କଟକ: ଥାନାରେ ଯେକୌଣସି ଚାବି ପଡିଗଲେ ଚିହିଁକି ଉଠନ୍ତି ପୋଲିସ ବାବୁ । ସେ ଜଣାତରେ ହେଉ କିମ୍ବା ଅଜଣାତରେ, ଯଦି ଆପଣ ଥାନା ଭିତରେ ଚାବି ପକାନ୍ତି ଏବଂ ପୋଲିସ ବାବୁ ଯଦି ଦେଖନ୍ତି ତେବେ ଆପଣ ଗାଳି ଶୁଣିବା ଟା ଥୟ । ସେହିପରି ଥାନା ଭିତରେ ଚାବି ପଡିଲେ ତାହାକୁ ଥାନା ଭିତରେ ଥିବା ହାଜତରେ କିଛି ସମୟ ରଖିବା ପରେ ଚାବିକୁ ଧୋଇ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଫେରସ୍ତ କରାଯାଇଥାଏ । ଏକଥା ଆମେ କହୁ ନାହୁଁ ବରଂ ଯେଉଁମାନଙ୍କ ଜୀବନରେ ଏପରି ଘଟଣା ଘଟିଛି ସେମାନେ ହିଁ ଇଟିଭି ଭାରତକୁ କହିଛନ୍ତି । ତେବେ ଥାନାରେ ଚାବି ପଡିଲେ ପୋଲିସ କାହିଁକି ରାଗନ୍ତି ? ଏହା ପଛରେ କ'ଣ ରହସ୍ୟ ରହିଛି ?
'ଥାନାରେ ଚାବି ପଡ଼ିବା ଅଶୁଭ ଲକ୍ଷଣ':
ଏନେଇ କଟକ ବାସିନ୍ଦା ସନ୍ତୋଷ ଭୋଳ କହିଛନ୍ତି, କିଛି ଦିନ ପୂର୍ବରୁ ମୁଁ ଦିନେ ଥାନାକୁ ଯାଇଥିଲି । ହଠାତ ପକେଟରୁ ଚାବି ବାହାର କରିବା ବେଳେ ଥାନା ଭିତରେ ପଡ଼ିଗଲା । ଜଣେ ପୋଲିସ ମୋତେ କହିଲେ ଯେ, ଥାନା ଭିତରେ ଚାବି ପକାନ୍ତୁ ନାହିଁ । ଥାନା ଭିତରେ ଚାବି ପଡ଼ିବା ଅଶୁଭ ଲକ୍ଷଣ ବୋଲି ପୋଲିସ ଜଣଙ୍କ କହିଥିଲେ । ଥାନାରେ ଆଉ ଯେପରି ଚାବି ନପକାନ୍ତି ସେଥିପାଇଁ ସଚେତନ ରହିବାକୁ କହିଥିଲେ । ଏହାସହ ପଡ଼ିଯାଇଥିବା ଚାବିକୁ ଉଠାଇ ନେଇ ଧୋଇ ମୋତେ ଫେରସ୍ତ କରିଥିଲେ ।
ଚାବିକୁ ଧୋଇ ଫେରାଇଲେ ପୋଲିସ:
କେବଳ ସନ୍ତୋଷ କାହିଁକି, ପ୍ରକାଶ ପଣ୍ଡା ନାମକ ଜଣେ କଟକ ବାସିନ୍ଦା ମଧ୍ୟ ସମାନ ପରିସ୍ଥିତି ସାମ୍ନା କରିଛନ୍ତି । ସେ କହିଛନ୍ତି, "କିଛି ବର୍ଷ ପୂର୍ବେ ଏକ କାମରେ ମୁଁ ଥାନାକୁ ଯାଇଥିଲି । ମୋବାଇଲରେ କଥା ହେବା ସମୟରେ ଚାବିଟି ଥାନା ଭିତରେ ପଡିଯାଇଥିଲା । ଯାହାକୁ ନେଇ ପୋଲିସ ଅଧିକାରୀମାନେ ବିରକ୍ତିଭାବ ପ୍ରକାଶ କରିଥିଲେ । ଚାବିକୁ ପୋଲିସ ଅଧିକାରୀ ନେଇ ଯାଇ କିଛି ସମୟ ହାଜତ ଭିତରେ ରଖି ଦେଇଥିଲେ । ପରେ ଚାବିକୁ ଧୋଇ ଫେରାଇ ଥିଲେ । ଯେଉଁ ଥାନାକୁ ବି ଯାଆନ୍ତୁ, ଥାନାରେ ଚାବି ପକାଇବେ ନାହିଁ ବୋଲି ତାଗିଦ କରିଥିଲେ । ଏହାର କାରଣ ଜାଣିବାକୁ ଅନେକ ଲୋକଙ୍କୁ ପଚାରିଥିଲି । ହେଲେ କେହି ଏହାର ଉତ୍ତର ଦେଇ ନଥିଲେ । ସେବେ ଠାରୁ ଯେବେ ବି କୌଣସି କାମରେ ମୁଁ ଥାନାକୁ ଯାଏ ସତର୍କତାର ସହ ଚାବିକୁ ପକେଟରେ ରଖିକି ଯାଏ ।"
ଚାବି ପଡ଼ିଗଲା, ରାଗିଗଲେ ଥାନା ବାବୁ !:
କଟକର ଆଉ ଜଣେ ବାସିନ୍ଦା ପଦ୍ମଲୋଚନ ଗାହଣ ମଧ୍ୟ ସମାନ ଅଭିଯୋଗ କରିଛନ୍ତି । ସେ କହିଛନ୍ତି, "କିଛି ମାସ ପୂର୍ବେ ଏକ ମାମଲାର ମୀମାଂସା କରିବାକୁ ନିଜ ସମ୍ପର୍କୀୟଙ୍କ ସହ ଥାନା ଭିତରକୁ ଯାଇଥିଲି । ଥାନା ଭିତରେ ମୋ ପକେଟରୁ ପକେଟରୁ ଚାବିଟି ପଡିଯାଇଥିଲା । ଥାନାରେ ଥିବା ପୋଲିସ ଅଧିକାରୀମାନେ ମୋତେ ଗାଳି କରିଥିଲେ । ପୋଲିସଙ୍କ ବ୍ୟବହାର ମୋତେ ବେଶ ଖରାପ ଲାଗିଥିଲା । ପରେ ମୋ ଚାବିକୁ ପୋଲିସ ଅଧିକାରୀ ନେଇ ପ୍ରାୟ ୨ ମିନିଟ ହାଜତ ଭିତରେ ରଖିଥିଲେ । ପରେ ଚାବିକୁ ହଳଦୀ ପାଣିରେ ଧୋଇ ମୋତେ ଫେରାଇଥିଲେ । ଏହା ଦେଖି ମୁଁ ଭୟଭୀତ ହୋଇ ପଡିଥିଲି । ଚାବି ଯେପରି ପରବର୍ତ୍ତୀ ସମୟରେ ଥାନାରେ ନ ପଡେ ସେଥିପାଇଁ ଚେତାବନୀ ଦେଇଥିଲେ । ଅଜାଣତରେ ଯଦି ଚାବିଟି ପଡିଗଲା । ପୋଲିସ ଅଧିକାରୀ ମୋତେ କାହିଁକି ଏଭଳି କହିଲେ, ତାହାର କାରଣ ମୁଁ ଏଯାବତ ଜାଣିନାହିଁ ।"
କ'ଣ କହୁଛନ୍ତି ପୋଲିସ ଅଧିକାରୀ:
ଅନେକ ପୋଲିସ ଅଧିକାରୀ ଠାରୁ ପ୍ରତିକ୍ରିୟା ଆଣିବାକୁ ଚେଷ୍ଟା କରିଥିଲେ ଇଟିଭି ଭାରତ ପ୍ରତିନିଧି । ମାତ୍ର ଏନେଇ ଅନେକ ପୋଲିସ ଅଧିକାରୀ ମୁହଁ ଖୋଲିବାକୁ ରାଜି ହୋଇନଥିଲେ । ମାତ୍ର କିଶୋରନଗର ଥାନା ଅଧିକାରିଣୀ ଦୁର୍ଗେଶ ନନ୍ଦିନୀ ଶତପଥୀ ଏନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, "ଥାନାରେ ଚାବି ପଡିଲେ ଏହାକୁ ହାଜତରେ ରଖି ଧୋଇ କି ଫେରାଇବା ଏହା ଏବେକାର ପରମ୍ପରା ନୁହେଁ ବରଂ ଏହା ବହୁ ପୁରୁଣା ପରମ୍ପରା । ଧାରଣା ରହିଛି ଥାନାରେ ଚାବି ପଡିଲେ ଥାନାକୁ ଜଟିଳ ମାମଲା ଆସିପାରେ । ସେଥିପାଇଁ ଥାନାରେ ଚାବି ପଡିଲେ ଧୋଇଥାନ୍ତି । ପୂର୍ବରୁ ଏହି ପରମ୍ପରା ରହି ଆସିଛି । ସେମିତି ଏହାର କୌଣସି ମାନେ ନାହିଁ କି କେବଳ ଚାବି ପଡିଲେ କେସ ଆସିବ । ମାତ୍ର ଏହା ଏପରି ଗୋଟିଏ ବିଶ୍ୱାସ ରହି ଆସିଛି । ପୋଲିସରେ ଯୋଗ ଦେବା ଠାରୁ ଏହାକୁ ଶୁଣି ଆସିଛି ।"

ଏହା ମଧ୍ୟ ପଢ଼ନ୍ତୁ... ନିମ୍ବ ପତ୍ର ଲାଗୁଛି ମିଠା, ନିଆଳିରେ 100 ବର୍ଷ ଧରି ପୂଜା କରୁଛନ୍ତି ଲୋକେ ‘ଓଡ଼ିଶାରେ ମାଓ ଗତିବିଧି ହ୍ରାସ’, ସମ୍ବଲପୁରରେ ଆଇନ ଶୃଙ୍ଖଳା ସମୀକ୍ଷା କଲେ DGP |
ସେହିପରି ନୟାଗଡ଼ ଥାନାର ଥାନାଧିକାରୀ ରଶ୍ମିରଞ୍ଜନ ମହାପାତ୍ର କିନ୍ତୁ ଏନେଇ ଅତି ରକ୍ଷଣାତ୍ମକ ଢଙ୍ଗରେ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, "ଏହା ଗ୍ରହଣଯୋଗ୍ୟ ନୁହେଁ । ଏମିତି ସାଧାରଣରେ ଥାନାରେ ଯାହା ପଡିଲେ ଧୂଳି ଲାଗିଯାଏ ସେଥିପାଇଁ ତାହାକୁ ଧୋଇ ଦିଆଯାଏ । ମାତ୍ର ଚାବି ପଡିଲେ ଥାନାକୁ ଯେ ବିପଦ ଆସିବ ବୋଲି ଯେଉଁ ବିଶ୍ୱାସ ରହିଛି ତାହା ଗ୍ରହଣଯୋଗ୍ୟ ନୁହେଁ ।
ଇଟିଭି ଭାରତ, କଟକ