କେନ୍ଦ୍ରାପଡା: ପଥର ପାଉଛି ନିଚ୍ଛକ ଜୀବନ। ରାଜ୍ୟ ଓ ଦେଶର କୋଣ ଅନୁକୋଣରେ ଥିବା ବିଭିନ୍ନ ପ୍ରକାର ପଥର ଆଣି ସେଥିରେ ଭାବଭଙ୍ଗୀ ଥିବା ମୂର୍ତ୍ତି ଗଢି ନିଜେ ବଞ୍ଚିବା ସହ ଅନ୍ୟମାନଙ୍କୁ ଦେଉଛନ୍ତି ରୋଜଗାର। ଦିନେ ପଇସା ପାଇଁ ଅଧାରୁ ପାଠ ଛାଡିଥିବା ବ୍ୟକ୍ତି ଏବେ ମାସିକ ୨ରୁ ୩ ଲକ୍ଷ ଟଙ୍କା ଲାଭ କରୁଛନ୍ତି । ତାଙ୍କ ପାଖରେ ରହି ଜୀବିକା ନିର୍ବାହ କରୁଥିବା ଶିଳ୍ପୀ ପ୍ରଶଂସାରେ ଶତମୁଖ ହୋଇଥିବା ବେଳେ ହସ୍ତଶିଳ୍ପ ବିଭାଗ ମଧ୍ୟ ତାଙ୍କ ପାଇଁ ଗର୍ବ କରୁଥିବା କହିଛି। ହେଲେ ଏଭଳି ଶିଳ୍ପୀ ରାଜ୍ୟ ସରକାରଙ୍କ ପାଖରୁ ଖଣ୍ଡିଏ ସାର୍ଟିଫିକେଟ ପାଇବା ପାଇଁ ନିଜର ନିଷ୍ଠା ଦେଖାଇଥିଲେ ମଧ୍ୟ ସରକାରୀ ସ୍ତରରେ ତାଙ୍କ କଳାକୁ ଅଣଦେଖା କରାଯାଉଥିବା ନେଇ ସେ କ୍ଷୋଭ ପ୍ରକାଶ କରିଛନ୍ତି।
- କିଏ ଏହି ଶିଳ୍ପୀ ?
ମୁଗୁନି, ଖଣ୍ଡଲାଇଟ, ଖଡି ପଥରରେ ହେଉଛି ସୁନ୍ଦର କାରୁକାର୍ଯ୍ୟ। କଳା, ସ୍ଥାପତ୍ୟ ଓ ସଂସ୍କୃତିର ରାଜ୍ୟ ଓଡିଶା ଏହି ପଥରରେ ମୂର୍ତ୍ତି କାର୍ଯ୍ୟ ପାଇଁ ଅନନ୍ୟ ପରିଚୟ ପାଇଥିବା ବେଳେ ଏକ ଅଭାବୀ ପରିବାରର ପୁଅ ଆଜି ରାଜ୍ୟ ତଥା ଦେଶ ବାହାରେ ମୂର୍ତ୍ତି କାର୍ଯ୍ୟ କରି ବେଶ ପ୍ରଶଂସା ସାଉଣ୍ଟିଛନ୍ତି। କେନ୍ଦ୍ରାପଡା ଜିଲ୍ଲା ଡେରାବିଶ୍ ବ୍ଲକ ଏଣ୍ଡର ପଞ୍ଚାୟତ ଅରାଖଣ୍ଡ ଗାଁର ଶିଳ୍ପୀ ଭାଗ୍ୟଧର ମହାରଣା। ଦିନେ ଅର୍ଥାଭାବ କାରଣରୁ ଅଧାରୁ ପାଠ ଛାଡି କୌଳିକ କାମକୁ ପାଥେୟ କରି ପଥର କାମରେ ଯୋଗ ଦେଇଥିଲେ । ପ୍ରଥମେ ଗାଁ ଅରାଖଣ୍ଡ ପରେ ଭୁବନେଶ୍ୱର, ମୁମ୍ବାଇ, ଗୁଜୁରାଟ ଓ ବର୍ତ୍ତମାନ ଗାଁକୁ ଫେରି ନିଜର ଏକ ୟୁନିଟ ବସାଇ ନିଜେ କାମ କରୁଛନ୍ତି । ଏହା ସହ ୧୦ରୁ ଅଧିକ ପିଲାଙ୍କୁ ରଖି ସେମାନଙ୍କ ଜୀବିକା ପୋଷଣ କରୁଛନ୍ତି। କେବଳ ସେତିକି ନୁହେଁ, ବିଭିନ୍ନ ରାଜ୍ୟରେ ଥିବା ମନ୍ଦିରରେ ମୂର୍ତ୍ତି କାମ କରିବା ପାଇଁ ଠିକା ନେଇ ସେ ଏବେ ଅନ୍ୟୁନ ୧୦୦ ଜଣଙ୍କ ଅନ୍ନଦାତା ପାଲଟିଛନ୍ତି।

ପଥର ଶିଳ୍ପୀ ଭାଗ୍ୟଧର କୁହନ୍ତି, ‘‘ମୁଁ ତିରିଶ ବର୍ଷ ହେବ ଏ କାମ କଲିଣି। ମୁଁ ମ୍ୟାଟ୍ରିକ ଯାଏଁ ପାଠ ପଢ଼ିଛି । ଆର୍ଥିକ ଅନଟନ ହେତୁ ମୁଁ ଆଗକୁ ପଢି ପାରିଲି ନାହିଁ । ଏଇଟା ଆମର ବୃତ୍ତି ବଢ଼େଇ ଜାତିକୂଳ ଆମର। ଆମେ ପଥର କାମ,କାଠ କାମ କରୁ। ଏଇ ପଥର କାମରେ ମୋର ରୁଚି ଥିଲା ଆଗରୁ ସେଥିପାଇଁ ମୁଁ ଏହି କାମ ଉପରେ ଆଗକୁ ବଢିଲି। ଭୁବନେଶ୍ୱର ପ୍ରଫୁଲ୍ଲ ମହାରଣା ଯିଏ ମୋର ଗୁରୁ,ସେ ମୋତେ କାମ ଶିକ୍ଷାଦାନ କରି ବହୁତ ଆଗକୁ ବଢ଼େଇଛନ୍ତି। ଭୁବନେଶ୍ୱରରେ ମୁଁ ତିନିବର୍ଷ ୧୯୯୬-୯୯ ପର୍ଯ୍ୟନ୍ତ କାମ କରିପାରିଛି। ତାପରେ ମୁଁ ମୋର ଗୋଟେ ସାଙ୍ଗ ସହ ବମ୍ବେ ପଳେଇଲି। ସେଠାରେ କାମ କଲା ପରେ ଗୁଜୁରାଟ ଯିବା ପାଇଁ ଅଫର ମିଳିଲା । ସେଠାରେ ଅମୀରଲାଲ ସୋନପୁରାଙ୍କ ସଂସ୍ପର୍ଶରେ ଆସିଲି । ଏହାପରେ ରାମ ମନ୍ଦିରର ଆର୍କେଟିକ ବିନୋଦଲାଲ ସୋନପୁରା, ଅମିତଲାଲ ସୋନପୁରା,ଛଗନଭାଇ ପଟେଲଙ୍କ ସଂସ୍ପର୍ଶରେ ଦୁଇ ତିନି ବର୍ଷ ରହିଲି । ତାଙ୍କ ଗାଇଡ଼ରେ ମୁଁ ବହୁତ ବର୍ଷ କାମ କଲି। ଓଡିଶୀ ଶୈଳୀ କାମ ଶିଖିଲା ପରେ ଇଣ୍ଡିଆନ ଆର୍ଟ କାମ ଶିଖିଲି। ଏହାପରେ ଓଡିଶାରେ ବାଲୁ ସାର ହୁଅନ୍ତୁ କି ପଦ୍ମବିଭୂଷଣ ସୁଦର୍ଶନ ସାର ମୁଁ ଯେତେବେଳେ ପ୍ରଫୁଲ୍ଲ ମହାରଣାଙ୍କ ପାଖରେ କାମ କରୁଥିଲି ମୋ କାମକୁ ସୁଦର୍ଶନ ସାର ବହୁତ ପସନ୍ଦ କରୁଥିଲେ’’।

- କେଉଁଠୁ ଆସେ ପଥର ?
ଓଡ଼ିଶାରେ ପ୍ରାୟତଃ ପଥର ଅଛି ହେଲେ କାରିଗରଙ୍କୁ ଏହି ପଥର ମିଳିବା କଷ୍ଟକର ହେଇଯାଉଛି। ସରକାରଙ୍କ କୌଣସି ଖଣି ଖାଦାନ ଲିଜ ନାହିଁ ଯାହାଫଳରେ ସେମାନେ ଚୋରାଣିଆ ଆଣୁଥିବା କୁହନ୍ତି ଶିଳ୍ପୀ । ସେମାନେ ପ୍ରାୟତଃ ରାଜସ୍ଥାନରୁ ପଥର ମଗାଉଛନ୍ତି । ଯାହାଫଳରେ ଲୋକଙ୍କ ଡିମାଣ୍ଡ ପୂରଣ ହୋଇପାରୁନି । ଓଡ଼ିଶାରେ ଶାଣ ପଥର ଖୋର୍ଦ୍ଧର ତାପଙ୍ଗରେ ମିଳୁଛି। କେନ୍ଦ୍ରାପଡା ଚଣ୍ଡିଆରେ ବି ମିଳୁଛି । ଚଣ୍ଡିଆ ପାଖରେ ଏଲାନଗିରି ପଥର ବି ମିଳୁଛି। ଓଡ଼ିଶାରେ ସ୍ୟାଣ୍ଡ ଷ୍ଟୋନ,ମୁଗୁନି,ଖଡ଼ି ପଥର ଆଦି ତିନି ପ୍ରକାରର ମିଳୁଛି। ଓଡ଼ିଶାରେ ସରକାରଙ୍କ ଲିଜ୍ ନ ଥିବାରୁ କାରିଗରମାନେ ହଇରାଣ ହେଉଛନ୍ତି । ପଥର ପର୍ଯ୍ୟାପ୍ତ ପରିମାଣରେ ମିଳିପାରୁନି ଯାହାଫଳରେ ରାଜସ୍ଥାନ ଓ ଗୁଜୁରାଟରୁ ପଥର ମଗାଯାଉଛି ।

- ପଥରର ମୂଲ୍ୟ ଓ କେଉଁ ମୂର୍ତ୍ତି ତିଆରି ହୁଏ ?
ଗୋଟେ ସ୍କୋୟାର ମିଟର ପଥର ଦଶ ହଜାର ଟଙ୍କାରୁ ଉର୍ଦ୍ଧ୍ବ । ସରକାର ଏବେ ଚାଳିଶ ହଜାର ଭଳିଆ ମୂଲ୍ୟରେ ପଥର ବିକ୍ରି କରୁଥିବାରୁ ଏତେ ଟଙ୍କାରେ ପଥର ଆଣି ମାର୍କେଟରେ ବେପାର କରିବା ଶିଳ୍ପୀ ପାଇଁ ସମ୍ଭବ ନୁହେଁ। ସେଥିପାଇଁ ସେମାନେ ବାହାରୁ କିଣି ଥାଆନ୍ତି । ଏକ ତିନି ଫୁଟିଆ ମୂର୍ତ୍ତିର ବଜାର ଦର ଅତିକମରେ କୋଡିଏ ହଜାର ଟଙ୍କା । କିନ୍ତୁ ସ୍ଥାନୀୟ ବାସିନ୍ଦାଙ୍କ ଚାହିଦା ମୁତାବକ ପଥରରେ ମୂର୍ତ୍ତି ଗଢାଯାଏ ବୋଲି କୁହନ୍ତି ଶିଳ୍ପୀ ।
କେବଳ ନିଜେ ଆର୍ଥିକ ସ୍ୱଚ୍ଛଳ ନୁହେଁ ଅନ୍ୟମାନଙ୍କୁ କର୍ମ ସ୍ଥାନ ଯୋଗାଇ ଦେଇ ସେଥିରୁ ଦୁଇପଇସା ପାଆନ୍ତି ଭାଗ୍ୟଧର। ତାଙ୍କ ପାଖରେ ରହି କାମ କରୁଥିବା ଯାଜପୁର ଜିଲ୍ଲା ପଣଶୁଆପାଳର ଗଣେଶ୍ୱର ମହାରଣା କୁହନ୍ତି,"ମୁଁ ମୂର୍ତ୍ତି କାମ କରେ ଯେମିତିକି ଗଣେଶ, ଶିବ ଇତ୍ୟାଦି ତିଆରି କରେ। ଯେଉଁ ମୂର୍ତ୍ତି ଅର୍ଡର ଆସେ ଆମେ ତାକୁ ଡିଜାଇନ କରୁ। ମୁଁ ୧୬ବର୍ଷରୁ ଅଧିକ ସମୟ ଧରି ଏହି କାମ କରି ଆସୁଛି। ଭୁବନେଶ୍ୱର, ଗୁଜୁରାଟରେ କାମ କରିବା ପରେ ଘରେ ଅସୁବିଧା ହେବାରୁ ଏଠାରେ ଆସି କାମ କରୁଛି। ମୁଁ ଭାଗ୍ୟଧର ଭାଇଙ୍କ ପାଖରେ କାମ କରୁଛି ଆଉ ମୋ ଭଳି ଆହୁରି ୬-୭ ଜଣ ମଧ୍ୟ ଏଠାରେ କାମ କରୁଛନ୍ତି। ଭାଗ୍ୟଧର ଭାଇ ଅର୍ଡର ଆଣନ୍ତି ଓ ଆମକୁ ଯାହା କୁହନ୍ତି ଆମେ ସେଇ କାମ କରୁ। ଆମକୁ ମାସିକ ୧୭-୨୦ ହଜାର ଟଙ୍କା ପାରିଶ୍ରମିକ ମିଳିଥାଏ"।

- ଗୁଜୁରାଟରୁ ବେଲଜିୟମ ଯାଏଁ ଯାଉଛି ମୂର୍ତ୍ତି
କେନ୍ଦ୍ରାପଡାରୁ ଦେଶ ତଥା ବିଦେଶକୁ ଯାଉଛି ଭାଗ୍ୟଧରଙ୍କ ମୂର୍ତ୍ତି । ବେଲଜିୟମ, ଆମେରିକା ଓ ଦୁବାଇର ଆବୁଧାବି ସହ ୧୦ ବର୍ଷ କଣ୍ଟ୍ରାକ୍ଟରେ ହିନ୍ଦୁ ଦେବାଦେବୀଙ୍କ ମୂର୍ତ୍ତି ଏଠାରୁ ଯାଇଛି । ସେହିପରି ଲଣ୍ଡନ ମଧ୍ୟ ମୂର୍ତ୍ତି ଯାଇଛି। ରାଜ୍ୟ ବାହାରେ ଗୁଜୁରାଟକୁ ଏଠୁ ପ୍ରାୟତଃ ମୂର୍ତ୍ତି ଯାଇଥାଏ । ଏହି ଗାଁରେ ଯେଉଁ ଫ୍ୟାକ୍ଟ୍ରି ଅଛି ସେଠି ଦଶ ପନ୍ଦର ଜଣ ଅଛନ୍ତି ଆଉ ବାହାରେ ଗୁଜୁରାଟରେ ବି ଭାଗ୍ୟଧରଙ୍କ କାମ ଚାଲିଛି । ସେଠାରେ ତିରିଶ ଚାଳିଶ ଜଣ ପିଲା କାମ କରୁଛନ୍ତି।

ଏବେ ମାସକୁ ଦୁଇ ତିନି ଲକ୍ଷରୁ ଉର୍ଦ୍ଧ୍ବ ପାଞ୍ଚ ଲକ୍ଷ ଭଳି କାମ ହୋଇପାରୁଛି। ମାସକୁ ଦୁଇ ତିନି ଲକ୍ଷ ଭଳି ଲାଭ ହେଉଛି। ଭାଗ୍ୟଧର କୁହନ୍ତି ‘‘ଆମର ବିଭିନ୍ନ ଅନୁଷ୍ଠାନରୁ ସାର୍ଟିଫିକେଟ ମତେ ମିଳିଛି। ଦିଲ୍ଲୀରେ ଏକ ଅନୁଷ୍ଠାନ ମ୍ୟାଜିକ ବୁକ ଅଫ ୱାର୍ଲଡ଼ ବି ମୋତେ ସମ୍ବର୍ଦ୍ଧିତ କରିଛି । ଭାରତର ବିଲିଭ ଇନ ସଂସ୍ଥା ମୋତେ ଆଗାମୀ ମାସକୁ ସମ୍ମାନିତ କରିବେ । ଷ୍ଟେଟ ଆୱାର୍ଡ ପାଇଁ ୨୦୦୦ ମସିହାରୁ ମୁଁ ଆପ୍ଲାଏ କରିଚାଲିଛି। ସେ ସୁଯୋଗ ସରକାର ଦେଇ ନାହାନ୍ତି କି ପ୍ରଶାସନର ଭୁଲ ବଶତଃ ମୁଁ ପାଇନାହିଁ ସେଇଟା ମୋ ଭାଗୟ କ କଣ ମୁଁ କହି ପାରିବି ନାହିଁ’’।

ଭାଗ୍ୟଧରଙ୍କ ବାପା ଚିରଞ୍ଜୀବି ମହାରଣା କୁହନ୍ତି,"ସେ ଯୁକ୍ତ ଦୁଇ ପଢିବା ବେଳେ ପରୀକ୍ଷା ଫର୍ମପୂରଣ କରିବା ପାଇଁ ଆମେ ସକ୍ଷମ ନଥିଲୁ ତେଣୁ ପରୀକ୍ଷା ଦେଇପାରିଲା ନାହିଁ। ମୁଁ ତାକୁ ଏଇ ପଥର କାମରେ ପୁରାଇ ଦେଲି। ମୁଁ ଆଗରୁ ଲଳିତଗିରି, ଶୁଖୁଆପଡା ଆଦି ସ୍ଥାନରେ ଶ୍ରମିକ ଭାବେ ପଥର କାମ କରି କୁଟୁମ୍ବ ପୋଷୁଥିଲି। ତାକୁ ପ୍ରଥମେ ଏଇଠି ଜଣେ ଲୋକ ପାଖରେ ରଖିଲି । ପଇସା ନହେବାରୁ ତାକୁ ବାଧ୍ୟ ହୋଇ ଭୁବନେଶ୍ୱର ପଠାଇ ଦେଲି। ଭୁବନେଶ୍ୱର ଯାଇ ସେଠାରେ କାମ ଶିଖିବା ପରେ ଗୁଜୁରାଟ ପଳାଇଲା। ଗୁଜୁରାଟରେ ୨୦ ବର୍ଷ ରହିବା ପରେ ଏଠାକୁ ଆସି କାମ ଆରମ୍ଭ କଲା’’ ।

ଭାଗ୍ୟଧରଙ୍କ ସମ୍ପର୍କରେ ପ୍ରତିକ୍ରିୟା ରଖି ହସ୍ତଶିଳ୍ପ ବିଭାଗର ଡେପୁଟି ଡ଼ାଇରେକ୍ଟର ସନ୍ତୋଷ କୁମାର ମହାନ୍ତି କୁହନ୍ତି,"ଭାଗ୍ୟଧର ମହାରଣା ଆମ କେନ୍ଦ୍ରାପଡା ଜିଲ୍ଲାର ଜଣେ ଭଲ ପଥର କାରିଗର ଓ ଉଦ୍ୟୋଗୀ ମଧ୍ୟ। ସେ ତାଙ୍କ ପାଖରେ ୫ରୁ ୮ ଜଣ ଲୋକ ରଖି ସେମାନଙ୍କୁ କାମଧନ୍ଦା ଯୋଗାଉଛନ୍ତି। ତାଙ୍କ କାରୁକାର୍ଯ୍ୟ ଗୁଡିକ ଉଚ୍ଚ କୋଟିର ଓ ସେ ସବୁପ୍ରକାର ପଥରରେ କାମ କରିପାରନ୍ତି। ସେ ଚଳିତବର୍ଷ ରାଜ୍ୟ ହସ୍ତଶିଳ୍ପ ପୁରସ୍କାର ପାଇଁ ଆବେଦନ କରିଛନ୍ତି ଯାହାକି ସରକାରଙ୍କ ବିଚାରାଧିନ ଅଛି। ସେ ଏକ ୱାର୍କ ସେଡ ପାଇଁ ଆବେଦନ କରିଥିଲେ ଓ ବିଭାଗ ତାଙ୍କୁ ମଧ୍ୟ ଏହା କରାଇ ଦେଇଛି। ଏକ ଟ୍ରେନିଂ ସେଣ୍ଟର ପାଇଁ ସେ ଆପ୍ଲାଏ କଲେ ତାହା ଉପରେ ଆମେ ବିଚାର କରିବୁ"।
ଏହା ମଧ୍ୟ ପଢନ୍ତୁ ପଞ୍ଜୁରୀରେ ମାଛ ଚାଷ, ଦୁବାଇ-ଦକ୍ଷିଣ ଆଫ୍ରିକାକୁ ହେଉଛି ଏକ୍ସପୋର୍ଟ
ଏହା ମଧ୍ୟ ପଢନ୍ତୁ ବିଶ୍ବର ସର୍ବୋଚ୍ଚ ରଥ 'ବ୍ରହ୍ମ ତାଳଧ୍ଵଜ', ଏଠି ହୁଏନି ନବ କଳେବର ...
ଇଟିଭି ଭାରତ, କେନ୍ଦ୍ରାପଡା