GANJAM COBRA HATCHLING ବ୍ରହ୍ମପୁର(ଗଞ୍ଜାମ) : ଅଣ୍ଡାରୁ ବାହାରିଲା ସାପ ଛୁଆ । ଗତ କିଛି ଦିନ ତଳେ ଉଦ୍ଧାର ହୋଇଥିବା ନାଗସାପ ଅଣ୍ଡାରୁ ଫୁଟି ବାହାରିଛନ୍ତି ୧୪ଟି ନାଗଛୁଆ । ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ ଶ୍ୟାମଲାଇ ଛକରୁ ଗତ ମଙ୍ଗଳବାର ଦିନ ୧୭ଟି ନାଗସାପ ଅଣ୍ଡା ଉଦ୍ଧାର କରାଯାଇ ବ୍ରହ୍ମପୁରର ବନାଞ୍ଚଳ କାର୍ଯ୍ୟାଳୟରେ ରଖାଯାଇଥିବା ବେଳେ ଦୀର୍ଘ ସାତ ଦିନ ପରେ ଅର୍ଥାତ ଗତକାଲି (ସୋମବାର) ଉକ୍ତ ଅଣ୍ଡାରୁ ଛୁଆ ଜନ୍ମ ହୋଇଥିବା ସୂଚନା ଦେଇଛନ୍ତି ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ସନି ଖୋଖର ।
ହିଞ୍ଜିଳିକାଟୁ ଶ୍ୟାମଲାଇ ଛକରେ ରହୁଥିବା କାହ୍ନୁ ଚରଣ ବିଷୋୟୀଙ୍କ ଘର ବାଡିରେ ଥିବା ଏକ ପିଜୁଳିର ଗଛ କୋରଡରେ ନାଗସାପଟି ଅଣ୍ଡା ଦେଇଥିଲା । ଏହା ଦେଖି ସ୍ନେକହଲପ ଲାଇନ୍ ସଦସ୍ୟଙ୍କୁ ସୂଚନା ଦେଇଥିଲେ ସେ । ଖବର ପାଇ ସ୍ନେକହଲପ ଲାଇନ୍ ସଦସ୍ୟ ସନ୍ଦୀପ ସେଠୀ ପହଞ୍ଚି ନାଗ ସାପ ସହିତ ୧୭ଟି ଅଣ୍ଡାକୁ ସୁରକ୍ଷିତ ଭାବେ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିଥିଲେ । ଏହାପରେ ବନ ବିଭାଗ ଉକ୍ତ ନାଗ ସାପକୁ ସଂରକ୍ଷିତ ଜଙ୍ଗଲରେ ଛଡ଼ା ଥିବାବେଳେ ଅଣ୍ଡାକୁ ବ୍ରହ୍ମପୁର ବନାଞ୍ଚଳ କାର୍ଯ୍ୟାଳୟରେ ରଖିଥିଲା । ଦୀର୍ଘ ସାତ ଦିନ ପରେ ଅର୍ଥାତ ଗତକାଲି (ସୋମବାର) ଉକ୍ତ ଅଣ୍ଡାରୁ ୧୪ଟି ନାଗଛୁଆ ଜନ୍ମ ହୋଇଥିବା ସୂଚନା ଦେଇଛନ୍ତି ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ସନି ଖୋଖର ।
ସ୍ନେକ ହେଲପ୍ ଲାଇନ୍ ସଦସ୍ୟ ସ୍ବାଧୀନ କୁମାର ସାହୁ କହିଛନ୍ତି," ଗତ ଏକ ସପ୍ତାହ ତଳେ ଉଦ୍ଧାର ହୋଇଥିବା ୧୭ଟି ସାପ ଅଣ୍ଡାରୁ ୧୪ଟି ନାଗଛୁଆ ଜନ୍ମ ନେଇଛନ୍ତି । ବର୍ତ୍ତମାନ ଡିଏଫ୍ଓଙ୍କ ନିର୍ଦ୍ଧେଶ ମୁତାବକ ଜନ୍ମ ହୋଇଥିବା ନାଗ ଛୁଆଙ୍କୁ ପୂର୍ବରୁ ମାଆ ନାଗୁଣୀଙ୍କୁ ଛଡାଯାଇଥିବା ସଂରକ୍ଷିତ ଜଙ୍ଗଲରେ ଛଡ଼ାଯିବ । ଗଞ୍ଜାମ ତଥା ବ୍ରହ୍ମପୁର ସହରରେ ଏପରି ବନବିଭାଗର କାର୍ଯ୍ୟାଳୟରେ ନାଗ ସାପ ଅଣ୍ଡାରୁ ଛୁଆ ଜନ୍ମ ନେବା ଘଟଣା ପ୍ରଥମ ।"
ସ୍ନେକ ହେଲପ ଲାଇନର ଅନ୍ୟତମ ସଦସ୍ୟ ତାରାପ୍ରସାଦ ଦାଶ କହିଛନ୍ତି," ଅନେକ ସମୟରେ ସାପକୁ ଧରିବା ସମୟରେ ଅନେକ ଜାଣିପାରନ୍ତି ନାହିଁ କି ସେଠାରେ ସାପର ଅଣ୍ଡା ରହିଛି । ଯାହାଫଳରେ ତାହା ନଷ୍ଟ ହୋଇଯାଏ । କିନ୍ତୁ ଆମେ ଜାଣିପାରିଥିଲୁ ସେଠାରେ ସାପ ଅଣ୍ଡା ରହିଥିଲା ବୋଲି । ମୁଖ୍ୟତଃ ସାପ ଅଣ୍ଡାରୁ ଛୁଆ ଜନ୍ମ ପାଇଁ ପ୍ରାୟ ୨୧ ଦିନରୁ ଏକ ମାସ ସମୟ ଲଗିଥାଏ । ହେଲେ ଉକ୍ତ ଅଣ୍ଡା ଉଦ୍ଧାର ବେଳକୁ ବହୁ ଦିନ ହୋଇସାରିଥିଲା, ଫଳରେ ଏକ ସପ୍ତାହ ମଧ୍ୟରେ ନାଗଛୁଆ ଜନ୍ମ ହୋଇଛି ।


