ଭୁବନେଶ୍ୱର: ଆସନ୍ତା 20ରେ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିହାରରୁ ଆସି ଅପରାହ୍ନ 3 ଟାରେ ଭୁବନେଶ୍ୱରରେ ପହଁଚିବେ ମୋଦୀ । ବିମାନବନ୍ଦରରେ ଭବ୍ୟ ସ୍ୱାଗତ ସହ ତ୍ରିରଙ୍ଗା ଯାତ୍ରାରେ ସାମିଲ ହେବେ ପ୍ରଧାନମନ୍ତ୍ରୀ । ଏହା ସହ ରୋଡ଼ ସୋ କରିବେ ପ୍ରଧାନମନ୍ତ୍ରୀ । ମୋହନ ସରକାରଙ୍କ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ସାମିଲ ହେବା ସହ 50 ହଜାର ହିତାଧିକାରୀଙ୍କୁ ଅନ୍ତଦୋୟ ଗୃହ ଯୋଜନାରେ କାର୍ଯ୍ୟଦେଶ ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ । ମହାପୁରୁଷଙ୍କ ଗାଁ ଆଦର୍ଶ ଗାଁ ଯୋଜନାର ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଶିଳାନ୍ୟାସ ହେବାର ସମ୍ଭାବନା ରହିଛି । ବର୍ଷେ ଭିତରେ ଷଷ୍ଠ ଥର ଆସୁଥିବାରୁ ଓଡିଶା ପ୍ରତି ମୋଦୀଙ୍କର ବିଶ୍ୱାସ ଓ ଆସ୍ଥା ଅଛି ବୋଲି ଓଡ଼ିଶାବାସୀ ହୃଦୟଗମ କରିଛନ୍ତି । ଏହା କହିଛନ୍ତି ପଞ୍ଚାୟତିରାଜ ଏବଂ ପାନୀୟ ଜଳ ମନ୍ତ୍ରୀ ରବି ନରାୟଣ ନାୟକ ।
ପଞ୍ଚାୟତିରାଜ ଏବଂ ପାନୀୟ ଜଳ ମନ୍ତ୍ରୀ ରବି ନରାୟଣ ନାୟକ କହିଛନ୍ତି, "ସାଢେ 4 କୋଟି ଓଡିଶା ବାସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଦେବେ । ବର୍ଷକ ମଧ୍ୟରେ ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତରେ ଷଷ୍ଠ ଥର ଆସୁଛନ୍ତି । ଓଡିଶା ପ୍ରତି ପ୍ରଧାନମନ୍ତ୍ରୀଙ୍କ ଅବଦାନ ଓ ବିଶ୍ୱାସ ବାବଦରେ ଜନସାଧାରଣ ଅବଗତ ଅଛନ୍ତି । ରାଜ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ଓ ପ୍ରଧାନମନ୍ତ୍ରୀ ସେଥିରେ ସାମିଲ ହେବାର ସକରାତ୍ମକ ବାତାବରଣ ସୃଷ୍ଟି କରିଛି । ଫଳରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ଲୋକେ ଆତୁରତାର ସହ ଅପେକ୍ଷା କରିଛନ୍ତି । ବିହାରରୁ ଆସି 20 ତାରିଖ ଅପରାହ୍ନରେ ଭୁବନେଶ୍ୱରରେ ପହଁଚିବେ । ଭୁବନେଶ୍ୱରରେ ନରେନ୍ଦ୍ର ମୋଦିଙ୍କୁ ଭବ୍ୟ ସ୍ୱାଗତ କରାଯିବ ।"
"ଏୟାରପୋର୍ଟରୁ ଜନତା ମଇଦାନ ମଧ୍ୟରେ ପ୍ରଧାନମନ୍ତ୍ରୀର ରୋଡ଼ ସୋ କାର୍ଯ୍ୟକ୍ରମ ରହିଛି ଏବଂ ତ୍ରିରଙ୍ଗା ଶୋଭାଯାତ୍ରାରେ ମଧ୍ୟ ପ୍ରଧାନମନ୍ତ୍ରୀ ସାମିଲ ହେବେ । ଲୋକଙ୍କ ଅଭିବାଦନ ଗ୍ରହଣ କରିବେ । ଏହି କାର୍ଯ୍ୟକ୍ରମ ଅତ୍ୟନ୍ତ ଭବ୍ୟ ଭାବେ ପାଳନ ହେବ । 20 ତାରିଖରେ ପ୍ରଧାନମନ୍ତ୍ରୀଙ୍କ ହାତରେ ଅନ୍ତଦୋୟ ଗୃହ ଯୋଜନାରେ କାର୍ଯ୍ୟଦେଶ ବଣ୍ଟନ ହେବ । ପ୍ରଧାନମନ୍ତ୍ରୀ 50 ହଜାରରୁ ଉର୍ଦ୍ଧ୍ବ ଅନ୍ତଦୋୟ ଗୃହ ଯୋଜନାରେ କାର୍ଯ୍ୟଦେଶ ବଣ୍ଟନ କରିବେ । ଏହା ସହ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନାର ବାବଦରେ ପ୍ରଧାନମନ୍ତ୍ରୀ ଘୋଷଣା କରିବାର କାର୍ଯ୍ୟକ୍ରମ ରହିଛି । ପଞ୍ଚାୟତିରାଜ ବିଭାଗ ନୋଡାଲ ବିଭାଗ ହେବ । ଏହି ଅବସରରେ ଯୋଜନା ସହ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ," କହିଛନ୍ତି ମନ୍ତ୍ରୀ ।
ପଞ୍ଚାୟତିରାଜ ଏବଂ ପାନୀୟ ଜଳ ମନ୍ତ୍ରୀ ରବି ନରାୟଣ ନାୟକ ଆହୁରି ମଧ୍ୟ କହିଛନ୍ତି, "ରାଜ୍ୟ ସରକାରଙ୍କ ନୁଆ ଯୋଜନା ମହାପୁରୁଷଙ୍କ ଗାଁ ଆଦର୍ଶ ଗାଁ । ଏହି ଯୋଜନା ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଶିଳାନ୍ୟାସ ହୋଇପାରେ । ଏହା ଆମ ପାଇଁ ବଡ଼ ସୌଭାଗ୍ୟର କଥା ହୋଇପାରେ । ମୁଖ୍ୟମନ୍ତ୍ରୀ ଆମର ସର୍ବୋଚ୍ଚ ନେତା ସେ ଏ ବାବଦରେ ନିଷ୍ପତ୍ତି ନେଇପାରନ୍ତି । ଆବାସ ଯୋଜନା ପାଇଁ 37 ଲକ୍ଷ 50 ହଜାର ଲୋକ ଆବେଦନ କରିଛନ୍ତି । ଏହାକୁ ତର୍ଜମା କରି କେନ୍ଦ୍ରକୁ ତାଲିକା ପଠେଇବୁ ।"
ଇଟିଭି ଭାରତ, ଭୁବନେଶ୍ୱର