ETV Bharat / state

ଜଗନ୍ନାଥ ସଂସ୍କୃତିକୁ କୁଠାରଘାତ, ଇସ୍କନକୁ ଗଜପତି ମହାରାଜଙ୍କ ଚରମ ଚେତାବନୀ

ଦେଶ ବାହାରେ ଅଦିନରେ ୧୮ ଥର ସ୍ନାନଯାତ୍ରା ଆୟୋଜିତ ହୋଇସାରିଛି । ଏହାକୁ ଶ୍ରୀମନ୍ଦିର ପରିଚାଳନା କମିଟି ତୀବ୍ର ବିରୋଧ କରିଛି ।

ଇସ୍କନର ଜଗନ୍ନାଥ ସଂସ୍କୃତିକୁ କୁଠାରାଘାତ
ଇସ୍କନର ଜଗନ୍ନାଥ ସଂସ୍କୃତିକୁ କୁଠାରାଘାତ (ETV Bharat Odisha)
author img

By ETV Bharat Odisha Team

Published : September 7, 2025 at 12:22 PM IST

3 Min Read
Choose ETV Bharat

ଭୁବନେଶ୍ବର: ବାରମ୍ବାର ନିୟମ ଉଲ୍ଲଂଘନ କରୁଛି ଇସ୍କନ । ଅଦିନିଆ ରଥଯାତ୍ରା ସହ ଅଦିନିଆ ସ୍ନାନଯାତ୍ରାର ମଧ୍ୟ ହେଉଛି ଆୟୋଜନ । ଶ୍ରୀମନ୍ଦିରର ବାରମ୍ବାର ପ୍ରତିବାଦ ସତ୍ତ୍ବେ ଚେତୁନି ଇସ୍କନ । ଜଗନ୍ନାଥ ସଂସ୍କୃତି, ପରମ୍ପରା ଓ ଶାସ୍ତ୍ର ନିୟମ ଆଦି ଗୁଡ଼ିକୁ ଅବମାନନା କରି ଚାଲିଛି ଇସ୍କନ । ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଇସ୍କନକୁ ଚରମ ଚେତାବନୀ । ମାସକ ସମୟ ମଧ୍ୟରେ ସମାଧାନ ନ କରିଲେ ଆଇନଗତ ପଦକ୍ଷେପ ।

ଶାସ୍ତ୍ର ଓ ପରମ୍ପରାକୁ ଭଙ୍ଗ କରିଛି ଇସ୍କନ:

ଶାସ୍ତ୍ରରେ ବର୍ଣ୍ଣିତ ନିୟମ ଅନୁଯାୟୀ ୧୧ ଜୁନରେ ସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଥିଲା । ହେଲେ ଏହାର ପୂର୍ବରୁ ଦେଶ ବାହାରେ ଅଦିନରେ ୧୮ ଥର ସ୍ନାନଯାତ୍ରା ଆୟୋଜିତ ହୋଇସାରିଛି । ସେହିଭଳି ରଥଯାତ୍ରା ବିଧି ଅନୁଯାୟୀ ୨୭ ଜୁନରେ ଅନୁଷ୍ଠିତ ହୋଇଥିଲା । ହେଲେ ଚଳିତବର୍ଷ ଆମେରିକାରେ ମାର୍ଚ୍ଚ ୩୧ରେ ଓ ରଥଯାତ୍ରା ପୂର୍ବରୁ ଭାରତ ସମେତ ଅନ୍ୟ ଦେଶରେ ୩୫ ଜାଗାରେ ରଥଯାତ୍ରା ପାଳନ କରାଯାଇଥିଲା । ଚଳିତବର୍ଷ ୨୭ ସେପ୍ଟେମ୍ବରରେ ଆମେରିକାରେ ପୁଣି ରଥଯାତ୍ରା ହେବା ନେଇ ନିଷ୍ପତ୍ତି ନିଆଯାଇଛି । ଏହାକୁ ଶ୍ରୀମନ୍ଦିର ପରିଚାଳନା କମିଟି ତୀବ୍ର ବିରୋଧ କରିଛି । ଏପରି କାର୍ଯ୍ୟ କରି ଶାସ୍ତ୍ର ଓ ପରମ୍ପରାକୁ ଭଙ୍ଗ କରିଛି ଇସ୍କନ । ଏହା ଦ୍ବାରା କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଅବେଗକୁ କୁଠାରାଘାତ ହୋଇଛି ।

ଇସ୍କନର ଜଗନ୍ନାଥ ସଂସ୍କୃତିକୁ କୁଠାରାଘାତ (ETV Bharat Odisha)
  • ଇସ୍କନକୁ ଚରମ ଚେତାବନୀ ଦେଲେ ଗଜପତି ଦିବ୍ୟସିଂହ ଦେବ ।
  • ଇସ୍କନକୁ 100 ପୃଷ୍ଠାର ପ୍ରାମାଣିକ ଦସ୍ତାବିଜ ହସ୍ତାନ୍ତର କରିଲା ଶ୍ରୀମନ୍ଦିର ପ୍ରଶାସନ ।
  • ମାସେ ଅବଧି ମଧ୍ୟରେ ସମାଧାନ ନ କରିଲେ ଆଇନଗତ ସହାୟତା ନେବ ଶ୍ରୀମନ୍ଦିର ପ୍ରଶାସନ ।
  • ଅଦିନରେ 18 ଥର ସ୍ନାନ ଯାତ୍ରା ଓ 35 ଜାଗାରେ ଅଦିନିଆ ରଥଯାତ୍ରା କରିଛି ଇସ୍କନ ।
  • ଇସ୍କନ ପକ୍ଷରୁ ପ୍ରକାଶିତ କାରଣକୁ ଭିତ୍ତିହୀନ କହିଛନ୍ତି ବିଶେଷଜ୍ଞ ।


ମାସେ ଅବଧି ଦେଲା ମନ୍ଦିର ପ୍ରଶାସନ:

ଆଶାଢ ଶୁକ୍ଲ ପକ୍ଷରେ ଯଥୋଚିତ ବିଧିବଦ୍ଧ ଭାବେ ନବଦିନାତ୍ମକ ଯାତ୍ରା ସମୟ ମଧ୍ୟରେ ହିଁ ଇସ୍କନ ରଥଯାତ୍ରା ଦେଶ ବିଦେଶରେ କରାଇବା ଉଚିତ । ମହାପ୍ରଭୁ ଜଗନ୍ନାଥଙ୍କ ମୁଖ ନିସୃତ୍ତ ଆଦେଶ ଅନୁଯାୟୀ କେଉଁ ସମୟରେ କେଉଁ ଯାତ୍ରା ହେବ ତାହା ଶାସ୍ତ୍ର ପୂରାଣରେ ବର୍ଣ୍ଣିତ । ଏହା ମହାଋଷି ବେଦବ୍ୟାସଙ୍କ ରଚିତ ଶ୍ରୀମଦ୍ ଭାଗବତରେ ମଧ୍ୟ ଲିପିବଦ୍ଧ । ଏହି ପରମ୍ପରା ଅନୁଯାୟୀ ଜଗନ୍ନାଥ ସଂସ୍କୃତି ଆଗେଇ ଆସିଛି । ସ୍କନ୍ଦ ପୁରାଣ ଓ ବ୍ରହ୍ମ ପୁରାଣର ନୀତି ଅନୁଯାୟୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ନୀତିକାନ୍ତି ପାଳନ କରାଯାଉଛି । ଏହାକୁ ସମସ୍ତେ ପାଳନ କରିବା ଆବଶ୍ୟକ ।

ସେହି ତିଥି ଅନୁଯାୟୀ ରଥଯାତ୍ରା ସବୁ ସ୍ଥାନରେ ସମ୍ପୂର୍ଣ୍ଣ କରାଯିବା ଆବଶ୍ୟକ । ଏହି ସମସ୍ୟାର ସମାଧାନ ପାଇଁ ଶ୍ରୀମନ୍ଦିର ପକ୍ଷରୁ ଇସ୍କନକୁ ଏକମାସର ଅବଧି ଦିଆଯାଇଛି । ଏ ସଂକ୍ରାନ୍ତରେ ବିଦେଶର ମନ୍ଦିରମାନଙ୍କ ସହିତ ଆଲୋଚନା କରାଯାଉ ଏବଂ ନୀତି ସଂଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି କହିଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ । ଏହା ପରେ ମଧ୍ୟ ଇସ୍କନ ମହାପ୍ରଭୁଙ୍କ ନୀତି ଓ ପରମ୍ପରାକୁ ଅମାନ୍ୟ କରେ ତେବେ ଆଇନର ଆଶ୍ରୟ ନେବୁ ବୋଲି ସେ କହିଛନ୍ତି ।

ଅଦିନିଆ ରଥଯାତ୍ରା ଓ ସ୍ନାନଯାତ୍ରାକୁ ବିରୋଧ:
ସେପଟେ ଶ୍ରୀମନ୍ଦିର ପରିଚାଳନାର କମିଟି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି, "କିଛି ଦଶନ୍ଧି ହେବ ଶାସ୍ତ୍ରକୁ ଉଲ୍ଲଂଘନ କରି ଇସ୍କନ ପାଳନ କରିଛି ଅଦିନିଆ ରଥଯାତ୍ରା ଓ ସ୍ନାନଯାତ୍ରା । ଏନେଇ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ଶ୍ରୀ ଗଜପତିଙ୍କ ଦ୍ଵାରା ଇସ୍କନକୁ ଏନେଇ ଚିଠି ଲେଖାଯାଇଛି । ଅଦିନିଆ ରଥଯାତ୍ରା ପାଇଁ ଡିସେମ୍ବର ୨, ୨୦୨୪ରେ ଇସ୍କନକୁ ଚିଠି ଲେଖିଥିଲେ ଗଜପତି । ସେହିଦିନ ମଧ୍ୟ ଶ୍ରୀନଅରରେ ବୈଠକ ମଧ୍ୟ ହୋଇଥିଲା । ମାର୍ଚ୍ଚ ୨୦ ତାରିଖରେ ଏହାକୁ ନେଇ ଆଉ ଏକ ବୈଠକ ହୋଇଥିଲା । ଯେଉଁଥିରେ ଇସ୍କନ ପକ୍ଷରୁ ଅଦିନିଆ ରଥଯାତ୍ରା ଓ ସ୍ନାନଯାତ୍ରା ବିଧି ସମ୍ବନ୍ଧିତ ଦସ୍ତାବିଜ୍ ପ୍ରକାଶ କରିବା ପାଇଁ କୁହାଯାଇଥିଲା । ଇସ୍କନ ପକ୍ଷରୁ ପ୍ରକାଶିତ ଦସ୍ତାବିଜରେ ପ୍ରଦତ୍ତ ଯୁକ୍ତି ଭିତ୍ତିହୀନ ଓ ଶାସ୍ତ୍ର ବିରୋଧୀ । ଏହାକୁ ବିରୋଧ କରି ଶ୍ରୀମନ୍ଦିରର ବିଦ୍ୱାନମାନଙ୍କ ଦ୍ଵାରା ପ୍ରଦତ୍ତ ସନ୍ଦର୍ଭ ସବୁ ମେଲ ଓ ଚିଠି ମାଧ୍ୟମରେ ଇସ୍କନକୁ ପ୍ରେରଣ କରାଯାଇଛି ।"

ଏହା ମଧ୍ୟ ପଢନ୍ତୁ:

ଇସ୍କନ ଗଡେଇଲା ଅଦିନିଆ ରଥ; ସାମିଲ ହେଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ ବିରୋଧ

'ସାରା ବିଶ୍ଵରେ ସ୍ନାନଯାତ୍ରା-ରଥଯାତ୍ରା ଶାସ୍ତ୍ର ଅନୁମୋଦିତ ତିଥିରେ ପାଳନ କରାଯାଉ'


ଜଗନ୍ନାଥ ସଂସ୍କୃତିର ଅପମାନ:
ସେହିପରି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ପ୍ରଫେସର ହରେକୃଷ୍ଣ ଶତପଥୀ କହିଛନ୍ତି,"କିଛି ବିଦେଶୀ ନାଗରିକ ଭକ୍ତ ବୋଲି କହି କିଛି ନିର୍ଦ୍ଧିଷ୍ଟ ଉଦ୍ଦେଶ୍ୟ ରଖି ଏପରି କାର୍ଯ୍ୟ କରି ଆସୁଛନ୍ତି । ପରିବର୍ତ୍ତନ କେବଳ ପୂଜାରେ ଦ୍ରବ୍ୟ ବାହାରକୁ ନେଇ କରିହେବ ହେଲେ କୌଣସି ଶାସ୍ତ୍ରୀୟ ସିଦ୍ଧାନ୍ତରେ ପରିବର୍ତ୍ତନ ହେବ ନାହିଁ । ଏହା ଇସ୍କନର କୁବ୍ୟାଖ୍ୟା ବୋଲି କହିଛି ଶ୍ରୀମନ୍ଦିର ପରିଚାଳନା କମିଟି । ପାଣିପାଗ ଓ ଛୁଟି ଦିନରେ ରଥଯାତ୍ରା କରିବା ପାଇଁ ଇସ୍କନ ପକ୍ଷରୁ କୁହାଯାଇଛି । ହେଲେ ଏହାକୁ ବିରୋଧ କରିଛି ଶ୍ରୀମନ୍ଦିର ପରିଚାଳନା କମିଟି । ତିଥି ମୁତାବକ ଏହାକୁ ଅଳ୍ପରେ ପାଳନ କରନ୍ତୁ ହେଲେ ବିଧିକୁ ଖଣ୍ଡନ କରନ୍ତୁ ନାହିଁ ବୋଲି କହିଛି ଶ୍ରୀମନ୍ଦିର । ସନାତନ ଧର୍ମର ପ୍ରଚାର ନାମରେ ନୀତି ବିରୋଧୀ କାର୍ଯ୍ୟ କରି ଅପପ୍ରଚାର କରୁଛି ଇସ୍କନ । ବ୍ୟବସାୟିକ ଉପାଦାନ ଭାବେ ଜଗନ୍ନାଥଙ୍କୁ ବ୍ୟବହାର କରାଯାଉଛି । ହଜାର ହଜାର ବର୍ଷର ପରମ୍ପରାକୁ କୁଠାରାଘାତ କରି ଜଗନ୍ନାଥ ସଂସ୍କୃତିର ଅପମାନ କରାଯାଉଛି ।"

ଇଟିଭି ଭାରତ, ଭୁବନେଶ୍ବର