IRB ଯବାନଙ୍କ ପତ୍ନୀ ଜୀବନ୍ତ ଦଗ୍ଧ, ବିଦ୍ୟୁତ୍ ସର୍ଟ ସର୍କିଟ୍ରୁ ଅଗ୍ନିକାଣ୍ଡ ସନ୍ଦେହ
ଘର ଭିତରେ ପୋଡ଼ିଯାଇ IRB ଯବାନଙ୍କ ପତ୍ନୀ ମୃତ । କୋରାପୁଟ ଟାଉନ ଥାନା ଓ ସାଇଣ୍ଟିଫିକ ଟିମ୍ ପକ୍ଷରୁ ତଦନ୍ତ ଆରମ୍ଭ ।

Published : October 9, 2025 at 4:20 PM IST
କୋରାପୁଟ: କୋରାପୁଟ ଟାଉନ୍ ଥାନା ଅନ୍ତର୍ଗତ ଓଏମପି କଲୋନୀରେ ଭୟଙ୍କର ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଜୀବନ୍ତ ଦଗ୍ଧ ହୋଇଗଲେ IRB ଯବାନଙ୍କ ପତ୍ନୀ । ଗତକାଲି (ବୁଧବାର) ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଥିବା ବେଳେ ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିବା ସହ IRB ଯବାନଙ୍କ ପତ୍ନୀଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି । ସେପଟେ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ଜଣା ପଡ଼ିନଥିବା ବେଳେ ସର୍ଟସର୍କିଟ ଯୋଗୁଁ ହୋଇଥିବା ସନ୍ଦେହ କରାଯାଉଛି ।
ନିଆଁ ଲାଗି IRB ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ:
ଗତକାଲି (ବୁଧବାର) କୋରାପୁଟ ଟାଉନ ଥାନା ଅନ୍ତର୍ଗତ ଓଏମପି କଲୋନୀରେ ଥିବା ଏକ ଘରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ଯେଉଁଥିରେ ଆଇଆରବିରେ କାର୍ଯ୍ୟରତ ଶିବଶଙ୍କର ପାତ୍ରଙ୍କ ପତ୍ନୀ ପ୍ରିୟଙ୍କା ପଣ୍ଡା ମୃତ୍ୟୁ ହୋଇଛି । ଏମପି ଲାଇନ୍ ଇ' ଟାଇପ୍ କ୍ୱାର୍ଟର ୧୧/୧ ଭିତରେ ନିଆଁ ଲାଗିଥିବା ପଡୋଶୀମାନେ ଜାଣିବା ପରେ ତୁରନ୍ତ କୋରାପୁଟ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ । ଖବର ପାଇଁ ଅଗ୍ନିଶମ ଅଧିକାରୀ ବିଜୟ କିଶାନଙ୍କ ନେତୃତ୍ବରେ ଅଗ୍ନିଶମ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ କରିବା ସହ ଉକ୍ତ ମହିଳାଙ୍କ ଜଳନ୍ତା ମୃତଦେହ ଉଦ୍ଧାର କରିଥିଲେ।
ତେବେ ଅଗ୍ନିକାଣ୍ଡ ଘଟିବା ସମୟରେ ଘରେ କେହି ନଥିବା ଜଣାପଡିଛି । କିଭଳି ଏତେ ଭୟଙ୍କର ଅଗ୍ନିକାଣ୍ଡ ଘଟିଲା ? ତାହାର ସ୍ପଷ୍ଟ କାରଣ ଜଣାପଡ଼ିନଥିବା ବେଳେ ସର୍ଟସର୍କିଟ ଯୋଗୁଁ ଏହି ଅଘଟଣ ଘଟିଥିବା ସନ୍ଦେହ କରାଯାଉଛି । ଅନ୍ୟପକ୍ଷରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଆଜି ସକାଳ ସୁଦ୍ଧା କାହାରି ପକ୍ଷରୁ ଥାନାରେ କୌଣସି ଅଭିଯୋଗ କରାଯାଇନଥିବା ପୋଲିସ ସୂତ୍ରରୁ ପ୍ରକାଶ କରାଯାଇଛି । ଏପଟେ ଘଟଣା ପରେ କୋରାପୁଟ ଟାଉନ ଥାନା ଓ ସାଇଣ୍ଟିଫିକ ଟିମ୍ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।
ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ...
ଏହି ଘଟଣାକୁ ନେଇ କୋରାପୁଟ ଅଗ୍ନିଶମ ଅଧିକାରୀ ବିଜୟ କିଶାନ କହିଛନ୍ତି, "ଆମକୁ ଖବର ଆସିଥିଲା, ଓଏମପି କଲୋନୀରେ ଥିବା ଏକ ଘରେ ଅଗ୍ନିକାଣ୍ଡ ଘଟିଛି । ଆମେ ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ସମ୍ପୂର୍ଣ୍ଣ ଆୟତ କରିଥିଲୁ । ଏହାସହ ଘର ଭିତରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତେବେ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ଜଣା ପଡ଼ିନାହିଁ, ଆମେ ତଦନ୍ତ ଜାରି ରଖିଛୁ ।"
ଇଟିଭି ଭାରତ, କୋରାପୁଟ

