ETV Bharat / state

GST ମାଡ଼ରେ ଘାଇଲା କେନ୍ଦୁପତ୍ର ତୋଳାଳୀ, ଦୁର୍ଦ୍ଦିନରେ ୧୫ ଲକ୍ଷ କର୍ମଚାରୀ

ଜିଏସଟି ଯୋଗୁଁ ପ୍ରଭାବିତ ହେଉଛନ୍ତି ସମ୍ବଲପୁର ଜିଲ୍ଲା ସମେତ ଓଡ଼ିଶାର ଲକ୍ଷ ଲକ୍ଷ କେନ୍ଦୁପତ୍ର ତେଳାଳୀ ଏବଂ କର୍ମଚାରୀ । ଦାବି ପୂରଣ ନହେଲେ ବଡ଼ ଧରଣର ଆନ୍ଦୋଳନ ଚେତାବନୀ ।

GST Impact On Kendu Leaf Workers
GST Impact On Kendu Leaf Workers (ETV Bharat Odisha)
author img

By ETV Bharat Odisha Team

Published : April 10, 2025 at 1:13 PM IST

|

Updated : April 10, 2025 at 5:07 PM IST

5 Min Read
Choose ETV Bharat

Kendu Leaf Pluckers Demand GST Waiver ସମ୍ବଲପୁର: ଆମ ରାଜ୍ୟ ଓଡିଶାରେ କେନ୍ଦୁପତ୍ର ଉପରେ ବହୁତ ଗରିବ ଶ୍ରେଣୀର ଲୋକ ନିର୍ଭର କରି ରୋଜଗାର କରୁଛନ୍ତି l ଏଥିରେ 8 ଲକ୍ଷ କାର୍ଡଧାରୀ କେନ୍ଦୁପତ୍ର ତୋଳାଳି କାମ କରୁଥିବା ବେଳେ କାର୍ଡଧାରୀ ଓ ଅଣ କାର୍ଡଧାରୀ ତୋଳାଳିଙ୍କ ସଂଖ୍ୟା 15 ଲକ୍ଷ ଅଟେ l ଏହାସହ 18 ହଜାର ସିଜନାଲ କର୍ମଚାରୀ, 20ହଜାର ବନ୍ଧେଇ ଶ୍ରମିକ କାମ କରୁଛନ୍ତି l ତେବେ ବର୍ତ୍ତମାନ ଏହି କର୍ମଚାରୀ ମାନେ ବହୁତ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି l ରାଜ୍ୟ ସରକାରଙ୍କ ନୀତି ତଥା କେନ୍ଦୁ ପତ୍ର ଉପରେ 18% ଜିଏସଟି ଲାଗିବା ପରେ ଏବେ ସମସ୍ୟା ବଢ଼ି ଯାଇଥିବା ଅଭିଯୋଗ ହୋଇଛି l

କେନ୍ଦୁପତ୍ର ତୋଳାଳିଙ୍କ ଝିଅ ବାହାଘର ପାଇଁ ଆର୍ଥିକ ସହାୟତା ବନ୍ଦ-

ମୁଖ୍ୟତଃ ରାଜ୍ୟ ସରକାର ଚଳିତ ବଜେଟରେ କେନ୍ଦୁପତ୍ର ତୋଳାଳି ଯୋଜନା ପାଇଁ 100 କୋଟି ବ୍ୟୟ ବରାଦ କରିଥିବା ବେଳେ କିନ୍ତୁ ମାତ୍ର 50 କୋଟି ଦେଇଛନ୍ତି l ଏହା ସହ କେନ୍ଦୁପତ୍ର ତୋଳାଳିଙ୍କ 2ଟି ଝିଅ ବାହାଘର ପାଇଁ ପ୍ରଦାନ କରାଯାଉଥିବା 50 ହଜାର ଟଙ୍କାକୁ ମଧ୍ୟ 2018ରୁ ବନ୍ଦ କରାଯାଇଥିବା ବେଳେ, ଗତ 2024 ଫେବୃଆରୀ 11 ତାରିଖରେ ରେଢ଼ାଖୋଲର ଚରମାଲରେ ଆୟୋଜିତ କେନ୍ଦୁପତ୍ର ତୋଳାଳି ସମ୍ମିଳନୀରେ ଏହାକୁ ପୁଣି କାର୍ଯ୍ୟକାରୀ କରାଯିବ ବୋଲି ତତ୍କାଳୀନ ରାଜ୍ୟ ସରକାର ଘୋଷଣା କରିଥିଲେ l ତେବେ ନୂଆ ସରକାର ଆସିଲା ପରେ ଏହା ଲାଗୁ ହୋଇନାହିଁ l

Kendu Leaf Pluckers Demand GST Waiver (ETV Bharat Odisha)

ଜିଏସଟି ମାଡରେ ଘାଇଲା କେନ୍ଦୁପତ୍ର ବ୍ୟବସାୟ

  • 2018ରୁ ବନ୍ଦ କେନ୍ଦୁପତ୍ର ତୋଳାଳିଙ୍କ ଝିଅ ବାହାଘର ପାଇଁ ଆର୍ଥିକ ସହାୟତା
  • 50 ହଜାର ଟଙ୍କାର ଆର୍ଥିକ ସହାୟତା ମିଳୁଥିଲା
  • 2024ରେ ପୁନଃ କାର୍ଯ୍ୟକାରୀ କରାଯିବ ବୋଲି ତତ୍କାଳୀନ ସରକାର କରିଥିଲେ ଘୋଷଣା
  • ଦିନକୁ ଦିନ କମୁଛି କେନ୍ଦୁପତ୍ର ସଂଗ୍ରହ
  • କମୁଛି ଲାଭ, କ୍ଷତିରେ ତେଳାଳି
Kendu Leaf GST Issue 2025
Kendu Leaf GST Issue 2025 (ETV Bharat)

GST Impact On Kendu Leaf Workers:

ଜିଏସଟି ମାଡରେ ଘାଇଲା କେନ୍ଦୁପତ୍ର ବ୍ୟବସାୟ- 2017-18 ରେ କେନ୍ଦୁପତ୍ର ଉପରେ 18% ଜିଏସଟି ଲାଗିବା ପରେ ଏହି ବିକ୍ରୟ ହ୍ରାସ ପାଇଥିବା ବେଳେ ଲାଭ ମଧ୍ୟ ହ୍ରାସ ପାଇଥିବା ସୂଚନା ମିଳିଛି l ମିଳିଥିବା ସୂଚନା ଅନୁସାରେ 2018 ପରେ ପରେ କେନ୍ଦୁପତ୍ର ବ୍ୟବସାୟ ଧୀରେ ଧୀରେ କମ ହେବାରେ ଲାଗିଛି l ଓଡିଶା ରାଜ୍ୟ କେନ୍ଦୁପତ୍ର କର୍ମଚାରୀ ସଂଘର ସଂଗଠନ ସମ୍ପାଦକ ସଞ୍ଜିତ ମହାନ୍ତିଙ୍କ ଠାରୁ ମିଳିଥିବା ମିଳିଥିବା ତଥ୍ୟ ଅନୁସାରେ 2016 ମସିହାରେ 3.270 ଲକ୍ଷ କ୍ୱିଣ୍ଟାଲ କେନ୍ଦୁପତ୍ର ରାଜ୍ୟ ସରକାର କିଣିଥିଲେ ଓ ଏଥିରେ 426 କୋଟି 72 ଲକ୍ଷ ଟଙ୍କା ଲାଭ ହୋଇଥିଲା l ତେବେ 2023ରେ ଏହା ହ୍ରାସ ପାଇ 2.653 ଲକ୍ଷ କ୍ୱିଣ୍ଟାଲ କେନ୍ଦୁପତ୍ର ସଂଗ୍ରହ ହୋଇଥିବା ବେଳେ ଲାଭ 90 କୋଟି 61 ଲକ୍ଷରେ ସୀମିତ ରହିଥିଲା l ଏହାର ପ୍ରଭାବରେ ବର୍ତ୍ତମାନ କେନ୍ଦୁପତ୍ର ତୋଳାଳିମାନଙ୍କୁ ଝିଅ ବିବାହ ସହାୟତା ରାଶି ମିଳୁ ନଥିବା ଅଭିଯୋଗ ହୋଇଛି l

kendu  leaf
kendu leaf (ETV Bharat)


ଏହା ବି ପଢନ୍ତୁ- କେନ୍ଦୁପତ୍ର ଉପରୁ GST ଛାଡ ଦାବି; ବିଜେପି କହିଲା ବ୍ୟବସାୟୀଙ୍କ ଲାଭ ହେବ, ବିଜେଡି କହିଲା ତୋଳାଳୀଙ୍କ ସ୍ୱାର୍ଥ ବିରୋଧୀ - KV Singh on GST waiver - KV SINGH ON GST WAIVER


ଏହି ସବୁ ସମସ୍ୟାକୁ ଆଖି ଆଗରେ ରଖି ରାଜ୍ୟର 22ଟି ଜିଲ୍ଲାର କେନ୍ଦୁପତ୍ର ତୋଳାଳିମାନଙ୍କୁ ନେଇ ଗତ 4 ତାରିଖରେ ସମ୍ବଲପୁରରେ ରାଜ୍ୟ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ଓ ରାଜ୍ୟ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା l ଏହି ବୈଠକରେ ଏହି ସବୁ ବିଷୟ ଉପରେ ଆଲୋଚନା ହେବା ସହ କେତୋଟି ନୂତନ ପ୍ରସ୍ତାବ ଅଣା ଯାଇଥିଲା l

kendu  leaf  pluckers affected by GST
kendu leaf pluckers affected by GST (ETV Bharat Odisha)

Kendu Leaf Tax Exemption Demand:

ଦାବି ପୂରଣ ନହେଲେ ବଡ଼ ଧରଣର ଆନ୍ଦୋଳନ-ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ମହିଳା କେନ୍ଦୁପତ୍ର ତୋଳାଳି କୁଚିଣ୍ଡାର କୁନ୍ତରା ଗାଁର ପଦ୍ମାବତୀ କିସାନ କହିଛନ୍ତି, ଆମକୁ ପୂର୍ବ ସରକାର ଥିବା ସମୟରେ ବହୁ ଗୁଡିଏ ସହାୟତା ମିଳୁଥିଲା ଯେମିତି କି କନ୍ୟା ବିବାହ, ପିଲା ମାନଙ୍କୁ ଷ୍ଟାଇଫେନ ଏମିତି ବହୁତ ପ୍ରକାର ସହାୟତା ମିଳୁଥିଲା l ତେବେ ଏଥର ସରକାର ସିଜନାଲ ଷ୍ଟାଫଙ୍କ ଦରମା ବୃଦ୍ଧି, କନ୍ୟା ବିବାହ ପାଇଁ ସହାୟତା ରାଶି ପ୍ରଦାନ ପୁନଃ ଆରମ୍ଭ କରାଯିବ ବୋଲି କହି ମଧ୍ୟ ଆଜି ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇ ନାହିଁ l ଏହା ସହ ଆମେ ରାଜ୍ୟ ସରକାରଙ୍କୁ କେନ୍ଦୁପତ୍ର ତୋଳାଳିମାନଙ୍କ ପାଇଁ 100 କୋଟି ଟଙ୍କା ଦାବି କରିଥିଲୁ ତେବେ ରାଜ୍ୟ ସରକାର ଆମକୁ 50 କୋଟି ଟଙ୍କା ହିଁ ଦେଇଛନ୍ତି l ଏହା ଆମ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପାଇଁ ନିଅଣ୍ଟ ହେଉଛି l ଅନ୍ୟପଟେ କେନ୍ଦୁପତ୍ର ଉପରେ ଜିଏସଟି ଲାଗିବାରୁ ଏହା ଆମକୁ ଅସୁବିଧାରେ ପକାଉଛି l ତେଣୁ ଏହି ସବୁ ସମସ୍ୟା ନେଇ ଆମେ ଆଗକୁ ରାଜ୍ୟ ସରକାରଙ୍କୁ ଦାବି ଜଣେଇବୁ । ଆଉ ଦାବି ପୂରଣ ନହେଲେ ବଡ଼ ଧରଣର ଆନ୍ଦୋଳନ କରିବୁ l"

Kendu Leaf Tax Exemption Demand
Kendu Leaf Tax Exemption Demand (ETV Bharat Odisha)

Kendu leaf GST issue 2025:

50% ବୋନସ ଥିଲା, ଏବେ 25 % ହୋଇଛି- ଅନ୍ୟପଟେ ଜମେନକିରା, ବଡ଼ରମା ରେଞ୍ଜରୁ ଆସିଥିବା ମହିଳା କେନ୍ଦୁପତ୍ର ତୋଳାଳି କବିତା ତୀର୍କି କହିଛନ୍ତି, ପୂର୍ବରୁ ସବୁ ସୁବିଧା ଥିଲା ଯେମିତି କି ପୂର୍ବରୁ ବୋନସ 50% ଆସୁଥିଲା ଆଉ ଏବେ 25 % ଆସୁଛି, କନ୍ୟା ବିବାହ ସହାୟତା ଯାହା 25 ହଜାର ଆସୁଥିଲା ତାହା ମଧ୍ୟ କଟିଗଲା l ବର୍ତ୍ତମାନର ସରକାରଙ୍କୁ ଆମେ କେନ୍ଦୁପତ୍ର ତୋଳାଳିମାନଙ୍କ ପାଇଁ ବଜେଟରେ 200 କୋଟି ଟଙ୍କାର ବ୍ୟବସ୍ଥା ପାଇଁ ଦାବି କରିଥିଲୁ, ସେମାନେ 100 କୋଟି ଦେବୁ ବୋଲି ପ୍ରତିଶୃତି ଦେଇଥିଲେ କିନ୍ତୁ ମାତ୍ର 50 କୋଟି ଦେଲେ l ଏହା ଦ୍ୱାରା ଆମର ବହୁତ ଅସୁବିଧା ହେଉଛି l ଝିଅ ବିବାହ ପାଇଁ ଯେଉଁ ଟଙ୍କା ମିଳୁଥିଲା ତାହା କଟି ଯିବାରୁ ପରିବାର ପ୍ରତିପୋଷଣରେ ବହୁତ ସମସ୍ୟା ହେଉଛି l ଆମେ ଖରାରେ ବୁଲି ବୁଲି ପତ୍ର ସଂଗ୍ରହ କରିବୁ ଆଉ ଯଦି କମ ଟଙ୍କା ମିଳିବ ତାହେଲେ ଦୁଃଖ ତ ଲାଗିବ l"

kendu  leaf  pluckers affected by GST
kendu leaf pluckers affected by GST (ETV Bharat Odisha)
ଏହି ସବୁ ସମସ୍ୟା ନେଇ ଦେବଗଡ଼ ଡିଭିଜନର ସେକ୍ରେଟାରୀ ଭୂପେନ୍ଦ୍ର ପ୍ରସାଦ ନାଏକ କହିଛନ୍ତି, "ଆମର 80 ହଜାର କର୍ମଚାରୀ ଅଛନ୍ତି ଓ 15 ରୁ 16 ଲକ୍ଷ ତୋଳାଳି ଅଛନ୍ତି l ତେବେ ପୂର୍ବ ସରକାର ଯେଉଁ ବୋନସ, ଛାତ୍ର ବୃତ୍ତି, କନ୍ୟା ବିବାହ ପାଇଁ ଯେଉଁ ଯୋଜନା କରିଥିଲେ ତଥା ଦରମା ବୃଦ୍ଧିର କଥା କହିଥିଲେ ଓ ତାହା ଘୋଷଣା ମଧ୍ୟ ହୋଇଥିଲା l ତେବେ ନୂଆ ସରକାର ଯେତେବେଳେ ଆସିଲେ ଆମେ ତାଙ୍କୁ 200 କୋଟି ଟଙ୍କା ମାଗିଥିଲୁ ଚଳିତ ବଜେଟ ରେ ସେତେବେଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 100 କୋଟି ଦେବାକୁ ଘୋଷଣା କରିଥିଲେ ତେବେ ଗତ ମାର୍ଚ୍ଚ ମାସରେ ମାତ୍ର 50 କୋଟି ହିଁ ଦେଲେ l ଏହା ଦ୍ୱାରା ବହୁତ ତୋଳାଳି ଓ କର୍ମଚାରୀ ପ୍ରଭାବିତ ହେବେ l ଯେମିତି କି ଆମେ ଖରାଦିନେ ମା ଭଉଣୀଙ୍କୁ ରୋଜଗାରର ପନ୍ଥା ଯୋଗାଉଥିବା ବେଳେ ଜିଏସଟି ମାଡ଼ ଯୋଗୁଁ ଏହି ସଂସ୍ଥା ଏବେ ବୁଡିବାକୁ ବସିଲାଣି l"


Kendu Leaf Pluckers Protest:

ଜିଏସଟି ଟଙ୍କା ଫେରସ୍ତ ହେଉ- ଅନ୍ୟପଟେ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘର ସଂଗଠନ ସମ୍ପାଦକ ସଞ୍ଜିତ ମହାନ୍ତି କହିଛନ୍ତି, "ଓଡ଼ିଆ କେନ୍ଦ୍ରପତ୍ର କର୍ମଚାରୀ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡିଶାର 22ଟି ଜିଲ୍ଲା ଓ 19ଟି ଡିଭିଜନରୁ କର୍ମକର୍ତ୍ତା ଓ ତୋଳାଳି ସାମଲ ହୋଇଥିଲେ l ଗତ ଜୁନ ମାସରେ ଯେତେବେଳେ ନୂଆ ସରକାର ଘୋଷଣା ହେଲା ସେତେବେଳେ କେନ୍ଦୁପତ୍ର କର୍ମଚାରୀଙ୍କ ଦରମା ବୃଦ୍ଧି ଓ କେନ୍ଦୁପତ୍ର ସଂସ୍ଥାକୁ 100 କୋଟି ଦେବେ ବୋଲି ଘୋଷଣା କରିଥିଲେ l ତେବେ ଏହି ମାର୍ଚ୍ଚ ସୁଦ୍ଧା ସରକାର 100 କୋଟି ନଦେବା ଯୋଗୁଁ ସଂଘ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ସହ ଆଲୋଚନା ପରେ ଏହି ସଂସ୍ଥାକୁ ସରକାର 50 କୋଟି ଟଙ୍କା ଦେଇଛନ୍ତି l ସେଥିପାଇଁ ଆମେ ଏହାକୁ ପ୍ରତିବାଦ କରି କହୁଛୁ ଯେ ଏହି 50 କୋଟି ଟଙ୍କା କମ ମିଳିବା ଦ୍ୱାରା ଆମର ସାମାଜିକ ସୁରକ୍ଷା ଯୋଜନା ଗୁଡିକ ବାଧାପ୍ରାପ୍ତ ହେବ l ଅନ୍ୟପଟେ ଗତ ଜୁଲାଇ ମାସରୁ ସର୍ବନିମ୍ନ ମଜୁରୀ ବୃଦ୍ଧି ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କେନ୍ଦୁପତ୍ର ସିଜନାଲ କର୍ମଚାରୀଙ୍କ ଦରମା ବୃଦ୍ଧି ହୋଇ ନାହିଁ l ଅନ୍ୟପଟେ 2017 ମସିହା ଯାଏଁ କେନ୍ଦୁପତ୍ର ତୋଳାଳି ଓ ସିଜନାଲ କର୍ମଚାରୀଙ୍କ 2ଟି ଝିଅ ବାହାଘର ପାଇଁ 50 ହଜାର ସହାୟତା ରାଶି ମିଳୁଥିଲା । ଯାହା ପରେ ବନ୍ଦ ହୋଇଗଲା । ତେବେ 2024 ଫେବୃଆରୀ 11ରେ ତତ୍କାଳୀନ ସରକାର ଏହାକୁ ପୁନଃ ଲାଗୁ କରିବାକୁ ଘୋଷଣା କରିଥିଲେ ମଧ୍ୟ ତାହା ନୂଆ ସରକାର କାର୍ଯ୍ୟକାରୀ କରୁନାହାଁନ୍ତି l ଏହା ସହ 2018 ମସିହାରୁ କେନ୍ଦୁପତ୍ର ଉପରେ ଲଗାଯାଉଥିବା ଜିଏସଟି (କେନ୍ଦ୍ର 9% ଓ ରାଜ୍ୟ ସରକାର 9% ) 18% ଲଗାଯାଉଛି ତାକୁ ବନ୍ଦ କରାଯାଉ ଓ ଯେତେବେଳେ ଟଙ୍କା ଜିଏସଟି ଆକାରରେ ନିଆଯାଇଛି ତାକୁ କେନ୍ଦୁପତ୍ର ସଂସ୍ଥାକୁ ଫେରସ୍ତ କରାଯାଉ l ଏହି ସଂସ୍ଥା 15 ଲକ୍ଷ କେନ୍ଦୁପତ୍ର ତୋଳାଳି, 18 ହଜାର ସିଜନାଲ କର୍ମଚାରୀ, 20 ହଜାର ବନ୍ଧାଳୀ ଏହା ଉପରେ ନିର୍ଭର କରୁଛନ୍ତି l"

ଜଳବାୟୁ ପରିବର୍ତ୍ତନ, କାରଖାନା ପାଇଁ କେନ୍ଦୁପତ୍ର ଉତ୍ପାଦନ କମିଗଲା-

ଏହି ପ୍ରସଙ୍ଗରେ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘର ସଭାପତି ବିଜୟ କୁମାର ମହାନ୍ତି କହିଛନ୍ତି, "ବର୍ତ୍ତମାନ କେନ୍ଦୁପତ୍ରରେ ଜିଏସଟି ଯେଉଁ ଦିନଠୁଁ ଲାଗିଲା, ତାସହ ଜଳବାୟୁ ପରିବର୍ତ୍ତନ, କାରଖାନା ଇତ୍ୟାଦି ଯେତେବେଳେ ଗଢି ଉଠିଲା କେନ୍ଦୁପତ୍ରର ଉତ୍ପାଦନ ଓ ସଂଗ୍ରହ କମିଗଲା l ଏହା ସହ ଜିଏସଟି ଯୋଗୁଁ ଓ ଅନ୍ୟାନ୍ୟ କାରଣ ଯୋଗୁଁ ବିକ୍ରି ମୂଲ୍ୟ ବି କମିଗଲା l ବିକ୍ରି ମୂଲ୍ୟ କମିବା ଫଳରେ ତାର ଲାଭ ଧୀରେ ଧୀରେ କମୁଛି l ଏହା ସହ ସିଜନାଲ କର୍ମଚାରୀ ଓ ତୋଳାଳୀ ମାନଙ୍କ ପତ୍ରର ମୂଲ୍ୟ ଧାର୍ଯ୍ୟ ହୋଇ ନାହିଁ, ସିଜନାଲ କର୍ମଚାରୀଙ୍କ ସର୍ବନିମ୍ନ ମଜୁରୀ ଅନୁସାରେ ମାସିକ ଦରମା ବା ମଜୁରୀ ଧାର୍ଯ୍ୟ ହୋଇ ନାହିଁ l"

ଇଟିଭି ଭାରତ, ସମ୍ବଲପୁର

Last Updated : April 10, 2025 at 5:07 PM IST