ଲିଙ୍ଗରାଜ ମନ୍ଦିରରେ ଅଘଟଣ: ବଜ୍ରାଘାତରେ ଜଳିଗଲା ପତାକା, ଭାଙ୍ଗିଲା ସିସିଟିଭି, ଯାଞ୍ଚ ପାଇଁ ପହଞ୍ଚିଲା ASI ଟିମ୍
ବଜ୍ରାଘାତରେ ଲିଙ୍ଗରାଜ ମନ୍ଦିର ପତାକା ପୋଡି ଏବଂ ସିସିଟିଭି ଅଚଳ ଘଟଣା ପରେ ଏଏସଆଇ କାର୍ଯ୍ୟକଳାପ ନେଇ ପ୍ରଶ୍ନ ଉଠାଇଲେ ସେବାୟତ ।


Published : October 9, 2025 at 4:54 PM IST
|Updated : October 9, 2025 at 5:27 PM IST
ଭୁବନେଶ୍ୱର: ବୁଧବାର ବଜ୍ରାଘାତରେ ମନ୍ଦିର ମାଳିନୀ ସହରର ଲିଙ୍ଗରାଜ ମନ୍ଦିର ପତାକା ପୋଡ଼ିଯିବା ପରେ ଗୁରୁବାର ଭାରତୀୟ ପ୍ରତ୍ନତତ୍ୱ ବିଭାଗ (ASI) ଟିମ୍ ପହଞ୍ଚି ଯାଞ୍ଚ କରିଛି । ଏଏସଆଇ ଟିମର ଯାଞ୍ଚ ପରେ ପୋଡିଯାଇଥିବା ପତାକାକୁ ମନ୍ଦିର ନୀତି ଅନୁସାରେ ବଦଳାଯାଇଛି । ତେବେ ବୁଧବାର ବିଜୁଳି ଘଡଘଡି ସହ ବର୍ଷା ବିତ୍ପାତରେ ପୋଡିଯାଇଥିଲା ମନ୍ଦିର ପତାକା । ଏହାସହିତ ବଜ୍ରାଘାତ ପ୍ରଭାବରେ ମନ୍ଦିରରେ ଲାଗିଥିବା 23ଟି ସିସିଟିଭି କ୍ଷତିଗ୍ରସ୍ତ ହୋଇଥିଲା । ଖାଲି ସେତିକି ନୁହେଁ, ବଜ୍ରାଘାତ ପ୍ରଭାବରେ ମନ୍ଦିରର ଗର୍ଭଗୃହରେ ଲାଗିଥିବା ବଲ୍ବ ମଧ୍ୟ ପୋଡ଼ି ଯାଇଥିଲା ।
ତେବେ ବଜ୍ରାଘାତରେ ଶ୍ରଦ୍ଧାଳୁଙ୍କ ଠାରୁ ସେବାୟତ ସମସ୍ତଙ୍କୁ କରେଣ୍ଟ ଲାଗିଥିଲା ବୋଲି ଅଭିଯୋଗ କରିଛନ୍ତି ମନ୍ଦିର ସେବାୟତ । ଐତିହାସିକ କୀର୍ତିରାଜିପୂର୍ଣ୍ଣ ମନ୍ଦିରରେ ବଜ୍ରାଘାତରେ କରେଣ୍ଟ ଲାଗିବାକୁ ନେଇ ସମସ୍ତେ ଅସୁରକ୍ଷିତ ମଣୁଥିବା ବେଳେ ଭାରତୀୟ ପ୍ରତ୍ନତତ୍ୱ ବିଭାଗ କାର୍ଯ୍ୟକଳାପକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସେବାୟତ । ଶ୍ରଦ୍ଧାଳୁ ଓ ସେବାୟତଙ୍କ ସୁରକ୍ଷା ନେଇ ଆଗକୁ ଏଏସ୍ଆଇ ବିରୋଧରେ ଧାରଣାରେ ବସିବାର ଚେତାବନୀ ଦେଇଛନ୍ତି ସେବାୟତ ।
କ୍ଷୟକ୍ଷତିର ଯାଞ୍ଚ କଲା ଏଏସଆଇ ଟିମ୍-
ଗୁରୁବାର ସକାଳ ସମୟରେ ଏଏସଆଇ 5 ଜଣିଆ ଟିମ୍ ମନ୍ଦିର ପରିସରରେ ପହଞ୍ଚି କ୍ଷୟକ୍ଷତିର ଯାଞ୍ଚ କରିଛନ୍ତି । ମନ୍ଦିରରେ ବଜ୍ରାଘାତ ପରେ ପତାକା ପୋଡି ଏବଂ ସିସିଟିଭି କ୍ୟାମେରା ନଷ୍ଟ ହେବା ନେଇ ସେବାୟତଙ୍କ ପକ୍ଷରୁ ଅଭିଯୋଗ ପରେ ଯାଞ୍ଚ କରିଥିଲା ଏଏସଆଇ ଟିମ୍ ।
ବଦଳାଗଲା ପତାକା, ସିସିଟିଭି ମରାମତି ଆରମ୍ଭ-
ସୂଚନା ରହିଛି କି, ଗୁରୁବାର ସମସ୍ତ ରୀତିନୀତି ଅନୁସାରେ ମନ୍ଦିରରେ ପୋଡିଯାଇଥିବା ପତାକାକୁ କଢାଯାଇ ନୂଆ ପତାକା ଲାଗିଛି । ତେବେ ଏଏସଆଇ ଟିମ୍ ପହଞ୍ଚି ଯାଞ୍ଚ ଶେଷ କରିବା ପରେ ନୂଆ ପତାକା ଲଗାଯାଇଥିଲା । ଏହାସହିତ ନଷ୍ଟ ହୋଇଥିବା ସିସିଟିଭିର ମରାମତି ଆରମ୍ଭ ହୋଇଛି ।

ଲିଙ୍ଗରାଜ ମନ୍ଦିର ସେବାୟତ ସୁପରିଟେଣ୍ଡେଣ୍ଟ ରାଜ କିଶୋର ମହାପାତ୍ର ଅଭିଯୋଗ କରିଛନ୍ତି, "ବୁଧବାର ବର୍ଷା ଓ ବଜ୍ରାଘାତ ପ୍ରଭାବରେ ଲିଙ୍ଗରାଜ ମନ୍ଦିରରେ ପତାକା ପୋଡିଯିବା ସହ 23ଟି ସିସିଟିଭି ଓ କିଛି ଲାଇଟ ଫାଟି ଯାଇଥିଲା । ଗର୍ଭଗୃହ ମରକ୍ୟୁରୀ ବଲବ ମଧ୍ୟ ପୋଡି ଯାଇଥିଲା । ଏହି ଘଟଣା ପରେ ମନ୍ଦିର ସୁରକ୍ଷା ନେଇ ବଡ ପ୍ରଶ୍ନ ଉଠିଛି । କାହା ଭରସାରେ ବର୍ତ୍ତମାନ ମନ୍ଦିର ଚାଲିବ ସେଥିପାଇଁ ଚିନ୍ତାରେ ସେବାୟତ । ଖାଲି ସୁରକ୍ଷା ନୁହେଁ ଏଏସଆଇ ପକ୍ଷରୁ ମନ୍ଦିରରେ ଲଗାଯାଇଥିବା ଆର୍ଥିଙ୍ଗ୍ ନିମ୍ନ ମନର । ଯେଉଁଥିପାଇଁ ଏଭଳି ବିପଦପୂର୍ଣ୍ଣ ଘଟଣା ଘଟିଲା । ଏଭଳି ସ୍ଥିତିରେ ଏଏସଆଇର 5 ଜଣିଆ ଟିମ ଲୁଚିକି ଆସି ମନ୍ଦିର ପରିସରରେ ବୁଲି ମନ୍ଦିର ସ୍ଥିତି ଅନୁଧ୍ୟାନ କରି ଯାଇଛନ୍ତି କିନ୍ତୁ ସୁରକ୍ଷା ଦିଗରେ କୌଣସି ପଦକ୍ଷେପ ନିଆଯାଇନାହିଁ ।"
ସେ ପୁଣି କହିଛନ୍ତି, "ବର୍ଷବର୍ଷ ଧରି କେଉଁକାଳରୁ ଲାଗିଥିବା ଆର୍ଥିଙ୍ଗରେ ଏଭଳି ସ୍ଥିତି ହୋଇନଥିବା ବେଳେ ୬ ମାସ ହେବ ମନ୍ଦିରରେ ଲାଗିଥିବା କାମରେ କାହିଁକି ଏମିତି ହୋଇଛି । ତେଣୁ ଏଏସଆଇ ଦେଇଥିବା କଣ୍ଟ୍ରାକ୍ଟର ନିମ୍ନମନର କାମ କରିଥିବାରୁ ଏହି ଅଘଟଣା ଘଟିଗଲା । ତେଣୁ ପୁରୁଣା ଆର୍ଥିଙ୍ଗ୍ ଆଉ ଥରେ ଲଗାଯାଉ । ଆଉ ଠିକରେ ମନ୍ଦିର କାମ କରିନଥିବା କଣ୍ଟ୍ରାକ୍ଟର ନାଁରେ କାର୍ଯ୍ୟନୁଷ୍ଠାନ ନିଆଯାଉ ।"

ସେ ଆହୁରି କହିଛନ୍ତି, "ଏଏସଆଇ ନିମ୍ନମନର କାମକୁ ନେଇ ସମସ୍ତେ କେତେ ସୁରକ୍ଷିତ ଏଥିରୁ ଜଣାପଡୁଛି । ତେଣୁ ବିପଦରେ ଥିବା ଲିଙ୍ଗରାଜ ମନ୍ଦିରକୁ ସରକାର ସୁରକ୍ଷା ଦେବା ଦରକାର । ଏଏସଆଇକୁ ଦାୟିତ୍ୱ ସଠିକ କରିବା ପାଇଁ ସରକାର ନିର୍ଦେଶ ଦିଅନ୍ତୁ । କେବଳ କାଲିର ଘଟଣା ନୁହେଁ ମନ୍ଦିର ମରାମତି ବି ବିଭାଗ କରୁନାହିଁ । ପୁରା ମନ୍ଦିର ଶିଉଳିରେ ଭର୍ତ୍ତି ହୋଇଗଲାଣି ।"
ଏହା ବି ପଢନ୍ତୁ- ଲିଙ୍ଗରାଜ ମନ୍ଦିର ବିଭ୍ରାଟ: ଘେରିଲେ ବିରୋଧୀ, ଜବାବ ରଖିଲା ଶାସକ ଦଳ
ଇଟିଭି ଭାରତ, ଭୁବନେଶ୍ୱର

