ପୁରୀ: ମହିଳା ସାମ୍ବାଦିକଙ୍କୁ ଅସଦାଚରଣ ଓ ଆକ୍ରମଣ ଘଟଣାର 24 ଘଣ୍ଟା ପରେ ବି ଅଭିଯୁକ୍ତ ସେବାୟତଙ୍କୁ ଧରୁନି ପୋଲିସ୍ । ରାଜ୍ୟବ୍ୟାପୀ ଆନ୍ଦୋଳନ ଚେତାବନୀ ଦେଲେ ସାମ୍ବାଦିକ । କାହା ଚାପରେ ରହିଛି ପୁରୀ ପୋଲିସ? ଶ୍ରୀମନ୍ଦିର ସମ୍ମୁଖରେ ଜଣେ ମହିଳା ସାମ୍ବାଦିକାଙ୍କୁ ଅସଦାଚରଣ ଏବଂ ମାଡ଼ ମାରିବା ଘଟଣାରେ ଅଭିଯୁକ୍ତ ମାନେ ଖୁଲମଖୁଲା ବୁଲୁଥିବା ବେଳେ କାହିଁକି ଅଭିଯୁକ୍ତଙ୍କୁ ଧରୁନି ପୋଲିସ ? ଜଣେ ମହିଳା ସାମ୍ବାଦିକାଙ୍କୁ ସର୍ବସାଧାରଣରେ ଅସଦାଚରଣ ସହିତ ମାଡ ମରା ଯାଇଥିବା ବେଳେ ତାଙ୍କୁ ନ୍ୟାୟ ପ୍ରଦାନରେ ପୁରୀ ପୋଲିସର ହାଲୁକା ମନୋଭାବକୁ ଏବେ ସବୁଆଡେ କଡ଼ା ନିନ୍ଦା କରାଯାଉଛି। ଅଭିଯୁକ୍ତଙ୍କୁ ଗିରଫ ଦାବିରେ ପୁରୀ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ପୁରୀରେ କାର୍ଯ୍ୟରତ ସାମ୍ବାଦିକ। ଆଗାମୀ ୨୪ ଘଣ୍ଟା ଭିତରେ ମହିଳା ସାମ୍ବାଦିକା ଙ୍କୁ ଅସଦାଚରଣ ଏବଂ ଆକ୍ରମଣ କରିଥିବା ଅଭିଯୁକ୍ତ ସେବାୟତଙ୍କୁ ଗିରଫ କରା ନଗଲେ ପୁରୀ ଏସପିଙ୍କ କାର୍ଯ୍ୟାଳୟ ଆଗରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦିଆଯିବ ବୋଲି ପୁରୀର କାର୍ଯ୍ୟରତ ସାମ୍ବାଦିକ ମାନେ ଚେତାବନୀ ଦେଇଛନ୍ତି।
ସେପଟେ ଓଡ଼ିଶା ସାମ୍ବାଦିକ ୟୁନିଅନ ମଧ୍ୟ ପୁରୀ ପୋଲିସର କୋହଳ ମନୋଭାବକୁ କଡା ନିନ୍ଦା କରିଛନ୍ତି। ଓଡିଶା ସାମ୍ବାଦିକ ୟୁନିଅନର ସଭାପତି ପ୍ରସନ୍ନ ମହାନ୍ତି ଏବଂ ଅନ୍ୟ ବରିଷ୍ଠ ସାମ୍ବାଦିକ ମାନେ ଅଭିଯୁକ୍ତ ସେବାୟତଙ୍କୁ ଗିରଫ ଦାବିରେ ଜିଲ୍ଲାପାଳଙ୍କୁ ଭେଟି ଦାବି ଜଣାଇଛନ୍ତି। ରାଜ୍ୟ ସରକାର ତୁରନ୍ତ ଏହି ଘଟଣାରେ ହସ୍ତକ୍ଷେପ କରି ମହିଳା ସାମ୍ବାଦିକାଙ୍କୁ ନ୍ୟାୟ ପ୍ରଦାନ ନକଲେ ରାଜ୍ୟବ୍ୟାପୀ ସାମ୍ବାଦିକ ମାନେ ତୀବ୍ର ଆନ୍ଦୋଳନ କରିବେ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ଏଥିସହିତ ତୁରନ୍ତ ରାଜ୍ୟ ସରକାର ସାମ୍ବାଦିକ ମାନଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ଆଇନ୍ ପ୍ରଣୟନ କରିବାକୁ ଦାବି କରାଯାଇଛି।
- ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ହେଉ
ଓଡ଼ିଶା ସାମ୍ବାଦିକ ୟୁନିୟନର ସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି କହିଛନ୍ତି, ‘‘ପୁରୀର ଜଣେ ମହିଳା ସାମ୍ବାଦିକଙ୍କ ଉପରେ ଯେଉଁ ଆକ୍ରମଣ ହୋଇଛି ତାକୁ ନେଇ ସାରା ରାଜ୍ୟରେ ସାମ୍ବାଦିକ ମହଲରେ ତୀବ୍ର ଅସନ୍ତୋଷ ରହିଛି। ସବୁ ସାମ୍ବାଦିକ ଙ୍କୁ ଏହା ବିବ୍ରତ କରିଛି। ଏହି ଘଟଣା ଆମେ ମୁଖ୍ୟମନ୍ତ୍ରୀ ଓ ଆଇନମନ୍ତ୍ରୀଙ୍କୁ ଜଣାଇଛୁ। ସାମ୍ବାଦିକ ମାନେ ସେମାନଙ୍କ କର୍ତ୍ତବ୍ୟ କରିବାକୁ ଯାଇଥିଲେ। ସେମାନେ ତାଙ୍କୁ ଅଟକାଇବା ଅଧିକାର ଦେଲା କିଏ। ଏ ନେଇ ଆମେ ଜିଲାପାଳ ଙ୍କୁ ଅଭିଯୋଗ ଦେଇଛୁ ହେଲେ 24 ଘଣ୍ଟା ବିତି ଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ଯାହାକି ଆମେ ସନ୍ତୁଷ୍ଟ ନୁହେଁ। ତୁରନ୍ତ ସାମ୍ବାଦିକଙ୍କୁ ନ୍ୟାୟ ଦିଆଯାଉ ଓ ଅଭିଯୁକ୍ତ ଙ୍କୁ ଗିରଫ କରାଯାଉ। ସରକାର ଏହାକୁ ଗଭୀର ଭାବେ ଗ୍ରହଣ କରିନାହାଁନ୍ତି। ପୋଲିସ୍ ପାଖରେ ପର୍ଯ୍ୟାପ୍ତ ପ୍ରଣାମ ଓ ତଥ୍ୟ ରହିଛି। ତେବେ 24 ଘଣ୍ଟା ପରେ ବି ପୋଲିସ କାହିଁକି ହାତ ବାନ୍ଧି ବସିଚି ତାହା ଏବେ ବଡ ପ୍ରଶ୍ନ। ତୁରନ୍ତ କଡା ପଦକ୍ଷେପ ନିଆନଗଲେ ଏହାକୁ ରାଜ୍ୟ ବ୍ୟାପି ପ୍ରସଙ୍ଗ କରାଯାଇ ଆନ୍ଦୋଳନ କରାଯିବ। ନୂଆ ସରକାର 9 ମାସ ପୁରିଥିଲେ ମଧ୍ୟ ସାମ୍ବାଦିକଙ୍କ ସୁରକ୍ଷା ନେଇ ସରକାର କିଛି ପଦକ୍ଷେପ ନେଇନାହାନ୍ତି। ନୁଆ ସରକାର ସାମ୍ବାଦିକ ଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ଆଇନ ପ୍ରଣୟନ କରୁ ଓ ସାମ୍ବାଦିକଙ୍କ ସୁରକ୍ଷା ସୂନିଶ୍ଚିତ କରୁ’’ ।

ପୁରୀ ରେ କାର୍ଯ୍ୟରତ ବରିଷ୍ଠ ସେବାୟତ ସାମ୍ୱାଦିକ ଅକ୍ଷୟ ମିଶ୍ର କହିଛନ୍ତି, ‘‘ଆଜି ଜଣେ ସାମ୍ବାଦିକ ନିଜ ପାଇଁ ନ୍ୟାୟ ଦାବି କରୁଛି। ସାମ୍ବାଦିକ ସବୁବେଳେ ସମାଜ ର ଉନ୍ନତି ଦିଗରେ କାମ କରେ। ଗତକାଲି ରାମ ନବମୀରେ ଶ୍ରୀ ମନ୍ଦିର ସମ୍ମୁଖରେ ସାର୍ବଜନୀନ ସ୍ଥାନ ରେ ଜଣେ ମହିଳା ସାମ୍ବାଦିକ ଙ୍କୁ ମାଡ ସହ ଅସଦାଚରଣ କରାଗଲା ଯାହାର ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲିଛି। ସମସ୍ତେ ଏହାକୁ ଦେଖୁଛନ୍ତି। ହେଲେ ପୁରୀ ପୋଲିସ୍ ଅନ୍ଧ ହୋଇ ଯାଇଚି। ପୋଲିସ୍ କୁ ଏହା ଦେଖା ଯାଉନାହିଁ। ଏତଲା ଦିଆଯିବା ର 24 ଘଣ୍ଟା ବିତି ଯାଇଥିଲେ ମଧ୍ୟ ଅଭିଯୁକ୍ତ କୁ ପୋଲିସ୍ ଧରିପାରୁନି। ଏଣୁ ଏହାର ପ୍ରତିବାଦ ରେ ସବୁ ସାମ୍ବାଦିକ ଏକ ହୋଇ ଆଜି ଆନ୍ଦୋଳନ କୁ ଓହ୍ଲାଇଛନ୍ତି। ଅଭିଯୁକ୍ତଙ୍କୁ ଗିରଫ ଦାବି ନେଇ ପୁରୀ ଜିଲାପାଳଙ୍କୁ ଦାବି ପତ୍ର ଦିଆଯାଇଛି। ଯଦି ଆଗାମୀ 24 ଘଣ୍ଟା ଭିତରେ ଅଭିଯୁକ୍ତକୁ ପୋଲିସ୍ ଗିରଫ ନ କରେ ସାମ୍ବାଦିକ ମାନେ ପୁରୀ ଜିଲାପାଳ ଓ ଏସପି ଅଫିସ ଘେରାଉ କରିବେ। ଏଥି ସହ ସରକାର ସାମ୍ବାଦିକଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରନ୍ତୁ ’’।

ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ କହିଛନ୍ତି, ଏହି ଘଟଣା କୁ ନେଇ ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଛି। ଏହାକୁ ପ୍ରଶାସନ ପକ୍ଷରୁ ଗୁରୁତର ଶହ ନିଆଯାଇଛି। ବରିଷ୍ଠ ଅଧିକାରୀ ମାନେ ମଧ୍ୟ ଏହି କେସ ର ଫଲୋଅପରେ ରହିଛନ୍ତି। ଆଇନ ଅନୁଯାୟୀ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ। ସେହିପରି ଶ୍ରୀ ମନ୍ଦିର ସମ୍ମୁଖ ରେ ଥିବା ସେବାୟତ ଙ୍କ ପ୍ରବେଶ ବ୍ୟାରିକେଡ଼ କୁ କିଭଳି ଶୃଙ୍ଖଳିତ କରାଯାଇପାରିବ ସେ ନେଇ ମଧ୍ୟ ପଦକ୍ଷେପ ନିଆଯିବ।
- କଣ ଥିଲା ଘଟଣା ?
ଗତକାଲି ପବିତ୍ର ଶ୍ରୀରାମ ନବମୀରେ ଶ୍ରୀମନ୍ଦିର ସମ୍ମୁଖରେ ଘଟିଥିଲା ଲଜ୍ଜ୍ୟା ଜନକ ଘଟଣା। କିଛି ବିଶୃଙ୍ଖଳିତ ସେବାୟତ ପୁରୀରେ କାର୍ଯ୍ୟରତ ମହିଳା ସାମ୍ବାଦିକା ଲିନୁ ନାୟକଙ୍କୁ ମାଡ଼ ମାରିବା ସହ ଅସଦାଚରଣ କରିଥିଲେ। କେବଳ ସେତିକି ନୁହେଁ ଏହାକୁ ବିରୋଧ କରିବାରୁ କିଛି ସେବାୟତ ସଂଘବଦ୍ଧ ହୋଇ ଅନ୍ୟ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ମଧ୍ୟ ମରଣାନ୍ତକ ଆକ୍ରମଣ କରିଥିଲେ। କିଛି ସେବାୟତ ସିଂହଦ୍ଵାର ସମ୍ମୁଖରେ ବେଆଇନ୍ ଭାବରେ ଭକ୍ତଙ୍କ ଠାରୁ ମୋଟା ଅଙ୍କର ଟଙ୍କା ଆଦାୟ କରି ଗଳା ବାଟରେ ଶ୍ରୀମନ୍ଦିରରେ ପ୍ରବେଶ କରାଉଥିବାରୁ ଗତ କିଛିଦିନ ତଳେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଏଥିରେ ପ୍ରତିହିଂସା ପରାୟଣ ହୋଇ କିଛି ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ଥିବା ସେବାୟତ ଗତକାଲି ମହିଳା ସାମ୍ବାଦିକା ଲିନୁ ନାୟକ ଏବଂ ତାଙ୍କ ସହିତ ଥିବା ଅନ୍ୟ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଶ୍ରୀମନ୍ଦିର ଭଳି ଏକ ଦେବାଳୟରେ ଏଭଳି ହିଂସା ଘଟଣା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ଭକ୍ତମାନଙ୍କ ସୁରକ୍ଷା ପ୍ରତି ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସେପଟେ ଅଭିଯୁକ୍ତଙ୍କୁ ଗିରଫ ଦାବି ନେଇ ସାମ୍ବାଦିକଙ୍କ ଦାବି ଉପରେ ପ୍ରତିକ୍ରିୟା ଦେଇ ଜିଲ୍ଲାପାଳ କହିଛନ୍ତି ପୋଲିସ ଦ୍ବାରା ସମସ୍ତ ଘଟଣାର ତଦନ୍ତ ଜାରି ରହିଛି। ଆଇନ ଅନୁଯାୟୀ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ।
ଏହା ମଧ୍ୟ ପଢନ୍ତୁ ଶ୍ରୀମନ୍ଦିର ସମ୍ମୁଖରେ ସାମ୍ବାଦିକାଙ୍କୁ ସେବାୟତଙ୍କ ଆକ୍ରମଣ, ଅସଦାଚାରଣ ସହ ମାଡ଼ ମାରିଥିବା ଅଭିଯୋଗ
ଏହା ମଧ୍ୟ ପଢନ୍ତୁ ଶ୍ରୀରାମ ନବମୀରେ ଶ୍ରୀମନ୍ଦିର ଭକ୍ତଙ୍କ ଭିଡ; ନାହିଁ ବିଶ୍ରାମସ୍ଥଳୀ, ପ୍ରଚଣ୍ଡ ଖରାରେ ହନ୍ତସନ୍ତ ଭକ୍ତଙ୍କ