ETV Bharat / state

ବୌଦ୍ଧରେ ଭୟଙ୍କର ବାଣ ବିସ୍ଫୋରଣ, 2 ମୃତ 10ରୁ ଊର୍ଦ୍ଧ୍ବ ଆହତ

ପୁରୁଣା କଟକ ନିକଟସ୍ଥ ଜିଆକଟା ଗାଁର ଏକ ବେଇଆନ ବାଣ ଗୋଦାମରେ ଲାଗି ନିଆଁ । ଭୟଙ୍କର ବିସ୍ପୋରଣରେ ଥରିଲା ଗାଁ, ଗଡ଼ିଲା ଦୁଇ ମୁଣ୍ଡ ।

BOUDH ARROW EXPLOSION NEWS
BOUDH ARROW EXPLOSION NEWS (ETV Bharat Odisha)
author img

By ETV Bharat Odisha Team

Published : September 21, 2025 at 4:36 PM IST

|

Updated : September 21, 2025 at 5:32 PM IST

2 Min Read
Choose ETV Bharat

ବୌଦ୍ଧ: ବାଣ ବିସ୍ପୋରଣରେ ଥରିଲା ଗାଁ । ବେଇଆନ ବାଣ ଗୋଦାମରେ ନିଆଁ ଲାଗି ଭୟଙ୍କର ବିସ୍ପୋରଣ । ଏଥିରେ ଦୁଇ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ 10ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି । ଏଭଳି ଏକ ଅଘଟଣ ଘଟିଛି ବୌଦ୍ଧ ଜିଲ୍ଲାର ପୁରୁଣା କଟକ ନିକଟସ୍ଥ ଜିଆକଟା ଗାଁରେ । ଘଟଣା ସ୍ଥଳରେ ପୋଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ଆହତଙ୍କୁ ଉଦ୍ଧାର କରିବା ସହ ଚିକିତ୍ସା ପାଇଁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି ।

BOUDH FIRECRACKER EXPLOSION (ETV Bharat Odisha)

ବାଣ ବିସ୍ପୋରଣ, ଦୁଇ ମୃତ:

ଆଜି (ରବିବାର) ଅପରାହ୍ନରେ ପୁରୁଣା କଟକ ନିକଟସ୍ଥ ଜିଆକଟା ଗାଁରେ ଥିବା ଏକ ବେଆଇନ ବାଣ ଗୋଦାମରେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟିଥିଲା । ଫଳରେ ସେଠାରେ ଭୟଙ୍କର ବିସ୍ପୋରଣ ହୋଇଥିଲା । ଏଥିରେ ଦୁଇ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ 10ରୁ ଊର୍ଦ୍ଧ୍ବ ଆହତ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ତେବେ ମୃତକ ଦୁଇ ଜଣ ହେଲେ ଜିଆକଟା ଗାଁର ଭଗବାନ ବେହେରା ଓ ଲକ୍ଷ୍ମୀଧର ବେହେରା ବୋଲି ଜଣାପଡ଼ିଛି ।

ଏହି ବିସ୍ପୋରଣଟି ଏତେ ଭୟଙ୍କର ଥିଲା ଯେ, କେହି କିଛି ବୁଝିବା ପୂର୍ବରୁ ଗାଁରେ ହଇଚଇ ସୃଷ୍ଟି ହୋଇଯାଇଥିଲା । ଆଖପାଖ ଘର ଦ୍ବାର ସବୁ ଛାରଖାର ହୋଇ ଯାଇଥିବା ଦେଖିବାକୁ ମିଳିଛି । କେହି ଜଣେ ବ୍ୟକ୍ତି ବାହାରୁ ଆସି ଏକ ଭଡା ଘରେ ରହି ବିସ୍ଫୋରକ ବା ବାଣ ସାମଗ୍ରୀ ରଖିଥିବା ବେଳେ ହଠାତ୍ ଅଗ୍ନିକାଣ୍ଡ ହୋଇଥିବା ଯୋଗୁଁ ଏଭଳି ବିସ୍ପୋରଣ ଘଟିଥିବା ସନ୍ଦେହ କରାଯାଉଛି । ତେବେ କିଭଳି ଓ କେଉଁ ପରିସ୍ଥିତିରେ ଏହି ବିସ୍ଫୋରଣ ଘଟିଲା ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ସେପଟେ ଆହତଙ୍କୁ ଉଦ୍ଧାର କରି ଫୁଲବାଣୀ ଓ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ପଠାଯାଇଛି ।

ଏପରି କହିଲେ ମୃତକଙ୍କ ସମ୍ପର୍କୀୟ:

ଏନେଇ ମୃତକଙ୍କ ସମ୍ପର୍କୀୟ କହିଛନ୍ତି,"ଆମେ ସମସ୍ତେ ଘରେ ଥିଲୁ, ହଠାତ୍ ଭୟଙ୍କର ବାଣ ବିସ୍ପୋରଣ ହୋଇଥିଲା । ମୋର ଜଣେ ଦିଅରଙ୍କ ମୃତ୍ୟୁ ଘଟିଛି ଏବଂ ଗାଁର ଅନେକ ଲୋକ ଆହତ ହୋଇଛନ୍ତି । ଗାଁରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହି ଘଟଣାରେ ଯେଉଁମାନେ ସାମିଲ ରହିଛନ୍ତି, ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ ।"

ବୌଦ୍ଧ ମୁଖ୍ୟ ଡାକ୍ତରଖାନାରେ 5 ଜଣ ଭର୍ତ୍ତି:

ସେପଟେ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବରିଷ୍ଠ ଡାକ୍ତର କହିଛନ୍ତି,"ପୁରୁଣା କଟକ ଜିଆକଟା ଗାଁରେ ବାଣ ବିସ୍ପୋରଣ ହୋଇ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 10ରୁ ଉର୍ଦ୍ଧ୍ବ ବ୍ୟକ୍ତି ଆହତ ହୋଇଛନ୍ତି । ଆହତଙ୍କୁ ଫୁଲବାଣୀ ଏବଂ ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେମାନଙ୍କ ଚିକିତ୍ସା ଚାଲିଥିବା ବେଳେ ଅବସ୍ଥା ଗୁରୁତର ରହିଛି । ଆବଶ୍ୟକ ପଡ଼ିଲେ ଅଧିକ ଚିକିତ୍ସା ପାଇଁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ ।"

ଏହା ମଧ୍ୟ ପଢନ୍ତୁ....ଗଞ୍ଜାମ-କନ୍ଧମାଳ ସୀମାନ୍ତ ଜଙ୍ଗଲରେ ସୁରକ୍ଷା ବାହିନୀ-ମାଓବାଦୀ ଗୁଳି ବିନିମୟ; SOG ଯବାନ ଗୁରୁତର, ଆଇସିୟୁରେ ଭର୍ତ୍ତି

ଏହା ମଧ୍ୟ ପଢନ୍ତୁ... ଦିଶା ପାଟାନୀଙ୍କ ଘର ବାହାରେ ଫୁଟିଲା ଗୁଳି, ଗ୍ୟାଙ୍ଗଷ୍ଟାର ଦେଲେ ଏମିତି ଧମକ

ଇଟିଭି ଭାରତ, ବୌଦ୍ଧ

Last Updated : September 21, 2025 at 5:32 PM IST