରାତିରେ ପୋଟଳା ଲାଗି ପରେ ଦଧିନଉତି ଲାଗି ଧ୍ବଜା ଲାଗିଥିଲା । ରାତି ୧୦ ଭିତରେ ରଥ କାମ ସମ୍ପୂର୍ଣ ହେବା ପରେ ରଥଯାତ୍ରା ପାଇଁ ରଥ ପ୍ରତିଷ୍ଠା କରାଯାଇଥିଲା ।

Return Journey Of Lingaraj :
୯ ତାରିଖରେ ବାହୁଡା ଯାତ୍ରା: ରଥଯାତ୍ରାର 4 ଦିନ ପରେ ଅର୍ଥାତ 9 ତାରିଖରେ ଲିଙ୍ଗରାଜଙ୍କ ବାହୁଡା ଯାତ୍ରା ଅନୁଷ୍ଠିତ ହେବ। ଏହା ସହ 6 ଦିନ ଧରି ଲିଙ୍ଗରାଜ ଫେଷ୍ଟିଭାଲ ପାଳନ ହେବ। ପ୍ରତିଦିନ ସନ୍ଧ୍ୟା 7ରୁ ରାତି 11 ଟା ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମର ଆସର ଜମିବ । 11 ରାଜ୍ୟର 36 ଟି ଗ୍ରୁପ ଓ 800 ରୁ ଉର୍ଦ୍ଧ କଳାକାରଙ୍କ ଦ୍ଵାରା ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ । ପ୍ରତ୍ୟେକ ଦିନ 6 ଟି ଗ୍ରୁପ ,(ଓଡ଼ିଶାର 3 ଓ ବାହାର ରାଜ୍ୟର 3 ଟି ଗ୍ରୁପ) ନୃତ୍ୟ ପରିବେଷଣ କରିବେ।
BMC PREPARATIONS FOR RUKUNA RATH YATRA
ବିଏମସି ପକ୍ଷରୁ ଜୋରଦାର ପ୍ରସ୍ତୁତି: ରଥଯାତ୍ରାର ପ୍ରସ୍ତୁତିକୁ ନେଇ BMCକୁ ଦାୟିତ୍ଵ ଦିଆଯାଇଥିଲା । ସମସ୍ତ କାର୍ଯ୍ୟକୁ ସୁଚାର ରୂପେ କରିଛି ବିଏମସି । ପରିଷ୍କାର ପରିଚ୍ଛନ୍ନତା, ସୁସଜିତ ଆଲୋକୀକରଣ, ଅସ୍ଥାୟୀ ଶୌଚାଳୟ ସହ ଜରୁରୀ କାଳୀନ ସ୍ବାସ୍ଥ୍ୟ ସେବା, ଜରୁରୀ ପରିସ୍ଥିତି ପାଇଁ ଆମ୍ବୁଲାନ୍ସ ସେବା,ଖରାକୁ ଆଖି ଆଗରେ ରଖି ବିଭିନ୍ନ ସ୍ଥାନରେ ପିଇବା ପାଣି, ଘୋଳ ଦହି ଆଦିର ବ୍ୟବସ୍ଥା କରାଯାଇଛି । ଏନେଇ ବିଏମସି ମେୟର ସୁଲୋଚନା ଦାସ କହିଛନ୍ତି,'' ଏନେଇ ସମସ୍ତ ପ୍ରସ୍ତୁତ ଚାଲିଛି। କିଭଳି ଭାବରେ ସମସ୍ତ ନୀତିକାନ୍ତି ଠିକ ସମୟରେ କରାଯିବ ସେନେଇ ମଧ୍ୟ ସେବାୟତଙ୍କ ସହିତ ଆଲୋଚନା କରାଯାଇଛି। ସବୁ କାର୍ଯ୍ୟ ଠିକ ସମୟରେ ହେବ । ବିଏମସିକୁ ଯାହା ଦାୟିତ୍ବ ଦିଆଯାଇଥିଲା ସବୁ କାମ ହୋଇଛି । ଠାକୁରଙ୍କ ପାଇଁ ଫଉଲ ଓ ଲାଇଟିଂ ବ୍ୟବସ୍ଥା କରାଯାଇଛି । ରଥ ଏଥର ଠିକ ସମୟରେ ଗଡିବ । ବିଶେଷ ଭାବରେ ଖରାକୁ ଦୃଷ୍ଟିରେ ରଖି ଏଠାରେ ଏକ ଅସ୍ଥାୟୀ ଭାବରେ ମେଡ଼ିକାଲ ଟିମ୍ ରହିଛନ୍ତି । ଅତ୍ୟଧିକ ମାତ୍ରାରେ ଗରମ ଓ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ପାଣି ଛିଞ୍ଚନ କରାଯିବ । ଯେହେତୁ ଲିଙ୍ଗରାଜ ମନ୍ଦିର ଉନ୍ନତି କରାଯାଇଛି ଯେଉଁଥିପାଇଁ ଅଧିକ ଭକ୍ତ ଆସିଲେ ମଧ୍ୟ ଭିଡ କୁ କଣ୍ଟ୍ରୋଲ କରାଯାଇପାରିବ । ''
ଇଟିଭି ଭାରତ, ଭୁବନେଶ୍ବର