ବ୍ରହ୍ମପୁର: ଅଶାନ୍ତ ଗଞ୍ଜାମ । ବିଜେପି ନେତାଙ୍କୁ ଗୁଳିମାଡ ଘଟଣାରେ ୫ ଜଣକୁ ଗିରଫ କରିଛି ପୋଲିସ । ଗଞ୍ଜାମ କବିସୂର୍ଯ୍ୟନଗର ପଥରପଲ୍ଲି ରାସ୍ତାରେ ବିଜେପି ନେତା ଲକ୍ଷ୍ମୀ ନାରାୟଣ ପାଇକରାୟଙ୍କୁ ଗୁଳିମାଡ ଘଟଣାରେ ୨୪ ଘଣ୍ଟା ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ସମେତ ୫ ଜଣକୁ ଧରିବାରେ ସକ୍ଷମ ହୋଇଛି କବିସୂର୍ଯ୍ୟନଗର ପୋଲିସ । ଲକ୍ଷ୍ମୀଙ୍କୁ ହତ୍ୟା କରିଥିଲେ ସୁପାରି କିଲର୍, ବ୍ରହ୍ମପୁରରେ ପ୍ରସ୍ତୁତ ହୋଇଥିଲା ବ୍ଲୁପ୍ରିଣ୍ଟ । ମୁଖ୍ୟତଃ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ପୋଲିସ ସୂଚନା ଦେଇଛି ।
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବିଜେପି ନେତାଙ୍କୁ ଗୁଳିମାଡ଼:
ଏନେଇ ଗଞ୍ଜାମ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରଞ୍ଜିତ ପୃଷ୍ଟି କହିଛନ୍ତି,"କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଆଠଗଡପାଟଣା ଗ୍ରାମର ଲକ୍ଷ୍ମୀ ନାରାୟଣ ପାଇକରାୟ ଓରଫ କୁନାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଏହା ପରେ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୋଲିସ ଛାନଭିନ୍ ଆରମ୍ଭ କରିଥିଲା । ଏହି ଘଟଣାର ୨୪ ଘଣ୍ଟା ମଧ୍ୟରେ ସମ୍ପୃକ୍ତ ଥିବା ମୁଖ୍ୟ ଅଭିଯୁକ୍ତ ସମେତ ମୋଟ ପାଞ୍ଚ ଜଣକୁ ଗିରଫ କରାଯାଇଛି । ପୋଲିସ ପକ୍ଷରୁ ଗଠିତ ଏକ ସ୍ବତନ୍ତ୍ର ଟିମ୍ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିଲେ ।"
ସେ ଆହୁରି ମଧ୍ୟ କହିଛନ୍ତି,"ଏହି ହତ୍ୟାକାଣ୍ଡରେ ଆଠଗଡପାଟଣା ପଞ୍ଚାୟତର ପୂର୍ବତନ ସରପଞ୍ଚ ସୁନିଲ କୁମାର ପୋଲାଇ ଓରଫ ମିଟୁ, କବିସୂର୍ଯ୍ୟନଗର ଥାନା ପରବାଡ ଗ୍ରାମର ଜିତେନ୍ଦ୍ର କୁମାର ସାହୁ , ସୁନାପଲୀ ଗ୍ରାମର ରୋହିତ ପରିଡା , ପଥରାପଲ୍ଲୀ ଗ୍ରାମର ଶ୍ରୀକାନ୍ତ ଗୌଡ ସମେତ ପୋଲସରା ଥାନ ଅନ୍ତର୍ଗତ ମର୍ଦ୍ଧରାଜପୁର ଅଞ୍ଚଳର ଶ୍ରୀକାନ୍ତ ଜେନାକୁ ଗିରଫ କରାଯାଇଛି । ମୃତ ଲକ୍ଷ୍ମୀ ନାରାୟଣ ଓ ଆଠଗଡପାଟଣାର ପୂର୍ବତନ ସରପଞ୍ଚ ସୁନିଲ କୁମାର ପୋଲାଇ ମଧ୍ୟରେ ନିଜର ଆଧିପତ୍ୟ ଜାହିର କରିବା ନେଇ ବର୍ଷ ବର୍ଷ ଧରି ବିବାଦ ଲାଗିରହିଥିଲା ।"
ହତ୍ୟା ପଛରେ ବ୍ୟବହୃତ ହୋଇଥିଲା ସୁପାରି କିଲର:
ଲକ୍ଷ୍ମୀ ନାରାୟଣ ପାଇକରାୟଙ୍କ ହତ୍ୟାକାଣ୍ଡ ପଛରେ ବ୍ୟବହୃତ ହୋଇଥିଲେ ସୁପାରି କିଲର । ଯାହାକି ପୋଲିସର ତଦନ୍ତ ସମୟରେ ସ୍ପଷ୍ଟ ହୋଇଛି । ହତ୍ୟା ପୂର୍ବରୁ ବ୍ରହ୍ମପୁରରେ ପ୍ରସ୍ତୁତ ହୋଇଥିଲା ବ୍ଲୁପ୍ରିଣ୍ଟ୍ । ଗତ ୩୦ ତାରିଖ ସକାଳେ ମୃତକ ଲକ୍ଷ୍ମୀ ନାରାୟଣ ପଥପଲ୍ଲୀ ଗ୍ରାମରୁ ଫେରୁଥିବା ବେଳେ ଯୋଜନାବଦ୍ଧ ଭାବରେ ଗିରଫ ଅଭିଯୁକ୍ତ ମାନେ ଗୁଳି କରି ହତ୍ୟା କରିଥିଲେ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ପୋଲିସ ଅଭିଯୁକ୍ତ ମାନଙ୍କଠାରୁ ପାଞ୍ଚଟି ମୋବାଇଲ ଫୋନ ଜବତ କରିବା ସହ ଘଟଣାର ଦତନ୍ତ ଜାରି ରିଖିଛି ।
ଏହା ମଧ୍ୟ ପଢନ୍ତୁ...ଭିଡ ଭିତରେ ଭିଡି ନେଉଥିଲେ ମୋବାଇଲ, ୨ ଲେଡି ଲୁଟେରା ଗିରଫ - WOMEN ARRESTED FOR LOOT ଏହା ମଧ୍ୟ ପଢନ୍ତୁ...ବିବାହର 15 ଦିନ ପରେ ସ୍ବାମୀକୁ ହତ୍ୟା, ସ୍ତ୍ରୀ ଦେଇଥିଲା ସୁପାରୀ - UTTAR PRADESH MURDER |
ମୃତକ ନାଁରେ ରହିଥିଲା ୧୬ଟି ଅପରାଧୀକ ମାମଲା:
ମୃତ ଲକ୍ଷ୍ମୀ ନାରାୟଣ ପାଇକରାୟ ଓରଫ କୁନାଙ୍କ ନାଁରେ ବିଭିନ୍ନ ଥାନାରେ ରହିଥିଲା ୧୬ଟି ଅପରାଧିକ ମାମଲା । ସେ ଗୋଟିଏ ମାମଲାରେ ଦୀର୍ଘ ବର୍ଷ ଧରି ଜେଲରେ ରହିବା ପରେ ଜାମିନରେ ଫେରିଥିଲେ ଏବଂ ରାଜନୀତିରେ ସାମିଲ ହୋଇଥିଲେ । ସେପଟେ ଘଟଣାରେ ଫେରାର ରହିଥିବା ଅନ୍ୟ ଅଭିଯୁକ୍ତକୁ ତୁରନ୍ତ ଗିରଫ କରାଯିବ ବୋଲି କହିଛନ୍ତି ଅତିରିକ୍ତ ଏସପି ରଞ୍ଜିତ ପୃଷ୍ଟି ।
ଇଟିଭି ଭାରତ, ବ୍ରହ୍ମପୁର