ଭୁବନେଶ୍ବର: କଥାରେ ଅଛି ଗୋଟିଏ ଚିତ୍ର ଶହେ ଶଦ୍ଦର କଥା କହିଥାଏ। ଆଉ ଯଦି ସେହି ଚିତ୍ର ଜୀବନ୍ତ ହୋଇଉଠେ କେବଳ ଶିଳ୍ପୀଙ୍କ କାରୁକାର୍ଯ୍ୟ ପାଇଁ । ଶିଳ୍ପୀଙ୍କ ନିଖୁଣ କଳାରେ ପଥର ମୂର୍ତ୍ତି ଜୀବନ୍ତ ଦେଖାଯାଇଥାଏ। ବିଶାଳକାୟ ପଥର ଖଣ୍ଡକୁ ସୁନ୍ଦର ସୁନ୍ଦର ମୂର୍ତ୍ତିର ରୂପ ଦେବା କେବଳ ଶିଳ୍ପୀଙ୍କ ଦ୍ୱାରା ହିଁ ସମ୍ଭବ ହୋଇଥାଏ। ପଥର ଦେହରେ ନିହଣର ଠକ ଠକ ଶଦ୍ଦ ଆଉ ଶିଳ୍ପୀଙ୍କ ଯାଦୁଗରୀ ସ୍ପର୍ଶରେ ତିଆରି ହୋଇଥାଏ ବିଭିନ୍ନ ପ୍ରକାରର ପ୍ରତିମୂର୍ତ୍ତି। ‘‘ସବୁ ମହାପ୍ରଭୁଙ୍କ ଇଚ୍ଛା । ଭୁବନେଶ୍ଵର ଏକ କଳା ନଗର । ଯେଉଁଥିପାଇଁ ଏଠାକୁ ଆସି ପ୍ରଥମେ ଏକ ଚାଳଘରେ ଏହି କାମ ଆରମ୍ଭ କଲୁ । ଖାଇବା, ପିଇବା ସବୁ ଏଇଠି । ଶିଳ୍ପୀ ଓ ଭୁବନେଶ୍ବର ବାସିନ୍ଦାଙ୍କ ସହଯୋଗରେ ଆଜି ଆମେ ଅନୁମାନ ଠାରୁ ଆଗକୁ ବଢିଛୁ ’’। ପଥର ଖଣ୍ଡରେ ପ୍ରାଣ ଭରିଦେଉଥିବା ସେହି ପଥର ଶିଳ୍ପୀ ପଦ୍ମ ବିଭୂଷଣ ସୁଦର୍ଶନ ସାହୁଙ୍କ ଏ ହେଉଛି ଦୀର୍ଘ ବର୍ଷର ଅଭିଜ୍ଞତା କାହାଣୀ ।
ରାଜଧାନୀର ଛାତି ଉପରେ ଜୟଦେବ ବିହାର ନିକଟରେ ସୁଦର୍ଶନଙ୍କ ରହିଛି ଅନୁଷ୍ଠାନ । ଯେଉଁଠି ସକାଳ ହେବା ମାତ୍ରେ ବିଭିନ୍ନ ପ୍ରକାରର ଦେବାଦେବୀଙ୍କ ପ୍ରତିମୂର୍ତ୍ତି କରିବା ସହ ଓଡିଶାର କଳା ଭାସ୍କର୍ଜ୍ୟର କଳାକୁ ମଧ୍ୟ ପ୍ରତିପାଦନ କରାଯାଉଛି। କାରିଗରମାନେ ପ୍ରସ୍ତୁତ କରୁଥିବା ପ୍ରତିମୂର୍ତି ଗୁଡ଼ିକ ଦିଲ୍ଲୀ ଚେନ୍ନାଇ, କଲିକତା ଭଳି ସହରକୁ ବିକ୍ରି ପାଇଁ ପଠାଯାଉଥିବା ବେଳେ ଆମେରିକା ଲଣ୍ଡନ ଜର୍ମାନ ଭଳି ଦେଶକୁ ମଧ୍ୟ ମୂର୍ତ୍ତି ପଠାଯାଉଛି। ପଥର ଶିଳ୍ପୀ ଗୋଲକ ପାତ୍ର ପଥରକୁ ଖୋଦେଇ କରି ଏଭଳି ସୁନ୍ଦର ସୁନ୍ଦର ପ୍ରତିମୂର୍ତ୍ତି ଗଢିଛନ୍ତି ।
ସେ କହିଛନ୍ତି ‘‘ପୂର୍ବ ଅପେକ୍ଷା ଚାହିଦା ବଢିଛି କିନ୍ତୁ ପଥର ଅଭାବ କାରଣରୁ ଧୀରେ ଧୀରେ ଏହା ବିଲୁପ୍ତ ହେବାକୁ ବସିଲାଣି। କଳାକାର ମାନେ କାରିଗରୀକୁ ଆସିବାକୁ ମନଯୋଗ ଦେଉନାହାନ୍ତି। ପଥର ଅଭାବ କାରଣରୁ ଏହାର ଭବିଷ୍ୟତ କ୍ଷଣସ୍ଥାୟୀ ଅଟେ’’।

- ପଥର ଶିଳ୍ପୀ ପଦ୍ମ ବିଭୂଷଣ ସୁଦର୍ଶନ Sudarshan Art & Crafts Village
ପଥର ଦେହରେ ଜୀବନ ଭରୁଛନ୍ତି ଶିଳ୍ପୀ ସୁଦର୍ଶନ। ତାଙ୍କ ହାତର ସ୍ପର୍ଶରେ ପଥର ବି କଥା କହିଥାଏ। ସୂନ୍ଦର ସୂନ୍ଦର ପଥର ମୂର୍ତ୍ତି ଗୁଡ଼ିକ ବେଶ ଜୀବନ୍ତ ଦିଶୁଛନ୍ତି। ଦୀର୍ଘ ବର୍ଷ ଧରି ନିରବଛିନ୍ନ ଭାବେ ସେ ସୃଷ୍ଟି କରୁଛନ୍ତି ଅନନ୍ୟ କଳାକୃତି। ତାଙ୍କ ହାତ ତିଆରି ମାଟି, ପଥର ଓ କାଠ ମୂର୍ତ୍ତିର ରହିଛି ସ୍ୱତନ୍ତ୍ର ଚାହିଦା। ଯାହା ତାଙ୍କୁ ଆଣିଦେଇଛି ଆନ୍ତର୍ଜାତୀୟ ସ୍ତରର ଖ୍ୟାତି। ପଥରରେ ତିଆରି ବିଭିନ୍ନ ପ୍ରକାରର ମୂର୍ତ୍ତି ଏଠାରେ ସୌନ୍ଦର୍ଯ୍ୟ ବୃଦ୍ଧି କରୁଛି। ବିଭିନ୍ନ ଦେବାଦେବୀଙ୍କ ପ୍ରତିମୂର୍ତ୍ତି ସହିତ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ସମେତ ଓଡିଶାର କଳା କୋଣାର୍କ ଓ ପୁରୀ ଆଦି କଳାକୃତି ପ୍ରସ୍ତୁତ କରୁଛନ୍ତି। ୧୯୯୧ ମସିହାରେ ଭୁବନେଶ୍ଵର ଆସି ଆରମ୍ଭ କରିଥିଲେ ପଥର ଶିଳ୍ପୀ କାରିଗରୀ। ଗୋଟିଏ ଚାଳ ଘରେ ଆରମ୍ଭ ହୋଇଥିଲା କାରୁକାର୍ଯ୍ୟ । ଶିଳ୍ପୀ ଗଢିବା ଠାରୁ ଆରମ୍ଭ କରି ପଥର ଚିହ୍ନିବା ସହିତ କାରିଗରୀଙ୍କ ରୋଜଗାର ଆଦି ଆରମ୍ଭ ବା ଅଧ୍ୟୟନ କରାଯାଇଥିଲା। ଧୀରେ ଧୀରେ ପିଲାଙ୍କ ସଂଖ୍ୟା ବଢିବା ସହିତ କୋଣାର୍କ ପୁରୀ ଆଉ ଦେବାଦେବୀଙ୍କ ପଥର ମୂର୍ତ୍ତି କାମ କରାଗଲା। ଲୋକଙ୍କ ଚାହିଦା ଅନୁସାରେ ଅନେକ ଜିନିଷ ପଥରରେ ପ୍ରସ୍ତୁତ କରାଗଲା। କିନ୍ତୁ ବର୍ତ୍ତମାନ ସମୟରେ ଆଉ ଏହାର ଚାହିଦା ନାହିଁ। ଚାହିଦା ଥିଲେ ମଧ୍ୟ ପଥର ଅଭାବ କାରଣରୁ ଅନେକ ଲୋକ ଫେରୁଛନ୍ତି।

- 1991ରୁ ଆରମ୍ଭ ହୋଇଥିଲା ଯାତ୍ରା
୧୯୯୧ ମସିହାରେ ଭୁବନେଶ୍ବରରେ ଏହି ପଥର କାମ ଆରମ୍ଭ ହୋଇଥିଲା। ଭୁବନେଶ୍ବରରେ ଏକ ସୁନ୍ଦର ପରିବେଶ ନିର୍ମାଣ କରିବା ପାଇଁ ଅଧିକ ପଇସା ଆବଶ୍ୟକ ପଡିଥିଲା। ସରକାର ଏକ ଜାଗା ଦେଇଥିଲେ ସତ କିନ୍ତୁ ପରବର୍ତ୍ତୀ ସମୟରେ ଏହାକୁ ଆଗକୁ ନେବାକୁ ହେଲେ ଅର୍ଥର ଆବଶ୍ୟକତା ପଡିଥିଲା। ଯାହା ସରକାର ନଦେବା କାରଣରୁ ଅନେକ ଲୋକଙ୍କ ସହଯୋଗରେ ଏହା ଆଗକୁ ଯାଇଛି। ଭବିଷ୍ୟତରେ କଳା ଶିଳ୍ପୀଙ୍କ ଭବିଷ୍ୟତ କ’ଣ ହେବ ତାହା କହିବା କଷ୍ଟକର ବୋଲି କୁହନ୍ତି ସୁଦର୍ଶନ ।

- ଦୀର୍ଘ ୧୫ ବର୍ଷ ହେଲା ପଥର ବନ୍ଦ Stone carving in Bhubaneswar
ଶିଳ୍ପୀ ସୁଦର୍ଶନ କୁହନ୍ତି ଯେ ‘‘ରାଜ୍ୟରେ ଦୀର୍ଘ ୧୫ ବର୍ଷ ହେଲା ପଥର ବନ୍ଦ କରାଯାଇଛି। ଆଗକୁ ଏହି କଳା ଭାସ୍କର୍ଜ୍ୟ କାମ ଦେଖିବାକୁ ମିଳିବ କି ନାହି ତାହା ସମୟ କହିବ। କିନ୍ତୁ ପଥର ଅଭାବ ଓ ସଠିକ ପ୍ରୋତ୍ସାହନ ପାଇଁ ଅନେକ ଶିଳ୍ପୀ ମାନେ ଦେଶ ବିଦେଶକୁ ଚାଲିଗଲେଣି। ଧୀରେ ଧୀରେ ଏହି କାର୍ଯ୍ୟ ମଉଳି ଯିବାକୁ ବସିଲାଣି। ଆଗକୁ ଏହି କାର୍ଯ୍ୟ ଦେଖିବାକୁ ଆଉ ମିଳିବନି। ଆଗକୁ ଯେଉଁ ସବୁ ମନ୍ଦିର ରହିଛି ସେସବୁର ମରାମତି ମଧ୍ୟ କଷ୍ଟକର ହୋଇପଡିବ। ଓଡିଶା ସରକାରଙ୍କ ସହିତ ଏନେଇ ଅନେକ ବାର ଆଲୋଚନା କରାଯାଇଛି। କିନ୍ତୁ କୌଣସି ସମାଧାନ ବାହାରିପାରୁ ନାହି। ଯଦି ଏବେଠାରୁ ସରକାର ଧ୍ୟାନ ନଦେବେ ଓଡିଶାର ଯେଉଁ ଅସ୍ମିତା ସୁନ୍ଦର କାରିଗରୀ ମଉଳି ଯିବାର ସମ୍ଭାବନା ଅଧିକ ରହିଛି। ସବୁ କିଛି ସମ୍ଭବ ହୋଇପାରିବ ଯଦି ସରକାର ସତ ପ୍ରଚେଷ୍ଟା କରିବେ ତେବେ ସବୁ କିଛି ସମ୍ଭବ ହୋଇପଡିବ’’।

- ଚାହିଦା ବଢିଥିଲେ ମଧ୍ୟ ବିଲୁପ୍ତ:-
ଲୋକଙ୍କ ମନରେ ଏବେବି ପଥର କାରିଗରୀ ରହିଛି। ଚାହିଦା ରହିଛି କିନ୍ତୁ ପଥର ଅଭାବ ଯୋଗୁଁ ଲୋକମାନେ ମୁହଁ ଫେରାଉଛନ୍ତି। ୯୦ ଦଶକରେ ଯେଉଁ ଚାହିଦା ରହିଥିଲା ବର୍ତ୍ତମାନ ସମୟରେ ଏହା ୧୦ ଗୁଣ ବଢିଯାଇଛି। କିନ୍ତୁ ଧୀରେ ଧୀରେ ଚାହିଦା ବଢିବା ସଙ୍ଗେ ସଙ୍ଗେ ପଥର ମିଳୁନାହିଁ। ଯାହା ଫଳରେ ଧୀରେ ଧୀରେ ଏହା ବିଲୁପ୍ତ ହେବାରେ ଲାଗିଛି। ପଥର ନାହିଁ ବୋଲି ଅନେକ ଅର୍ଡର ରହୁନି। ଯାହା ଫଳରେ ଲୋକମାନେ ଆଉ ଆସୁନାହାନ୍ତି। ଏହା ଦ୍ଵାରା କାରିଗରୀ ବା ଶିଳ୍ପୀ ମାନେ ଅନ୍ୟ କାମରେ ନିୟୋଜିତ ହେଉଛନ୍ତି। ପଥର କାମ ଛାଡି ଅନ୍ୟ କାମରେ ମନ ଯୋଗ ଦେଉଛନ୍ତି।
- କେଉଁଠାରୁ ଆସିଥାଏ ପଥର:-
ବିଶେଷ ଭାବରେ ପଥରରେ କାରିଗରୀ କରିବାକୁ ହେଲେ ଭଲ ପଥରର ଆବଶ୍ୟକତା ରହିଛି। ଯାହା ଦୀର୍ଘ ସମୟ ଓ ମଜଭୁତ ହୋଇ ରହିବ। ବିଶେଷ ଭାବରେ ଖୋର୍ଦ୍ଧାରୁ ପଥର ଆସୁଥିବା ବେଳେ ରାଜସ୍ଥାନ, ତାମିଲନାଡୁ, ବାଙ୍ଗୋଲୋର ଭଳି ସ୍ଥାନରୁ ଆସୁଛି ପଥର। ଯାହାର ଦାମ ଅଧିକ। ଯେଉଁଥିପାଇଁ ଗୋଟିଏ ମୂର୍ତ୍ତି ପ୍ରସ୍ତୁତ କରିବା ପାଇଁ ହେଲେ ଅଧିକ ଦାମ ପଡୁଛି।
- କମୁଛି କାରିଗରଙ୍କ ସଂଖ୍ୟା:-
ଦିନକୁ ଦିନ ପଥର କାରିଗରଙ୍କ ସଂଖ୍ୟା କମୁଛି। ପଥର ନ ମିଲିବାରୁ ଅନେକ କାରିଗର ନିଜର ବେଉସାକୁ ଛାଡୁଛନ୍ତି। ଏପରିକି ଅନେକ କାରିଗର ଦାଦନ ଖଟିବାକୁ ଚାଲିଗଲେଣି। ଏପରି ଅନେକ ଲୋକ ଅଟୋ ଆଉ ପରିବା ବେପାର କରୁଛନ୍ତି। ନୂଆ କାରିଗର ସୃଷ୍ଟି ହେଉନାହାନ୍ତି। ଆଉ କୌଳିକ ବୃତ୍ତି ନାହି। ଏହାକୁ କରିବାକୁ ଆଉ କେହି ପସନ୍ଦ କରୁନାହାନ୍ତି ବୋଲି କୁହନ୍ତି ପଦ୍ମ ବିଭୂଷଣ ସୁଦର୍ଶନ ।

ଗୋଟିଏ ମୂର୍ତ୍ତି କେତେ ଟଙ୍କା
ସେ ଆହୁରି ମଧ୍ୟ କହିଛନ୍ତି ‘‘ବିଶେଷ ଭାବରେ ୧୦୦ ଟଙ୍କାରୁ ଆରମ୍ଭ କରି ଲକ୍ଷ ଲକ୍ଷ ଟଙ୍କାରେ ପଥର ମୂର୍ତ୍ତି ବିକ୍ରି କରାଯାଉଛି। ପୂର୍ବରୁ ଓଡିଶାରୁ ପଥର ଆସୁଥିଲା ତେଣୁ ବହୁତ କମ ପଇସାରେ ମୂର୍ତ୍ତି କରାଯାଉଥିଲା। ଏବେ କିନ୍ତୁ ପଥର ଅଭାବ ଥିବାରୁ ବାହାରୁ ଆସୁଛି ପଥର। ତେବେ ସେହି ଅନୁସାରେ ଦାମ ଅଧିକ ରହୁଛି। ଅନେକ ଲୋକମାନେ ମଧ୍ୟ ଫେରିଯାଉଛନ୍ତି। ଆଜି ବି ଶିଳ୍ପୀ ଜୀବିତ ଅଛନ୍ତି, କଳା ଜୀବିତ ଅଛି, ଏହାକୁ ପ୍ରୋତ୍ସାହନ ଦେବା ଆବଶ୍ୟକ। କଳାକୁ ବଞ୍ଚାଇବାକୁ ହେଲେ ପଥର କୁ କମ ଦାମରେ ସରକାର ଦେବା ଆବଶ୍ୟକ। ଅନେକ ପଥର ଓଡିଶାରୁ ବାହାର ରାଜ୍ୟକୁ ପଳାଇଯାଉଛି। ଯାହା ଫଳରେ ଓଡିଶା କାରିଗରଙ୍କ ପାଇଁ କୌଣସି ପଥର ମିଳୁନାହିଁ’’।
- ଆଗାମୀ ପିଢୀ ପାଇଁ ସ୍ଵପ୍ନ
ଆଗାମୀ ପିଢୀ ଆଉ କେହି ନାହାନ୍ତି। ପୂର୍ବରୁ ହଜାର ହଜାର ଶିଳ୍ପୀ ରହିଥିଲେ। ଏବେ ହାତଗଣତି ବହୁତ କମ କାରିଗରୀ ଅଛନ୍ତି। ଅନେକ ଦେଶ ବିଦେଶକୁ ପଳାଇଯାଉଛନ୍ତି। ଭଲ ଭାବରେ ପିଲାଙ୍କୁ ଟ୍ରେନିଂ ମଧ୍ୟ ଦିଆଯାଊ ନାହି। ସଉକ ରେ ଯିଏ ଆସିବା କଥା ଆସି ଟ୍ରେନିଂ ନେଇପାରିବେ। କିନ୍ତୁ ରୋଜଗାର ପାଇଁ ନୁହେଁ। ଆଗକୁ ପ୍ରତି ପରିବାର ଚିନ୍ତା କରିବେ ଯେ, ପରିବାରରୁ ଜଣେ ଜଣେ କଳାକାର ନିର୍ମାଣ କରିବେ। ସାମୁହିକ ଭାବରେ କଳା ଭାସ୍କର୍ଯ୍ୟକୁ ବଞ୍ଚାଇ ରଖିବେ। ଗୋଟିଏ ମୂର୍ତ୍ତି ପ୍ରସ୍ତୁତ କରିବା ପାଇଁ ସେମିତି ନିର୍ଦ୍ଧିଷ୍ଟ ସମୟ ନଥାଏ। ଗୋଟିଏ ମୂର୍ତ୍ତିକୁ ଦୁଇ ଦିନରେ ପ୍ରସ୍ତୁତ ହେଉଥିବା ବେଳେ ଆଉ ଗୋଟିଏ ଗୋଟିଏ ମୂର୍ତ୍ତି ବର୍ଷ ବର୍ଷ ଲାଗୁଛି। ଆଉ କେତେକ ମୂର୍ତ୍ତି ୧୦ ବର୍ଷ ମଧ୍ୟ ଲାଗିଥାଏ।
- କଣ ରହିଛି ଅଧୁରା ସ୍ଵପ୍ନ:-
ବର୍ତ୍ତମାନ ସମୟ ଛାଡିଦେଲେ ବାକି ନୂଆ ପିଢୀ ଏହାକୁ କେତେ ମାତ୍ରାରେ ଗ୍ରହଣ କରିବେ ତାହା କିଛି କହିହବନି। ଭବିଷ୍ୟତ ବଂଶଧର ଏହି କଳାକୃତିକୁ କିଭଳି ସାଇତିକି ରଖିବେ ସେନେଇ ବଡ ଚିନ୍ତା। ସମସ୍ତେ ପ୍ରଚେଷ୍ଟା କରୁଛନ୍ତି। ଏହାକୁ ବଞ୍ଚାଇ ରଖିବା ପାଇଁ ସରକାର ପଦକ୍ଷେପ ନିଅନ୍ତୁ ବୋଲି ଶିଳ୍ପୀ ସୁଦର୍ଶନ ସରକାରଙ୍କୁ ନିବେଦନ କରିଛନ୍ତି ।
- ଓଡିଶାର କଳା ବିଦେଶରେ ବହୁତ ଆଦୃତ:-
ଓଡିଶାର କଳାକୃତି ଦେଶ ବିଦେଶରେ ବହୁ ମାତ୍ରାରେ ଆଦୃତ ଲାଭ କରିଛି। ଯାହା ପଥର ମୂର୍ତ୍ତି ଗୁଡିକ ବିଶେଷ ଭାବରେ ଜାପାନ ଆମେରିକା ଜର୍ମାନ ଦେଶ ଭଳି ୩୫ ଟି ଦେଶକୁ ଯାଉଥିଲା ପଥର ମୂର୍ତ୍ତି। ହେଲେ ପଥର ଅଭାବ କାରଣରୁ ଆଉ ରପ୍ତାନି ବନ୍ଦ ହୋଇଯାଇଛି। ମଝିରେ ମଝିରେ ଆମେରିକା ସିଙ୍ଗାପୁର ହଂକଂ ଭଳି ସ୍ଥାନକୁ ଯାଉଛି। ଭଲ ପଥର ମିଳିଲେ ସମସ୍ତେ ମୂର୍ତ୍ତି ନେବା ପାଇଁ ଆଗ୍ରହ ପ୍ରକାଶ କରିବେ। ଅଥଚ ସେମାନେ ଓଡିଶାରୁ କିଣିବେ ନାହି।
- ଶିଳ୍ପୀ ସୁଦର୍ଶନ ସାହୁ:-
ପଦ୍ମ ବିଭୂଷଣ ଶିଳ୍ପୀ ସୁଦର୍ଶନ ସାହୁ, ୧୯୩୯ ମସିହାରେ ପୁରୀ ଠାରେ ଜନ୍ମଗ୍ରହଣ କରିଥିଲେ। ପିଲାଦିନ ତାଙ୍କର ଦାରିଦ୍ରରେ ବିତିଥିଲା। ୯ ବର୍ଷ ବୟସରେ ତାଙ୍କ ପିତାଙ୍କ ମୃତ୍ୟୁ ପରେ, ସେ ନିଜ ସାଙ୍ଗମାନଙ୍କୁ ଦେଖି ଏହି ପଥର କାମରେ ମନ ଦେଇଥିଲେ। ନିଜେ ନିଜେ ଚେଷ୍ଟା କରି ଏହି କଳାକୁ ଆୟତ୍ତ କରିଥିଲେ। ପୁରୀର ଶିଳ୍ପୀ ଭୁବନ ମହାରଣାଙ୍କ ଯୋଗୁ, ସୁଦର୍ଶନଙ୍କୁ କାମ ମିଳିବା ଆରମ୍ଭ ସହିତ ତାଙ୍କ କଳାର ଆଦୃତି ବଢ଼ିଥିଲା। ରାଜ୍ୟ ତଥା ଦେଶ ଏପରିକି ଜାପାନ ଆମେରିକା ଦେଶରେ କଳାକୁ ଦେଖି ପୁରସ୍କୃତ ହୋଇଛନ୍ତି। ଯାହା ଥିଲା ଓଡିଶା ପାଇଁ ଏକ ଗୌରବ। କିନ୍ତୁ ବର୍ତ୍ତମାନ ସମୟରେ ଅନେକ ସମସ୍ୟାରେ ଗତି କରୁଛି କଳା ଶିଳ୍ପୀ। ୧୯୭୬ ରେ ଶ୍ରୀକ୍ଷେତ୍ର ଶ୍ରୀ, ୧୯୮୧ରେ ଜାତୀୟ ପୁରସ୍କାର, ୧୯୮୬ ରେ ଲିବର୍ଟି ବେଲ, ୧୯୮୮ରେ ପଦ୍ମଶ୍ରୀ ୨୦୦୩ରେ କମଳାଦେବୀ ଚଟ୍ଟୋପାଧ୍ୟାୟ ପୁରସ୍କାର, ୨୦୦୬ରେ ଶିଳ୍ପ ଗୁରୁ ସମ୍ମାନ ୨୦୦୩, ୨୦୧୨ରେ ଧର୍ମପଦ ପୁରସ୍କାର (ଓଡ଼ିଶା ଲଳିତ କଳା ଏକାଡ଼େମୀ), ୨୦୧୩ରେ ଈଟିଭି ପ୍ରିୟ ଓଡ଼ିଆ, ୨୦୨୧ ରେ ପଦ୍ମ ବିଭୂଷଣ ପୁରସ୍କାରରେ ସେ ପୁରସ୍କୃତ ହୋଇଛନ୍ତି।
ଏହା ମଧ୍ୟ ପଢନ୍ତୁ ପଲିଥିନ ପଞ୍ଝାରେ ତାଳପତ୍ର କାରିଗରୀ ଭବିଷ୍ୟତ ଅନ୍ଧାର ! ଶ୍ରୀମନ୍ଦିରରେ ଭୋଗେଇ ଚାହିଦା କମୁଛି, ସ୍ୱଳ୍ପ ରୋଜଗାରରେ କାରିଗରଙ୍କ ଅବସ୍ଥା ବେହାଲ
ଏହା ମଧ୍ୟ ପଢନ୍ତୁ ଦୁବାଇ ଯିବ କଳାହାଣ୍ଡି କଦଳୀ, 150 ଏକରରେ ଫଳିଛି ବାର ଟନ୍