ସ୍ପେଶାଲ ରିପୋର୍ଟ: ବିକାଶ କୁମାର ଦାସ
Sanjana Behera Transgender Story ଭୁବନେଶ୍ବର: ରାସ୍ତାରେ ଚାଲିଗଲେ ଆଜିବି ଆଡ଼ ଆଖିରେ ଦେଖେ ସମାଜ । ମାଇଚିଆ...ହିଞ୍ଜଡା..କିନ୍ନର କହି ଟାପିଟାପରା କରନ୍ତି ଲୋକେ । କିଏ କାନି ଟାଣିଦିଏ । କିଏ କେତେ କଥା କହିଯାଏ । ଏମିତି ତି ହୁଏ ତାଙ୍କୁ ଦେଖି କିଛି ଲୋକ ମନରେ ଭ୍ରାନ୍ତ ଧାରଣା ରଖନ୍ତି କିନ୍ନର ମାନେ ଭିକ୍ଷାବୃତ୍ତି କରୁଥିବ...ନହେଲେ ରୂପଜୀବୀ ହୋଇଥିବ । ସମାଜକୁ ଟାହିଟାପରା ଶିକୁଳିକୁ ଛିଣ୍ଡାଇ ସେ ଲେଖିଛନ୍ତି ସଂଘର୍ଷ ସଫଳତାର କାହାଣୀ । ସଞ୍ଜୟରୁ ପାଲଟିଛନ୍ତି ସଞ୍ଜନା...କିନ୍ନରଙ୍କ ସଂଘର୍ଷପୂର୍ଣ୍ଣ କାହାଣୀକୁ ନେଇ ଇଟିଭି ଭାରତର ସ୍ବତନ୍ତ୍ର ଉପସ୍ଥାପନା...ଜୀବନ ସଂଘର୍ଷରେ ସଫଳ ସଞ୍ଜନା ।
ଅନ୍ୟମାନଙ୍କ ପାଇଁ ରୋଲ ମଡେଲ:
ଛୋଟିଆ ଗାଁରୁ ଆସି ଭୁବନେଶ୍ବରରେ ସମସ୍ତଙ୍କ ପାଇଁ ପାଲଟିଛନ୍ତି ରୋଲ ମଡେଲ । ଜୀବନରେ ବହୁ ସଂଘର୍ଷ କରି ଆଜି ଅନ୍ୟ କିନ୍ନରଙ୍କ ପାଇଁ ପାଲଟିଛନ୍ତି ଉଦାହରଣ । କିନ୍ନର ମାନେ ଭିକ୍ଷାବୃତ୍ତି ଓ ସେକ୍ସ ୱାର୍କର(ରୂପଜୀବୀ) ରୂପେ ବଞ୍ଚନ୍ତିନି । ଏପରିକି ଯଦି ଜଣେ ଭଲ ପାଠ ପଢିଥିବ ସେ ଜୀବନର ସଫଳତାର ପାହାଚ ଚଢି ଆଗକୁ ଯାଇପାରିବ । ଏପରି କିଛି ସମାଜକୁ ବାର୍ତ୍ତା ଦେଇଛନ୍ତି ଭୁବନେଶ୍ବର ଭରତପୁର ଅଞ୍ଚଳରେ ରହୁଥିବା କିନ୍ନର ସଞ୍ଜନା ବେହେରା ।

ସଞ୍ଜୟରୁ ପାଲଟି ଗଲେ ସଞ୍ଜନା:
ବ୍ରହ୍ମପୁରର ହିଞ୍ଜିଳି କାଟୁର ଏକ ଛୋଟ ପରିବାରରେ ପୁଅ ଭାବେ ଜନ୍ମ ହୋଇଥିଲେ ସଞ୍ଜନା । ବାପା ମା’ ନାଁ ରଖିଥିଲେ ସଞ୍ଜୟ । ବୟସ ବଢ଼ିବା ସହ ବଦଳିଥିଲା ସଞ୍ଜୟଙ୍କ ପରିଚୟ । ପରେ ସେ ପରିବାର ଓ ସମାଜ ସହ ଲଢ଼ି ସଞ୍ଜୟରୁ ପାଲଟିଲେ ସଞ୍ଜନା । ପଞ୍ଚମ ପଢୁଥିବା ବେଳେ ଜାଣିଲେ ଶରୀର ପୁଅ କିନ୍ତୁ ସମସ୍ତ ବ୍ୟବହାରରେ ଝିଅ ରହୁଛି ତେବେ ସେ ଘର ଛାଡ଼ିଥିଲେ । ତେବେ ବ୍ରହ୍ମପୁରରୁ ସିଧାସଳଖ ଭାବରେ ଭୁବନେଶ୍ବରର ଆସିଯାଇଥିଲେ । ଭୁବନେଶ୍ବରରେ ଏକ ଘରୋଇ ସଂସ୍ଥାରେ କାମ କରୁଛନ୍ତି ସଞ୍ଜନା । ପରିବାର କହିଲେ ବାପା ମା’ 3 ଭାଇ । ହେଲେ କିନ୍ନର କାରଣରୁ ପରିବାର ଦୂରେଇ ଦେଇଥିଲା । ଏବେ ସେ ଭୁବନେଶ୍ବରରେ ସ୍ବାମୀଙ୍କ ସହ ରହୁଛନ୍ତି ।
ସଞ୍ଜୟ କେବେ ଜାଣିଲେ ସେ କିନ୍ନର:
ସଞ୍ଜୟ ଯେତେବେଳେ ୫ମ ଶ୍ରେଣୀରେ ପାଠ ପଢ଼ୁଥିଲେ ସେହି ସମୟରୁ ନିଜକୁ ଝିଅ ଭଳି ଅନୁଭବ କରିଥିଲେ । ପୁଅଙ୍କ ଅପେକ୍ଷା ଝିଅଙ୍କ ପ୍ରତି ଅଧିକ ଆକୃଷ୍ଟ ହୋଇଥିଲେ । ଝିଅଙ୍କ ଡ୍ରେସ ପରିଧାନ କରିବା ଚୁଡି ଲିପଷ୍ଟିକ ଭଳି ଅନେକ ମଧ୍ୟ ବ୍ୟବହାରରେ ପରିବର୍ତ୍ତନ ହୋଇଥିଲା । ଯେତେବେଳେ ଝିଅ ବୋଲି ସେ ନିଜକୁ ଭାବିଥିଲେ ସେହି ସମୟରେ ଡାକ୍ତରଙ୍କୁ ମଧ୍ୟ ପରାମର୍ଶ ନେଇଥିଲେ । କାରଣ ମାନସିକ ସ୍ତରରେ କିଛି ହୋଇଥାଏ ଭାବି ପରିବାର ଲୋକମାନେ ମଧ୍ୟ କରେଣ୍ଟ ଝଟ୍କା ବା ଇଲେକଟ୍ରିକ ସକ୍ ଦେଇଥିଲେ ।

ସର୍ଜରୀ କରି ସଞ୍ଜୟରୁ ହେଲେ ସଞ୍ଜନା:
ତେବେ ସଞ୍ଜନା କମ ବୟସରେ ଘର ଛାଡି ପଳାଇ ଆସିଥିଲେ । ଭୁବନେଶ୍ବରରେ ରହି ସର୍ଜରୀ କରିବାକୁ ଚାହୁଁଥିଲେ । ତେବେ ସେ 2020 ମସିହାରେ ଦିଲ୍ଲୀ ସ୍ଥିତ ଏକ ମେଡ଼ିକାଲରେ ସର୍ଜରୀ କରି ନିଜକୁ ଝିଅ କରିଥିଲେ । ତେବେ ସେହି ଦିନଠାରୁ ସଞ୍ଜୟ ଆଉ ସଞ୍ଜୟ ଭାବରେ ନରହି ପାଲଟିଯାଇଥିଲେ ସଞ୍ଜନା । ଏପରିକି ସଞ୍ଜନାଙ୍କ ମନ ପରିବର୍ତ୍ତନ ହେବ ବୋଲି ଘର ଲୋକ ବାହାଘର କରିଦେବା ବୋଲି ମଧ୍ୟ କହିଥିଲେ ।
ପୁଅ ନୁହେଁ ଝିଅ ଭଳି ଦେଖନ୍ତି ମାଆ:
ସଞ୍ଜନାଙ୍କ ପରିବାରର କହିଲେ ବାପା ମଆ ଓ ୩ ଭାଇ । ସବୁବେଳେ ବାପା ମା’ ଚାହୁଁଥିଲେ ଯେ 3 ଜଣ ପୁଅ ପରେ ଗୋଟିଏ ଝିଅ ଜନ୍ମ ହେଉ ବୋଲି । ହେଲେ ଚତୁର୍ଥ ଥର ସେହି ପୁଅ ହିଁ ଜନ୍ମ ହେଲା । ସମସ୍ତେ ଜାଣିଲେ ପୁଅ ବୋଲି କିନ୍ତୁ ବର୍ତ୍ତମାନ ସମୟରେ ସେ ସମସ୍ତଙ୍କ ନଜରରେ ଝିଅ ।

ସଞ୍ଜନାଙ୍କ କ୍ୟାରିଅର:
ସଞ୍ଜନା ବ୍ରହ୍ମପୁର କଲେଜରେ ଯୁକ୍ତ ଦୁଇ ପାଠ ପଢିବା ସମୟରେ ଯୁକ୍ତ ତିନି ପାଠ ପଢିଛନ୍ତି । ତେବେ ବର୍ତ୍ତମାନ ଉତ୍କଳ ବିଶ୍ୱବିଦ୍ୟାଳୟରେ MSW ପଢୁଛନ୍ତି । ଏହା ପରେ ଆଇନ ପାଠ ପଢିବାକୁ ଇଚ୍ଛା କରିଛନ୍ତି ସଞ୍ଜନା । ଭୁବନେଶ୍ବର ଆସିବା ପରେ ଏକ ସଂସ୍ଥାରେ ଲାମ କରୁଥିଲେ । ସେହି ସମୟରେ ସଞ୍ଜନାଙ୍କ ଦରମା ଥିଲା ମାତ୍ର ୪ ହଜାର ଟଙ୍କା । ଯାହା ଭୁବନେଶ୍ବରରେ ଚଳିବା କଷ୍ଟ ହୋଇପଡ଼ିଥିଲା । ଏନେଇ ସଞ୍ଜନା କୁହନ୍ତି, ‘ଖାଇବା ପାଇଁ ପାଖରେ ପଇସା ନଥିଲା ଚାଲି ଚାଲି ୨୦ କିଲୋମିଟର ଯାଉଥିଲି ଅଫିସକୁ । ଖାଇବା ପାଇଁ ନଥିବ କିନ୍ତୁ ଏତେ କଷ୍ଟ କେବେ ସେ ସମୟ ଭୁଲିବି ନାହିଁ ।’
17 ବର୍ଷରେ ଶାଢୀ ପିନ୍ଧି ହୋଇଥିଲେ ଘୃଣାର ଶିକାର:
ଏନେଇ ସଞ୍ଜନା କୁହନ୍ତି, ‘17 ବର୍ଷ ବୟସରେ ଘୃଣାର ଶିକାର ହୋଇଥିଲି । ବାହାର ଲୋକଙ୍କ ଠାରୁ ନୁହେଁ ବରଂ ପରିବାର ଲୋକଙ୍କ ଠାରୁ । ଘରେ କେହି ନଥିବା ବେଳେ ମା’ଙ୍କ ଲୁଗା ପିନ୍ଧିଥିଲି । ହଠାତ୍ ଘରକୁ ବାପା ଆସିଯାଇଥିଲେ । ଯାହା ଦେଖିଲେ ତାହା ଥିଲା କଳ୍ପନା ବାହାରେ । କାହାରି ଆଖିକୁ ବିଶ୍ବାସ ହୋଇଥିଲା । ସେହି ଦିନ ବାପା ମାଡ ମାରିଥିଲେ । ଘରୁ ବାହାର କରିଦେଇଥିଲେ । ଲୋକଙ୍କ ସାମନାରେ ମୋତେ ସବୁକିଛି ଅଲଗା କରିଦେଲେ ।’

ସଞ୍ଜନା କୁହନ୍ତି, ‘ଛୋଟ ସମୟରୁ ହିରୋଇନ୍ ହେବାର ବହୁତ ଇଚ୍ଛା ଥିଲା । ଏହା ସହିତ ଗୋଟେ ଭଲ ଚାକିରି କରିଥାନ୍ତି । ହେଲେ ଆଜି କିନ୍ନର ନୁହେଁ ଆଉ କାହାର ମଧ୍ୟ ବୋହୂ ହୋଇପାରିଛି ।’
ପ୍ରେମ ବିବାହ କରିଛନ୍ତି ସଞ୍ଜନା:
ପ୍ରେମ ବିବାହ କରିଛନ୍ତି ସଞ୍ଜନା । ଗତ ବର୍ଷ ହେବ ସେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ପ୍ରଥମେ ପ୍ରେମ ପରେ ବିବାହ । ଢେଙ୍କାନାଳ ହେଉଛି ସଞ୍ଜନାଙ୍କ ଶାଶୂଘର । ବର୍ତ୍ତମାନ ସମୟରେ ସ୍ଵାମୀଙ୍କ ସହିତ ଭୁବନେଶ୍ବରର ଭରତପୁର ଅଞ୍ଚଳରେ ରହୁଛନ୍ତି । ଦୁହିଁଙ୍କ ପରିବାର ସହଯୋଗ କରୁଛନ୍ତି। ଆଗକୁ ମଧ୍ୟ ପରିବାର ବଢାଇବା ପାଇଁ ପ୍ଲାନ ରହିଛି ବୋଲି ‘ଇଟିଭି ଭାରତ’କୁ କହିଛନ୍ତି ସଞ୍ଜନା ।
ନିର୍ଯାତନା ପାଇଁ ସରକାର ଚାକିରି ଛାଡିଥିଲି:
ଇଟିଭି ଭାରତକୁ ସଞ୍ଜନା କହିଛନ୍ତି, ‘ପିଲା ବେଳୁ ଇଚ୍ଛା ଥିଲା ବଡ଼ ହେଲେ ପୋଲିସ ଚାକିରି କରିବି । ସମାଜକୁ ସୁରକ୍ଷା ଓ ଶିକ୍ଷା ଦେବି । ହେଲେ ଏଭଳି ପରିବର୍ତ୍ତନ ସମ୍ପୂର୍ଣ୍ଣ ରୂପେ ସେ ସ୍ବପ୍ନ ଓ ଇଚ୍ଛା ଶକ୍ତିକୁ ପରିବର୍ତ୍ତନ କରିଦେଇଛି । ମୁଁ ଯେତେବେଳେ ଯୁକ୍ତ ଦୁଇ ପାଠ ପଢୁଥିଲେ ସେହି ସମୟରେ ଭୁବନେଶ୍ବର ଆସିଥିଲି । ବହୁ କଷ୍ଟରେ ସଂଘର୍ଷ କରି ପାଠ ପଢିଥିଲି । ହେଲେ କିନ୍ନର ଥିବାରୁ କୌଣସି ସ୍ଥାନରେ ଚାକିରି ମିଳୁନଥିଲା । ଏପରିକି ବ୍ରହ୍ମପୁରରେ ଏକ ସରକାରି ଚାକିରି କରିଥିଲି । ହେଲେ ଅଫିସରେ ଅକଥନୀୟ କଥା, ର୍ଦୁବ୍ୟବହାର ସହିତ ଅନେକ ସମୟରେ ନିର୍ଯାତନା ମିଳିଥିଲା । ତେବେ ସେଠାରୁ ଚାକିରି ଛାଡି ପଳାଇ ଆସିଥିଲେ ଭୁବନେଶ୍ଵର ।’
ପରିବାର ସହ ସମ୍ପର୍କ ଅଛି ନା ନାହିଁ ?
ଏନେଇ ସଞ୍ଜନା କହିଛନ୍ତି, ‘ଯେତେବେଳେ ଘର ଛାଡିକି ଆସିଥିଲି ଭୁବନେଶ୍ବର ତେବେ ଏଠାରେ ବହୁ କଷ୍ଟରେ ରହିଥିଲି । ପରେ ପରିବାର ଲୋକମାନେ ମୋତେ ସପୋର୍ଟ କରିଥିଲେ । ମଝିରେ ମଝିରେ ଘରକୁ ଯିବା ଆସିବା କରିଥାଏ । ବିଶେଷ ଭାବରେ ରାକ୍ଷୀ ପୂର୍ଣ୍ଣିମା ଆସିଲେ 3 ଭାଇଙ୍କ ହାତରେ ଭଉଣୀ ଭଳି ରାକ୍ଷୀ ବାନ୍ଧିଥାଏ । ଘର ଲୋକ ଚାହୁଁଥିଲେ 3 ଭାଇ ପରେ ଗୋଟିଏ ଭଉଣୀ ଜନ୍ମ ହେଉ । ଆଜି ପୁଅ ରୂପରେ ଏକ ଭଉଣୀ ମୋ ଭାଇଙ୍କୁ ମିଳିଯାଇଛି ।
ଦିନେ ତାଙ୍କୁ ରୂପଜୀବୀ ହେବାକୁ କହିଥିଲା କିନ୍ନର ସମାଜ:
ତେବେ ସଞ୍ଜନା ଏକ ସୋସିଆଲ ମିଡିଆରେ ଯୋଗାଯୋଗ କରିଥିଲେ ମାଧୁରୀ ମାଆଙ୍କ ସହିତ । ହେଲେ ଭୁବନେଶ୍ବରରେ ଥିବା ବେଳେ ସଞ୍ଜନାଙ୍କୁ ସେକ୍ସ ୱାର୍କର(ରୂପଜୀବୀ) ଭାବରେ କାମ କରିବାକୁ କୁହାଯାଇଥିଲା । କିନ୍ତୁ ସେ ଏହାକୁ ଆପଣାଇନଥିଲେ । ଯେହେତୁ ନିଜେ ନିଜକୁ ଠିକ ଭାବରେ ଗଢିବେ ସେନେଇ ଚାକିରି ଖୋଜିଥିଲେ । ହେଲେ ଶେଷରେ ଚାକିରି ମିଳିଥିଲା । ଏବେବି ସେଠାରେ ଚାକିରି କରୁଛନ୍ତି ସେ ।
ସଞ୍ଜନାଙ୍କୁ ନେଇ କଣ କୁହନ୍ତି ଅଫିସ୍ କର୍ମଚାରୀ ?
ସିଏଫଏଆରର ଷ୍ଟେଟ ପ୍ରୋଜେକ୍ଟ ମ୍ୟାନେଜର ମମତା ସିଂହ ଓ ସିଟି ପ୍ରୋଜେକ୍ଟ ମ୍ୟାନେଜର ଯୁଗଳ ନାୟକ କହିଛନ୍ତି, ‘ଅଫିସରେ ସଞ୍ଜନାକୁ ସମ୍ପୂର୍ଣ୍ଣ ଭାବରେ ସ୍ବାଧୀନତା ମିଳିଛି । ଅଫିସର ସମସ୍ତ କର୍ମଚାରୀ ମାନେ ସଞ୍ଜନାଙ୍କୁ ସପୋର୍ଟ କରୁଛନ୍ତି । କିନ୍ନରଙ୍କ ଉପରେ ଯେଉଭଳି ବ୍ୟବହାର ବା ଦ୍ଵନ୍ଦ ଥିଲା ତାହା ଦୂର କରିଛନ୍ତି ସଞ୍ଜନା । ସଞ୍ଜନା ଅଫିସରେ ଝିଅ ଭଳି ଚଳିଥାନ୍ତି ସମସ୍ତଙ୍କୁ ଭଲ ବ୍ୟବହାର କରିବା କରୁଛନ୍ତି ।’
ମାଇଚିଆ କହି ଦେଉଥିଲେ ନିର୍ଯାତନା:
ସଞ୍ଜନା କୁହନ୍ତି, ‘ମାଇଚିଆ କହି ଅନେକ ସ୍ଥାନରେ ନିର୍ଯାତନା ମିଳିଛି । କିନ୍ତୁ ସବୁ କିଛି ମଥା ପୋତି ସବୁ ସହିଛି । ଲୋକମାନଙ୍କ ନଜରରେ ଏବେବି ଖରାପ ଭାବନ୍ତି କିନ୍ନରଙ୍କୁ । ହେଲେ ସମସ୍ତେ ସେୟା ନୁହନ୍ତି । ସମସ୍ତ କିନ୍ନର ଯେଉଁ ମାନେ ପାଠ ପଢିଛନ୍ତି ଚାକିରି ମିଳୁନାହିଁ ବା ଚାକିରି କ୍ଷେତ୍ରରେ ନିର୍ଯାତନା ମିଳୁଛି । ସେମାନେ ଧର୍ଯ୍ୟ ଧରିବା ଆବଶ୍ୟକ । ଆଜି ଗୋଟିଏ ଅଫିସରେ ନିର୍ଯାତନା ମିଳୁଛି ତେବେ ଆଉ ଏକ ଅଫିସକୁ ଯିବା । ସବୁ କଷ୍ଟକୁ ପଛକୁ ଛାଡି ଲକ୍ଷ୍ୟ ସ୍ଥଳକୁ ପହଞ୍ଚିପାରିବ ପାଇଁ ଚେଷ୍ଟା କରିବା । ଯାହା ଦିନେ ନା ଦିନେ ସେହି ସଫଳତାର ଶୀର୍ଷରେ ପହଁଚିପାରିବ ।
ଆଜି ବି କିନ୍ନରଙ୍କୁ ସମ୍ମାନ ମିଳେନାହିଁ:
କିନ୍ନରଙ୍କୁ ଅନେକ ଚଳଚିତ୍ର କରାଯାଇଛି । ଏବେବି ଅନେକ ଲୋକେ ତାଙ୍କୁ ଘୃଣ୍ଯ ନଜରରେ ଦେଖନ୍ତି । ଅଫିସ ହେଉ ବା ବାଟରେ ଘାଟରେ ହେଉ ସବୁଠାରେ ଲୋକମାନେ ସେମାନଙ୍କ ସହିତ ଲାଗିଥାନ୍ତି ବା ଚିଡାଇଥାନ୍ତି । ଏପରି ମଧ୍ୟ ଲୋକେ ସେମାନଙ୍କର ଭୌତିକ ସ୍ୱାର୍ଥ ପୂରଣ ପାଇଁ ଟ୍ରାନ୍ସଜେଣ୍ଡର ଲୋକଙ୍କ ଆଶୀର୍ବାଦ ପାଇଁ ଆକାଂକ୍ଷା କରନ୍ତି । କିନ୍ତୁ ସେମାନେ ଟ୍ରାନ୍ସଜେଣ୍ଡର ଲୋକଙ୍କୁ ମଣିଷ ଭାବରେ ସମ୍ମାନ କରନ୍ତି ନାହିଁ । ଯାହା ଏକ ବିଡ଼ମ୍ବନାର ବିଷୟ ଅଟେ । ଟ୍ରାନ୍ସଜେଣ୍ଡରମାନେ କୌଣସି ବୈଧ କାରଣ ବିନା ସେମାନଙ୍କ ପରିବାର, ସ୍କୁଲ, ସମକକ୍ଷ ଗୋଷ୍ଠୀ ଏବଂ ଏହି ତଥାକଥିତ ସଭ୍ୟ ବିଶ୍ୱର ସମାଜରେ ଦୁଃଖ ଭୋଗ କରନ୍ତି ।
କିନ୍ନର ସମାଜକୁ କଣ ବାର୍ତ୍ତା ଦେଲେ ସଞ୍ଜନା ?
ତେବେ ସଞ୍ଜନା କୁହନ୍ତି, ‘କିନ୍ନରଙ୍କ ପାଖରେ ଅନେକ ଦକ୍ଷତା ଅଛି, କିନ୍ତୁ ସୁଯୋଗର ଅଭାବ ରହିଛି । ସରକାରଙ୍କ ପକ୍ଷରୁ କିନ୍ନରଙ୍କ ପାଇଁ ବିଭିନ୍ନ କ୍ଷେତ୍ରରେ ସୁଯୋଗ ସୃଷ୍ଟି ହେଲେ ସମସ୍ତେ ମୁଖ୍ୟସ୍ରୋତରେ ସାମିଲ ହୋଇପାରିବେ । କିନ୍ନର ଭାବେ ସମାଜରେ ବଞ୍ଚିବା ସହଜ ନୁହେଁ । ଏବେବି ଅନେକ କିନ୍ନର ନିଜର ପରିଚୟ ପାଇଁ ସଂଘର୍ଷ ଜାରି ରଖିଛନ୍ତି ।’
କିନ୍ନରଙ୍କ ପାଇଁ ଗଠନ ହୋଇଛି କଲ୍ୟାଣ ବୋର୍ଡ:
କିନ୍ନରଙ୍କ ଶିକ୍ଷା, ନିଯୁକ୍ତି, ଆବାସ ଓ ସ୍ବାସ୍ଥ୍ୟ ଯୋଜନା ଗୁଡିକ ତଦାରକ ସହ ସେମାନଙ୍କର ସାମ୍ବିଧାନିକ ଓ ମାନବାଧିକାର ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାର ‘କଲ୍ୟାଣ ବୋର୍ଡ’ ଗଠନ କରିଛନ୍ତି । ଯାହାକୁ ଦୀର୍ଘବର୍ଷ ଧରି କିନ୍ନରଙ୍କମାନେ ଦାବି କରି ଆସୁଥିଲେ । ଏହି ବୋର୍ଡରେ ମୋଟ 16 ଜଣ ସଦସ୍ୟ ରହିବେ । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମନ୍ତ୍ରୀ ମଧ୍ୟ ଏହି ବୋର୍ଡର ସଦସ୍ୟ ଅଛନ୍ତି । ଯାହାର କାର୍ଯ୍ୟକାଳ 3 ବର୍ଷ ଅଟେ ।
କିନ୍ନରଙ୍କୁ ନେଇ ରାଜ୍ୟରେ ନିର୍ମାଣ ହୋଇଛି ଫିଲ୍ମ:
ଅନେକ ସମୟରେ କିନ୍ନରଙ୍କୁ ନେଇ ଅନେକ ଭାଷାରେ ଚଳଚିତ୍ର କରାଯାଇଛି । ଅନେକ ଚଳଚ୍ଚିତ୍ର ମାଧ୍ୟମରେ ଦର୍ଶକ ଦେଖିବାକୁ ପାଉଛନ୍ତି କିନ୍ନରଙ୍କ ସଂଘର୍ଷମୟ ଜୀବନ କାହାଣୀ । ଏପରିକି ଓଡିଆ ଭାଷାରେ କିନ୍ନର ମେଘନା ସାହୁଙ୍କ ଜୀବନକୁ ନେଇ ପ୍ରସ୍ତୁତ ହୋଇଥିଲା ଚଳଚ୍ଚିତ୍ର ‘ଟି’ । ତାଙ୍କର ସଂଘର୍ଷମୟ ଜୀବନର କାହାଣୀକୁ ଲୋକଙ୍କ ପାଖରେ ପହଞ୍ଚାଯାଇଥିଲା ।
ଭୁବନେଶ୍ବର, ଇଟିଭି ଭାରତ