ଭୁବନେଶ୍ବର: ଏକ ନମ୍ବର ଟୁରିଷ୍ଟ ଡେଷ୍ଟିନେସନ ହେବ ଓଡିଶା । ସରକାର କେବଳ ଭୁବନେଶ୍ୱର, କଟକ ନୁହେଁ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଓଡିଶାକୁ ଫୋକସ କରିବା ପାଇଁ ଦାବି କଲେ ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏସନ ଅଫ ଓଡିଶାର ସଦସ୍ୟ । ପର୍ଯ୍ୟଟନ କ୍ଷେତ୍ରରେ ଓଡ଼ିଶାରେ ରହିଛି ପ୍ରାକୃତିକ ଉତ୍ସର ଅପାର ସମ୍ଭାର ହେଲେ ରାଜ୍ୟରେ ପର୍ଯ୍ୟଟନକୁ ଯେତିକି ଗୁରୁତ୍ୱ ମିଳିବା କଥା ମିଳୁନାହିଁ । ପର୍ଯ୍ୟଟନ କ୍ଷେତ୍ରରେ ବ୍ୟାପକ ଭିତ୍ତିଭୂମିର ଅଭାବ ରହିଛି । ଖାଲି ହୋଟେଲ କରି ଦେଲେ ପର୍ଯ୍ୟଟନର ବିକାଶ ହେବ ନାହିଁ । ଭିତ୍ତିଭୂମର ବିକାଶ ସହ ଆନୁସଙ୍ଗିକ ଶିଳ୍ପ ବଢିଲେ ହିଁ ବିକାଶ ହୋଇପାରିବ, ଯାହା ଆମ ରାଜ୍ୟରେ ଆଜି ଯାଏଁ ହୋଇପାରିନାହିଁ । ଗୋପାଳପୁରରେ ହୋଟେଲ ହେଲାଣି କିନ୍ତୁ ଆନୁଷଙ୍ଗିକ ଶିଳ୍ପ ନାହିଁ । ଏଭଳି କିଛି ବଡ଼ ଅଭିଯୋଗ କରିଛି ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏସନ ଅଫ ଓଡିଶା (ହାରୋ) ।
ଷଷ୍ଠ ଓଡିଶା ପର୍ଯ୍ୟଟନ କନକ୍ଳେଭ:
ଆସନ୍ତା ୨୫ ତାରିଖରେ ଭୁବନେଶ୍ୱରରେ ହେବାକୁ ଥିବା ଷଷ୍ଠ ଓଡିଶା ପର୍ଯ୍ୟଟନ କନକ୍ଳେଭ ପାଇଁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରକୁ ଅବହେଳା ନେଇ କ୍ଷୋଭ ପ୍ରକାଶ କରିଛି ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏସନ ଅଫ ଓଡିଶା । ଏପରିକି ପର୍ଯ୍ୟଟନ ସ୍ଥଳୀ ଗୁଡିକରେ ସୁରକ୍ଷାର ଚିନ୍ତା ସବୁ ସ୍ଥାନରେ ରହିଛି ବୋଲି ସଂଘ ପକ୍ଷରୁ ଅଭିଯୋଗ ହୋଇଛି ।ଗୋପାଳପୁରରେ ଯେଉଁଭଳି କାଣ୍ଡ ହୋଇଛି, ତାହା ନିନ୍ଦନୀୟ ବୋଲି କହିଛି ହାରୋ । ଏହାସହ ଓଡି଼ଶାକୁ ୨୧ ରାତ୍ରିର ରହଣି ସ୍ଥଳରେ ପରିଣତ କରିବା କନକ୍ଳେଭର ମୂଳ ଉଦେଶ୍ୟ ରହିଛି ।ଏଥିରେ ରାଜ୍ୟର ୨୧ଟି ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଦେଖାଯିବ ।ଯାହା ଦ୍ୱାରା ପର୍ଯ୍ୟଟନ ଅର୍ଥନୀତି ଅଭିବୃଦ୍ଧି ହେବ । ଏହି କାର୍ଯ୍ୟକ୍ରମରେ ୫ଟି ପର୍ଯ୍ୟାୟ ରହିଛି । ଯେଉଁଥିରେ ହୋଟେଲ ଟୁର ଅପରେଟର ସଭାପତି, ସ୍କିଲ ଡେଭଲପମେଣ୍ଟ ତଥା ବିଭିନ୍ନ ବର୍ଗର ଷ୍ଟେକ ହୋଲଡର ମାନେ ରହିବେ । ଯାହାର ଉଦ୍ଦେଶ୍ୟ ଓଡିଶାକୁ ଏକ ନମ୍ବର ଟୁରିଷ୍ଟ ଡେଷ୍ଟିନେସନରେ ପରିଣତ କରିବା ।

କେବଳ ଭୁବନେଶ୍ୱର, କଟକ ନୁହେଁ...
ସେପଟେ ପର୍ଯ୍ୟଟନ କ୍ଷେତ୍ର ପାଇଁ ଅଧିକ କେନ୍ଦ୍ରୀୟ ବଜେଟର କଥା କୁହାଯାଉଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛି ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏସନ ଅଫ ଓଡିଶା । ପର୍ଯ୍ୟଟନର ବିକାଶ ପାଇଁ ଭଲ ରାସ୍ତା ଓ ଭିତ୍ତିଭୂମି ଆବଶ୍ୟକ କିନ୍ତୁ ତାହା ହୋଇପାରୁ ନାହିଁ । ସରକାରଙ୍କ ସହଯୋଗ ଦରକାର । କୌଣସି କାର୍ଯ୍ୟ ସମୟସୀମା ଭିତରେ ହେଉନଥିବା ଅଭିଯୋଗ ଆଣିଛି ସଂଘ । ଏପରିକି ସରକାର କେବଳ ଭୁବନେଶ୍ୱର, କଟକ ନୁହେଁ, ପଶ୍ଚିମ ଓଡିଶା ଦକ୍ଷିଣ ଓଡିଶାକୁ ଫୋକସ କରିବା ପାଇଁ ଦାବି କରିଛି ସଂଘ । ପୁରୀ, କୋଣାର୍କ ଏବଂ ଚିଲିକା ଉପରେ ଫୋକସ ରହୁଛି । କିନ୍ତୁ ଅନ୍ୟ ଅଞ୍ଚଳର ବିକାଶ ହେଉ ନାହିଁ, ତାହା ମଧ୍ୟ ହେବା ଦରକାର।
'ଟୁରିଜିମର ଆୟ ବଢିଛି'
ଏନେଇ ବରିଷ୍ଠ ସଦସ୍ୟ ଦେବାଶିଷ ପଟ୍ଟନାୟକ କହିଛନ୍ତି," ଟୁରିଜିମର ଆୟ ବଢିଛି କାରଣ ଧିରେ ଧିରେ ପର୍ଯ୍ୟଟନ ବିକାଶର ବିଶେଷତାକୁ ଲୋକେ ବୁଝିଲେଣି । ୧୫ ବର୍ଷ ପୂର୍ବରୁ ଏହି ବଜେଟ ୪ ରୁ ୫ କୋଟି ଥିବାବେଳେ ଏବେ ୧୩ ଶହ କୋଟିରେ ପହଞ୍ଚିଛି । ତେଣୁ ଲୋକଙ୍କ ସହ ସରକାର ବି ଏହାର ବିଶେଷତା ବୁଝିଲେ ଆଗକୁ ଯାଇ ଏହି କ୍ଷତ୍ରରେ ଅର୍ଥନୀତିର ଅଭିବୃଦ୍ଧି ହୋଇପାରିବ । "
ଇଟିଭି ଭାରତ, ଭୁବନେଶ୍ବର