Similipal declared national park ଭୁବନେଶ୍ବର: ଭିତର କନିକା ପରେ ଶିମିଳିପାଳକୁ ଜାତୀୟ ଉଦ୍ୟାନ ମାନ୍ୟତା । ରାଜ୍ୟ ସରକାର ନେଇଛନ୍ତି ଏହି ଐତିହାସିକ ନିଷ୍ପତ୍ତି । ମୟୂରଭଞ୍ଜର ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପକୁ ଜାତୀୟ ଉଦ୍ୟାନ ଭାବେ ଘୋଷଣା କରିଛନ୍ତି । ଦୀର୍ଘ ୪୫ ବର୍ଷ ପରେ ପୂରଣ ହୋଇଛି ଦାବି । ୧୯୮୦ ମସିହାରେ ଶିମିଳିପାଳକୁ ଜାତୀୟ ଉଦ୍ୟାନ ମାନ୍ୟତା ପ୍ରଦାନ ନେଇ ପ୍ରସ୍ତାବ ରଖାଯାଇଥିଲା ।
ଶିମିଳିପାଳକୁ ଜାତୀୟ ଉଦ୍ୟାନ ମାନ୍ୟତା ଓଡ଼ିଶାର ସଂରକ୍ଷଣରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହୋଇ ରହିବ ବୋଲି କହିଛନ୍ତି, ପିସିସିଏଫ ପ୍ରେମ କୁମାର ଝା । ସେ କହିଛନ୍ତି ଯଏ " ଆମ ଶିମିଳିପାଳ ଯୋଜନା ପାଇଁ ଚଳିତ ବର୍ଷ ୨୦୨୫ ବଜେଟରେ ୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଶିମିଳିପାଳ ଆମ ରାଜ୍ୟର ଗର୍ବ ଓ ଗୌରବ। କେବଳ ଆମ ରାଜ୍ୟ ନୁହେଁ, ଏପରି କି ସମଗ୍ର ଭାରତରେ ଶିମିଳିପାଳ ଏକ ଅନନ୍ୟ ଜୈବବିବିଧତା ସୁନାମ ଆଣି ଦେଇଛି । ୧୯୮୦ ମସିହାରେ ଆରମ୍ଭ ହୋଇଥିବା ଏହି ଦୀର୍ଘକାଳୀନ ପ୍ରସ୍ତାବ ଏବେ ସାକାର ହୋଇଛି। ଏହା ଓଡ଼ିଶାରେ ସଂରକ୍ଷଣ ପାଇଁ ଏକ ବଡ଼ ପଦକ୍ଷେପ ।"
ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ଏହି ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ଶିମିିଳିପାଳକୁ ଜାତୀୟ ଉଦ୍ୟାନ ମାନ୍ୟତା ନେଇ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।

Similipal national park status
ଶିମିଳିପାଳକୁ ଜାତୀୟ ଉଦ୍ୟାନ ମାନ୍ୟତା:-ଏହି ଅଞ୍ଚଳ ଜଙ୍ଗଲ କ୍ଷୟ, ବିସ୍ଥାପନ ଏବଂ ସ୍ଥାନୀୟ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ସମ୍ପ୍ରଦାୟ ପାଇଁ ଶିକ୍ଷା ଏବଂ ସ୍ବାସ୍ଥ୍ୟସେବା ଉପଲବ୍ଧତାର ଅଭାବ ଆଦି ଚ୍ୟାଲେଞ୍ଜର ମଧ୍ୟ ସମ୍ମୁଖୀନ ହେଉଛି। ତେବେ ଶିମିଳିପାଳ ଅଞ୍ଚଳର ବିକାଶ ପାଇଁ ୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।
Similipal National Park Odisha
ଜୈବବିବିଧତାରେ ପରିପୂର୍ଣ ଶିମିଳିପାଳ:-ଶିମିଳିପାଳରେ ବାଘ ଏବଂ ହାତୀ ସମେତ ବିଭିନ୍ନ ପ୍ରକାରର ବନ୍ୟପ୍ରାଣୀ ରହିଛନ୍ତି। ଯେପରିକି ୩୦୪ ପ୍ରଜାତିର ପକ୍ଷୀ, ୨୦ ପ୍ରଜାତିର ଉଭୟଚର ପ୍ରାଣୀ ଏବଂ ୬୨ ପ୍ରଜାତିର ସରୀସୃପ, ୧୦୭୭ ଫୁଲ ପ୍ରଜାତି ଏବଂ ୯୭ ପ୍ରଜାତିର ଅର୍କିଡ୍ ଥିବାବେଳେ ଅର୍ଥ- ଚିିରହରିତ ଜଙ୍ଗଲ, ଆର୍ଦ୍ର ପର୍ବମୋଟ ଜଙ୍ଗଲ, ପୁଷ୍ଠ ପର୍ଣ୍ଣମୋଚୀ ଜଙ୍ଗଲ, ଉଚ୍ଚକୋଟୀର ଶାଳ ଜଙ୍ଗଲ ଏବଂ ବିସ୍ତୃତ ସବୁଜିମା ଭରି ରହିଛି।
- ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ଶିମିଳିପାଳ:-
ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ହେଉଛି ଶିମିଳିପାଳ ଅଭୟାରଣ୍ୟ। ଏହି ଜୈବମଣ୍ଡଳର କ୍ଷେତ୍ରଫଳ ହେଉଛି ୨ ହଜାର ୭୫୦ ବର୍ଗ କିଲୋମିଟର। ତନ୍ମଧ୍ୟରୁ ୩୦୩ ବର୍ଗ କିମି ହେଉଛି ଆଭ୍ୟନ୍ତରୀଣ ଅଞ୍ଚଳ, ଯାହାକି ଭାରତର ଏକ ପ୍ରସିଦ୍ଧ ଅଭୟାରଣ୍ୟ ଅଟେ। ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଭାବେ ଖ୍ୟାତି ଲାଭ କରିଛି। ସବୁଜ ବନାନୀ, ନଭଶ୍ଚୁମ୍ବୀ ପର୍ବତ, ଭାସମାନ ମେଘମାଳା ଓ କଳ କଳ ନାଦ କରି ବୋହି ଯାଉଥିବା ଝରଣା ଏଠାରେ ଏକ ମନୋରମ ପରିବେଶ ସୃଷ୍ଟି କରିଥାଏ । ଏଠାରେ ବିଭିନ୍ନ ପ୍ରଜାତିର ବନ୍ୟପ୍ରାଣୀ ଓ ଉଦ୍ଭିଦ ଦେଖିବାକୁ ମିଳିଥାଏ।

- ଶିମିଳିପାଳର ନଦୀ, ଜଳପ୍ରପାତ ଓ ପର୍ବତ ଶୃଙ୍ଗ:-
ସମୁଦ୍ର ପତ୍ତନଠାରୁ ଶିମିଳିପାଳର ହାରାହାରି ଉଚ୍ଚତା ହେଉଛି ନଅ ଶହ ମିଟର। ଏଠାରେ ବିଭିନ୍ନ ପ୍ରକାରର ବୃକ୍ଷ ଦେଖାଯାଏ। ଶାଳ, ପିଆଶାଳ, ଶାଗୁଆନ, ଶିଶୁ, ଶିମିଳି, ମହୁଲ, ଆମ୍ବ, ପଣସ ଇତ୍ୟାଦି ବୃକ୍ଷ ଏହି କ୍ଷେତ୍ରୀୟ ଅଭୟାରଣ୍ୟର ଭିନ୍ନ ଆକର୍ଷଣ। ସୁଉଚ୍ଚ ପର୍ବତ ଶିଖରଗୁଡିକ ଯଥା ଖୈରିବୁରୁ (୧୧୭୮ ମି.) ଓ ମେଘାସନୀ (୧୧୫୮ ମିିଟର) ପର୍ଯ୍ୟଟକମାନଙ୍କ ବିଶେଷ ଆକର୍ଷଣ। ବିଭିନ୍ନ ନଦୀଗୁଡିକ ମଧ୍ୟରେ ବୁଢ଼ାବଳଙ୍ଗ, ଖଇରୀ, ସାଳନ୍ଦୀ, ପଳପଳା ଇତ୍ୟାଦି ଶିମିଳିପାଳରୁ ଉତ୍ପନ୍ନ ହୋଇଛି। ବରେହିପାଣି (୪୦୦ ମିଟର), ଯୋରନ୍ଦା ଜଳପ୍ରପାତ (୧୫୦ ମିଟର), ଉସକୀ, ଦେବକୁଣ୍ଡ ଓ ସୀତାକୁଣ୍ଡ ଜଳପ୍ରପାତର ଦୃଶ୍ୟ ଅତୀବ ମନୋରମ ଓ ପ୍ରକୃତୀପ୍ରେମୀଙ୍କୁ ବିଶେଷ କରି ଆକୃଷ୍ଟ କରିଥାଏ।
- ପର୍ଯ୍ୟଟକଙ୍କ ପାଇଁ ବ୍ୟବସ୍ଥା:-
ଶିମିଳିପାଳରେ ପର୍ଯ୍ୟଟକଙ୍କୁ ନିଆରା ଅନୁଭୂତି ଦେବା ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାତ୍ରିଯାପନ ସହିତ ଖାଇବା ପିଇବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ରାତିରେ ରହିବାକୁ ହେଲେ ଏଠାରେ ବୁକିଂ କରିବାକୁ ପଡ଼ିବ। ବରେହିପାଣି, ଗୁଡୁଗୁଡିଆ, ରାମତୀର୍ଥ, ଜାମୁଆଣୀ ଓ କୁମାରୀ ଆଦି ସ୍ଥାନରେ ରହିବାର ବ୍ୟବସ୍ଥା କରାଯାଇଛି। ସେହିପରି କୁମାରୀ ଗାଁ ନିକଟରେ ସ୍ବତନ୍ତ୍ର ବାଉଁଶ କୁଟୀରର ବ୍ୟବସ୍ଥା ମଧ୍ୟ କରାଯାଇଛି।
- ଶିମିଳିପାଳର ମୁଖ୍ୟ ଆକର୍ଷଣ:-
ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ରହିଥିବା ସମସ୍ତ ସ୍ଥାନ ବେଶ ଆକର୍ଷଣୀୟ। ସେଥି ମଧ୍ୟରୁ ବରେହିପାଣି, ଯୋରନ୍ଦା, ଚହଲା, ଉସ୍କିରେ ଥିବା ଜଳପ୍ରପାତ ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରିଥାଏ। କୋର ଏରିଆରେ ମହାବଳ ବାଘ, ବିରଳ ମେଲାନିଷ୍ଟିକ ପ୍ରଜାତିର ବାଘ, ହରିଣ, ଝିଙ୍କ, ଭାଲୁ, ମୟୂର ଆଦି ଜୀବଜନ୍ତୁ ଦେଖବାକୁ ମିଳିଥାନ୍ତି। ଯାହାକୁ ଅତି ନିକଟରୁ ଦେଖି ପର୍ଯ୍ୟଟକମାନେ ଆତ୍ମସନ୍ତୋଷ ଲାଭ କରିଥାନ୍ତି।

- କେମିତି ଯିବେ ଶିମିଳିପାଳ:-
ଭୁବନେଶ୍ବରରୁ ବାରିପଦା ଟ୍ରେନ ଯୋଗେ ଆସିପାରିବେ ପର୍ଯ୍ୟଟକ। ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡର ଟାଟାନଗରରୁ ସଡ଼କ ପଥରେ ରାଇରଙ୍ଗପୁର ଦେଇ ୧୧୧ କିଲୋମିଟର ଗଲେ ଯଶିପୁର ପଡ଼ିଥାଏ। ସେଠାରୁ କାଳିଆଣୀ (କାଳିକାପ୍ରସାଦ) ୧୨ କିଲୋମିଟର ପଡ଼ିଥାଏ। ପିଠାବଟା ଓ କାଳିଆଣୀ ତନଖି ଫାଟକରେ ଥିବା ବୁକିଂ କାଉଣ୍ଟରରୁ ଧାର୍ଯ୍ୟ କରାଯାଇଥିବା ପ୍ରବେଶ ଶୁଳ୍କ ଦେଇ ବୈଧ ଟିକେଟ ସହ ଶିମିଳିପାଳ ମଧ୍ୟକୁ ପ୍ରବେଶ କରିପାରିବେ ପର୍ଯ୍ୟଟକ।
ଏହା ମଧ୍ୟ ପଢ଼ନ୍ତୁ- ରାଜ୍ୟରେ ଡ୍ରୋନ ଜଗୁଛି ଜଙ୍ଗଲ ନିଆଁ, ବର୍ତ୍ତମାନ ସୁଦ୍ଧା ୨୫ ହଜାର ପଏଣ୍ଟରେ ଲାଗିଛି ନିଆଁ
ଏହା ମଧ୍ୟ ପଢ଼ନ୍ତୁ- ଶିମିଳିପାଳ ଅଭୟାରଣ୍ୟରେ ପୂଜା କରିବାକୁ ହାଇକୋର୍ଟ ପହଞ୍ଚିଲେ ଆଦିବାସୀ
ଏହା ମଧ୍ୟ ପଢ଼ନ୍ତୁ- ଶିମିଳିପାଳ ଜଗିବେ ସଶସ୍ତ୍ର ପୋଲିସ, ଦେଶରେ ପ୍ରଥମ