Gajapati Gajamuan Yatra ପାରଳାଖେମୁଣ୍ଡି: ମହାମାରୀରୁ ରକ୍ଷା କରିବେ ମା’ । ଏକଥା ଆମେ କହୁନୁ ଏପରି କିଛି ବିଶ୍ବାସ ନେଇ ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ପାଳନ ହୁଏ ଅନନ୍ୟ ପରମ୍ପରା ଗଜମୁଆଁ । ପ୍ରତିବର୍ଷ ଚୈତ୍ର ମଙ୍ଗଳବାରରେ ଏହା ପାଳନ ହେଉଥିବା ବେଳେ ଶେଷ ମଙ୍ଗଳବାର ହୋଇଥାଏ ସ୍ବତନ୍ତ୍ର ପ୍ରସ୍ତୁତି । ଯାହାକୁ ଦେଖିବାକୁ ଯିଏ ଯେଉଁଠି ବି ଥାଉନା କାହିଁକି ଘରକୁ ଧାଇଁ ଆସନ୍ତି । କଣ ଏହି ଗଜମୁଆଁ ପରମ୍ପରା । ଜାଣନ୍ତୁ ।
Paralakhemundi festival:
ପାରଳାଖେମୁଣ୍ଡିର ଗଜମୁଆଁ: ଭିନ୍ନ ଏକ ପରମ୍ପରା ପାରଳାଖେମୁଣ୍ଡିର ଗଜମୁଆଁ । ପ୍ରତିବର୍ଷ ଚୈତ୍ରମାସର ପ୍ରତ୍ୟେକ ମଙ୍ଗଳବାରରେ ଏହା ପାଳିତ ହେଉଥିବା ବେଳେ ଶେଷ ମଙ୍ଗଳବାର ଖୁବ୍ ଆକର୍ଷଣୀୟ ହୋଇଥାଏ । ବିଶେଷ କରି କବିଚନ୍ଦ୍ର ସାହିର ଗଜମୁଆଁର ରହିଛି ସ୍ବତନ୍ତ୍ରତା । ତେଣୁ ଏଥିରେ ସାମିଲ ହେବା ପାଇଁ ଏହି ସାହିର ଲୋକେ ଯିଏ ଯେଉଁଠି ଥାନ୍ତୁ ନା କାହିଁକି ସମସ୍ତେ ଘରମୁହାଁ ହୋଇଥାନ୍ତି । ମହାମାରୀରୁ ରକ୍ଷା ପାଇବା ପାଇଁ ଠାକୁରାଣୀଙ୍କ ନିକଟରେ ଗଜାମୁହଁ ଭୋଗ କରିବା ପରମ୍ପରା କାହିଁ କେଉଁ କାଳରୁ ରହିଆସିଥିବା ବେଳେ ଆଜି ବି ଲୋକେ ଏହାକୁ ପାଳନ କରିଆସୁଛନ୍ତି ।
Gajamuan cultural event:
ଚୈତ୍ର ମଙ୍ଗଳବାର ହୁଏ ଗଜମୁଆଁ ପରମ୍ପରା: ପାରଳାଖେମୁଣ୍ଡି ସହରର ଗଜମୁଆଁ ପରମ୍ପରା ଯେତିକି ପୁରୁଣା ସେତିକି ରୋଚକ ମଧ୍ୟ । ସହରର ଅଧିକାଂଶ ସାହିରେ ପ୍ରତିବର୍ଷ ଚୈତ୍ର ମାସର ମଙ୍ଗଳବାରରେ ଏହା ପାଳିତ ହେଉଥିବା ବେଳେ ସହରର କଟିକିଆ ସାହିର ଗଜମୁହାଁ କିଛି ନିଆରା ହୋଇଥାଏ । ଚିତ୍ର ମାସର ଅନ୍ୟ ମଙ୍ଗଳବାର ଅପେକ୍ଷା ଶେଷ ମଙ୍ଗଳବାରର ଗଜମୁଆଁର ରହିଛି ସ୍ବତନ୍ତ୍ରତା । ଲିଆ, ଗୁଡରେ ପ୍ରସ୍ତୁତ ଗଜମୁଆଁକୁ ବିଭିନ୍ନ ପ୍ରକାରରେ ସଜ୍ଜିତ କରି ମଙ୍ଗଳବାର ସନ୍ଧ୍ୟାରେ ସାହିର ଯୁବକମାନେ ଏହାକୁ ପୂଜା କରିବା ସହ ମୁଣ୍ଡରେ ଧରି ସହର ପରିକ୍ରମା କରିଥାନ୍ତି ।

ସ୍ବତନ୍ତ୍ର ମୁଆଁ ପରିକ୍ରମା:
ବୁଧବାର ସକାଳୁ ଠାକୁରାଣୀଙ୍କ ନିକଟରେ ଭୋଗ ଲଗାଇବା ପରେ ଏହାକୁ ସମସ୍ତେ ପାଇଥାନ୍ତି । ମୁଆଁ ପରିକ୍ରମା ସମୟରେ ବାଜୁଥିବା ବାଜାର ବି ରହିଛି ସ୍ବତନ୍ତ୍ରତା । ଜଣେ ଏହି ବାଜା ଶୁଣିବା ଦ୍ବାରା ତାର ଗୋଡ ଆପେ ଆପେ ସେହି ସ୍ଥାନକୁ ଟାଣିନେବା ସହ ମୁଆଁଧାରୀଙ୍କ ସହ ନାଚିବାକୁ ବାଧ୍ୟ କରିବ । ଏହି ପରମ୍ପରାକୁ ପାଳନ କରିବା ପାଇଁ କବିଚନ୍ଦ୍ର ସାହିର ଯିଏ ଯେଉଁଠି ଥାନ୍ତୁ ନା କାହିଁକି ସମସ୍ତେ ଘର ମୁହାଁ ହୋଇଥାନ୍ତି । ସମସ୍ତେ ରାତି ତମାମ ବୁଲିବା ସହ ବୁଧବାର ସକାଳେ ଏହାକୁ ବିସର୍ଜନ କରିବା ପରେ ଘରକୁ ଫେରିଥାନ୍ତି । ଏଥିରେ ପିଲା ଠାରୁ ବୁଢା ସମସ୍ତେ ସାମିଲ ହୋଇ ମଜା ଉଠାଇଥାନ୍ତି । ତେଣୁ ବଡ ମାନଙ୍କ ପାଇଁ ବଡ ଏବଂ ଛୋଟ ପିଲାଙ୍କ ପାଇଁ ସାନ ମୁଆଁ ପ୍ରସ୍ତୁତ କରାଯାଇଥାଏ ।

କିଭଳି ପ୍ରସ୍ତୁତ ହୁଏ ଏହି ମୁଆଁ ?
ପ୍ରଥମେ ଆବଶ୍ୟକ ଅନୁସାରେ ଲିଆ ବା ଖଇକୁ ଅଣାଯାଏ । ପରେ ଖଇ ପାଇଁ ଆବଶ୍ୟକୀୟ ପରିମାଣର ଗୁଡ଼ ଅଣାଯାଇ ଏହାକୁ ଚୁଲାରେ ଗରମ କରି ପାଗ କରାଯାଏ । ସେହି ପାଗକୁ ଗରମ ଅବସ୍ଥାରେ ହିଁ ଲିଆ ବା ଖଇ ସହ ଭଲ ଭାବରେ ମିଶାଇ ଦିଆଯାଏ । ଏହା ପରେ ଏହାକୁ ଏକ ଗମ୍ଭୁଜ ଆକାର ଦିଆଯାଏ । ଯାହାକୁ ଗଜା ମୁଆଁ ବୋଲି କୁହାଯାଏ । ଏହାକୁ ଏକ ନିର୍ଦ୍ଦିଷ୍ଟ ବିଭିନ୍ନ ପ୍ରକାର ଆକୃତି ଦିଆଯାଇ ସୁନ୍ଦର କରି ସଜାଡି ଦିଆଯାଇ ମା’ଙ୍କୁ ପ୍ରତିଷ୍ଠା କରାଯାଏ । ଯାହାକୁ ଗଜମୁଆଁ ବୋଲି କହନ୍ତି ।

କିପରି ଆରମ୍ଭ ହେଲା ଗଜାମୁଆଁ ପରମ୍ପରା ?
ସ୍ଥାନୀୟ ବାସିନ୍ଦା ଉମଶ ପ୍ରସାଦ ରଥ କହିଛନ୍ତି, ‘ପ୍ରତିବର୍ଷ ଏହି ପର୍ବକୁ ଉପଭୋଗ କରିବା ପାଇଁ ଜୟପୁରରୁ ପାରଳାଖେମୁଣ୍ଡି ଆସିଥାନ୍ତି କେବଳ ସେ ନୁହେଁ ଅନେକ ସାହି ବାସିନ୍ଦା ମାନେ ମଧ୍ୟ ଏହି ପର୍ବର ଆନନ୍ଦ ନେବା ଲାଗି ଯେ ଯେଉଁଠି ଥାଆନ୍ତୁ ନା କାହିଁ କି ଚାଲି ଆସନ୍ତି । ପୂର୍ବଜ ମାନଙ୍କ ଠାରୁ ସେ ଯାହା ଶୁଣିଛନ୍ତି ଯେ ଏକଦା ପାରଳାଖେମୁଣ୍ଡିରେ ମହାମାରୀ ହୋଇଥିଲା । ମାଆ ସ୍ବପ୍ନରେ ଆସି ଶୀତଳ ଦେବା ପାଇଁ କହିଥିଲେ । ତେଣୁ ଏହି ପରି ଭାବରେ ମା’ଙ୍କୁ ଶୀତଳ ଦିଆ ଯିବା ପରେ ମହାମାରୀ ଓ ଝାଡାବାନ୍ତି ହୋଇଯା ଭଳି ବିଭିନ୍ନ ରୋଗ ଦୂର ହୋଇଥିଲା ।’

ବାହାରୁ ଲୋକେ ଆସନ୍ତି ଦେଖିବାକୁ:
ଆୟୋଜକ ବାଳକୃଷ୍ଣ ପାତ୍ର କହିଛନ୍ତି, ‘ଏହା ବହୁ ପୂର୍ବରୁ ହୋଇ ଆସୁଛି । ଏହି ପରମ୍ପରାକୁ ଆମେ ବର୍ତ୍ତମାନ ପର୍ଯ୍ୟନ୍ତ ବଞ୍ଚାଇ ଆସିଛୁ । କିଛି ଦିନ ପୂର୍ବରୁ ଚାନ୍ଦା ଆଦାୟ କରି ଆମେ ଏହି ଆୟୋଜନ କରୁ ଓ ଅନେକ ଲୋକ ବାହାରୁ ଏହା ଦେଖିବାକୁ ଆସିଥାନ୍ତି ।’

ଗଜମୁଆଁଙ୍କୁ ନେଇ କଣ ରହିଛି ଲୋକବିଶ୍ବାସ ?
ପୂଜକ ଦିବାକର ମହାପାତ୍ର କହିଛନ୍ତି, ‘ବହୁ ବର୍ଷ ତଳେ ପାରଳାଖେମୁଣ୍ଡିରେ ମହାମାରୀ ଦେଖାଦେଇଥିଲା । ଏଥିରେ ଅନେକ ଲୋକ ପ୍ରାଣ ହରାଇଥିଲେ । ତେବେ ଏଥିରୁ ରକ୍ଷା ପାଇବା ପାଇଁ ଏଠାକାର ଲୋକେ ଚୈତ୍ରମାସ ମଙ୍ଗଳବାରରେ ଗଜମୁଆଁ ଠାକୁରାଣୀଙ୍କ ନିକଟରେ ଭୋଗ କରିଥିଲେ । ଏହାପରେ ମହାମାରୀରୁ ରକ୍ଷା ମିଳିଥିଲା ବୋଲି କୁହାଯାଏ । ତେଣୁ ସେହିଦିନ ଠାରୁ ଆରମ୍ଭ ହୋଇଥିବା ଏହି ପରମ୍ପରା ଆଜି ବି ଜାରି ରହିଛି । ମା’ଙ୍କୁ ଶୀତଳ ନଦେଲେ ପୁଣିଥରେ କୌଣସି ପ୍ରକାର ଅଘଟଣ ଘଟିବ ବୋଲି ଲୋକଙ୍କ ଆଶଙ୍କାରେ ପ୍ରତିବର୍ଷ ଏହି ପୂଜା ଯାଉଥିବା କହିଛନ୍ତି ପୂଜକ ।

ହଜାର ବର୍ଷର ପରମ୍ପରା ଗଜାମୁଆଁ:
କେବଳ କବିଚନ୍ଦ୍ର ସାହି ନୁହ ପାରଳାଖେମୁଣ୍ଡିର ବିଭିନ୍ନ ସାହିରୁ ଏହି ଗଜାମୁଆଁ ବାହାରେ ଓ ରାତି ସାରା ସହର ପରିକ୍ରମା କରି ସରିବା ପରେ ସକାଳୁ ଗ୍ରାମ ଦେବୀ ହେଉ ଅନ୍ୟ ଦେବୀଙ୍କ ପାଖରେ କିମ୍ବା ସାହିର ଇଷ୍ଟଦେବୀଙ୍କ ନିକଟରେ ବିସର୍ଜନ କରାଯାଏ । ଆଧୁନିକତାର ଛାପରେ ଅନେକ ପରମ୍ପରା ଓ ସଂସ୍କୃତି ଲୋକ ପାଇଯାଇଛି ବୋଲି କହିଲେ କିଛି ଭୁଲ ହେବ ନାହିଁ । ହେଲେ ପାରଳାଖେମୁଣ୍ଡି ସହରର ଲୋକେ ହଜାର ହଜାର ବର୍ଷ ଧରି ନିଜ ପରମ୍ପରାକୁ ପ୍ରତିବର୍ଷ ଅଧିକ ଧୁମ ଧାମରେ ପାଳନ କରିବା ନିଶ୍ଚିତ ଭାବେ ଅନ୍ୟ ମାନଙ୍କ ପାଇଁ ଏକ ଉଦାହରଣ ।
ଇଟିଭି ଭାରତ, ଗଜପତି