କେନ୍ଦ୍ରାପଡ଼ା: ବହୁ ପ୍ରତୀକ୍ଷିତ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ଅଧ୍ୟକ୍ଷା ଅନାସ୍ଥା ପ୍ରସ୍ତାବ ପାଇଁ ଆଜି ଭୋଟ ଗ୍ରହଣ ଶେଷ ହୋଇଛି । ପୂର୍ବରୁ ୪ ଥର ପ୍ରକ୍ରିୟା ଆରମ୍ଭ ହୋଇ ହାଇକୋର୍ଟଙ୍କ ରହିତାଦେଶ ଓ ଶେଷରେ ନିର୍ଦ୍ଦେଶ ପରେ ଆଜି ମହାକାଳପଡ଼ା ବ୍ଲକ ପରିସରରେ ହୋଇଥିବା ଅନାସ୍ଥା ପ୍ରସ୍ତାବରେ ଅଧ୍ୟକ୍ଷା କଳ୍ପନା ରାଉତଙ୍କ ବିରୋଧରେ ଭୋଟ ପଡିଛି । ମହାକାଳପଡ଼ା ବ୍ଲକରେ ୩୧ଟି ପଞ୍ଚାୟତ ରହିଥିବା ବେଳେ ସଂଖ୍ୟା ଦୃଷ୍ଟିରୁ ୩୧ ସମିତିସଭ୍ୟ, ୩୧ ସରପଞ୍ଚ, ବିଧାୟକ ଓ ସାଂସଦଙ୍କୁ ମିଶାଇ ମତଦାତାଙ୍କ ସଂଖ୍ୟା ୬୪ ରହିଥିଲା । ଅନାସ୍ଥା ଦୃଷ୍ଟିରୁ ବିରୋଧି ଗୋଷ୍ଠୀଙ୍କ ପାଇଁ ୪୨ ଜଣ ମତଦାତାଙ୍କ ସଂଖ୍ୟା ଆବଶ୍ୟକତା ଥିବା ବେଳେ ଅନାସ୍ଥା ବିପକ୍ଷ ଅର୍ଥାତ ବିଜେଡି ପାଇଁ ୨୨ ଜଣଙ୍କ ମତଦାନ ଆବଶ୍ୟକତା ରହିଥିଲା ।
ଅନାସ୍ଥା ଭୋଟ୍ରେ ହାରିଲେ ବ୍ଲକ୍ ଅଧ୍ୟକ୍ଷା
ଚଳିତବର୍ଷ ମାର୍ଚ୍ଚ ମାସ ୮ ତାରିଖରେ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପାଇଁ କେନ୍ଦ୍ରାପଡା ଉପ ଜିଲ୍ଲାପାଳଙ୍କ ନିକଟରେ ପ୍ରସ୍ତାବ ଦିଆ ଯାଇଥିବା ବେଳେ ଦସ୍ତଖତ ଯାଞ୍ଚ ଓ ଅନ୍ୟାନ୍ୟ ସରକାରୀ କାର୍ଯ୍ୟ ସମାପ୍ତ କରି ଏପ୍ରିଲ ୫ ତାରିଖରେ ଅନାସ୍ଥା ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିଲା । ତେବେ ଏପ୍ରିଲ ୩ ତାରିଖ ଦିନ ଅନାସ୍ଥା ପ୍ରସ୍ତାବ ଆଣିଥିବା ସଦସ୍ୟ ସଦସ୍ୟାମାନଙ୍କ ମଧ୍ୟରୁ ୯ ଜଣ ଅସୁସ୍ଥ ହୋଇଥିବା ଦର୍ଶାଇ ଏହି ଅନାସ୍ଥା ପ୍ରସ୍ତାବ ତାରିଖକୁ ଏପ୍ରିଲ ୪ ତାରିଖ ଦିନ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲେ କେନ୍ଦ୍ରାପଡା ଉପଜିଲ୍ଲାପାଳ । ଏହି ସ୍ଥଗିତାଦେଶ ବିରୋଧରେ ଉପାଧ୍ୟକ୍ଷ ବିଜୟ ଶୁକ୍ଳାଙ୍କ ସମେତ ବିରୋଧି ବିଜେଡି ଦଳର ପଞ୍ଚାୟତ ସମିତି ସଦସ୍ୟ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ । ହାଇକୋର୍ଟ ଏହି ସମ୍ପର୍କରେ ବିଚାର କରି ଶୁଣାଣୀ ନହେବା ଯାଏ ଅନାସ୍ଥା ଉପରେ ସ୍ଥଗିତାଦେଶ ଜାରି କରିଥିଲେ ।
ପଦବୀ ହରାଇଛନ୍ତି ଅଧ୍ୟକ୍ଷା କଳ୍ପନା ରାଉତ
ପରେ ଏନେଇ ହାଇକୋର୍ଟ ପୁନଃ ନୋଟିସ କରି ପଞ୍ଚାୟତ ଆଇନ ଅନୁଯାୟୀ ଅନାସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏନେଇ ଗତ ସପ୍ତାହରେ କେନ୍ଦ୍ରାପଡା ଉପଜିଲ୍ଲାପାଳ ପୁନଃ ଅନାସ୍ଥା ପାଇଁ ସମିତିସଭ୍ୟ, ସରପଞ୍ଚ, ବିଧାୟକ ଓ ସାଂସଦଙ୍କୁ ଚିଠି କରି ଆଜି ପାଇଁ ଅନାସ୍ଥା ତାରିଖ ଧାର୍ଯ୍ୟ କରିଥିଲେ । ତଦନୁଯାୟୀ ଆଜି କଳ୍ପନା ରାଉତଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିବା ପରେ ଅନାସ୍ଥା ସପକ୍ଷରେ ଶାସକ ଦଳର ୪୯ ଜଣ ଭୋଟ ଦେଇଥିବା ବେଳେ ଅନାସ୍ଥା ବିପକ୍ଷରେ ବିଜେଡି ଦଳର ଜଣେ ହେଲେ ବି ଭୋଟ ଦେବାକୁ ଆସିନଥିଲେ । ୪୯ ଜଣ ସଭ୍ୟାସଭ୍ୟ ଉପସ୍ଥିତ ରହି ଅନାସ୍ଥାକୁ ସମର୍ଥନ କରିଥିଲେ । ସମର୍ଥନ ଅଭାବରୁ ବ୍ଲକ୍ ଅଧ୍ୟକ୍ଷା କଳ୍ପନା ରାଉତ ନିଜ ପଦବୀ ହରାଇଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ.. ଅନାସ୍ଥା ଭୋଟରେ ହାରିଗଲେ ବ୍ୟାସନଗର ପୌରାଧ୍ୟକ୍ଷା ! ସଙ୍ଗୀତାଙ୍କ ବିରୋଧରେ ପଡିଲା 20 ଭୋଟ ବିଜେଡି ପୌରାଧ୍ୟକ୍ଷାଙ୍କୁ ବିରୋଧ, ଅନାସ୍ଥା ପ୍ରସ୍ତାବ ଆଣିଲେ ଦଳୀୟ କାଉନସିଲର ଓ ଉପାଧ୍ୟକ୍ଷ |
ନିର୍ବାଚନୀ ପ୍ରକ୍ରିୟା ବିଡ଼ିଓଙ୍କ ନେତୃତ୍ୱରେ ଚାଲିଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ମହାକାଳପଡ଼ା ପୋଲିସ ପକ୍ଷରୁ ବ୍ୟାପକ ଫୋର୍ସ ମୁତୟନ କରାଯାଇଥିଲା । ମହାକାଳପଡ଼ା ତହସିଲଦାର ପ୍ରିଜାଇଡିଂ ଅଫିସର ଭାବେ ଦାୟିତ୍ବ ସମ୍ପନ୍ନ କରିଥିଲେ ।ମହାକାଳପଡ଼ା ତହସିଲଦାର ତଥା ପ୍ରିଜାଇଡିଂ ଅଫିସର ଶିବ ପ୍ରସାଦ ମଲ୍ଲିକ କହିଛନ୍ତି, "ଆଜି ଅନାସ୍ଥା ଭୋଟିଂ ଶାନ୍ତି ଶୃଙ୍ଖଳାର ସହ ଶେଷ ହେଲା।ପରବର୍ତ୍ତୀ ପର୍ଯ୍ୟାୟ ପାଇଁ କଲେକ୍ଟର, ସବ କଲେକ୍ଟର ନିଷ୍ପତ୍ତି ନେବେ।ମୋତେ କେବଳ ପ୍ରିଜାଇଡିଂ ଅଫିସର ଦାୟିତ୍ୱ ଦିଆ ଯାଇଥିଲା।ଯାହାକୁ ମୁଁ ସୁଚାରୁରୂପେ ସମ୍ପାଦନ କରିଛି ।"
ଇଟିଭି ଭାରତ, କେନ୍ଦ୍ରାପଡା