ସମ୍ବଲପୁର: ଦିନିକିଆ ଗସ୍ତରେ ସମ୍ବଲପୁର ଆସିଥିଲେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ 2ଟି ଗୁରୁତ୍ୱପୂର୍ଣ ବୈଠକରେ ଆଜି(ମଙ୍ଗଳବାର) ଯୋଗ ଦେଇ ସମୀକ୍ଷା କରିଥିଲେ ଯୋଗାଣ ମନ୍ତ୍ରୀ ।
ପ୍ରଥମେ ଜିଲ୍ଲାପାଳ ଓ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସହ ଜିଲ୍ଲା ଯୋଜନା ବୋର୍ଡ ନେଇ ସମୀକ୍ଷା କରିଥିଲେ । ଏଥିରେ ସେ ଜିଲ୍ଲାର ବିଭିନ୍ନ ବିଭାଗର ଉନ୍ନୟନ ମୂଳକ ପ୍ରକଳ୍ପର ସ୍ଥିତି ଓ ଅଗ୍ରଗତି ନେଇ ସମୀକ୍ଷା କରିଥିଲେ ।

ସମ୍ବଲପୁର ଜିଲ୍ଲାର ଉନ୍ନତି ଉପରେ ପ୍ରାଥମିକତା:
ଏହି ବୈଠକ ନେଇ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, 'ସମ୍ବଲପୁର ଜିଲ୍ଲାକୁ କିପରି ଆଗକୁ ନେବା, କ'ଣ ସବୁ କାମ ଚାଲିଛି ତା'ର ସମୀକ୍ଷା କରାଗଲା । ସବୁ ଜିନିଷ ପରେ ବିସ୍ତୃତ ଆଲୋଚନା ପରେ ସବୁ କାର୍ଯ୍ୟକୁ ତ୍ୱରାନ୍ୱିତ କରାଇବାକୁ ତଥା ଯେଉଁ କାମରେ କିଛି ଅସୁବିଧା ରହୁଛି ତାର ସମାଧାନ ପାଇଁ ପରାମର୍ଶ ଦିଆଯାଇଛି । ଏହା ସହ ରାଜ୍ୟ ସରକାରଙ୍କ 1 ବର୍ଷ ପୂର୍ତ୍ତି ଅବସରରେ ଆଗକୁ ସମ୍ବଲପୁରରେ ଅନୁଷ୍ଠିତ ହେବାକୁ ଥିବା ବିକାଶ ମେଳା ନେଇ ମଧ୍ୟ ଆଲୋଚନା କରିଛନ୍ତି ମନ୍ତ୍ରୀ ।

ରାଜ୍ୟ ସରକାରଙ୍କ 1 ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ହେବ ବିକାଶ ମେଳା:
ଏନେଇ ମନ୍ତ୍ରୀ କହିଥିଲେ, 'ଆଗକୁ ରାଜ୍ୟ ସରକାରଙ୍କ 1 ବର୍ଷ ପୂର୍ତ୍ତି ପାଇଁ ସମ୍ବଲପୁରରେ ଅନୁଷ୍ଠିତ ହେବାକୁ ଥିବା ବିକାଶ ମେଳାକୁ ନେଇ ସମୟ ନିର୍ଦ୍ଧାରଣ କରାଯାଇଛି । ଏହି କ୍ରମରେ ଆଗାମୀ 17 ତାରିଖରେ ଏକ ସାଧାରଣ ସଭା ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ କେନ୍ଦ୍ରମନ୍ତ୍ରୀ, ରାଜ୍ୟର ବିଭିନ୍ନ ବିଭାଗର ମନ୍ତ୍ରୀ ତଥା ବିଧାୟକ ମାନେ ଉପସ୍ଥିତ ରହିବେ । ଏହି ଅବସରରେ ଏକ ବିକାଶ ରାଲି ଅନୁଷ୍ଠିତ ହେବ । ଏହା ସହ ଆଉ ଏକ ସାଧାରଣ ସଭା ଅନୁଷ୍ଠିତ ହେବ । ଯେଉଁଥିରେ ରାଜ୍ୟ ସରକାରଙ୍କ ଗୋଟିଏ ବର୍ଷର ଉପଲବ୍ଧି ବିଷୟରେ ଲୋକଙ୍କୁ ଅବଗତ କରାଯିବ ।

ତେବେ ଏହି ବୈଠକରେ ସ୍ୱାସ୍ଥ୍ୟ ବିଭାଗର ଗୋପବନ୍ଧୁ ଯୋଜନା, ଆୟୁଷ୍ମାନ ଭାରତ ଯୋଜନା, ଶିକ୍ଷା ବିଭାଗର ଯୋଜନା, ଜିଲ୍ଲା କଲ୍ୟାଣ ବିଭାଗର ବିଭିନ୍ନ ଯୋଜନାକୁ ନେଇ ମୁଖ୍ୟତଃ ଆଲୋଚନା ହୋଇଥିଲା ବୋଲି ସମ୍ବଲପୁର ଜିଲ୍ଲାପାଳ, ସିଦ୍ଧେଶ୍ବର ବଳିରାମ ବୋନ୍ଦର ସୂଚନା ଦେଇଛନ୍ତି ।
ଇଟିଭି ଭାରତ, ସମ୍ବଲପୁର