Jajpur diarrhea outbreak ଯାଜପୁର: ଯାଜପୁର ଜିଲ୍ଲାରେ ଅଣାୟତ୍ତ ଡାଇରିଆ । ଗତ 3 ଦିନ ଧରି ଝାଡାବାନ୍ତିରେ 800ରୁ ଊର୍ଦ୍ଧ୍ବ ଆକ୍ରାନ୍ତ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ସରକାରୀ ରିପୋର୍ଟ ଅନୁସାରେ 5 ଜଣଙ୍କ ମୃତ୍ୟୁ ହୋଇଛି । ଯାଜପୁର, କଟକ ଓ ଭୁବନେଶ୍ବରରେ ଶତାଧିକ ଆକ୍ରାନ୍ତ ଭର୍ତ୍ତି ହୋଇଛନ୍ତି । ବିଭିନ୍ନ ମେଡ଼ିକାଲ, ପ୍ରଭାବିତ ଅଞ୍ଚଳକୁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ(World Health Organization) ପ୍ରତିନିଧି ଦଳ ସହ ଜିଲ୍ଲା ତଥା ରାଜ୍ୟର ସ୍ବାସ୍ଥ୍ୟ ଟିମ୍, ଅନୁଧ୍ୟାନକାରୀ ଦଳ ପହଞ୍ଚି ଅନୁଧ୍ୟାନ କରିଛନ୍ତି । କେଉଁ କାରଣରୁ ଜିଲ୍ଲାରେ ଝାଡାବାନ୍ତି ବ୍ୟାପିଲା ତାହାର ସଠିକ୍ କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ ।
ଯାଜପୁରରେ ଡାଇରିଆ ଆତଙ୍କ:
ଯାଜପୁର ଜିଲ୍ଲାରେ ଲାଗି ରହିଛି ଝାଡାବାନ୍ତି ଆତଙ୍କ । ଗତ ଜୁନ 10ରୁ ଆଜି ପର୍ଯ୍ୟନ୍ତ ତିନି ଦିନ ମଧ୍ୟରେ ଡାଇରିଆ ବା ଝାଡାବାନ୍ତି ରୋଗରେ 800ରୁ ଊର୍ଦ୍ଧ୍ବ ଆକ୍ରାନ୍ତ ହୋଇଛନ୍ତି । ଜିଲ୍ଲାର ବ୍ୟାସନଗର ଓ ଯାଜପୁର ଦୁଇ ମ୍ୟୁନିସିପାଲଟି ସମେତ ଯାଜପୁର ସଦର, ଧର୍ମଶାଳା, ରସୁଲପୁର, କୋରେଇ, ଦାନଗଦି ଓ ବଡଚଣା ଆଦି 6ଟି ବ୍ଲକରେ ଏହାର ପ୍ରଭାବରେ ଜଟିଳ ପରିସ୍ଥିତି ସୃଷ୍ଟି କରିଛି ।
ଡାଇରିଆ ସ୍ଥିତିକୁ ଦୃଷ୍ଟିରେ ରଖି ଯାଜପୁର ଜିଲ୍ଲାର ଜନସାଧାରଣଙ୍କ ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ସୂଚନା। pic.twitter.com/rwSo44ICPD
— Collector & DM, Jajpur (@dm_jajpur) June 12, 2025
ଝାଡାବାନ୍ତିରେ 5 ମୃତ, ଶତାଧିକ ଆକ୍ରାନ୍ତ:
ଏହି ଝାଡାବାନ୍ତିରେ 5 ଜଣ ପ୍ରାଣ ହରାଇଥିବା ବେଳେ 800ରୁ ଜଣ ଆକ୍ରାନ୍ତ ହୋଇଛନ୍ତି । ଏନେଇ ସ୍ପଷ୍ଟ କରିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଆଶ୍ଵତୀ ଏସ । ତେବେ ମୃତକ ମାନେ ହେଲେ-
- ସୁଦର୍ଶନ ପାତ୍ର, ଘର ଦାନଗଦି
- ବସନ୍ତ ପାତ୍ର, ଘର ଦାନଗଦି
- ସନତ ପାତ୍ର, ଘର ଦାନଗଦି
- ତୁଲାରମ୍ ଶର୍ମା, ଘର ଯାଜପୁର ରୋଡ଼
- ସନାତନ ପାଇକିରା, ଘର ଯାଜପୁର ରୋଡ଼

ଯାଜପୁରରେ WHOର ଟିମ୍:
ଏତେ ସଂଖ୍ୟକ ଆକ୍ରାନ୍ତଙ୍କୁ ନେଇ ଚିନ୍ତା ବଢିଛି । ଆଜି(ଜୁନ 12) ଅପରାହ୍ନରେ ବିଶ୍ବ ସ୍ଵାସ୍ଥ୍ୟ ସଂସ୍ଥାର ଏକ 4ଜଣିଆ ଟିମ୍ କୋରାଇ ମେଡିକାଲରେ ପହଞ୍ଚି ରୋଗୀ ମାନଙ୍କ ସହ ଆଲୋଚନା କରିଥିଲେ । ଏଥିସହ ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ । ମଳ, ମୂତ୍ର, ରକ୍ତ ନମୂନା, ପାଣି, ଆଦିର ନମୁନା ସଂଗ୍ରହ କରି ପରୀକ୍ଷା ନିରୀକ୍ଷା କରିଥିଲେ । ମେଡ଼ିକାଲ ଅଫିସରଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ । ତେବେ ଦାନଗଦି ବ୍ଲକ ତରାଇଲ ଗାଁରେ ଦୁଇଜଣଙ୍କର ଝାଡାବାନ୍ତିରେ ପ୍ରାଣ ହରାଇବା ପରେ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ପରେ ସ୍ୱାସ୍ଥ୍ୟ ଅଧିକାରୀ, କର୍ମଚାରୀ ମାନେ ପହଞ୍ଚି ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ପାଣିର ନମୁନା ସଂଗ୍ରହ କରିଛନ୍ତି l
ତା ୧୦.୦୬.୨୫ରିଖରେ ଡାଇରିଆ ଏବଂ ଖାଦ୍ୟ ବିଷାକ୍ତତା ବ୍ୟାପିବା ସମ୍ପର୍କରେ ଖବର ପାଇବା ପରେ ଗ୍ରାମ୍ୟ ଜଳ ଯୋଗାଣ ପରିମଳ ବିଭାଗ, ଯାଜପୁର ପକ୍ଷରୁ ଧର୍ମଶାଳା ଏବଂ ରସୁଲପୁର ଆଦି ବ୍ଲକର ବିଭିନ୍ନ ସ୍ଥାନରେ ପାନୀୟ ଜଳ ଉତ୍ସଗୁଡ଼ିକୁ ଜୀବାଣୁମୁକ୍ତ କରିବା ସହ ବିଶୁଦ୍ଧ ପାନୀୟ ଜଳ ଟ୍ୟାଙ୍କର ସାହଯ୍ୟରେ ଲୋକମାନଙ୍କୁ ଯୋଗେଇ ଦିଆଯାଉଛି। ୧/୨ pic.twitter.com/SzKES8aiOG
— Collector & DM, Jajpur (@dm_jajpur) June 12, 2025
ଝାଡାବାନ୍ତି ବ୍ୟାପିବାର କାରଣ ଅସ୍ପଷ୍ଟ:
ଲଗାତାର ତିନି ଦିନ ଧରି ପୃଥକ ପୃଥକ ସ୍ଥାନରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ପ୍ରଶାସନ ଏବଂ ସ୍ବାସ୍ଥ୍ୟ ବିଭାଗ ପାଇଁ ଏହା ଚିନ୍ତାର ବିଷୟ ପାଲଟିଛି । ଏଯାଏ ଏହାର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ । ସରକାରୀ ସ୍ତରରେ ରୋଗୀ ମାନଙ୍କ ଚିକିତ୍ସା ଓ ଏହାର ନିରାକରଣ ପାଇଁ ସଂଘର୍ଷ ଜାରି ରହିଛି । ସେପଟେ ସ୍ଥିତି ପରଖିବା ପାଇଁ ବିଶ୍ବ ସ୍ବାସ୍ଥ୍ୟ ଟିମ ଆସି ଯାଜପୁରରେ ପହଞ୍ଚିଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଯଯାତି କେଶରୀ ମେଡିକାଲ କଲେଜ୍, ଭୁବନେଶ୍ବର ଏବଂ କଟକ ଏସସିବିରୁ ପୃଥକ୍ ପୃଥକ୍ ଟିମ୍ ବିଭିନ୍ନ ମେଡିକାଲକୁ ଗସ୍ତ କରି ଯାଞ୍ଚ କରିଛନ୍ତି l ପ୍ରବଳ ଗୁଳୁଗୁଳିରେ ଡିହାଇଡ୍ରେସନ ହେଉଥିବାରୁ ଲୋକଙ୍କୁ ପ୍ରଚୁର ଓଆରଏସ ଓ ଫୁଟା ପାଣି ପିଇବାକୁ ଏହି ସ୍ୱାସ୍ଥ୍ୟ ଟିମ ପରାମର୍ଶ ଦେଇଛି l ସେପଟେ ସ୍ୱାସ୍ଥ୍ୟ ସଚିବ ଓ ଜିଲ୍ଲାପାଳ ଧର୍ମଶାଳା ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି ।
ଆସନ୍ତାକାଲି ସୁଦ୍ଧା ଜଣାପଡିବ କାରଣ:
ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଆଶ୍ଵତୀ ଏସ କହିଛନ୍ତି, ‘ଜାତିସଂଘର ଟିମ୍ ଓ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଟିମ ଆଜି ବିଭିନ୍ନ ମେଡିକାଲ ଯାଇ ସ୍ଥିତି ଯାଞ୍ଚ କରିଛନ୍ତି । ଦୁଇ ଦିନ ଧରି ସେମାନେ ବିଭିନ୍ନ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିବେ । ଜିଲ୍ଲାପାଳଙ୍କ ସମେତ ବିଭିନ୍ନ ଟିମ ସହ ଆଲୋଚନା ହୋଇଛି । ସନ୍ଧ୍ୟା ସୁଦ୍ଧା 5 ଜଣଙ୍କ ମୃତ୍ୟୁ ହୋଇଛି । ପ୍ରଥମରୁ 620 ଆଡମିଟ ହୋଇଥିଲେ । ତା ପରେ 302 ଜଣ ଭର୍ତ୍ତି ହୋଇଥିଲେ । ଆଜି(ଗୁରୁବାର) 37 ଜଣ ଭର୍ତ୍ତି ହୋଇଛନ୍ତି । ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ଜଣାପଡିବ କାରଣ । ବର୍ତ୍ତମାନ ଦେଖିଲେ 4ଟି ବ୍ଲକରେ ଅଧିକ ଆକ୍ରାନ୍ତ ହେଉଛନ୍ତି । ରିପୋର୍ଟ ଆସିବା ପରେ ଏହାର କାରଣ ଜଣାପଡିବ । ଏହାକୁ କେମିତି ରୋକିହେବ ଏଥିପାଇଁ ଆମେ ପଦକ୍ଷେପ ଗ୍ରହଣ କରୁଛୁ ।
ଏହା ମଧ୍ୟ ପଢନ୍ତୁ: ଯାଜପୁରରେ ଅଣାୟତ ଡାଇରିଆ: ହସ୍ପିଟାଲରେ ବଢିଲା ଶଯ୍ୟା ସଂଖ୍ୟା, ଘରଘର ବୁଲି ପରୀକ୍ଷା ଯାଜପୁରରେ ଡାଇରିଆ ଆକ୍ରାନ୍ତଙ୍କ ସଂଖ୍ୟା 500 ପାର, 2 ମୃତ୍ୟୁ, ସ୍ୱତନ୍ତ୍ର ଟିମ ଦ୍ୱାରା ଚିକିତ୍ସା ଆରମ୍ଭ |
‘କୋରେଇରେ ନିୟନ୍ତ୍ରଣାଧିନ ଡାଇରିଆ’:
କୋରେଇ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଭବାନୀ ଶଙ୍କର ଦାସ କହିଛନ୍ତି, ‘ଡ଼ାଇରିଆ ସ୍ଥିତି ନିୟନ୍ତ୍ରଣାଧିନ ଅଛି l ଝାଡାବାନ୍ତି କମିଗଲାଣି ଆଉ ରୋଗୀଙ୍କ ଆଡ଼ମିସନ ହୋଇନାହିଁ l ଗତ 8 ତାରିଖରୁ ସମ୍ପୂର୍ଣ୍ଣ ଭାବେ 114 ଜଣ ରୋଗୀ ଆଡମିଟ ହେଇଥିଲେ l 56 ଜଣ ସୁସ୍ଥ ହେଇ ଫେରି ଯାଇଛନ୍ତି 7 ଜଣ ରୋଗୀଙ୍କୁ ରେଫର କରାଯାଇଛି l ଆଜି ବିଶ୍ୱ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ମାନେ ଆସିଥିଲେ କେଉଁ କାରଣରୁ ଝାଡାବାନ୍ତିରେ ଏତେ ଲୋକ ଆକ୍ରାନ୍ତ ହେଲେ ତଦାରଖ କରିଛନ୍ତି l ଆମ ମେଡିକାଲରେ କୌଣସି ରୋଗୀ ମୃତ୍ୟୁ ହୋଇନି ।’
ସଂଗ୍ରହ ହେଲା ପାଣି ନମୂନା:
ତରାଇଲ ଗାଁର ରୋଗୀଙ୍କ ସମ୍ପର୍କୀୟ ଗୌତମ ପାତ୍ର କହିଛନ୍ତି, ‘ରବିବାର ଦିନ ଆମ ପଡୋଶୀରେ ଜଣେ ଝିଅର ଲଗ୍ନ ହେଇଥିଲା l ଭୋଜି ଭାତ ହେଇଥିଲା ସେଥିରେ ଆମିଷ ବି ହେଇଥିଲା l ସେ ଖାଇବାରେ ଆମେ ଭାବୁଛୁ କିଛି ହେଇଛି l ତା ପରଦିନ ଆମର ଗୋଟିଏ ଏକୋସିଆ ଭୋଜି ଥିଲା l ଭୋଜି ଖାଇବା ପର ଠାରୁ ଅର୍ଥାତ ମଙ୍ଗଳବାର ଠାରୁ ପ୍ରାୟ ଆକ୍ରାନ୍ତ ହେଇଛନ୍ତି l ଆମର ବହୁତ ଲୋକ ମେଡିକାଲ ଯାଇଥିଲେ l ସେଥିରୁ ଦୁଇଜଣଙ୍କର ମୃତ୍ୟୁ ହୋଇଛି l ଜଣେ ଭାଇ ଆଉ ଜଣେ ପିଉସୀ ହେବେ l ପ୍ରାୟ ଆମ ଗାଁ ରୁ 40 45 ଜଣ ଏବେ ବି ମେଡିକାଲରେ ଚିକିତ୍ସିତ ହେଉଛନ୍ତି l ଆନନ୍ଦପୁର ଓ କଟକ ମେଡିକାଲ 4 ରୁ 5 ଜଣ ଚିକିତ୍ସା ପାଇଁ ଯାଇଛନ୍ତି l ଆମ ଗାଁରେ କ୍ୟାମ୍ପ ପଡିଛି ଯେଉଁ ମାନେ ଆକ୍ରାନ୍ତ ହେଉଛନ୍ତି ଆମେ ସାଙ୍ଗେ ସାଙ୍ଗେ କ୍ୟାମ୍ପକୁ ନେଇ ଯାଉଛୁ l ଆମ ଗାଁକୁ ମେଡିକାଲ ଟିମ ଆସିଛନ୍ତି ଘରକୁ ଘର ଯାଇ ଚିକିତ୍ସା କରୁଛନ୍ତି l ନଳକୂପରୁ ପାଣି ନମୁନା ସଂଗ୍ରହ କରିଛନ୍ତି l ଆମ ଗାଁରେ ପରିସ୍ଥିତି ଟିକେ ଟିକେ ସୁଧୁରିଲାଣି ତଥାପି ଆମେ ଭୟଭୀତ ଅଛୁ ।’
ଇଟିଭି ଭାରତ, ଯାଜପୁର