ପାରଳାଖେମୁଣ୍ଡି: ସୁନାର ସଂସାରରେ ଆସିଲା ପରକୀୟା ପ୍ରୀତିର ଝଡ଼ ନେଲା ଦୁଇ ଜୀବନ । ସ୍ତ୍ରୀକୁ ହତ୍ୟା କରି ନିଜେ ଜୀବନ ହାରିଲା ସ୍ବାମୀ । ଗତକାଲି(ସୋମବାର) ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ସେରଙ୍ଗ ଥାନା ଅନ୍ତର୍ଗତ ଗାଇବା ଗାଁରେ । ମୃତକ ଦୁଇ ଜଣ ହେଲେ ସ୍ତ୍ରୀ ମୋନିକା ପାଇକ ଏବଂ ସ୍ବାମୀ ନରେନ୍ଦ୍ର ପାଇକ । ଏନେଇ ସୂଚନା ଦେଇଛନ୍ତି ଗଜପତି ଏସପି ଜତୀନ୍ଦ୍ର ନାଥ ପଣ୍ଡା ।
ଗଜପତି ଏସପି ଜତୀନ୍ଦ୍ର ନାଥ ପଣ୍ଡା କହିଛନ୍ତି, ‘ସେରଙ୍ଗ ଥାନା ଅନ୍ତର୍ଗତ ଗାଇବା ଗାଁର ଝିଅ ମୋନିକା ନୂଆଗଡ ବ୍ଲକ କେରେଡାଙ୍ଗ ଗାଁର ନରେନ୍ଦ୍ରକୁ ପ୍ରେମ ବିବାହ କରିଥିଲେ । ବିବାହ ଦିନଠୁ ନରେନ୍ଦ୍ର ଶ୍ବଶୁର ଘରେ ରହି ଆସୁଥିଲେ । ତେବେ ପରକ୍ରୀୟା ପ୍ରୀତି ସନ୍ଦେହକୁ ନେଇ ସ୍ବାମୀ ନରେନ୍ଦ୍ର ଏବଂ ସ୍ତ୍ରୀ ମୋନିକା ମଧ୍ୟରେ ପାରିବାରିକ ଅଶାନ୍ତି ଲାଗି ରହୁଥିଲା। ହେଲେ ଗତକାଲି (ସୋମବାର) ଭୋର୍ ସମୟରେ ନରେନ୍ଦ୍ର, ସ୍ତ୍ରୀ ମୋନିକାକୁ ଅତି ନିର୍ମମ ଭାବେ ହତ୍ୟା କରି ଫେରାର ହୋଇଯାଇଥିଲେ । ଏହାପରେ ମୃତ ମୋନିକାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ ,ଖବର ପାଇ ଘଟଣା ସ୍ଥଳରେ ସେରଙ୍ଗ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ସେପଟେ ସନ୍ଧ୍ୟାରେ ଗାଁ ନିକଟସ୍ଥ ଜଙ୍ଗଲରେ ଅଭିଯୁକ୍ତ ସ୍ବାମୀ ନରେନ୍ଦ୍ରର ଝୁଲନ୍ତା ମୃତଦେହ ମିଳିଥିଲା ।ଏନେଇ ସେରଙ୍ଗ ଥାନା ପୋଲିସ ଦୁଇଟି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।"
ମୃତ୍ୟୁ ପୂର୍ବରୁ ସ୍ବାମୀର ଭିଡିଓ ଭାଇରାଲ:
ସେପଟେ ମୃତ୍ୟୁ ପୂର୍ବରୁ ଅଭିଯୁକ୍ତ ସ୍ବାମୀ ନରେନ୍ଦ୍ର ଏକ ଭିଡ଼ିଓ କରି ନିଜ ସ୍ତ୍ରୀର ପରକୀୟା ପ୍ରୀତି ସମ୍ପର୍କରେ ବର୍ଣ୍ଣନା କରିଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି । ପୋଲିସ ଉଭୟଙ୍କ ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ହିଁ ମୃତ୍ୟୁ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ସୂଚନା ଦେଇଛି ।ଏନେଇ ମୃତକଙ୍କ ପରିବାର ଲୋକଙ୍କ ପାଖରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
ଇଟିଭି ଭାରତ, ଗଜପତି