ETV Bharat / state

ରାବଣ ତିଆରିରେ ଗଲାଣି ଅଧା ଜୀବନ, ଦଶହରା ଆସିଲେ ମନେ ପଡନ୍ତି 'ରାବଣ ମାଉସୀ'

ଭୁବନେଶ୍ଵର ଓଲ୍ଡ ଟାଉନ ସ୍ଥିତ ଶୋଭାରାଣୀ ମହାପାତ୍ର ଏବଂ ତାଙ୍କ ପରିବାର 4 ଦଶନ୍ଧିରୁ ଅଧିକ ସମୟ ଧରି ରାବଣ ପ୍ରସ୍ତୁତି କରୁଛନ୍ତି । ଦଶହରା ଆସିଲେ ଖୋଜା ପଡେ ଏହି ପରିବାର ।

Ravana Mausi who builds Ravana Effigies in Bhubaneswar
Ravana Mausi who builds Ravana Effigies in Bhubaneswar (ETV Bharat Odisha)
author img

By ETV Bharat Odisha Team

Published : September 22, 2025 at 10:56 PM IST

|

Updated : September 22, 2025 at 11:08 PM IST

5 Min Read
Choose ETV Bharat

ସ୍ପେଶାଲ୍ ରିପୋର୍ଟ- ବିକାଶ କୁମାର ଦାସ

ଭୁବନେଶ୍ୱର: ଦିନ କେଇଟା ପରେ ଧରାପୃଷ୍ଠରେ ଅବତରଣ କରିବେ ଦୁର୍ଗତିନାଶିନୀ ମା' ଦୁର୍ଗା । ଗାଁଠୁ ସହର, ସବୁଠି ଦଶଭୂଜାଙ୍କ ଆରାଧନାରେ ପ୍ରକମ୍ପିତ ହେବ ଗଗନ ପବନ । ମହିଷାମର୍ଦ୍ଦିନୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାମାୟା । ଦଶହରାରେ ମା'ଙ୍କ ଆଗମନରେ ଉତ୍ସବ ମୁଖର ହୋଇଉଠିବ ପୁର ପଲ୍ଲୀ । ବିଜୟା ଦଶମୀରେ ଗର୍ବ, ଅହଙ୍କାର, ପାପ, ଅସତ୍ୟର ପ୍ରତୀକ ସ୍ବରୂପ ଅସୀମଶକ୍ତିର ଅଧିକାରୀ ରାବଣକୁ ଦହନ କରାଯିବ । ଏହି ଦିନରେ ପ୍ରଭୁ ଶ୍ରୀରାମ ରାବଣକୁ ବଧ କରି ଧରାପୃଷ୍ଠରୁ ପାପଭାର ମୁକ୍ତ କରିଥିଲେ । ଏନେଇ ବିଜୟାଦଶମୀ ଦିନରେ ରାବଣ ପୋଡ଼ି ଉତ୍ସବ ପାଳନ କରାଯାଏ । ରାଜ୍ୟର ବିଭିନ୍ନ ସ୍ଥାନରେ ରାବଣ ପୋଡ଼ି ପାଇଁ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଥାଏ ।

Ravana Mausi who builds Ravana Effigies in Bhubaneswar (ETV Bharat Odisha)

ଏହାରି ମଧ୍ୟରେ ରାବଣ ତିଆରି କରିଥିବା ଲୋକ କିଏ ଅନେକଙ୍କ ମନରେ ପ୍ରଶ୍ନ ଆସିଥାଏ । ସେମାନଙ୍କର ମାସ ମାସର ପରିଶ୍ରମ କେଇ ମିନିଟରେ ପାଉଁଶ ହୋଇଯାଏ । ତେବେ ରାବଣ ତିଆରି କରୁଥିବା ମଣିଷଟି ହେଉଛନ୍ତି ଭୁବନେଶ୍ୱରର ଶୋଭାରାଣୀ ମହାପାତ୍ର । ସମସ୍ତେ ତାଙ୍କୁ 'ରାବଣ ମାଉସୀ' ବୋଲି ଡାକିଥାନ୍ତି ।

୪୦ ବର୍ଷ ଧରି ରାବଣ ପ୍ରସ୍ତୁତ କରି ଆସୁଛନ୍ତି 'ରାବଣ ମାଉସୀ'-

ବିଜୟା ଦଶମୀରେ ଅଧର୍ମ ଉପରେ ଧର୍ମର ଓ ଅସତ୍ୟ ଉପରେ ସତ୍ୟର ବିଜୟର ଦିନ । ଏହି ଦିନ ଦୁର୍ଗତିନାଶିନୀ ମା' ଦୁର୍ଗା ପ୍ରବଳ ପ୍ରତାପୀ ମହିଷାଶୂରକୁ ବଦ୍ଧ କରିଥିଲେ । ଅନ୍ୟାୟ ଓ ଅତ୍ୟାଚାରରୁ ମୁକ୍ତ ହୋଇଥିଲା ତିନିପୁର, ଯାହାର ପ୍ରତୀକ ରୂପେ ପାଳିତ ହୁଏ ବିଜୟା ଦଶମୀ । ଏହି ଦିନ ରାବଣ ପୋଡି ମଧ୍ୟ ହୋଇଥାଏ । ତେବେ ରାବଣ ପ୍ରସ୍ତୁତ କରୁଥିବା ଜଣେ ମହିଳା ରହିଛନ୍ତି । ଯିଏ କି ୪୦ ବର୍ଷ ଧରି ରାବଣ ପ୍ରସ୍ତୁତ କରି ଆସୁଛନ୍ତି । ଗୋଟିଏ କି ଦୁଇଟି ନୁହେଁ ଏକା ସାଙ୍ଗରେ ୧୫ ରୁ ୨୦ଟି ରାବଣ ତିଆର କରୁଛନ୍ତି । ତାଙ୍କୁ ସମସ୍ତେ ସ୍ନେହରେ ଡାକନ୍ତି ରାବଣ ମାଉସୀ । 'ଇଟିଭି ଭାରତ'ର ସ୍ୱତନ୍ତ୍ର ଉପସ୍ଥାପନାରେ ତାଙ୍କ ସମ୍ପର୍କରେ ଅଧିକ ଜାଣନ୍ତୁ....

କିଏ ସେ 'ରାବଣ ମାଉସୀ'-
ସତରେ ସେ ରାବଣର ମାଉସୀ ନୁହନ୍ତି ! କିନ୍ତୁ ରାବଣ ପ୍ରସ୍ତୁତ କରୁଛନ୍ତି ସେଥିପାଇଁ ରାବଣ ମାଉସୀ ନାମରେ ପରିଚିତ । ତାଙ୍କର ପ୍ରକୃତ ନାମ ହେଉଛି ଶୋଭାରାଣୀ ମହାପାତ୍ର । ବୟସ ୬୫ ବର୍ଷ । ଶୋଭାରାଣୀଙ୍କ ଘର ଭୁବନେଶ୍ୱରର ଓଲଡ ଟାଉନରେ । ସେ 4 ଦଶନ୍ଧି ଧରି ରାବଣ ପ୍ରସ୍ତୁତ କରି ଆସୁଛନ୍ତି । ଭୁବନେଶ୍ୱର ସମେତ ଆଖପାଖ ଜିଲ୍ଲା ଗୁଡିକ ପାଇଁ ମଧ୍ୟ ରାବଣ ପ୍ରସ୍ତୁତ କରିଥାନ୍ତି ଶୋଭାରାଣୀ । ରାବଣ ପ୍ରସ୍ତୁତ କରିବା ପାଇଁ ବିଶେଷ ଭାବରେ ପରିବାର ଲୋକ ଯେମିତି କି ଝିଅ, ବୋହୂ, ସ୍ୱାମୀ ସହଯୋଗ କରିଥାନ୍ତି ।

Ravana Mausi who builds Ravana Effigies in Bhubaneswar
Ravana Mausi who builds Ravana Effigies in Bhubaneswar (ETV Bharat Odisha)



କାହିଁକି ମନରେ ଆସିଥିଲା ରାବଣ ତିଆରି-
ଏନେଇ ଶୋଭାରାଣୀ କୁହନ୍ତି, "୪୦ ବର୍ଷ ତଳେ କିଛି ପିଲାମାନେ ଆସି ରାବଣ ପ୍ରସ୍ତୁତ କରିବାକୁ କହିଥିଲେ । ଏହା ଶୁଣି ଏକ ଛୋଟ ରାବଣ ଅର୍ଥାତ ୫ ଫୁଟର ପ୍ରସ୍ତୁତ କରିଥିଲି । ସେହି ଦିନ ଠାରୁ ଆଜି ପର୍ଯ୍ୟନ୍ତ ରାବଣ ତିଆର କରିଆସୁଛି । ପୂର୍ବରୁ ୨୦ରୁ ଅଧିକ ରାବଣ ତିଆର କରିଆସୁଥିବା ବେଳେ ପାଣିପାଗ ସହିତ ସ୍ବାସ୍ଥ୍ୟଗତ କାରଣ ପାଇଁ ଚଳିତ ବର୍ଷ ମାତ୍ର ୮ଟି ରାବଣକୁ ପ୍ରସ୍ତୁତ କରୁଛି ।"

ସେ ଆହୁରି ମଧ୍ୟ କହିଛନ୍ତି, "ଭୁବନେଶ୍ୱରର ବରମୁଣ୍ଡା, ନହରକଣ୍ଟା ବାଙ୍କୁଆଳ, ଜଟଣୀ, ଅନୁଗୋଳ, ନାଲକୋ, ତାଳଚେର ଆଦି ସ୍ଥାନ ପାଇଁ ରାବଣ ପ୍ରସ୍ତୁତି କରୁଛି ।"

ଏହା ବି ପଢନ୍ତୁ- ରାବଣ ପାଇଁ ବିତିଗଲାଣି ଅଧା ବୟସ, ‘ରାବଣ ପୋଡି’ ପ୍ରସ୍ତୁତିରେ ସାରା ପରିବାର


କେତେ ଦିନରେ ଠିଆ ହେଉଛି ରାବଣ-
"ଗୋଟିଏ ରାବଣ ଠିଆ ହେବା ପାଇଁ ପ୍ରାୟ ୧୫ ଦିନ ସମୟ ଲାଗିଥାଏ । ଯଦି ପରିବାର କାମରେ ଲାଗିଲେ ତେବେ ଅଳ୍ପ ଦିନ ମଧ୍ୟରେ ଗୋଟିଏ ରାବଣ ଠିଆ ହୋଇଯାଏ । ରାବଣ ପ୍ରସ୍ତୁତିରେ ବିଶେଷ ଭାବରେ କପଡା, ବାଉଁଶ, ସୁତୁଲି, ପ୍ରାକୃତିକ ରଙ୍ଗ, ଖଡ଼ି ବ୍ୟବହାର ହୋଇଥାଏ । ଏହା ସହିତ ମଧ୍ୟ ୩ ପ୍ରକାରର ଅଠା (ତେନ୍ତୁଳି ଅଠା, କଇଁଥ ଅଠା ଓ ମଇଦା ଅଠାକୁ ବ୍ୟବହାର କରାଯାଇଥାଏ )" ବୋଲି କହିଛନ୍ତି ଶୋଭାରାଣୀ ।

Ravana Mausi who builds Ravana Effigies in Bhubaneswar
Ravana Mausi who builds Ravana Effigies in Bhubaneswar (ETV Bharat Odisha)

ସେ ଆହୁରି ମଧ୍ୟ କହିଛନ୍ତି, "ବିଶେଷ ଭାବରେ ରାବଣ ୪୦-୫୦ ଫୁଟରୁ ଆରମ୍ଭ କରି ୭୦ -୮୦ ଫୁଟ ପର୍ଯ୍ୟନ୍ତ ତିଆରି କରୁଛନ୍ତି । ପରିବାର ଲୋକମାନେ ସହଯୋଗ କରିବା ସହିତ ୧୫ ଜଣ ଲୋକ ମଧ୍ୟ କାମ କରୁଛନ୍ତି ।"



ରାବଣର ଦାମ ଶୁଣିଲେ ଆଶ୍ଚର୍ଯ୍ୟ !
ରାବଣକୁ 'ରାବଣ ପୋଡି' ସମୟରେ ଶହ ଶହ ବାଣ ନିଆଁରେ ପୋଡିହେବାର ସମସ୍ତେ ଦେଖୁଛେ । କିନ୍ତୁ ଏହି ରାବଣର ମୂଲ୍ୟ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ୩୦ ହଜାର ଟଙ୍କା ଠାରୁ ଆରମ୍ଭ କରି ୮୦ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି । ରାବଣର ଉଚ୍ଚତା ହିସାବରେ ଦାମ ରଖାଯାଇଥାଏ ବୋଲି କୁହନ୍ତି ଶୋଭାରାଣୀ ।



ରାବଣ ମାଉସୀଙ୍କ ପରବର୍ତ୍ତୀ ପିଢ଼ି ପ୍ରସ୍ତୁତ କରିବେ ରାବଣ-
ରାବଣ ମାଉସୀ କହିଲେ ଶୋଭାରାଣୀ । ତେବେ ରାବଣ ତିଆର କରିବା ପାଇଁ ଅର୍ଥାତ ଏହି କଳାକୁ ଆଗକୁ ବଢାଇବା ପାଇଁ ବୋହୂ ଇତିଶ୍ରୀ ମହାରଣା ଆଗକୁ ଆସିଛନ୍ତି । ଶାଶୁ ବୋହୂ ମିଶିକି ପ୍ରସ୍ତୁତ କରୁଛନ୍ତି ରାବଣ । ବିବାହକୁ 3 ବର୍ଷ ହୋଇଥିଲେ ମଧ୍ୟ ରାବଣ ପ୍ରସ୍ତୁତ କରିବାରେ ଆନନ୍ଦ ମିଳୁଛି । ତେବେ ବୋହୂକୁ ଭଲ ଭାବରେ ସମସ୍ତ ପ୍ରକାରର କାରିଗରୀ ଶିଖାଯାଉଛି । ସେ ଯେଭଳି ଭାବରେ ଭବିଷ୍ୟତରେ ଅସୁବିଧା ନହୁଏ ବୋଲି କହିଛନ୍ତି ଶୋଭାରାଣୀ ମହାପାତ୍ର ।

Ravana Mausi who builds Ravana Effigies in Bhubaneswar
Ravana Mausi who builds Ravana Effigies in Bhubaneswar (ETV Bharat Odisha)



ରାବଣ ପାଇଁ ବିତିଗଲାଣି ଅଧା ବୟସ-
"ରବଣ ପ୍ରସ୍ତୁତି କରିବାରେ ବିତିଗଲାଣି ଅଧା ବୟସ । ବିଗତ ଦିନରେ ରାବଣ ପ୍ରସ୍ତୁତି କରୁଥିଲୁ ଆଗକୁ ମଧ୍ୟ କରିବୁ। ଯାହା ପରିବାରର ସମସ୍ତ ସଦସ୍ୟ ମାନେ ମିଶି କରୁଛୁ । ପୂର୍ବରୁ ଦଶହରା ଆଉ ବର୍ତ୍ତମାନର ଦଶହରା ଆକାଶ ପାତାଳ ତଫାତ ରହିଛି । ପୂର୍ବରୁ ବହୁତ କମ ଆସୁଥିଲା ଆଡର କିନ୍ତୁ ବର୍ତ୍ତମାନ ବହୁଗୁଣା ଅଧିକ ଆସୁଛି । କିନ୍ତୁ ସବୁକିଛି କରିବାକୁ ସମ୍ଭବ ହେଉନାହିଁ," ବୋଲି କହିଛନ୍ତି ରବଣ କାରିଗର ଶୋଭାରାଣୀଙ୍କ ସ୍ୱାମୀ ରାଜକିଶୋର ମହାପାତ୍ର ।



ଦଶହରା ଆସିଲେ ଖୋଜା ପଡନ୍ତି ରାବଣ ମାଉସୀ-
ଦଶହରା ଆସିଲେ ଖୋଜା ପଡନ୍ତି ରାବଣ ତିଆରି କରୁଥିବା ମାଉସୀ । କେବଳ ଭୁବନେଶ୍ଵର ନୁହେଁ ଏପରିକି ରାଉରକେଲାରୁ ମଧ୍ୟ ଆସୁଛି ଡକରା । ଦଶହରା ଆସିବା ପୂର୍ବରୁ ପାଖାପାଖି ଦୁଇରୁ ତିନି ମାସ ପୂର୍ବରୁ ଅର୍ଡର ଆସିଥାଏ । ଯାହାକୁ ନେଇ ପ୍ରସ୍ତୁତି କରନ୍ତି ରାବଣ । କେତେ ବେଳେ ୮୦ ଫୁଟର କରୁଥିବା ବେଳେ ଆଉ କେତେ ବେଳେ ୧୦୦ ଫୁଟ ରୁ ଅଧିକ ଉଚ୍ଚତା ବିଶିଷ୍ଟ ରାବଣ ତିଆରି କରିଥାନ୍ତି ରାବଣ ମାଉସୀ ଓ ତାଙ୍କ ପରିବାର ।

Ravana Mausi who builds Ravana Effigies in Bhubaneswar
Ravana Mausi who builds Ravana Effigies in Bhubaneswar (ETV Bharat Odisha)



ରାବଣ ପୋଡି ପରେ ଆଖିରୁ ଲୁହ ଆସେ-
ଶୋଭାରାଣୀ କୁହନ୍ତି, ରାବଣ ପୋଡି ସମୟରେ ରାବଣକୁ ଠିଆ ହୋଇଥିବାର ଦେଖିଲା ପରେ ବହୁତ ଖୁସି ଲାଗେ। କାରଣ ହଜାର ହାଜାର ଲୋକ ତିଆରି କରିଥିବା ରବଣକୁ ଦେଖି ବହୁତ ଖୁସି ହୁଅନ୍ତି । ତେବେ ଲୋକମାନଙ୍କୁ ଦେଖି ଆମେ ମଧ୍ୟ ଖୁସି ହୋଇଥାଉ । ରବଣ ପୋଡି ସାରିଲା ପରେ ବହୁତ କଷ୍ଟ ହୁଏ । କାରଣ ସମସ୍ତ ପରିଶ୍ରମ ମାତ୍ର କେଇ ମିନିଟ ମଧ୍ୟରେ ପାଉଁଶ ହୋଇଯାଏ । ଯାହାକୁ ନେଇ ମନରେ କଷ୍ଟ, ଆଖିରୁ ଲୁହ ମଧ୍ୟ ଆସିଯାଏ ।

Ravana Mausi who builds Ravana Effigies in Bhubaneswar
Ravana Mausi who builds Ravana Effigies in Bhubaneswar (ETV Bharat Odisha)
ପରିବାର ଖୁସିରେ ମୁଁ ଖୁସି-ଏପଟେ ଶୋଭାରାଣୀଙ୍କ ବୋହୂ ଇତିଶ୍ରୀ ମହାପାତ୍ର କହିଛନ୍ତି, "ଆମ ପରିବାର ୪୦ ବର୍ଷ ଧରି ରବଣ ତିଆରି କରି ଆସୁଛନ୍ତି । ମୋତେ ବହୁତ ଖୁସି ଲାଗୁଛି । ଏହକୁ ନେଇ କେବେହେଲେ ଖରାପ ଭାବିନି । ଯାହା ଆମ ପରିବାର କରୁଛନ୍ତି ସେହିରେ ମୁଁ ବହୁତ ଖୁସି, ଏହାକୁ ଆଗକୁ କିଭଳି କରାଯିବ ସେନେଇ କଷ୍ଟ କରିବି । ଯେଉଁ ରାବଣ ପାଇଁ ଏତେ ସାରା ଘଟଣା ଘଟିଥିଲା ସେହି ରାବଣକୁ ତିଆରିରେ ପରିବାରର ପ୍ରତିଟି ସଦସ୍ୟଙ୍କ ହାତ ରହିଛି, ଯାହାକୁ ନେଇ ମୁଁ ବହୁତ ଖୁସି ଅଛି ।"

ଦଶହରା ଆସିଲେ ରାବଣ ପୋଡି ମନକୁ ଆସିଥାଏ-

ବିଜୟା ଦଶମୀରେ ଅସତ୍ୟ ଉପରେ ସତ୍ୟର ବିଜୟ ସ୍ୱରୂପ 'ରାବଣ ପୋଡି' ଉତ୍ସବରେ ଜଳିଥାଏ ଅହଙ୍କାରୀ ରାବଣ । ଦଶହରା ସନ୍ଧ୍ୟାରେ ସୁଉଚ୍ଚ ରାବଣ ହୁତୁହୁତୁ ହୋଇ ଜଳିଯାଏ । ତା ସାଙ୍ଗକୁ ଭଳିକି ଭଳି ବାଣ ଫୁଟା ହଜାର ହଜାର ଲୋକ ମନୋରଞ୍ଜନ କରିଥାଏ ।

Ravana Mausi who builds Ravana Effigies in Bhubaneswar
Ravana Mausi who builds Ravana Effigies in Bhubaneswar (ETV Bharat Odisha)



ରାବଣ ପୋଡ଼ି ପାଇଁ ଜୋରଦାର ପ୍ରସ୍ତୁତି-
ଦଶହରା ଆସିଲେ ରାବଣ ପୋଡି କଥା ସମସ୍ତଙ୍କ ମନକୁ ଆସିଥାଏ । ଦୁର୍ଗାପୂଜା ସାଙ୍ଗକୁ ରାବଣ ପୋଡ଼ି ଉତ୍ସବକୁ ଉପଭୋଗ କରିବା ପାଇଁ ରାଜଧାନୀବାସୀ ସମେତ ସାରା ଦେଶରେ ଅନେଇ ବସିଥାନ୍ତି । ତେବେ ଚଳିତ ଥର ରାଜଧାନୀ ଏବଂ ଉପକଣ୍ଠରେ ଅନେକ ସ୍ଥାନରେ ରାବଣ ପୋଡି ଆୟୋଜନ କରାଯାଇଛି । ବାୟୁ ଓ ଶବ୍ଦ ପ୍ରଦୂଷଣକୁ ନେଇ ଅନେକ ସ୍ଥାନରେ ବନ୍ଦ କରାଯାଇଥିବା ବେଳେ ଅନେକ ରାବଣ ପୋଡି ବିକଳ୍ପରେ ଲେଜର ଲାଇଟ ଶୋ ମଧ୍ୟ କରୁଥିବା ନଜରକୁ ଆସିଛି ।

ଇଟିଭି ଭାରତ, ଭୁବନେଶ୍ୱର

Last Updated : September 22, 2025 at 11:08 PM IST