ସ୍ପେଶାଲ ରିପୋର୍ଟ: ଭବାନୀ ଶଙ୍କର ଦାସ
India Census 2027 Caste Enumeration ଭୁବନେଶ୍ବର: ୧୬ ବର୍ଷ ବିଳମ୍ବରେ ଭାରତର ହେବାକୁ ଯାଉଛି ଜନଗଣନା । ଷୋଡ଼ଶ ଜନଗଣନା ଦୁଇଟି ପର୍ଯ୍ୟାୟରେ ହେବ । ଭାରତ ସରକାର ଆନୁଷ୍ଠାନିକ ଭାବରେ ଘୋଷଣା କରିଛନ୍ତି । ଓଡ଼ିଶା ସମେତ ଦେଶର ଅଧିକାଂଶ ଅଞ୍ଚଳରେ ୨୦୨୭ ମାର୍ଚ୍ଚ ୧ ତାରିଖ ଏବଂ ଲଦାଖ, ଜମ୍ମୁ ଓ କାଶ୍ମୀର, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡ ଭଳି ବରଫ ଘେରା ଏବଂ ଦୁର୍ଗମ ଅଞ୍ଚଳ ପାଇଁ ୨୦୨୬ ଅକ୍ଟୋବର ୧ରେ ଜନଗଣନା ପାଇଁ ତାରିଖ ଧାର୍ଯ୍ୟ ହୋଇଛି । ଜନଗଣନାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ରହିଛି । ୧୯୩୧ ପରଠୁ ପ୍ରଥମ ଥର ପାଇଁ ଦେଶବ୍ୟାପୀ ଜାତି ଗଣନା ହେବ । ଜନଗଣନା ଆଇନ ୧୯୪୮ର ଧାରା ୩ ଅନୁଯାୟୀ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇଛି । ଯେଉଁଥିରେ ୨୦୨୭ ପ୍ରାରମ୍ଭରେ ଜନସଂଖ୍ୟା ଗଣନା ଆରମ୍ଭ ହେବା ପୂର୍ବରୁ କିଛି ମାସ ଧରି ଘର ତାଲିକା ଏବଂ ଘର ଗଣନା ହେବ । ଭବିଷ୍ୟତରେ ନିର୍ବାଚନ କ୍ଷେତ୍ରର ସୀମା ନିର୍ଦ୍ଧାରଣ ଏବଂ ସଂସଦୀୟ ଆସନ ବଣ୍ଟନ ପାଇଁ ଏହାର ପ୍ରଭାବ ଥିବାରୁ ରାଜନୈତିକ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଛି । ଆସନ୍ତୁ ଜାଣିବା 2011ଠୁ 2027 ଜନଗଣନା କିପରି ଭିନ୍ନ ?
ଜନଗଣନା କାହିଁକି ଜରୁରୀ ?
ଜନଗଣନା ଅତ୍ୟନ୍ତ ଜରୁରୀ । ଭରତ ଭଳି ଏକ ବୃହତ ଗଣତାନ୍ତ୍ରିକ ଦେଶରେ ଜନଗଣନା ଗୁରୁତ୍ୱପୂର୍ଣ୍ଣ । ଜନସଂଖ୍ୟା ଆଧାରରେ ବିଭିନ୍ନ ବର୍ଗର ଲୋକଙ୍କ ଲାଗି ଯୋଜନା ପ୍ରସ୍ତୁତ ହୁଏ । ସେହିପରି ନିର୍ବାଚନ କ୍ଷେତ୍ର ନିର୍ଦ୍ଧାରଣ କରାଯାଏ । ଅନୁସୂଚିତ ଜାତି ଏବଂ ଜନଜାତିଙ୍କ ପାଇଁ ଆସନ ସଂରକ୍ଷିତ ମିଳେ । ରାଜ୍ୟ ଏବଂ ଜିଲ୍ଲାଗୁଡ଼ିକୁ କେନ୍ଦ୍ରୀୟ ଅନୁଦାନ ଜନସଂଖ୍ୟା ଆଧାରିତ ହୋଇଥାଏ । ସବସିଡି ଯୁକ୍ତ ରାସନ ଆବଣ୍ଟନ, ଶିକ୍ଷାରୁ ଗ୍ରାମୀଣ ବିକାଶ ପର୍ଯ୍ୟନ୍ତ ମନ୍ତ୍ରଣାଳୟଗୁଡ଼ିକ ସ୍କୁଲ, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକୁ ଚିହ୍ନଟ କରିବା ପାଇଁ ଜନଗଣନା ତଥ୍ୟ ବ୍ୟବହାର ହୁଏ ।

ନ୍ୟାୟପାଳିକା, ଯୋଜନାକାରୀ ଏବଂ ଶିକ୍ଷାର୍ଥୀକୁ ଜନଗଣନା ଦାଦନ ସମସ୍ୟା, ସହରୀକରଣ, ନିଯୁକ୍ତି ଏବଂ ଜନ୍ମମୃତ୍ୟୁ ହାର ଧାରାକୁ ବୁଝିବାରେ ସାହାଯ୍ୟ କରେ । ସାମ୍ବିଧାନିକ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ଜନଗଣନା ଗୁରୁତ୍ୱପୂର୍ଣ୍ଣ । ସମ୍ବିଧାନର ଧାରା ୮୨ ଅନୁଯାୟୀ ଜନଗଣନା ଆଧାରରେ ନିର୍ବାଚନମଣ୍ଡଳୀର ସୀମା ନିର୍ଦ୍ଧାରଣକୁ ବାଧ୍ୟତାମୂଳକ । ଧାରା ୩୩୦ ଏବଂ ୩୩୨ ଅନୁଚ୍ଛେଦ ଆଧାରରେ ବିଧାନସଭାରେ ଅନୁସୂଚିତ ଜାତି ଏବଂ ଜନଜାତିଙ୍କ ପାଇଁ ଆସନ ସଂରକ୍ଷଣ ହୁଏ । ବୃତ୍ତି, ଜୀବନଯାପନ ଅବସ୍ଥା ଏବଂ ପରିବାର ଗଠନର ପରିବର୍ତ୍ତିତ ଢାଞ୍ଚା ଜନଗଣନାରେ ପ୍ରତିଫଳିତ ହୁଏ । ଆର୍ଥିକ ସଂସ୍କାରର ପ୍ରଭାବ ସହ ଦୁର୍ବଳ କିମ୍ବା ଅନୁନ୍ନତ ସମ୍ପ୍ରଦାୟ ଗୁଡ଼ିକୁ ଚିହ୍ନଟ କରିବାରେ ଏହି ପ୍ରକ୍ରିୟା ସହଯୋଗ କରେ । ଲକ୍ଷ୍ୟଭିତ୍ତିକ କଲ୍ୟାଣ ଏବଂ ଭବିଷ୍ୟତ ପାଇଁ ଉତ୍ତମ ଯୋଜନା ବ୍ୟବସ୍ଥା କରିବାକୁ ସରକାରଙ୍କୁ ଜନଗଣନା ସକ୍ଷମ କରିଥାଏ ।
ଜନଗଣନା କିପରି ହୁଏ ?
ଜନଗଣନା ପ୍ରକ୍ରିୟା ଦୁଇଟି ବ୍ୟାପକ ପର୍ଯ୍ୟାୟରେ ହୁଏ । ପ୍ରଥମରେ ଘର ତାଲିକାଭୁକ୍ତ ଏବଂ ଗୃହ ଗଣନା । ତା’ପରେ ଜନସଂଖ୍ୟା ଗଣନା । ଦୁଇଟି ପର୍ଯ୍ୟାୟକୁ କିଛି ମାସ ବ୍ୟବଧାନରେ କରାଯାଏ । ଏହା ପୂର୍ବରୁ ରାଜ୍ୟର ଜିଲ୍ଲା ସୀମା ନିର୍ଦ୍ଧାରଣ ହୁଏ । ଜିଲ୍ଲା ମ୍ୟାପିଂ ସହ ଗଣନାକାରୀଙ୍କୁ ତାଲିମ ଦିଆଯାଏ । ଚଳିତ ଜନଗଣନା କାର୍ଯ୍ୟ ପରିଚାଳନା ପାଇଁ ୩୦ ଲକ୍ଷ ଗଣନାକାରୀ ସାମିଲ ହେବେ । ଗଣନାକାରୀ ମୁଖ୍ୟତଃ ସ୍କୁଲ ଶିକ୍ଷକ । ଏହା ସହିତ ଜିଲ୍ଲା ଏବଂ ସବ ଡିଭିଜନ ସ୍ତରରେ ପ୍ରାୟ ୧ ଲକ୍ଷ ୨୦ ହଜାର କାର୍ଯ୍ୟକର୍ତ୍ତା ଅଛନ୍ତି, ଯେଉଁମାନେ ଜନଗଣନା କାର୍ଯ୍ୟ ପରିଚାଳନା, ତଦାରଖରେ ସହଯୋଗ କରିବେ । ତାଲିମ କାର୍ଯ୍ୟ ପରିଚାଳନା ପାଇଁ ପ୍ରାୟ ୪୬ ହଜାର ପ୍ରଶିକ୍ଷକ ଆବଶ୍ୟକ ।

ଗୃହ ତାଲିକାଭୁକ୍ତ ପର୍ଯ୍ୟାୟ:
ଦେଶର ପ୍ରତ୍ୟେକ ଘର ଓ କୋଠା ତଥ୍ୟ ରେକର୍ଡ କରାଯିବ । ଗଣନାକାରୀ ପରିବାରର ମୁଖ୍ୟ, ସଦସ୍ୟଙ୍କ ସଂଖ୍ୟା, କୋଠା ବ୍ୟବହାର, ନିର୍ମାଣରେ ବ୍ୟବହୃତ ସାମଗ୍ରୀ, ମାଲିକାନା ସ୍ଥିତି, ପାଣି ଏବଂ ବିଦ୍ୟୁତ ଉତ୍ସ, ଶୌଚାଳୟର ପ୍ରକାର, ରୋଷେଇ ପାଇଁ ବ୍ୟବହୃତ ଇନ୍ଧନ ଏବଂ ଟିଭି, ଫୋନ, ଯାନବାହାନ ଇତ୍ୟାଦି ସମ୍ପତ୍ତିର ଉପଲବ୍ଧତା ବିଷୟରେ ତଥ୍ୟ ସଂଗ୍ରହ କରିବେ । ଏହି ସୂଚନା ସମଗ୍ର ଭାରତରେ ବାସସ୍ଥାନର ଆବଶ୍ୟକତା, ସୁବିଧା ସୁଯୋଗ ଏବଂ ଜୀବନଯାପନ ଶୈଳୀ ପ୍ରସ୍ତୁତ କରିବାରେ ସାହାଯ୍ୟ କରିବ ।

ଜନଗଣନା କେବେ ହୁଏ ?
ସାଧାରଣତଃ ଜନସଂଖ୍ୟା ଗଣନା ବର୍ଷର ପୂର୍ବ ବର୍ଷର ମାର୍ଚ୍ଚ ୧ ରୁ ସେପ୍ଟେମ୍ବର ୩୦ ମଧ୍ୟରେ ହୋଇଥାଏ । ବିଭିନ୍ନ ରାଜ୍ୟ ସେମାନଙ୍କର ସୁବିଧା ଅନୁସାରେ ଘର ତାଲିକାକରଣ କାର୍ଯ୍ୟ କରିବା ପାଇଁ ମାସ ବାଛନ୍ତି । ଏହି ଜନଗଣନା ୨୦୨୬ରେ ଅନୁଷ୍ଠିତ ହେବ ବୋଲି ଆଶା କରାଯାଉଛି ।

ଜନସଂଖ୍ୟା ଗଣନା:
- ଗୃହ ଗଣନା ପରେ ବ୍ୟକ୍ତିଗତ ତଥ୍ୟ ସଂଗ୍ରହ ଉପରେ ଧ୍ୟାନ ଦିଆଯାଏ
- ନାମ, ବୟସ, ଲିଙ୍ଗ, ଜନ୍ମ ତାରିଖ, ପରିବାର ମୁଖ୍ୟଙ୍କ ସହ ସମ୍ପର୍କ
- ବୈବାହିକ ସ୍ଥିତି
- ଶିକ୍ଷା
- ବୃତ୍ତି
- ଧର୍ମ
- ଜାତି/ଜନଜାତିଙ୍କ ସ୍ଥିତି ବାବଦରେ ସୂଚନା ସଂଗ୍ରହ କରାଯିବ
- ଗଣନାକାରୀ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଏକ ସୂଚୀ ପୂରଣ କରନ୍ତି
- ବାସହୀନ, ଜନସଂଖ୍ୟାଗତ ଏବଂ ସାମାଜିକ-ଆର୍ଥିକ ବିବରଣୀ ସଂଗ୍ରହ ହୁଏ
ତଥ୍ୟ କେନ୍ଦ୍ରୀୟ ଭାବରେ ପ୍ରକ୍ରିୟାକରଣ କରାଯାଏ । ପର୍ଯ୍ୟାୟକ୍ରମେ ପ୍ରକାଶିତ ହୁଏ । ପ୍ରଥମେ ଅସ୍ଥାୟୀ ଜନସଂଖ୍ୟା, ତାପରେ ବିଭିନ୍ନ ସୂଚକ ଦ୍ୱାରା ବିଭାଜିତ ଅଧିକ ବିସ୍ତୃତ ସାରଣୀ ପ୍ରସ୍ତୁତ ହୁଏ । ପୁନଃଯାଞ୍ଚ ଏବଂ ଅଡିଟ ସମେତ ଦୃଢ଼ ଗୁଣବତ୍ତା ନିୟନ୍ତ୍ରଣ ବ୍ୟବସ୍ଥା ଏହି ପ୍ରକ୍ରିୟାରେ ଅନ୍ତର୍ଭୁକ୍ତ ହୋଇଛି। ଜନଗଣନା ପ୍ରକ୍ରିୟା ୨୦୨୭ ଫେବୃଆରୀ ମାସରେ ୨୦/୨୧ ଦିନ ମଧ୍ୟରେ ସମାପ୍ତ ହେବାର ଆଶା କରାଯାଉଛି । ଗଣନା କାର୍ଯ୍ୟ ସମାପ୍ତ ହେବାର ୧୦ ଦିନ ମଧ୍ୟରେ ଅସ୍ଥାୟୀ ତଥ୍ୟ ଏବଂ ଆଉ ୬ ମାସ ମଧ୍ୟରେ ଚୂଡ଼ାନ୍ତ ତଥ୍ୟ ପ୍ରକାଶ ପାଇବ ବୋଲି ଆଶା କରାଯାଉଛି ।
୨୦୨୭ ଜନଗଣନା ଏପରି କରିବାକୁ ପ୍ରସ୍ତାବ:
୨୦୨୭ ଜନଗଣନା ଭାରତ ଇତିହାସରେ ପ୍ରଥମ ଡିଜିଟାଲ ଜନଗଣନା ହେବ । ଯେଉଁଥିରେ ମୋବାଇଲ ଆପ, ଅନଲାଇନ ସ୍ୱ-ଗଣନା ଓ ରିଏଲ ଟାଇମ ପର୍ଯ୍ୟବେକ୍ଷଣ ବ୍ୟବହାର କରାଯିବ । ୧୯୩୧ ପରେ ପ୍ରଥମ ଥର ପାଇଁ ଜାତି ତଥ୍ୟ ସଂଗ୍ରହ କରିବ । ୨୦୧୧ ଜନଗଣନା ତୁଳନାରେ ୨୦୨୭ ଜନଗଣନାରେ ବ୍ୟତିକ୍ରମ ରହିଛି । ପ୍ରଥମ ଥର ପାଇଁ ସ୍ୱ-ଗଣନାକୁ ଅନୁମତି ଦେବାକୁ ଯୋଜନା କରାଯାଇଛି । ପରିବାର ଗୁଡ଼ିକ ଏକ ସରକାରୀ ପୋର୍ଟାଲରେ ଲଗ ଇନ କରିପାରିବେ । ନିଜର ବିବରଣୀ ପୂରଣ କରିବା ପାଇଁ ଆପ ବ୍ୟବହାର କରିପାରିବେ । ସ୍ୱ-ଗଣନା ପରେ ସିଷ୍ଟମ ଏକ ଅନନ୍ୟ ପରିଚୟପତ୍ର ସୃଷ୍ଟି କରିବ । ଯେଉଁ ବ୍ୟକ୍ତିମାନେ ସ୍ୱ-ଗଣନା କରିଥିବେ, ସେମାନେ ଜନ ଗଣନାକାରୀ ଘରକୁ ଆସିବା ସମୟରେ ଏହି ପରିଚୟପତ୍ର ଉପସ୍ଥାପନ କରିବାକୁ ପଡିବ ।

ଗଣନାକାରୀ ହ୍ୟାଣ୍ଡହେଲ୍ଡ ଡିଭାଇସ କିମ୍ବା ଜନଗଣନା ଆପ ସହିତ ପ୍ରିଲୋଡ ହୋଇଥିବା ସ୍ମାର୍ଟଫୋନ ମଧ୍ୟ ବ୍ୟବହାର କରିବେ । କାଗଜ ଗଣନା ସମେତ ଏକ ଦ୍ୱୈତ ବ୍ୟବସ୍ଥାର ପରିକଳ୍ପନା କରାଯାଇଛି । ସମସ୍ତ ଗଣନାକାରୀ ଡିଜିଟାଲ ମାଧ୍ୟମ ବ୍ୟବହାର କରିବେ । କାରଣ ସ୍ମାର୍ଟଫୋନ ବର୍ତ୍ତମାନ ସର୍ବବ୍ୟାପୀ ଏବଂ ଡିଜିଟାଲ୍ ଜନଗଣନା ପାଇଁ ଅଧିକ ପ୍ରଯୁଜ୍ୟ । ଡିଜିଟାଇଜେସନ ତ୍ରୁଟି ହ୍ରାସ, ପ୍ରକ୍ରିୟାକରଣକୁ ତ୍ୱରାନ୍ୱିତ ଏବଂ ଗୁଣବତ୍ତା ନିୟନ୍ତ୍ରଣକୁ ସକ୍ଷମ କରିବ ବୋଲି ଆଶା କରାଯାଉଛି ।
ଭାରତର ରେଜିଷ୍ଟ୍ରାର ଜେନେରାଲ ଏବଂ ଜନଗଣନା କମିଶନର ବା RGI ଡିଜିଟାଲ ଭିତ୍ତିଭୂମି ଉପରେ ଗୁରୁତ୍ୱ ଦେଇଛନ୍ତି । ଗଣନାକାରୀଙ୍କୁ ମୋବାଇଲ ଆପ୍ସ, ଜିଓ ଟ୍ୟାଗିଂ ଉପକରଣ ଏବଂ କ୍ଲାଉଡ-ଆଧାରିତ ଡାଟା ଅପଲୋଡ ସିଷ୍ଟମ ବ୍ୟବହାର କରିବାକୁ ତାଲିମ ଦିଆଯାଇଛି । ଅଗ୍ରଗତିର ଟ୍ରାକ କରିବା, ଅସଙ୍ଗତି ଚିହ୍ନଟ କରିବା ପାଇଁ ରିଅଲ ଟାଇମ ଡ୍ୟାସବୋର୍ଡର ଯୋଜନା କରାଯାଇଛି । ଜନଗଣନା ପରିଚାଳନା ଏବଂ ମନିଟରିଂ ସିଷ୍ଟମ ବା CMMS ବିଳମ୍ବ ନକରି କ୍ଷେତ୍ର ସମସ୍ୟାର ତଦାରଖ ଓ ସମାଧାନ କରିବାକୁ ଅନୁମତି ଦିଆଯାଇଛି ।

୨୦୨୭ ଜନଗଣନା ୨୦୧୧ ଜନଗଣନାଠୁ କିପରି ଭିନ୍ନ ?
- ପଦ୍ଧତି ଏବଂ ବିଷୟବସ୍ତୁ ଉଭୟ ଦୃଷ୍ଟିରୁ ୨୦୨୭ ଜନଗଣନା ୨୦୧୧ ଠାରୁ ଭିନ୍ନ ହେବ
- ପ୍ରକ୍ରିୟା ଏବଂ ପ୍ରଯୁକ୍ତିବିଦ୍ୟା
- ଡିଜିଟାଲ ପ୍ରକ୍ରିୟା ଏବଂ ସ୍ୱ-ଗଣନାକୁ ଅନୁମତି ଦେବା ବ୍ୟତୀତ ୨୦୨୭ ଜନଗଣନାରେ ବିଭିନ୍ନ ପଦକ୍ଷେପକୁ ଅନ୍ତର୍ଭୁକ୍ତ କରାଯିବ
GPS ସମନ୍ୱୟ: ୨୦୧୧ରେ ଭୌତିକ ମାନଚିତ୍ର ଏବଂ କ୍ଷେତ୍ର ତାଲିକା ବ୍ୟବହାର କରାଯାଇଥିବା ବେଳେ ୨୦୨୭ରେ ଅସଙ୍ଗତି ଏଡାଇବା ପାଇଁ ପରିବାରର GPS ଟ୍ୟାଗିଂ ଏବଂ ଜିଓଫେନସିଂ ବ୍ୟବସ୍ଥା କରାଯାଇଛି ।
ମୋବାଇଲ ଟ୍ରାକିଂ ଏବଂ ବୈଧତା: ୨୦୨୭ରେ ଗଣନାକାରୀ ଅସଙ୍ଗତ ବୟସ କିମ୍ବା ଅବାସ୍ତବ ପରିବାର ଆକାର ପରି ତ୍ରୁଟି ପାଇଁ ସତର୍କ ସୂଚନା ପାଇବେ । ଯାହା ପ୍ରକୃତ ସମୟ ସଂଶୋଧନକୁ ସକ୍ଷମ କରିବ । ୨୦୧୧ରେ ଏପରି ଯାଞ୍ଚ ବ୍ୟବସ୍ଥା ନଥିଲା ।

ଗଣନାକାରୀ ଏକ ମୋବାଇଲ ଆପରେ ପୂର୍ବରୁ ଲୋଡ ହୋଇଥିବା ତାଲିକା ସମ୍ଭାବ୍ୟ ପ୍ରତିକ୍ରିୟା ପାଇଁ ପୃଥକ କୋଡ ସହିତ କୋଡ ଡାଇରେକ୍ଟୋରିରୁ ବିକଳ୍ପ ଚୟନ କରିବେ । ଏହି ତାଲିକାଗୁଡ଼ିକରେ ଅନୁସୂଚିତ ଜାତି ଏବଂ ଜନଜାତି, ବିଭିନ୍ନ ଭାଷା, ଚାକିରି ଏବଂ ଜନ୍ମସ୍ଥାନ ଭଳି ଜିନିଷ ପାଇଁ ମାନକକୃତ କୋଡ ଅନ୍ତର୍ଭୁକ୍ତ । ଏହି ପଦ୍ଧତିରେ ଗଣନାକାରୀଙ୍କୁ ମାନକକୃତ ଡ୍ରପ-ଡାଉନ ମେନୁ କିମ୍ବା ପିକଲିଷ୍ଟରୁ ପ୍ରବେଶଗୁଡ଼ିକ ଚୟନ କରିବେ । ସାରା ଦେଶରେ ପ୍ରବେଶ ଗୁଡ଼ିକ ସମାନ । କମ୍ପ୍ୟୁଟର ଦ୍ୱାରା ଶୀଘ୍ର ପ୍ରକ୍ରିୟାକରଣ କରାଯାଇପାରିବ । ଏହା ଜନଗଣନାକୁ ଅଧିକ ଆଧୁନିକ ଏବଂ ମାନୁଆଲ ପ୍ରବେଶ ଦ୍ୱାରା ହେଉଥିବା ତ୍ରୁଟିକୁ ହ୍ରାସ କରିବା ଦିଗରେ ସହାୟକ ହେବ ।
୨୦୨୭ ଜନଗଣନା ପ୍ରଶ୍ନାବଳୀରେ ନୂତନ ପ୍ରଶ୍ନ:
୨୦୧୮ ମସିହାରେ ଜନଗଣନାର ଉଭୟ ପର୍ଯ୍ୟାୟ ପାଇଁ RGI ବିସ୍ତୃତ ପ୍ରଶ୍ନାବଳୀ ପ୍ରସ୍ତୁତ କରିଥିଲା । ୨୦୧୯ ମସିହାରେ ଗଣନାର ଏକ ପରୀକ୍ଷା କରାଯାଇଥିଲା । ଚଳିତ ଜାତି ଗଣନା ୨୦୨୭ ପାଇଁ ପ୍ରଶ୍ନାବଳୀ ପ୍ରାୟ ସମାନ ରହିବ । ଘର ତାଲିକାଭୁକ୍ତ କାର୍ଯ୍ୟରେ ୩୪ ସ୍ତମ୍ଭ ଅଧୀନରେ ତଥ୍ୟ ସଂଗ୍ରହ କରାଯିବ । ଜନସଂଖ୍ୟା ଗଣନାରେ ୨୮ ସ୍ତମ୍ଭ ରହିବ । ଯାହା ଜନସଂଖ୍ୟା, ସାମାଜିକ ଏବଂ ଅର୍ଥନୈତିକ ତଥ୍ୟ ସଂଗ୍ରହ କରିବ ।

- ଘରେ ଇଣ୍ଟରନେଟର ସଂଯୋଗର ଉପଲବ୍ଧତା ଅଛି ନା ନାହିଁ
- ମୋବାଇଲ୍ ଫୋନ ଏବଂ ସ୍ମାର୍ଟଫୋନର ମାଲିକାନା ଅଛି ନା ନାହିଁ
- ବାସସ୍ଥାନ ଭିତରେ ପାନୀୟ ଜଳ ଉତ୍ସ ଅଛି ନା ନାହିଁ
- ଗ୍ୟାସ ସଂଯୋଗ ପ୍ରକାର
- ପାଇପ ଯୋଗେ ପ୍ରାକୃତିକ ଗ୍ୟାସ ନା LPG ମଧ୍ୟରେ ଗ୍ୟାସ ସଂଯୋଗ
- ଯାନବାହାନ ମାଲିକାନା
- ଦୁଇ ଚକିଆ, ଚାରି ଚକିଆ ଏବଂ ବାଣିଜ୍ୟିକ ଯାନ ବାବଦରେ ତଥ୍ୟ
- ଘରେ ବ୍ୟବହୃତ ଶସ୍ୟର ପ୍ରକାର ରେକର୍ଡ କରାଯିବ
ଜନଗଣନା ଇତିହାସ:
- ବ୍ରିଟିଶ ଭାଇସରୟ ଲର୍ଡ ମାୟୋଙ୍କ ଅଧିନରେ 1872ରେ ଆରମ୍ଭ ହୋଇ 1881ରେ ସମ୍ପୂର୍ଣ୍ଣ ଜଗନଗଣନା ନିଆଯାଇଥିଲା ।
- 1949 ପରେ ଗୃହ ମନ୍ତ୍ରଣାଳୟ ଅଧିନ ଭାରତର ରେଜିଷ୍ଟାର ଜେନେରାଲ ଓ ଜନଗଣନା କମିଶନଙ୍କ ଦ୍ବାରା ପରିଚାଳିତ ହେଉଛି
- ଭାରତରେ ଶେଷ ଜନଗଣନା 2011 ମସିହାରେ କରାଯାଇଥିଲା
ଇଂରେଜ ଶାସନ ସମୟରେ ଭାରତରେ ଜନଗଣନା:
- 1872
- 1881
- 1891
- 1901
- 1911
- 1921
- 1931
- 1941
ସ୍ବାଧୀନତା ପରେ ଭାରତରେ ଜନଗଣନା:
- 1951
- 1961
- 1971
- 1981
- 1991
- 2001
- 2011
ଜନଗଣନା ପରେ ବଦଳିବ କି ଓଡ଼ିଶାର ଆସନ ?
ଓଡ଼ିଶାରେ 147ଟି ବିଧାନସଭା, 21ଟି ଲୋକସଭା ଆସନ, 10ଟି ରାଜ୍ୟ ସଭା ଆସନ ରହିଛି । ଦୀର୍ଘ 16 ବର୍ଷ ପରେ ଜନଗଣନା ହେବାକୁ ଯାଉଛି । ତେବେ ଲୋକସଂଖ୍ୟା ବୃଦ୍ଧି ଦୃଷ୍ଟିରୁ ଓଡ଼ିଶାରେ ବଢିବ କି ଆସନ ସଂଖ୍ୟା । ଏପରି କିଛି ପ୍ରଶ୍ନ ଏବେ ମନରେ ଉଙ୍କି ମାରୁଛି । ଦେଶରେ ପ୍ରତି 5 ବର୍ଷରେ ନିର୍ବାଚନ ଅନୁଷ୍ଠିତ ହୁଏ । ଶେଷଥର ଲୋକସଭା ସହ ଓଡ଼ିଶା ବିଧାନସଭା ନିର୍ବାଚନ 2024ରେ ଅନୁଷ୍ଠିତ ହୋଇଥିଲା । ଆସନ୍ତା 2029ରେ ଦେଶରେ ଲୋକସଭା ଓ ଓଡ଼ିଶାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏହା ପୂର୍ବରୁ ଜନଗଣନା ହେଉଥିବାରୁ ବଢିବ କି ରାଜ୍ୟରେ ଆସନ ସଂଖ୍ୟା ।
ନୂଆ ପଦ୍ଧତିରେ ଜନଗଣନା:
ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ‘ଓଡିଶାରେ ଜନଗଣନା ପାଇଁ ଜନଗଣନା ନିର୍ଦ୍ଦେଶକ ନିଯୁକ୍ତ ହୋଇ ସାରିଛନ୍ତି । ବିଜ୍ଞପ୍ତି ବାହାରିବା ପରେ ଜନଗଣନା ଯେଉଁ ପ୍ରକ୍ରିୟାରେ ହୁଏ, ସେମିତି ହେବ । କୋଭିଡ ପାଇଁ ଜନଗଣନା ପ୍ରକ୍ରିୟା 5 ବର୍ଷ ଅଟକିବା ପରେ ଆରମ୍ଭ ହେଉଛି । ଏହି ପ୍ରକ୍ରିୟା ପରେ ବିକାଶ, ସରକାରଙ୍କ ବିଭିନ୍ନ କାର୍ଯ୍ୟ ନୂଆ ପଦ୍ଧତିକୁ ଯିବ । ଜନଗଣନା ଦେଶ ଓ ରାଜ୍ୟର ବିକାଶ ପାଇଁ ନୂଆ ପ୍ରଶସ୍ତ ରାସ୍ତା ଖୋଲିବ ।’
ଲାଭ ମିଳିବ:
ସେହିପରି ବିଜେଡି ନେତା ପ୍ରଦୀପ ମାଝୀ କହିଛନ୍ତି, ‘ଜାତି ଭିତ୍ତିକ ଜନଗଣନା ପାଇଁ ସମସ୍ତ ଅଣ ଏନଡିଏ ରାଜନୈତିକ ଦଳ ଦାବି କରି ଆସୁଥିଲେ । ବିଜେଡି ମଧ୍ୟ ସମାନ ଦାବି କରୁଥିଲା । ସମସ୍ତ ଜାତିର କଣ ବିକାଶ ହୋଇଛି, ମହିଳାଙ୍କ ସ୍ଥିତି, ଆର୍ଥିକ, ସାଂସ୍କୃତିକ ସ୍ଥିତି ବାବଦରେ ସୂଚନା ମିଳିବ । ଓଡିଶାରେ ମଧ୍ୟ ସମାନ ଭାବେ ଗଣନା ହେବ । ସଠିକ ଢଙ୍ଗରେ ଜନଗଣନା ହେଲେ ଲୋକେ ବହୁତ ଲାଭ ପାଇବେ ।’
ପୂର୍ବ ଅପେକ୍ଷା ଶୀଘ୍ର ସରିବ ଜନଗଣନା:
ବରିଷ୍ଠ ସାମ୍ବାଦିକ ରବି ଦାସ କହିଛନ୍ତି, ‘ଜନଗଣନା ଘରକୁ ଘର ହେବ । ଡିଜିଟାଲ ଓ ଟେକ୍ନୋଲୋଜିର ବ୍ୟବହାର ମଧ୍ୟ ହେବ । ପୂର୍ବ ଅପେକ୍ଷା ଶୀଘ୍ର ଗଣନା ହୋଇପାରିବ । ବିଜୁଳି ଓ ଇଣ୍ଟରନେଟ ସଂଯୋଗ ନଥିବା ଅଞ୍ଚଳରେ ଡିଜିଟାଲ ଓ ଟେକ୍ନୋଲୋଜିର ବ୍ୟବହାରରେ ସମସ୍ୟା ହେବ । ସେଥିପାଇଁ ବନ୍ଦୋବସ୍ତ ହେବ । ପ୍ରତି ଘରେ ନପହଁଚିଲେ ଜନଗଣନା ସମ୍ପୂର୍ଣ୍ଣ ହେବନାହିଁ । ଶେଷ ଦିନ ଯିଏ ଯେଉଁମାନଙ୍କର ଘର ନାହିଁ, ରାସ୍ତା କଡ଼ରେ ଅଛନ୍ତି ସେମାନଙ୍କର ମଧ୍ୟ ଗଣନା ହେବ ।’
ଇଟିଭି ଭାରତ, ଭୁବନେଶ୍ବର