ଭୁବନେଶ୍ବର: ଦୀର୍ଘ ୮ ବର୍ଷ ପରେ ହତ୍ୟକାଣ୍ଡ ଘଟଣାରେ ଆସିଲା ରାୟ । ଜଟଣୀ ଷଣ୍ଢପୁର ପାନ ଦୋକାନୀ ଅନୁପ ବେହେରା ହତ୍ୟାକାଣ୍ଡ ଘଟଣାରେ ଦଣ୍ଡବିଧାନ । ୪ ଜଣଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ଭୁବନେଶ୍ୱର ଦ୍ବିତୀୟ ଅତିରିକ୍ତ ଜିଲ୍ଲା ଦୌରାଜଜ କୋର୍ଟ । ପୁରୁଣା ରାଗ ଯୋଗୁଁ ଘଟିଥିଲା ହତ୍ୟାକାଣ୍ଡ । ଭଉଣୀ ସହ ହୋଇଥିବା ଅନ୍ୟାୟକୁ ପ୍ରତିବାଦ କରିବାରୁ ଭାଇକୁ ହତ୍ଯା କରାଯାଇଥିଲା ।
୨୦୧୭ ମସିହା ଜଟଣୀ ଥାନା କେସ ନମ୍ବର ୩୨୪/୧୭ର ଷଣ୍ଢପୁରର ଅନୁପ ବେହେରା ହତ୍ୟାକାଣ୍ଡ ଘଟଣାରେ ସେହି ଗାଁର ୪ ଜଣ ହାଲୁ ବେହେରା, ରୁନାଲ୍ ବେହେରା, ଗୋପୀନାଥ ବେହେରା, ନାଲୁ ବେହେରାଙ୍କୁ କୋର୍ଟ ଦଣ୍ଡିତ କରିଛନ୍ତି । ଦଫା ୩୦୨ରେ ହତ୍ୟାକାଣ୍ଡ ଧାରା ୩୪ରେ ସଂଘବଦ୍ଧ ଭାବେ ଏକାଧିକ ଲୋକ ମିଶି ହତ୍ୟା କରିବା ଘଟଣାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ୧୬ ଜଣ ସାକ୍ଷୀ ଓ ୨୦ଟି ଦସ୍ତାବିଜ ଆଧାରରେ ଆଜୀବନ କାରାଦଣ୍ଡ ସହ ୨୫ ହଜାର ଟଙ୍କା ଲେଖାଏଁ ଜରିମାନା ପାଇଁ ରାୟ ଶୁଣାଇଛନ୍ତି କୋର୍ଟ । ଏନେଇ ଦୋଷୀମାନଙ୍କୁ ଝାରପଡ଼ା ଜେଲରେ ସଜ୍ଜା କାଟିବାକୁ ପଠାଯାଇଛି ।
ଘଟଣାକ୍ରମ ଏମିତି ଥିଲା:
୨୦୧୭ ମସିହାରେ ଜଟଣୀ ଷଣ୍ଢପୁରରେ ପାନ ଦୋକାନ କରିଥିବା ଅନୁପ ବେହେରାଙ୍କ ଭଉଣୀଙ୍କୁ ସେହି ଗାଁର କିଛି ଯୁବକ ଅଶାଳୀନ ବ୍ୟବହାର କରିଥିଲେ । ଏନେଇ ଅନୁପ ଜାଣିବା ପରେ କମେଣ୍ଟ ମାରିଥିବା ଯୁବକମାନଙ୍କୁ ସେ ତାଗିତ କରିଥିଲା । ଯାହାକୁ ନେଇ ଯୁବକମାନେ ଅନୁପଙ୍କ ଉପରେ ରାଗ ରଖିଥିଲେ । ଅନୁପ ସବୁଦିନ ପରି ଗତ ୨୦୧୭ ମସିହା ସେପ୍ଟେମ୍ବର ୨ ତାରିଖରେ ଜଟଣୀର ଭସାଣି ଚାଲୁଥିବା ସମୟରେ ବିଳମ୍ବିତ ରାତ୍ରିରେ ଘରକୁ ଫେରୁଥିଲେ । କିନ୍ତୁ ବାଟରେ ୪ ଜଣ ଯୁବକ ମରଣାସ୍ତ୍ର ଧରି ଅନୁପଙ୍କୁ ଅଟକାଇଥିଲେ । ପରେ ଯୁବକମାନେ ଅନୁପଙ୍କୁ ମରଣାନ୍ତ ଆକ୍ରମଣ କରିଥିଲେ ।
ଆଜୀବନ କାରାଦଣ୍ଡ:
ସେପଟେ ଖବର ପାଇ ଅନୁପଙ୍କ ମାଆ, ଭାଇ ସୁବ୍ରତ ବେହେରା ଓ ଅନ୍ୟ ସମ୍ପର୍କୀୟ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ହସ୍ପିଟାଲ ନେଇଥିଲେ । ମାତ୍ର ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇସାରିଥିଲା । ଏହି ଘଟଣାରେ ସୁବ୍ରତ ବେହେରା ଥାନାରେ ଦେଇଥିବା ଅଭିଯୋଗ ଆଧାରରେ ପୋଲିସ ୪ ଜଣଙ୍କୁ ଗିରଫ କରିଥିଲା । ଏହି ଘଟଣାରେ ଚାର୍ଜସିଟ୍ ଓ ଅନ୍ୟାନ୍ୟ ଦସ୍ତାବିଜ ଓ ସାକ୍ଷୀଙ୍କ ବୟାନ ରେକର୍ଡ ପରେ ଶେଷରେ ଦୀର୍ଘ 7 ବର୍ଷ ପରେ ଏବେ ଦୋଷୀମାନଙ୍କୁ ସଜା ମିଳିଛି । ଭୁବନେଶ୍ୱର ଦ୍ବିତୀୟ ଅତିରିକ୍ତ ଜିଲ୍ଲା ଦୌରାଜଜ କୋର୍ଟ ସେମାନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ... ଟଙ୍କା ଲୋଭରେ ଆଚାର୍ଯ୍ୟ ବିହାର ଡବଲ ମର୍ଡର, ୪ ଜଣଙ୍କୁ ଆଜୀବନ କାରାଦଣ୍ଡ |
ଜରିମାନା ଅନାଦେୟ, ଅଧିକ ୧ ବର୍ଷ କାରାଦଣ୍ଡ:
ଏନେଇ ସରକାରୀ ଓକିଲ ସଲିଲ ପ୍ରଧାନ କହିଛନ୍ତି, "୨୦୧୭ ସେପ୍ଟେମ୍ବର ୨ ତାରିଖରେ ଜଟଣୀ ଥାନା ଷଣ୍ଢପୁର ଗ୍ରାମରେ ଏକ ହତ୍ୟାକାଣ୍ଡ ହୋଇଥିଲା । ଅଭିଯୁକ୍ତମାନେ ଅନୁପ ବେହେରାଙ୍କୁ ମରଣାସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଥିଲେ । ଘଟଣାସ୍ଥଳରେ ଅନୁପଙ୍କ ମାଆ ଓ ଭାଇ ପହଞ୍ଚି ପ୍ରତିବାଦ କରିବାରୁ ଅଭିଯୁକ୍ତମାନେ ସେମାନଙ୍କୁ ମଧ୍ୟ ଆକ୍ରମଣ କରିଥିଲେ । ଏନେଇ ଅନୁପଙ୍କ ଭାଇ ସ୍ବରୁପ ବେହେରା ଜଟଣୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ । କେସ ନମ୍ବର ୩୪୦/୧୭ରେ ମାମଲା ପଞ୍ଜିକୃତ ହୋଇଥିଲା । ଏହି ଘଟଣାରେ ସମ୍ପୂର୍ଣ୍ଣ ରାୟ ପ୍ରକାଶ ପାଇଛି । ୧୬ ଜଣ ସାକ୍ଷୀ ଓ ୨୦ଟି ଡକ୍ୟୁମେଣ୍ଟକୁ ଆଧାର କରି, ୪ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହାସହ ୨୫ ହଜାର ଟଙ୍କା ଜରିମାନା କରିଛନ୍ତି । ଜରିମାନା ଅନାଦେୟ, ଅଧିକ ୧ ବର୍ଷ କାରାଦଣ୍ଡ ଭୋଗିବା ରାୟରେ ଉଲ୍ଲେଖ କରିଛନ୍ତି ।"
ଇଟିଭି ଭାରତ, ଭୁବନେଶ୍ବର