ଚେତାଇଲେ ବିଧାୟକ ବାବୁ: ଖଣ୍ଡଗିରି ଯାତ୍ରାରେ ବୁଲିବ ଠେଙ୍ଗା, ଅଶ୍ଲୀଳ ନୃତ୍ୟ କଲେ ବାଜିବ ପାହାର
ଏଥର ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟ ରୋକିବ ଠେଙ୍ଗା । ପ୍ରସ୍ତୁତ ହୋଇ ରହିଛି ୧୦୦ ଠେଙ୍ଗା । ଅଶ୍ଲୀଳତା କଲେ ଠେଙ୍ଗା ପାହାର ହେବ ବୋଲି ଚେତାଇଲେ ବିଧାୟକ ବାବୁ ସିଂ ।

Published : February 3, 2025 at 6:19 PM IST
ଭୁବନେଶ୍ବର: ଖଣ୍ଡଗିରିରେ ଆଉ ଚାଲିବନି ଅଶ୍ଲୀଳ ନୃତ୍ୟ ! ଅଶ୍ଳୀଳ ନୃତ୍ୟ ରୋକିବ ଠେଙ୍ଗା । ଏଥିପାଇଁ ପ୍ରସ୍ତୁତ ରହିଛି 100ଟି ଠେଙ୍ଗା । ଯେଉଁଠି ବିଶୃଙ୍ଖଳା ଦେଖାଯିବ ସେଇଠି ପଡିବ ଠେଙ୍ଗା ପାହାର । ଏକଥା ଆମେ କହୁନୁ ଏପରି କହିଛନ୍ତି ଏକାମ୍ର ବିଧାୟକ ବାବୁ ସିଂ । ଏଥିପାଇଁ ଆଜି ବାରଭୂଜାଙ୍କ ପାଖରେ ଏହି ଠେଙ୍ଗା ପୂଜା ହୋଇଛି । ସେପଟେ ଅଶ୍ଲୀଳ ନୃତ୍ୟ ପରିବେଷଣକୁ ନେଇ କଡା ଚେତାବନୀ ଦେଲେ ବିଏମସି କମିଶନର ରାଜେଶ ପ୍ରଭାକର ପାଟିଲ ।
ଅଶ୍ଲୀଳତା ରୋକିବ ଠେଙ୍ଗା ବାହିନୀ:
ଦିନକୁ ଦିନ ଯାତ୍ରାରେ ଅଶ୍ଲୀଳତା ବଢୁଥିବା ଅଭିଯୋଗ ଆସୁଥିବା ବେଳେ ଏଥର ଯେପରି ଖଣ୍ଡଗିରିରେ ଅଶ୍ଲୀଳତା ପ୍ରଦର୍ଶନ ନହୁଏ ଏଥିପାଇଁ ଗଠନ ହୋଇଛି ଠେଙ୍ଗା ବାହିନୀ । ଏକାମ୍ର ବିଧାୟକ ବାବୁ ସିଂଙ୍କ ନେତୃତ୍ବରେ ଗଠନ ହୋଇଛି ଏହି ସ୍ବତନ୍ତ୍ର ଟିମ । ଯଦି କୌଣସି ବିଶୃଙ୍ଖଳା ଦେଖାଯାଏ ଏହି ଶହେ ଠେଙ୍ଗା କାମରେ ଲାଗିବ ବୋଲି କହିଛନ୍ତି ବିଧାୟକ ବାବୁ ସିଂ ।
ପୂଜା ହେଲା 100 ଠେଙ୍ଗା:
ଆଜି ବାରଭୂଜାଙ୍କ ନିକଟରେ ଏହି 100ଟି ଠେଙ୍ଗା ପୂଜା କରାଯାଇଛି । ଏଥିପାଇଁ ଏକ ସ୍ବତନ୍ତ୍ର କ୍ୟାମ୍ପ କରାଯିବ । ଯେଉଁଥିରେ ପ୍ରସ୍ତୁତ ରହିବେ ଠେଙ୍ଗାଧାରୀ ଯୁବକ ।

ସଂସ୍କୃତିକୁ ନଷ୍ଟ କରିବାକୁ ଦିଆଯିବନି:
ଏନେଇ ଏକାମ୍ର ବିଧାୟକ ବାବୁ ସିଂ କହିଛନ୍ତି, ‘ପୂର୍ବରୁ ଘୋଷଣା କରିଥିଲୁ । ଓଡ଼ିଶାରେ ନୂଆ ସରକାର ଗଠନ ହୋଇଛି । ଓଡ଼ିଆ ଅସ୍ମିତା କଥା କୁହଯାଉଛି । ଓଡ଼ିଶାର ସଂସ୍କୃତିକୁ ରକ୍ଷା କରିବା ସମସ୍ତଙ୍କ ଦାୟିତ୍ବ । ଆସନ୍ତାକାଲି ଠାରୁ ଖଣ୍ଡଗିରି ଉଦୟଗିରିରେ ମେଳା ଆରମ୍ଭ ହେବ । କୁମ୍ଭ ମେଳା ସହ ଅନେକ ଅପେରା ପାର୍ଟି ଆସି ଏଠାରେ ଯାତ୍ରା କରିଥାନ୍ତି । ଯାହାକି 7ରୁ8 ଦିନ ଚାଲେ । ଆମେ ମୋବାଇଲରେ ଦେଖିଛୁ ଗତ କିଛି ଦିନ ହେଲା ଅଶ୍ଲୀଳତା ବ୍ୟାପୁଛି । ଯାହାକି ଆମ ସଂସ୍କୃତି ନୁହେଁ । ଯୁବପିଢି ମଧ୍ୟ ସେଥିରେ ଭ୍ରମିତ ହେଉଛନ୍ତି । ଆମେ ଘୋଷଣା କରିଥିଲୁ ଆମ ସଂସ୍କୃତିକୁ ନଷ୍ଟ କରିଦିଆଯିବ ନାହିଁ ।
ତପ ପୀଠରେ ଅଶ୍ଲୀଳତା ମନା !
ସେ ଆହୁରି କହିଛନ୍ତି, ‘ଏହା ଏକ ତପପୀଠ । ଏଠାରେ କେବଳ ସାଂସ୍କୃତିକ କାର୍ଯ୍ୟ ନୁହେଁ ଆଧ୍ୟାତ୍ମିକ କାର୍ଯ୍ୟ ମଧ୍ୟ ହୁଏ । ଏସବୁକୁ ଆଖି ଆଗରେ ରଖି ଆମେ ଘୋଷଣା କରିଥିଲୁ । ଅଶ୍ଲୀଳତାକୁ ଏଠାରେ ପ୍ରଶୟ ଦିଆଯିବ ନାହିଁ । ଅପେରା ମାଲିକଙ୍କୁ କୁହାଯାଇଛି । ପ୍ରଶାସନକୁ ଅନୁରୋଧ କରାଯାଇଛି । ତାହା ସତ୍ତ୍ବେ ମଧ୍ୟ କିଛି କଳାକାର ଏପରି ପ୍ରଦର୍ଶନ କରିବେ ବୋଲି ଘୋଷଣା କରିଥିଲେ । ସେମାନଙ୍କୁ ସାବଧାନ କରିବା ପାଇଁ ଆଜି ଏଠାରେ ଠେଙ୍ଗା ପୂଜନ ହେଲା ।’

ଅଶ୍ଲୀଳତାକୁ ପ୍ରଶୟ ଦିଆଯିବ ନାହିଁ:
ସେ ଆହୁରି କହିଛନ୍ତି, ‘ଯେତେବେଳେ ପାପର ବୃଦ୍ଧି ହୁଏ ତାହାକୁ ନାଶ ପାଇଁ ଅସ୍ତ୍ର ମଧ୍ୟ ଧରିବାକୁ ପଡିଥାଏ । ଅତୀତରେ ମା’ ଦୁର୍ଗା ଧରିଥିଲେ । ଏକଥାର ପୁନରାବୃତ୍ତି ହେବାକୁ ଯାଉଛି । ସମସ୍ତେ ମିଶି ନିଷ୍ପତ୍ତି ନେଇଛୁ ଅଶ୍ଲୀଳତାକୁ ପ୍ରଶୟ ଦିଆଯିବ ନାହିଁ । ତାହାକୁ ବଞ୍ଚାଇବାକୁ ପଡିବ । ଆମେ କାହାକୁ ବ୍ୟାନ କଥା କହିନାହୁଁ । ଯଦି କୌଣସି କମିଟି ଅଶ୍ଲୀଳତା ପ୍ରଦର୍ଶନ କରନ୍ତି । ସେଠାରେ ନାଚ ନିଶ୍ଚୟ ବନ୍ଦ ହେବ । ସେମାନଙ୍କୁ ସବୁଦିନ ବ୍ୟାନ ପାଇଁ ସରକାରଙ୍କ ନିକଟରେ ଦାବି ରଖିବୁ । ସ୍ଥାନୀୟ ଲୋକଙ୍କୁ ମଧ୍ୟ ଅନୁରୋଧ କରିବୁ ଏପରି ଅପେରାକୁ ଏଠାରେ ପ୍ରଶୟ ଦିଅନ୍ତୁ ନାହିଁ ।’
ଏହା ମଧ୍ୟ ପଢନ୍ତୁ: ଖଣ୍ଡଗିରିରେ ଅଶ୍ଳୀଳ ନୃତ୍ୟ ମନା, ସେଣ୍ଟ୍ରାଲ କମିଟି ରଖିବ ନଜର ଖଣ୍ଡଗିରି ମେଳା: ସାଧୁ ସନ୍ଥଙ୍କ ପାଇଁ 1000 ଟେଣ୍ଟ ବ୍ୟବସ୍ଥା, ଯାତ୍ରାରେ ଅଶ୍ଳୀଳତାକୁ ନା |
ଅଶ୍ଲୀଳତା ହେଲେ କାମ କରିବ ଠେଙ୍ଗା:
ସେ ଆହୁରି କହିଛନ୍ତି ‘ଅଶ୍ଳୀଳ ନୃତ୍ୟ ନୁହେ ଦ୍ଵି-ଅର୍ଥ ବୋଧକ କମେଡିକୁ ପ୍ରଶ୍ରୟ ଦିଆଯିବ ନାହିଁ । ଯେଉଁମାନେ ଏପରି କରୁଛନ୍ତି ତାଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେବୁ । ଯେଉଁମାନେ ସଂସ୍କୃତି ବିରୋଧୀ ସେମାନେ ରାଷ୍ଟ୍ରର ବିରୋଧୀ । ସରକାର ନିଶ୍ଚିତ ଭାବେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ଯଦି ଅଶ୍ଲୀଳତା ହେବ ଠେଙ୍ଗା ମଧ୍ୟ ନିଶ୍ଚିତ ତା’ କାମ କରିବ ।

କମିଶନର ଦେଲେ ଚେତାବନୀ:
ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟକୁ ନେଇ କମିଶନର ଦେଲେ କଡା ଚେତାବନୀ । ବିଏମସି କମିଶନର ରାଜେଶ ପ୍ରଭାକର ପାଟିଲ କହିଛନ୍ତି, ‘ଐତିହାସିକ ପରମ୍ପରା ମର୍ଯ୍ୟାଦା ଭିତରେ ଯାତ୍ରା ପରିବେଶ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ସବୁ ଯାତ୍ରା କମିଟି ଅବଗତ ରହିଛନ୍ତି । ଆଶା କରୁଛୁ ଗାଇଡଲାଇନ ଅନୁସାରେ ଯାତ୍ରା ହବ । ଯଦି ଏହାର ଯେହି ଉଲ୍ଲଘଂନ କରିବେ ସେହି ଯାତ୍ରା ପାର୍ଟି ଓ କମିଟି ଉପରେ କାର୍ଯ୍ୟନୁଷ୍ଠାନ ହେବ ।

କାଲିଠୁ ଖଣ୍ଡଗିରି ଯାତ୍ରା:
ଆସନ୍ତାକାଲି(ଫେବୃଆରୀ4)ରୁ ଖଣ୍ଡଗିରିରେ ଯାତ୍ରା ଆରମ୍ଭ ହେବ । ଯାହାକି 12 ତାରିଖ ପର୍ଯ୍ୟନ୍ତ ଚାଲିବ । ଖଣ୍ଡଗିରି ଓ ଉଦୟଗିରିରେ ମେଳା ସହ ଯାତ୍ରା ମଧ୍ୟ ଚାଲିବ । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚି ଥିବା ବେଳେ ପ୍ରସ୍ତୁତ ହେଲାଣି ସାଧୁଙ୍କ ସ୍ଥାନ, ସାଧୁସନ୍ଥ ଜମେଇଲେଣି ଆସ୍ଥାନ ।
ଇଟିଭି ଭାରତ, ଭୁବନେଶ୍ବର

