ସମ୍ବଲପୁର: "ଆମ୍ବ, କଦଳୀ, ଅମୃତଭଣ୍ଡା, ପୋଟଳ, ଡ୍ରାଗନଫ୍ରୁଟ ପରେ ଏବେ ଓଡ଼ିଶାରୁ ବିଦେଶ ରପ୍ତାନୀ ହେବ ଧାନ । ଓଡ଼ିଶାରେ ଅଧିକ ଧାନ ଚାଷ ହେଉଥିବାରୁ ବଳକା ଧାନ ବିଦେଶକୁ ରପ୍ତାନୀ କରାଯିବାର ବାଟ ଖୋଲିଛି । ଏହାକୁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି ।" ସମ୍ବଲପୁରର ଚିପିଲିମା ସ୍ଥିତ କୃଷି ମହାବିଦ୍ୟାଳୟ଼ର ନୂତନ ଅତ୍ୟାଧୁନିକ ଅଡିଟୋରିୟମ "ହୀରାକୁଦ ପ୍ରକ୍ଷାଳୟ"ର ଉଦ୍ଘାଟନ ସମୟରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏହା କହିଛନ୍ତି ।
ରପ୍ତାନୀ ହେବ ଧାନ:
ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି, "ପଶ୍ଚିମ ଓଡ଼ିଶାର ପନିପରିବା ଆମେ ବିଦେଶ ପଠାଇବା ଆରମ୍ଭ କରିଦେଇଛୁ । ଅନୁଗୋଳ ଓ ଢେଙ୍କାନାଳରୁ ଆମ୍ବ, ବଲାଙ୍ଗୀରରୁ ପୋଟଳ ବିଦେଶ ପଠାଯାଇଛି । ମୁଁ ଚାଷ କରିଥିବା ଡ୍ରାଗନଫ୍ରୁଟ ମଧ୍ୟ ପଠାଇଛି । ମାଲକାନଗିରିର ଅମୃତଭଣ୍ଡା ଇଂଲଣ୍ଡ ଯାଇଛି । ପଶ୍ଚିମ ଓଡିଶାର ଜୈବିକ ପଦ୍ଧତିରେ ଉତ୍ପାଦିତ ଫଳ ଓ ପନିପରିବା ଏବେ ଵେଦେଶକୁ ରପ୍ତାନୀ ହେଉଛି । ଆଗାମୀ ଦିନରେ ଆମ ରାଜ୍ୟରେ ଅଧିକ ଧାନ ଉତ୍ପାଦନ ହେଉଥିବାରୁ ବଳକା ଧାନକୁ ଵେଦେଶକୁ ରପ୍ତାନୀ କରିବା ପାଇଁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି । ଏଥିପାଇଁ ଲାଇସେନ୍ସ ଦେବା ପାଇଁ କେନ୍ଦ୍ରା ସରକାର ରାଜି ହୋଇଛନ୍ତି ।"

ସମ୍ବଲପୁରରୁ ଚାଲିବ କୃଷି ଟ୍ରେନ:
ସେହିପରି ହୀରାକୁଦ ପ୍ରକ୍ଷାଳୟର ଉଦ୍ଘାଟନରେ ଯୋଗଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, "ଏହି ଅଡିଟୋରିୟମଟି ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ବିକାଶ ସହ ପଶ୍ଚିମ ଓଡିଶା ଅଞ୍ଚଳର ଚାଷୀମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ବହୁତ କାମ କରିବ । ଏଥିପାଇଁ ଆହୁରି 80 କୋଟି ଟଙ୍କା ଅନୁଦାନ ରାଜ୍ୟ ସରକାର ବ୍ୟବସ୍ଥା କରିଛନ୍ତି । ଏହାକୁ ହଷ୍ଟେଲ, ଏକାଡେମୀ ବ୍ଲକ, ଆଡମିନିଷ୍ଟ୍ରେଟିଭ ବ୍ଲକ ତଥା କ୍ୟାମ୍ପସର ବୃଦ୍ଧି ପାଇଁ ଖର୍ଚ୍ଚ କରାଯିବ । ଆଗାମୀ ଦିନରେ କୃଷି ଶିକ୍ଷା ବ୍ୟବସ୍ଥା ସହ ବିଭିନ୍ନ ଜ୍ଞାନ କୌଶଳର ବିକାଶ କରାଯିବ ।

ଏହା ମଧ୍ୟ ପଢ଼ନ୍ତୁ... ଦୁବାଇ ଯିବ କଳାହାଣ୍ଡି କଦଳୀ, 150 ଏକରରେ ଫଳିଛି ବାର ଟନ୍ ବିଦେଶରେ ଦେଶୀ ଭଣ୍ଡା: ଲଣ୍ଡନ ଓ ଆୟରଲାଣ୍ଡ ରପ୍ତାନୀ ହେଲା ଢେଙ୍କାନାଳ ଗ୍ରୀନ ପପେୟା |
ଆଗାମୀ ଦିନରେ ପଶ୍ଚିମ ଓଡିଶାରେ ଜଙ୍ଗଲଜାତ ଦ୍ରବ୍ୟ, କୃଷି, ମତ୍ସ୍ୟ ପାଳନ, ପଶୁ ପାଳନକୁ ଏକାଠି କରି ଅର୍ଥନୀତି ସୁଦୃଢ କରିବାରେ ଚିପିଲିମା କ୍ୟାମ୍ପସ କେମିତି ପୂର୍ଣ୍ଣାଙ୍ଗ ବିଶ୍ୱବିଦ୍ୟାଳୟ ହେବ ସେଥିପାଇଁ ଚେଷ୍ଟା କରାଯିବ । ଭାରତ ସରକାରଙ୍କ କୃଷି ବିଭାଗ ସହ ଆଲୋଚନା କରି ତାଙ୍କର କିଛି ବିଷୟ ଏଠାକୁ ଆଣିବାକୁ ପ୍ରୟାସ କରାଯିବ । ଏହାସହ ଆଗକୁ ଧାନ ବ୍ୟତୀତ ଅନ୍ୟ ପନିପରିବା, ଫଳମୂଳ ତଥା ଅର୍ଥକାରୀ ଫସଲ ଉତ୍ପାଦନ ବଢିଲେ ସମ୍ବଲପୁରରୁ କୃଷି ଟ୍ରେନ ଚାଲିବ ।"
ଇଟିଭି ଭାରତ, ଭୁବନେଶ୍ବର