ବ୍ରହ୍ମପୁର: ଇଷ୍ଟକୋଷ୍ଟ ରେଲୱେର ଜେନେରାଲ ମ୍ୟାନେଜରଙ୍କ ବ୍ରହ୍ମପୁର ରେଳ ଷ୍ଟେସନ ପରିଦର୍ଶନ । ବ୍ରହ୍ମପୁର ରେଳ ଷ୍ଟେସନରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରିବା ସହ ଆଗାମୀ ଦିନରେ ଏହି ରେଳ ଷ୍ଟେସନର ବିକାଶ କିପରି ହେବ ଓ ନୂତନ ରୂପରେଖ କିଭଳି ରହିବ ସେନେଇ ଆଲୋଚନା କରିଥିଲେ । ଏହି ଅବସରରେ ଓଡ଼ିଶା ଡେଭଲପମେଣ୍ଟ ଫୋରମ୍ ପକ୍ଷରୁ ବିଭିନ୍ନ ଦାବି ନେଇ ଏକ ଦାବି ପତ୍ର ମଧ୍ୟ ପ୍ରଦାନ କରାଯାଇଛି ।
ବିଭିନ୍ନ ରେଳ ଷ୍ଟେସନର ସ୍ଥିତି ଏବଂ ଯାତ୍ରୀଙ୍କ ସୁରକ୍ଷାକୁ ଯାଞ୍ଚ କରିବା ଅବସରରେ ବ୍ରହ୍ମପୁର ରେଳ ଷ୍ଟେସନରେ ପହଞ୍ଚିଛନ୍ତି ଇଷ୍ଟକୋଷ୍ଟ ଡିଭିଜିନର ଜେନେରାଲ ମ୍ୟାନେଜର ପରମେଶ୍ୱର ପୁଙ୍ଖୱାଲଙ୍କ ସହ ଖୋର୍ଦ୍ଧା ଡିଭିଜିନର DRM ଏସ୍.ଏସ୍. ବାଜୱା । ପ୍ରଥମେ ଷ୍ଟେସନ ସମ୍ମୁଖରେ ନୂତନ ଭାବରେ ନିର୍ମାଣ ହୋଇଥିବା ଚିକିତ୍ସାଳୟର ସ୍ଥିତି ଅନୁଧ୍ୟାନ କରି ସେଠାରୁ ରେଳ ଷ୍ଟେସନରେ ଚାଲିଥିବା ନିର୍ମାଣଧିନ କାର୍ଯ୍ୟ ଏବଂ ପୁରୁଣା ଢାଞ୍ଚା ସହିତ କିପରି ନୂତନ ପ୍ରକଳ୍ପ କାର୍ଯ୍ୟକୁ ସାମିଲ କରାଯାଇ ନିର୍ମାଣ କରିହେବ, ତାହାକୁ ଅନୁଧ୍ୟାନ କରିଥିଲେ ଅଧିକାରୀମାନେ ।

ଯାତ୍ରୀଙ୍କ ସୁରକ୍ଷାକୁ ଦିଆଯାଉଛି ପ୍ରାଥମିକତା:
ଏନେଇ ଇଷ୍ଟକୋଷ୍ଟ ରେଲେୱେର ଜି.ଏମ୍ ପରମେଶ୍ୱର ପୁଙ୍ଖୱାଲ କହିଛନ୍ତି,"ଆଜି ଆମେ ବ୍ରହ୍ମପୁର ରେଳଷ୍ଟେସନକୁ ପରିଦର୍ଶନରେ ଆସିଛୁ । ଏଠାରେ ଲେବଲ କ୍ରସିଂଠାରୁ ଆରମ୍ଭ କରି ରେଳ ପଏଣ୍ଟ, ଟ୍ରାକ୍, ରେଳ ଷ୍ଟେସନରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ଧ୍ୟାନ ଦିଆଯାଉଛି । ଏଥିସହିତ ରେଳ ଷ୍ଟେସନ ଗୁଡ଼ିକରେ ଚାଲିଥିବା ନୂତନ ଉନ୍ନୟନମୂଳକ କାର୍ଯ୍ୟଗୁଡିକର ଅଗ୍ରଗତିକୁ ମଧ୍ୟ ଅନୁଧ୍ୟାନ କରାଯାଉଛି । "
ପୁରୁଣା ସ୍ମୃତିକୁ ରଖି କରାଯାଉଛି ନୂତନ ଉନ୍ନୟନ କାର୍ଯ୍ୟ:
ବ୍ରହ୍ମପୁର ରେଳଷ୍ଟେସନର ପୁରୁଣା ସ୍ମୃତିକୁ ସାଇତି ରଖି କରାଯାଉଛି ନୂତନ ଉନ୍ନୟନ କାର୍ଯ୍ୟ ।ପୁରୁଣା ସ୍ମୃତିକୁ କିପରି ନୂତନ କୋଠାରେ ସାମିଲ କରାଯିବ ସେନେଇ ଏକ ସ୍ୱତନ୍ତ୍ର ଯୋଜନା କରାଯାଉଥିବା ରେଳ ବିଭାଗ ପକ୍ଷରୁ କୁହାଯାଇଛି । କିପରି ଯାତ୍ରୀମାନଙ୍କୁ ବିଭିନ୍ନ ପ୍ରକାର ସୁବିଧା ମିଳିବ ଏବଂ ପୁରୁଣା ସ୍ମୃତି ମଧ୍ୟ ଏଥିରେ ସାମିଲ କରାଯାଇପାରିବ ସେଥିପ୍ରତି ଗୁରୁତ୍ୱ ଦିଆଯାଇଛି ।

ପ୍ରଥମ ପ୍ଲାର୍ଟଫର୍ମରେ ଏସ୍କେଲେଟର ସୁବିଧା ଦାବି :
ରାଜ୍ୟର ଅଧିକ ରାଜସ୍ୱ ଆଦାୟ ହେଉଥିବା ରେଳ ଷ୍ଟେସନ ମଧ୍ୟରେ ରହିଛି ବ୍ରହ୍ମପୁର ରେଳ ଷ୍ଟେସନ । ଏହି ଷ୍ଟେସନକୁ ଏନ୍.ଏସ୍.ଜି-୨ ମାନ୍ୟତା ମିଳିଥିବା ବେଳେ ଏଠାରେ ଯାତ୍ରୀଙ୍କ ସୁବିଧା ପାଇଁ ପ୍ରଥମ ପ୍ଲାର୍ଟଫର୍ମରେ ଏସ୍କେଲେଟର ବ୍ୟବସ୍ଥା କରିବା ପାଇଁ ଦାବି ହୋଇଛି ।
ଏହା ମଧ୍ୟ ପଢନ୍ତୁ...ଓଡ଼ିଶାକୁ ୧୦,୫୯୯ କୋଟି ରେଳ ବଜେଟ, କେନ୍ଦ୍ର ଦେଲା ରେକର୍ଡ ଟଙ୍କା - RAIL BUDGET 2025 ଏହା ମଧ୍ୟ ପଢନ୍ତୁ...ଭାରତୀୟ ରେଳବାଇର 'SwaRail SuperApp': ଗୋଟିଏ ଆପରେ ଟ୍ରେନ ଯାତ୍ରୀଙ୍କୁ ସବୁ ସୁବିଧା - INDIAN RAILWAYS |
ରେଳ ଷ୍ଟେସନର ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା କଲା ଓଡ଼ିଶା ଡେଭଲେପମେଣ୍ଟ ଫୋରମ୍ :
ବ୍ରହ୍ମପୁର ରେଳ ଷ୍ଟେସନରେ ଦୀର୍ଘ ବର୍ଷ ଧରି ଲାଗିରହିଥିବା ସମସ୍ୟା ଓ ତାର ସମାଧାନ କିପରି ହୋଇପାରିବ, ସେନେଇ ଇଷ୍ଟକୋଷ୍ଟ ଡିଭିଜିନର ଜେନରାଲ ମ୍ୟାନେଜର ପରମେଶ୍ୱର ପୁଙ୍ଖୱାଲଙ୍କ ସହିତ ଆଲୋଚନା କରିଥିଲେ ଓଡ଼ିଶା ଡେଭଲେପମେଣ୍ଟ ଫୋରମର କର୍ମକର୍ତ୍ତା । ଏନେଇ ଫୋରମ୍ ପକ୍ଷରୁ ଏକ ଦାବି ପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା ।
ଇଟିଭି ଭାରତ,ବ୍ରହ୍ମପୁର