JAU KANDHEI BAHAGHARA BALASORE ବାଲେଶ୍ବର : ବାଜୁଛି ଶଙ୍ଖ, ଶୁଭୁଛି ହୁଳହୁଳି । ଧାର୍ଯ୍ୟ ହେଲା ଲଗ୍ନ, ପଡ଼ିବ କଣ୍ଢେଇ ବର କନ୍ୟା ହାତ ଗଣ୍ଠି । ତେବେ ଏହା କୌଣସି ପୁରୁଷ କିମ୍ବା ମହିଳାଙ୍କ ମଧ୍ୟରେ ବାହାଘର ନୁହେଁ । ବରଂ ଦୁଇଟି କଣ୍ଢେଇ ବାହାଘର ପାଇଁ ଲଗ୍ନଧରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ବାଲେଶ୍ବରରେ ଏ କଣ୍ଢେଇ ବାହାଘର ଚଳିତ ଥର ୧୫ ବର୍ଷରେ ପଦାର୍ପଣ କରିଥିବାବେଳେ ପାରମ୍ପରିକ ରୀତିନୀତି ଅନୁସାରେ ବର ଓ କନ୍ୟା ପିତାମାତାଙ୍କ ଉପସ୍ଥିତିରେ ଲଗ୍ନ ଧରା ସଂପନ୍ନ ହୋଇଛି । ଆସନ୍ତା ୨୩ ତାରିଖରେ କଣ୍ଢେଇ ବର-କନ୍ୟାଙ୍କ ପଡ଼ିବ ହାତ ଗଣ୍ଠି ।
JAU KANDHEI PUPPET CULTURE ODISHA
ଜଉ କଣ୍ଢେଇ ବାହାଘର ପରମ୍ପରା : ଏ କଣ୍ଢେଇ କେତେବେଳେ ପିଲା ଦିନର ସ୍ମୃତିକୁ ମନେ ପକାଇଦିଏ ତ ପୁଣି କେତେବେଳେ ଆମ ପୁରୁଣା ପରମ୍ପରାକୁ ଉଜ୍ଜିବୀତ କରିଥାଏ । ଜଉରେ ତିଆରି ହୋଇଥିବା ବର ଓ କନ୍ୟା କଣ୍ଢେଇ ସତେ ଯେମିତି ବାସ୍ତବ ଝିଅ ପୁଅର ବିବାହ ଭଳି ବିବାହ ବନ୍ଧନରେ ବାନ୍ଧି ହୁଅନ୍ତି । ପ୍ରତିବର୍ଷ କମିଟିର ନିଷ୍ପତ୍ତି କ୍ରମେ ବର ଘର ଓ କନ୍ୟା ଘର ନିର୍ଦ୍ଧାରଣ ପରେ ଲଗ୍ନଧରା, ମଙ୍ଗନ ଓ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥାଏ । କେବଳ ସେତିକି ନୁହେଁ ବରପକ୍ଷ ଯୌତୁକ ବାବଦକୁ କନ୍ୟା ପକ୍ଷଙ୍କୁ ସାମାଜ ସେବା କରିବା ପାଇଁ ଦାବି କରିଥାନ୍ତି । କେତେବେଳେ ସଫେଇ କାର୍ଯ୍ୟକ୍ରମ ତ କେତେବେଳେ ଗରିବ ଝିଅର ବିବାହ ମଧ୍ୟ କରାଯାଇଥାଏ । ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ସହରର ସିନେମା ଛକ ନିକଟରେ ଥିବା ସିଦ୍ଧି ବିନାୟକଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରି ଲଗ୍ନଧରିବା ପାଇଁ ବରପକ୍ଷ ସହଦେବଖୁଣ୍ଟା ସ୍ଥିତ ଲୋକନାଥଙ୍କ ମନ୍ଦିରକୁ ଯାଇଥିଲେ ।

PUPPET WEDDING TRADITION ODISHA
'ଅପର୍ତ୍ତି' ବର ଏବଂ 'ଗୋରେଇ' କନ୍ୟା: ପ୍ରତିବର୍ଷ ପରି ଏବର୍ଷ ବର ଓ କନ୍ୟା ଭାବରେ ବିଶିଷ୍ଟ ଗାଳ୍ପିକ ପ୍ରାଣବନ୍ଧୁ କରଙ୍କର ପ୍ରସିଦ୍ଧ ଗଳ୍ପ 'ସୁଅ ମୁହଁର ପତର'ରୁ ବର ହୋଇଛନ୍ତି ଅପର୍ତ୍ତି ଏବଂ କନ୍ୟା ଗୋରେଇଙ୍କୁ ମନୋନୀତ କରାଯାଇଛି । ଏହି କଣ୍ଢେଇ ବିବାହ ଉତ୍ସବ ଆସନ୍ତା ୨୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବାବେଳେ ୨୨ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ବାଲେଶ୍ୱର ସହରର ମିଶନ ସ୍କୁଲ ପଡ଼ିଆରେ ସବୁଦିନ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ ଆୟୋଜନ ହେବ ।

PUPPET WEDDING TRADITION ODISHA
'ହଜାର ହଜାର ବର୍ଷର ପରମ୍ପରା': ଜଉ କଣ୍ଢେଇ ବାହାଘର ପରମ୍ପରାକୁ ନେଇ କମିଟିର ସମ୍ପାଦକ ଡ. କୁମାର ଗୋପାଳ କହିଛନ୍ତି," ବାଲେଶ୍ୱରରେ ଜଉ କଣ୍ଢେଇ ବାହାଘର ହଜାର ହଜାର ବର୍ଷ ତଳୁ ଅଛି । ସେଥିପାଇଁ ଆମକୁ ଗର୍ବ ଲାଗେ । ବାହାଘର ସମୟରେ ପେଡ଼ିରେ ଜଉ କଣ୍ଢେଇ ଦିଆଯାଉଥିଲା । କଣ୍ଢେଇ ଆମ ଜୀବନର ଯେମିତି ଏକ ଅଙ୍ଗ ହୋଇ ରହିଥିଲା । ଆମକୁ ଯେତେବେଳେ ପାଶ୍ଚାତ୍ୟ ସଭ୍ୟତା, ପରମ୍ପରା ପୂରା ଗ୍ରାସ କରିବାକୁ ବସିଲାଣି, ସେତେବେଳେ ଆମେ ଚିନ୍ତା କଲୁ ଆମ ପରମ୍ପରାକୁ ଆମେ ଯଦି ଉଜ୍ଜୀବିତ ନ କରିବା ତେବେ ଏ କାର୍ଯ୍ୟକ୍ରମ ହୋଇ ପାରିବ ନାହିଁ । ଆମ ପରମ୍ପରା ଯାହା ଅଛି ଆମେ କାହିଁକି ତାହା ଗ୍ରହଣ ନ କରିବା । ଗରିବ ପୁଅ ଝିଅଙ୍କ ବାହାଘର କରିଛୁ, ଯୌତୁକରେ ବୃକ୍ଷ ରୋପଣ କରୁଛୁ, ବିଭିନ୍ନ ସ୍ଥାନରେ ଆମେ ସଫେଇ କାର୍ଯ୍ୟକ୍ରମ କରୁଛୁ । ଆମର ଏହି ବାହାଘରରେ ଡିଜେ ନୁହେଁ ବରଂ ସାହିଯାତ, କଣ୍ଢେଇ ଯାତ, ବୁଢ଼ାବୁଢ଼ୀ ଯାତ, ଘୋଡ଼ା ନାଚ, ଷଣ୍ଢ ଲଢେଇ ଇତ୍ୟାଦିକୁ ବରଯାତ୍ରୀରେ ସାମିଲ କରୁଛୁ ।"

ଏପରି କହିଲେ କନ୍ୟା ମାଆ:
ଚଳିତ ବର୍ଷ ଜଉ କଣ୍ଢେଇ ବିବାହରେ କନ୍ୟା ମାତା ଭାବେ ଦାଇତ୍ୱ ତୁଲାଉଛନ୍ତି ଉମାମଣି ମାହାନ୍ନା । ଝିଅ ବିବାହ କଲା ଭଳି କଣ୍ଢେଇର ବିବାହ ନିମନ୍ତେ ସେ ସମସ୍ତ ପ୍ରକାର ବ୍ୟବସ୍ଥା କରିଛନ୍ତି । ଲଗ୍ନ ମଣ୍ଡପକୁ ଆଣିବା ବେଳେ ଉମାମଣିଙ୍କ ଆଖି ଛଳଛଳ ହୋଇ ଯାଉଥିଲା । ସେ ନିଜର ପ୍ରତିକ୍ରିୟାରେ କହିଛନ୍ତି," ମୋର ବହୁତ ଆତ୍ମିୟତା, ମୁଁ ତ ଝିଅ ବାହାଘର କରି ସାରିଛି । ମୁଁ କଣ୍ଢେଇ କନ୍ୟା ବୋଲି ଭାବୁନି, ମୁଁ ଭାବୁଛି ମୋର ଝିଅ । ଝିଅକୁ ବିଦା କଲାବେଳେ ଯେମିତି ମାଆ ଭାବବିହ୍ଵଳ ହୁଏ, ଆଜି ମୁଁ ମଧ୍ୟ ସେତିକି ଭାବବିହ୍ଵଳ ହୋଇ ପଡ଼ିଛି । ଏ ବିବାହରେ ମୁଁ ଏଥିରେ ସାମିଲ ହୋଇଥିବାରୁ ବହୁତ ଖୁସି । ମୁଁ ମୋ ଝିଅର ଲଗ୍ନ ଧରା ପାଇଁ ତାର ଆନୁଷଙ୍ଗିକ ଜିନିଷ ଯଥା ହଳଦୀ, ହଳଦିଆ ଲୁଗା, ବିଭିନ୍ନ ପ୍ରକାର ମିଠା, ଗହଣା ଆଣିଛି । କଣ୍ଢେଇ ଜ୍ବାଇଁ ପାଇଁ ମଧ୍ୟ ମୁଦି ଆଣିଛି ।"

ଏପରି କହିଲେ ବର ପିତା:
ଜଉ କଣ୍ଢେଇ ବାହାଘର ସମ୍ପର୍କ ଯେତିକି ମଜବୁତ କରେ ସେତିକି ପୁରୁଣା ଦିନର କଥା ତାଜା କରିଦିଏ । ସେହି କଥାକୁ ନେଇ ବର କଣ୍ଢେଇର ପିତା ଭାବେ ଦାଇତ୍ୱ ତୁଲାଉଥିବା ପିତାମ୍ବର ଦାସ କହିଛନ୍ତି," ପିଲାବେଳେ ଆମେ କଣ୍ଢେଇ ବାହାଘର କରି ବେଶ ଖୁସି ହୋଇଥାଉ । ଏବେ ଏହାର ଉଦ୍ଦେଶ୍ୟ ହେଉଛି ଯେମିତି ଏ ସମ୍ପର୍କ ନିବିଡ଼ ରହିବ । ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଥିବା ସମ୍ପର୍କ ଯେମିତି କେବେ ବି ଭାଙ୍ଗି ନଯାଉ । ମାନସ ପୁତ୍ର ହିସାବରେ ଜଉ କଣ୍ଢେଇକୁ ନେଇଛୁ, ଏହି ବାହାଘର ସମ୍ପର୍କ ଚିରଦିନ ରହୁ, ଅକ୍ଷୁର୍ଣ୍ଣ ରହୁ, ପବିତ୍ର ରହୁ । ମୋର ଦୁଇଟା ଝିଅ ବାହାଘର ସରିଛି, ମୋର ଗୋଟିଏ ପୁଅ ଅଛି ସେ ବାହା ହୋଇନାହିଁ । ଆଗକୁ ବି ପୁଅ ବାହା ହେବ । ତେଣୁ ଆମେ ସେହି ଠାକୁରଙ୍କ ନିକଟରେ ପ୍ରାର୍ଥନା କରୁଛୁ । ଆମେ ଯେଉଁ ଜଉ କଣ୍ଢେଇଙ୍କୁ ଆମ ଘରେ ବରକନ୍ୟା ଭାବେ ଆଣିକି ରଖିବୁ । ଏ ସମ୍ପର୍କ ଯେମିତି ମଜବୁତ ହୋଇ ରହିବ, ସେମିତି ଭବିଷ୍ୟତରେ ଆମର ରକ୍ତର ପୁଅକୁ ଯେତେବେଳେ ବିବାହ କରାଇ ବୋହୂଟିଏ ଆଣିବୁ ସେଇ ସମ୍ପର୍କ ସେମିତି ନିବିଡ଼ ରହିବ ।"

ଇଟିଭି ଭାରତ, ବାଲେଶ୍ବର