ପାରଳାଖେମୁଣ୍ଡି: ସରକାରୀ ଯୋଜନାକୁ ସ୍ବଚ୍ଛ ଓ ଦୁର୍ନୀତିମୁକ୍ତ କରିବା ପାଇଁ ସରକାର ଅନଲାଇନ ମାଧ୍ୟମରେ ସମସ୍ତ କାର୍ଯ୍ୟ କରିବା ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି । ହେଲେ ସେହି ଅନଲାଇନ ବ୍ୟବସ୍ଥା କେତେ ଯେ ତ୍ରୁଟିଯୁକ୍ତ ତାହାର ଉଦାହରଣ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ରାୟଗଡର ଶିବ ଗୌଡଙ୍କ କ୍ଷେତ୍ରରେ । ଶିବ ଜଣେ ଚାଷୀ । କିନ୍ତୁ ସରକାରୀ ପୋର୍ଟାଲରେ ଶିବ ଜଣେ ସରକାରୀ ଚାକିରିଆ ବୋଲି ଉଲ୍ଲେଖ ରହିଛି । ଯାହା ଫଳରେ ସମସ୍ତ ସରକାରୀ ଯୋଜନାରୁ ସେ ବଞ୍ଚିତ ହେଉଛନ୍ତି । ଏନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି କର୍ଣ୍ଣପାତ କରୁନିଥିବା ଅଭିଯୋଗ କରିଛନ୍ତି ।
ଗଜପତି ଜିଲ୍ଲା ରାୟଗଡର ଶିବ ଗୌଡ । ଶିବ ଚାଷବାସ କରିବା ସହ କିଛି ମଇଁଷି ପାଳନ କରି କ୍ଷୀର ବିକ୍ରି କରି ପରିବାର ପ୍ରତିପୋଷଣ କରନ୍ତି । ଶିବ ୨୦୨୧ ମସିହାରୁ କାଳିଆ ଯୋଜନା ଆବେଦନ କରିଥିଲେ ମଧ୍ୟ ପାଇବାରୁ ବଞ୍ଚିତ ହୋଇଥିଲେ । ସେହି ସମୟରେ ସେ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ଯାଏଁ ସମସ୍ତ ନିକଟରେ ଗୁହାରୀ କରିଥିଲେ । ଗତ କିଛି ଦିନ ତଳେ ତାଙ୍କ ପତ୍ନୀ ଶାନ୍ତି ଗୌଡ଼ ସୁଭଦ୍ରା ଯୋଜନାରେ ଆବେଦନ କରିଥିଲେ । ହେତେ ସେଥିରୁ ମଧ୍ୟ ସେ ବଞ୍ଚିତ ହୋଇଛନ୍ତି । କାରଣ ହେଉଛି, କୌଣସି ବି ସରକାରୀ ଯୋଜନାରେ ଆବେଦନ କରିବା ପାଇଁ ଶିବଙ୍କ ଆଧାର କାର୍ଡ ନମ୍ବର ଏଣ୍ଟ୍ରି କରିବା କ୍ଷଣି ସେ ସରକାରି ଚାକିରିଆ ବୋଲି ଅନଲାଇନରେ ଦେଖାଉଛି । ଫଳରେ ତାଙ୍କ ସମସ୍ତ ସରକାରୀ ଯୋଜନାରୁ ବାଦ ଦିଆଯାଉଛି ।
ସବୁ ଯୋଜନାରୁ ବାଦ ପଡୁଛନ୍ତି ଶିବ:
ଏନେଇ ଶିବ ଗୌଡ଼ କହିଛନ୍ତି, "ଚାଷବାସ କରିବା ସହ ମଇଁଷି ପାଳନ କରି, କ୍ଷୀର ବିକ୍ରି କରି ପରିବାର ପ୍ରତିପୋଷଣ କରୁଛି । ମୋ ପରିବାର କହିଲେ ଦୁଇ ପୁଅ, ଗୋଟିଏ ଝିଅ ଏବଂ ମୋ ସ୍ତ୍ରୀ । ପୁଅ ଝିଅ ପାଠ ପଢୁଥିବା ବେଳେ ସ୍ତ୍ରୀ ଜଣେ ଗୃହିଣୀ । କାଳିଆ ଯୋଜନା, ପିଏମ କିଷାନ, ସୁଭଦ୍ରା ଯୋଜନା ଯେଉଁଥିରେ ବି ଆବେଦନ କଲେ ସରକାରୀ ଚାକିରିଆ ଭାବେ ଦର୍ଶାଇ କାଟି ଦିଆଯାଇଛି । ଆମେ ବହୁତ ସମସ୍ୟାର ସମ୍ମୁଖିନ ହେଉଛୁ । କୌଣସି ଯୋଜନାର ଲାଭ ପାଇପାରୁନାହୁଁ । ଏନେଇ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବିଡିଓ, ତହସିଲ ଓ ଜିଲ୍ଲାପାଳଙ୍କୁ ମଧ୍ୟ ଜଣାଇଛି । ତଥାପି କିଛି ସମାଧାନ ହେଉନାହିଁ । ୫ ବର୍ଷ ହେଲା ଆମେ ଏଭିଲ ସମସ୍ୟାର ସମ୍ମୁଖିନ ହେଉଛୁ । ଯଦି ସରକାର ଏହାର ସମାଧାନ କରନ୍ତେ ତାହାଲେ ଆମେ ଉପକୃତ ହୋଇପାରନ୍ତୁ ।"
ମିଳିଲାନି ସୁଭଦ୍ରା ଟଙ୍କା:
ସେହିପରି ତାଙ୍କ ଶିବଙ୍କ ପତ୍ନୀ ଶାନ୍ତି ଗୌଡ କହିଛନ୍ତି, "ଯେଉଁ ବି ଯୋଜନାରେ ଆବେଦନ କରୁଛୁ, ସ୍ବାମୀ ସରକାରୀ ଚାକିରି କରିଥିବା ଦର୍ଶାଇ କାଟି ଦିଆଯାଉଛି । ମୋ ସ୍ବାମୀ ଚାଷବାସ କରନ୍ତି । ଏମେ ସେଥିରୁ ଚଳୁଛୁ । ଆମ ଅଞ୍ଚଳର ସମସ୍ତଙ୍କୁ ସୁଭଦ୍ରା ଯୋଜନା ଟଙ୍କା ମୁିଳୁଛି । କିନ୍ତୁ ମୋତେ ମିଳୁନାହିଁ । ଯେତେ ଆବେଦନ କଲେ ବି ସ୍ବାମୀ ସରକାରୀ ଚାକିରିଆ ଦର୍ଶାଇ କାଟିଦିଆ ଯାଉଛି । ଏନେଇ ମୋ ସ୍ବାମୀ ବାରମ୍ବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଅଭିଯୋଗ କରିଛନ୍ତି । ହେଲେ କିଛି ସୁବିଧା ମିଳୁନି ।"
ସରକାରୀ ଯୋଜନାରୁ ବାଦ:
ଶିବଙ୍କ ପଡୋଶୀ ଚନ୍ଦ୍ରସେନ ମଲ୍ଲିକ କହିଛନ୍ତି, "ଶିବ ଚାଷ ବାସ କରିବା ସହ ମଇଁଷି ପାଳନ କରି ଯାହା ରୋଜଗାର କରନ୍ତି । ସେ ସରକାରୀ ଚାକିରି କରିନାହାନ୍ତି । କିନ୍ତୁ ସରକାରୀ ଚାକିରି କରିଥିବା ନେଇ ସରକାରି ସ୍ତରରେ ସର୍ଭେ ହୋଇଛି । ଯାହାକୁ ନେଇ ସେ ସମସ୍ତ ସରକାରୀ ଯୋଜନାରୁ ବାଦ ପଡ଼ୁଛନ୍ତି । କାଳିଆ ଯୋଜନା ହେଉ କି ତାଙ୍କ ପତ୍ନୀଙ୍କୁ ସୁଭଦ୍ରା ଯୋଜନା, ସବୁଥିରୁ ସେ ବାଦ ପଡ଼ୁଛନ୍ତି ।"
ଏହା ମଧ୍ୟ ପଢ଼ନ୍ତୁ.. ସରକାର ନିଦରେ ଶୋଇଗଲେ ଜାଗ୍ରତ କରିବ ବିଜେଡି: ଅରୁଣ ସାହୁ ETV Bharat IMPACT: ତ୍ରୁଟି ସୁଧାରିଲା ପ୍ରଶାସନ, ଶତାୟୁ ବୃଦ୍ଧାଙ୍କୁ ମିଳିଲା ଭତ୍ତା |
'ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ':
ଅନ୍ୟପଟେ ଏନେଇ ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାଶ କହିଛନ୍ତି, "ସୁଭଦ୍ରା ଯୋଜନାରୁ ଯେଉଁମାନେ ବଞ୍ଚିତ ହୋଇଛନ୍ତି, ସେମାନେ ଅନଲାଇନ ମାଧ୍ୟମରେ ଆବେଦନ ପତ୍ର ଦେବେ । ତାହା ଆମ ପାଖକୁ ଆସିଲେ ଆମେ ତାକୁ ଯାଞ୍ଚ କରିବୁ । ଯଦି କିଛି ଭୁଲ ଥାଏ ତାହକୁ ସଠିକ କରିବୁ । ବର୍ତ୍ତମାନ ଫାର୍ମ ରେଜିଷ୍ଟ୍ରି ଚାଲିଛି । କାହାର କେତେ ଜମି ଅଛି ସେନେଇ ଅନଲାଇନରେ ଯାଞ୍ଚ କରାଯାଉଛି । ଏହା ଅନଲାଇନରେ ଏଣ୍ଟ୍ରି ହୋଇସାରିବା ପରେ ଏସବୁ ସମସ୍ୟାର ସମାଧାନ ହେବ । ଏଭଳି ଏକ ଗୁରୁତର ଭୁଲର ତଦନ୍ତ କରି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ।"
ଇଟିଭି ଭାରତ, ଗଜପତି