ଭୁବନେଶ୍ବର/ ସମ୍ବଲପୁର/ ବ୍ରହ୍ମପୁର / ଅନୁଗୋଳ/କଟକ/କଳାହାଣ୍ଡି: ରକ୍ତର ହୋଲି । ଅଶାନ୍ତ ରାଜ୍ୟ ! ଗଡ଼ିଲା 6ଟି ମୁଣ୍ଡ । ଆଜି ଗୋଟିଏ ପଟେ ରାଜ୍ୟବାସୀ ବେଶ୍ ଧୁମଧାମରେ ରଙ୍ଗର ପର୍ବ ହୋଲି ପାଳନ କରୁଥିବାବେଳେ ଗଡ଼ିଛି 6ଟି ମୁଣ୍ଡ । ରାଜଧାନୀ ଭୁବନେଶ୍ବର ଠାରୁ ଆରମ୍ଭ କରି ବ୍ରହ୍ମପୁର, ସମ୍ବଲପୁର ଏବଂ ଅନୁଗୋଳରେ ପଡ଼ିଲା ରକ୍ତର ଛିଟା । କେଉଁଠି ପୂର୍ବ ଶତ୍ରୁତାକୁ ନେଇ ତ ଅନ୍ୟ କେଉଁଠି ହୋଲି ଖେଳ ପାଇଁ ଗଡ଼ିଲା ମୁଣ୍ଡ । ଯାହାକୁ ନେଇ ଚିନ୍ତାରେ ରାଜ୍ୟ ପୋଲିସ ।
- ହୋଲିରେ ରାଜଧାନୀରେ ରକ୍ତର ଛିଟା:
ଭୁବନେଶ୍ବର ସହିଦନଗର ଶାନ୍ତିପଲ୍ଲୀ ବସ୍ତିରେ ଜଣେ ମଦ ବ୍ୟବସାୟୀଙ୍କୁ ହତ୍ୟା କରାଯାଇଥିବା ବେଳେ ମଞ୍ଚେଶ୍ବର ସମେଇଗାଡିଆରେ ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ଅନ୍ୟପଟେ ଚନ୍ଦ୍ରଶେଖରପୁର ଅଞ୍ଚଳରୁ ଗୋଟିଏ ଘରରୁ ଦୁଇ ଜଣଙ୍କର ମୃତଦେହ ଠାବ କରିଛି ପୋଲିସ ।

- ଶାନ୍ତିପଲ୍ଲୀ ବସ୍ତି ହତ୍ୟାକାଣ୍ଡ:
ସହିଦନଗର ଥାନା ଶାନ୍ତିପଲ୍ଲୀ ବସ୍ତିରେ ଜଣେ ମଦ ବ୍ୟବସାୟୀଙ୍କୁ ହତ୍ୟା । ମୃତକ ହେଉଛନ୍ତି ଗୋପୀ ଗୁଣି । କିଛି ଯୁବକ ଡିଜେ ବଜାଇ ମୃତ ଗୋପୀ ଘର ଦେଇ ଆସୁଥିବା ବେଳେ କୌଣସି କାରଣକୁ ନେଇ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା । ଯାହା ଧିରେ ଧିରେ ଉଗ୍ରରୂପ ନେଇଥିଲା ।ଏହାପରେ ଗୋପୀଙ୍କୁ କିଛି ଦୁର୍ବୃତ୍ତ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ସେପଟେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି ।
ଏନେଇ ମୃତ ଗୋପୀ ଗୁଣିଙ୍କ ଭାଇ କହିଛନ୍ତି," କିଛି ଯୁବକ ଡିଜେ ନେଇ ରୋଷଣୀ କରି ଆସୁଥିଲେ । ଶାନ୍ତିପଲ୍ଲୀ ମାଙ୍କଡ ସାହି ପାଖରେ ଗୋପୀର ଘର । ସେଠାରେ ସେହି ଯୁବକମାନେ ନାଚ କରୁଥିଲେ । ଯାହାକୁ ନେଇ ଦୁଇ ଗୋଷ୍ଠୀ ଭିତରେ ପାଟିତୁଣ୍ଡ ହୋଇଥିଲା । ସେମାନେ ଗୋପୀର ପରିବାରକୁ ଆକ୍ରମଣ କରିଥିଲେ । ଯାହାଫଳରେ ଗୋପୀର ମୃତ୍ୟୁ ହୋଇଛି । ଏହି ଘଟଣାରେ ଅନେକ ପିଲା ସାମିଲ ଅଛନ୍ତି । ପୋଲିସ ସେମାନଙ୍କୁ ତୁରନ୍ତ ଗିରଫ କରୁ ।"

- ସମେଇଗାଡିଆ ହତ୍ୟାକାଣ୍ଡ:
ସେହିଭଳି ରାଜଧାନୀର ମଞ୍ଚେଶ୍ବର ଥାନା ଅଞ୍ଚଳରେ ସମେଇଗାଡିଆର ଜଣେ ଯୁବକକୁ ହତ୍ୟା କରାଯାଇଛି । ମୃତ ଯୁବକ ଜଣକ ହେଲେ ଆୟୁଷ୍ମାନ ପତି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଭଳି ଅଘଟଣ ଘଟିଥିବା ଜଣାପଡ଼ିଛି । ଏନେଇ ମୃତକ ଆୟୁଷ୍ମାନଙ୍କ ଭାଇ କହିଛନ୍ତି," ଗତ ସରସ୍ବତୀ ପୂଜାରେ ଗଣ୍ଡଗୋଳ ହୋଇଥିଲା ।ଯାହାର ସେମାନେ ପ୍ରତିଶୋଧ ନେଇଛନ୍ତି । ସେମାନଙ୍କ ନାଁରେ ମଞ୍ଚେଶ୍ବର ଥାନାରେ ଅଭିଯୋଗ କରାଯାଇଥିଲା । ଯେଉଁମାନଙ୍କ ନାଁରେ ଅଭିଯୋଗ ରହିଥିଲା । ସେମାନେ ହିଁ ଧମକ ଦେଇଥିଲେ । ଆଜି ଦିନ ପ୍ରାୟ ସାଢେ ଗୋଟାଏ ସମୟରେ ତାର ମୃତ୍ୟୁର ଖବର ପାଇଥିଲୁ ।"ସେପଟେ କମିଶନରେଟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି ।
- ବନ୍ଦ ଘରୁ ୨ ମୃତଦେହ ଠାବ:
ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳର ଏକ ବନ୍ଦ ଘରୁ ଜଣେ ମହିଳା ଏବଂ ଜଣେ ପୁରୁଷଙ୍କ ମୃତଦେହ ଠାବ ହୋଇଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତନାଘନା କରିଛି । ତେବେ ମୃତକ ପୁରୁଷଙ୍କ ନାଁ ଜିତେନ୍ କୁମାର ହୋଇଥିବା ବେଳେ ମହିଳା ପରିଚୟ ଅସ୍ପଷ୍ଟ ରହିଛି । ତେବେ ପୁରୁଷ ଜଣଙ୍କ ଜଣେ ଡ୍ରାଇଭର ହୋଇଥିବା ବେଳେ ମହିଳା ଜଣଙ୍କ ଜଣେ ନର୍ସ ଥିବା ଜଣାପଡିଛି ।
- ବ୍ରହ୍ମପୁରରେ ଠିକାଦାରଙ୍କୁ ଛୁରାମାଡ଼:
ହୋଲିରେ ଅଶାନ୍ତ ରେଶମ ସହର ବ୍ରହ୍ମପୁର । ଛୁରାମାଡ଼ରେ ଗଲା ଠିକାଦାରଙ୍କ ଜୀବନ । ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଲାଞ୍ଜିପଲ୍ଲୀ ଚାଣକ୍ୟନଗର ଅଞ୍ଚଳର ଜଣେ ଠିକାଦାରଙ୍କୁ ଛୁରାମାଡ଼ ହୋଇଥିବା ଅଭିଯୋଗ ହୋଇଛି । ମୃତ ଠିକାଦାରଙ୍କ ନାଁ ହେଲା ରାମ ପାତ୍ର । ଆଜି ଅପରାହ୍ନରେ ହୋଲି ଖେଳ ଶେଷ ହେବା ପରେ ଚାଣକ୍ୟନଗରରେ ମୃତ ରାମ ପାତ୍ର ସହ ଚନ୍ଦନ କୁମାର ସାବତ ନାମକ ଜଣେ ଯୁବକଙ୍କ ସହ କୌଣସି କାରଣକୁ ନେଇ ପାଟିତୁଣ୍ଡ ହୋଇଥିଲେ। ଯାହାଫଳରେ ଅଭିଯୁକ୍ତ ଚନ୍ଦନ ଉତକ୍ଷିପ୍ତ ରାମ ପାତ୍ରଙ୍କୁ ଆକ୍ରମଣ କରିଥିଲା । ତେବେ ଗୁରୁତର ରାମଙ୍କୁ ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।ଘଟଣାପରେ ସ୍ଥାନୀୟ ଲୋକେ ଅଭିଯୁକ୍ତ ଚନ୍ଦନକୁ କାବୁ କରି ନିର୍ଦ୍ଧୁମ ଛେଚିଥିବା ବେଳେ ପୋଲିକୁ ଜିମା ଦେଇଥିଲେ । ମୃତକଙ୍କ ପରିବାର ଲୋକଙ୍କ ଅଭିଯୋଗ ଅଧାରେ ପୋଲିସ ଏକ ମାମଲା ରୁଜୁ କରି ଘଟଣା ସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି ବୋଲି କହିଛନ୍ତି ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ ଡା.ଶ୍ରବର୍ଣା ବିବେକ ଏମ୍ ।
- ସମ୍ବଲପୁରରେ ଯୁବକଙ୍କୁ ନିର୍ମମ ହତ୍ୟା:
ଆଜି ସମ୍ବଲପୁର ସହରରେ ହୋଲି ପର୍ବ ପାଳନ ଚାଲିଥିବା ବେଳେ ଘଟିଛି ହତ୍ୟାକାଣ୍ଡ l ସାହୁ କଲୋନୀରେ ଘରୁ ଡ଼ାକିନେଇ ଜଣେ ଯୁବକଙ୍କୁ ନିର୍ମମ ଭାବରେ ହତ୍ୟା କରାଥିବା ଅଭିଯୋଗ l ତେବେ ମୃତକ ଜଣକ ହେଲେ ଆଦିତ୍ୟ ସାଲମା । ପୂର୍ବ ଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି । ଆଜି ଅପରାହ୍ନ ସମୟରେ ହୋଲି ଖେଳ ଚାଲୁଥିବା ବେଳେ କିଛି ଯୁବକ ଆଦିତ୍ୟକୁ ଘର ନିକଟରୁ ଉଠାଇ ନେଇ ତାଙ୍କ ଘର ନିକଟରେ ଥିବା ଏକ ହନୁମାନ ମନ୍ଦିର ପାଖରେ ହତ୍ଯା କରି ଚମ୍ପଟ ମାରିଛନ୍ତି । ସେପଟେ ଏହି ଘଟଣାରେ ସମ୍ପୃକ୍ତ ଥିବା ସାହୁଳ ସିଂକୁ ଗିରଫ କରାଯାଇଥିବା ସମ୍ବଲପୁର ଅତିରିକ୍ତ ଏସପି ଅଜୟ ମିଶ୍ର ସୂଚନା ଦେଇଛନ୍ତି l

- ଅନୁଗୋଳରେ ଗଡ଼ିଲା ମୁଣ୍ଡ :
ଅନୁଗୋଳରେ ହୋଲିରେ ଲାଗିଲା ରକ୍ତର ଛିଟା । ହୋଲି ଖେଳ ବେଳେ ଗଣ୍ଡଗୋଳ । ଗଣ୍ଡଗୋଳର କିଛି ସମୟ ପରେ ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ଯା କରାଯାଇଥିବା ଅଭିଯୋଗ । ଅନୁଗୋଳ ଟାଉନ ଥାନା ନାଖରାସାହିରେ ଭୁଜାଲି ଆକ୍ରମଣ ଜଣେ ଯୁବକଙ୍କ ମୃତ୍ୟୁ । ମୃତକ ଜଣକ ହେଲେ ଆଜାଦ ହୋସେନ ।ତାଙ୍କୁ ମଣ୍ଟୁ ସାମନ୍ତରାୟ ନାମକ ଜଣେ ଯୁବକ ହତ୍ୟା କରିଥିବା ଥନାରେ ଅଭିଯୋଗ ହୋଇଛି ।ଅଭିଯୋଗ ଆଧାରରେ ପୋଲିସ ମଣ୍ଟୁକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ।
ମିଳିଥିବା ସୂଚନା ଅନୁସାରେ ହୋଲି ଖେଳ ବେଳେ ଅଭିଯୁକ୍ତ ମଣ୍ଟୁର ସାହିର ଅନ୍ୟ ଦୁଇ ଯୁବକଙ୍କ ସହ ପାଟିତୁଣ୍ଡ ହେଉଥିଲା । ଏହା ଦେଖି ଆଜାଦ ସମସ୍ତଙ୍କୁ ବୁଝାସୁଝା କରି ଘଟଣାର ସମାଧାନ କରିଥିଲା । ପରବର୍ତ୍ତୀ ସମୟରେ ଆଜାଦ ଏକୁଟିଆ ଯାଉଥିବା ବେଳେ ହଠାତ ମଣ୍ଟୁ ତାକୁ ଆକ୍ରମଣ କରିଥିଲା । ଘଟଣା ଘଟାଇବା ପରେ ମଣ୍ଟୁ ଅନୁଗୋଳ ଥାନାରେ ଆତ୍ମସମର୍ପଣ ଜଣାପଡ଼ିଛି ।

- କଟକରେ ଫୁଟିଲା ଗୁଳି :
କଟକ କ୍ରିଷ୍ଣା ବିହାରରେ ଗୁଳିକାଣ୍ଡ । ଗୁଳି ମାଡ଼ରେ ଜଣଙ୍କ ମୃତ୍ୟୁ । ମୃତ ବ୍ୟକ୍ତିଙ୍କ ନାଁ ବିକାଶ ମହାନ୍ତି । ତାଙ୍କ ଘର ଜଗତସିଂହପୁର ଜିଲ୍ଲା ବିରାଙ୍ଗ ଅଞ୍ଚଳରେ ବୋଲି ଜଣାପଡ଼ିଛି । ଟଙ୍କା ନେଣ ଦେଣକୁ ନେଇ ହତ୍ୟାକାଣ୍ଡ ହୋଇଥିବା ସୂଚନା । ହତ୍ୟା ପାଇଁ ସୁପାରୀ ଦିଆଯାଇଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।ଅଭିଯୁକ୍ତକୁ ଅଟକ ରଖି ଘଟଣାର ତଦନ୍ତ କରୁଛି ପୋଲିସ । ହୋଲି ଖେଳିବା ପାଇଁ ଡାକି ଯୋଜନାବଦ୍ଧ ହତ୍ୟା କରାଯାଇଥିବା ନେଇ ସୂଚନା । ଘଟଣା ସ୍ଥଳରେ କଟକ ଡିସିପି ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।


- ପାଣିରେ ବୁଡ଼ି ଦୁଇ ମୃତ:
ହୋଲି ଖେଳି ନଦୀରେ ଗାଧୋଇବା ହେଲା କାଳ । କଳାହାଣ୍ଡି ଜିଲ୍ଳା ଜୁନାଗଡ଼ ସହର ନିକଟିସ୍ଥ ହାତୀ ନଦୀକୁ ଗାଧୋଇବାକୁ ଯାଇଥିବା ଜଣେ ଯୁବକ ପାଣିରେ ବୁଡି ମୃତ୍ୟୁ ବରଣ କରିଛନ୍ତି । ମୃତ ଯୁବକ ଜଣକ ହେଲେ ପ୍ରତ୍ୟୁଷ ପାଢ଼ୀ । ଖବର ପାଇଁ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି ।ଏନେଇ ଜୁନାଗଡ଼ ଥାନାରେ ଏକ ଅପମୃତ୍ୟୁ ମାମଲା ନଂ(୫/୨୫) ରୁଜୁ ହୋଇଛି । ସେହିପରି ଭବାନୀପାଟଣା ସଦର ଥାନା ଅନ୍ତର୍ଗତ କଷାକେନ୍ଦୁ ନିକଟସୁ ଯମୁନାସାଗରରେ ବୁଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକଙ୍କ ନାମ ସରୋଜ ସ୍ବାଇଁ । ସେ ଭବାନୀପାଟଣା ସହର ଜେନାଖାଲ ପଡ଼ାର ବୋଲି ଜଣାପଡ଼ିଛି ।ଏନେଇ ଭବାନୀପାଟଣା ସଦର ଥାନାରେ ଏକ ଅପମୃତ୍ୟୁ ମାମଲା ନଂ(୫/୨୫) ରୁଜୁ ହୋଇଛି ।
ଇଟିଭି ଭାରତ, ଭୁବନେଶ୍ବର/ ସମ୍ବଲପୁର/ ବ୍ରହ୍ମପୁର / ଅନୁଗୋଳ/କଳାହାଣ୍ଡି