ETV Bharat / state

ରାଜ୍ୟରେ ଡ୍ରୋନ ଜଗୁଛି ଜଙ୍ଗଲ ନିଆଁ, ବର୍ତ୍ତମାନ ସୁଦ୍ଧା ୨୫ ହଜାର ପଏଣ୍ଟରେ ଲାଗିଛି ନିଆଁ

ଜଙ୍ଗଲ ନିଆଁ ନେଇ ସୂଚନା ପାଇଁ ଶିମିଳିପାଳ ସହ କିଛି ଜଙ୍ଗଲରେ AI କ୍ୟାମେରା ବ୍ୟବହାର କରାଯାଉଛି ।

ରାଜ୍ୟରେ ଡ୍ରୋନ ଜଗୁଛି ଜଙ୍ଗଲ ନିଆଁ
ରାଜ୍ୟରେ ଡ୍ରୋନ ଜଗୁଛି ଜଙ୍ଗଲ ନିଆଁ (ETV Bharat)
author img

By ETV Bharat Odisha Team

Published : April 8, 2025 at 6:10 PM IST

3 Min Read
Choose ETV Bharat

ଭୁବନେଶ୍ବର: ରାଜ୍ୟରେ ଡ୍ରୋନ ଜଗୁଛି ଜଙ୍ଗଲ ନିଆଁ। ପାହାଡିଆ ଅଂଚଳରେ ନିଆଁ ଲାଗିଲେ ଚି଼ହ୍ନଟ କରୁଛି ଡ୍ରୋନ । ଜଙ୍ଗଲ ନିଆଁ ନେଇ ସୂଚନା ପାଇଁ ଶିମିଳିପାଳ ସହ କିଛି ଜଙ୍ଗଲରେ AI କ୍ୟାମେରା ବ୍ୟବହାର କରାଯାଉଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ପ୍ରାୟ ୨୫ ହଜାର ପଏଣ୍ଟରେ ଜଙ୍ଗଲ ନିଆଁ ଲାଗିଛି । ୯୯ ପ୍ରତିଶତ ନିଆଁ ଲିଭାଯାଇଛି । ତେବେ ବର୍ଷା ଆଣିପାରେ ବଡ଼ ଆଶ୍ୱସ୍ତି । ବର୍ଷା ହେଲେ ନିଆଁ ଲିଭିବା ସହ ଦିନରାତି ଲଗାତର ନିଆଁ ଲିଭାରେ ନିୟୋଜିତ ବନ କର୍ମଚାରୀଙ୍କୁ ବିଶ୍ରାମ ପାଇଁ କିଛି ସମୟ ବି ମିଳିଯିବ ବୋଲି ଆଶା କରାଯାଉଛି ।

ଡ୍ରୋନ ଜଗୁଛି ଜଙ୍ଗଲ ନିଆଁ (ETV Bharat)

ପ୍ରତି ସ୍ଥାନରେ ଫାୟାର ଲାଇନ କରାଯାଉଛି। ଜଙ୍ଗଲ ନିକଟରେ ଥିବା ପ୍ରାୟ ୫୦୦ ଗାଁକୁ ଜନ ସଚେତନତା କରାଯାଉଛି। ୩୩୪ ବନ ସ୍କ୍ବାର୍ଡ ନିୟୋଜନ ହୋଇଛନ୍ତି। ଅନେକ ଜଙ୍ଗଲ ସ୍ଥାନରେ ବିଶେଷ ଭାବରେ ଶିମିଳିପାଳ ଓ ରାଉରକେଲା ଆଦି ସ୍ଥାନରେ ଏଆଇ (AI) କ୍ୟାମେରା ମଧ୍ୟ ବ୍ୟବାହାର କରାଯାଇଛି। ଏହା ସହିତ ଜଙ୍ଗଲ ନିଆଁ ପାଇଁ ପ୍ରଥମ ଥର ପାଇଁ ଡ୍ରୋନର ବ୍ୟବାହାର କରାଯାଉଛି। ପୂର୍ବରୁ ଓଡିଶାରେ ଡ୍ରୋନର ବ୍ୟବହାର ବିଶେଷ ଭାବରେ ହାତୀ ମାନଙ୍କ ଗଣନା ସେମାନଙ୍କ ଚଳପ୍ରଚଳ ପାଇଁ ବ୍ୟବହାର କରାଯାଉଥିଲା ।

  • କାହିଁକି ହେଲା ଡ୍ରୋନର ବ୍ୟବହାର ?

ଜଙ୍ଗଲ ନିଆଁ ବିଶେଷ ଭାବରେ ଖରା ଦିନରେ ଦେଖାଯାଇଥାଏ। ରାଜ୍ୟରେ ଜଙ୍ଗଲ ନିଆଁକୁ ଚିହ୍ନଟ କରିବା ପାଇଁ ସାଟେଲାଇଟର ବ୍ୟବହାର କରାଯାଉଛି। ତେବେ ଏହା ଦିନକୁ କେବଳ ଦୁଇ ଥର କରାଯାଉଛି। ଯାହା ଦୁଇ ଥର ମାତ୍ର ଜଙ୍ଗଲ ନିଆଁକୁ ନେଇ ତଥ୍ୟ ଦେଉଛି। ଏପରି ସ୍ଥଳରେ ଡ୍ରୋନ ଦ୍ଵାରା ଅନେକ ସୁବିଧା ମିଳୁଛି। ଯେମିତିକି ବାକି ସମୟରେ ଡ୍ରୋନ ଦ୍ଵାରା ଜଙ୍ଗଲର କେଉଁ ଅଞ୍ଚଳରେ ନିଆଁ ଲାଗିଛି ତାହା ଜଣା ପଡିବ। କେଉଁ ଠାରେ ଅଧିକ ଓ କମ ନିଆଁ ଲାଗିଛି ସେନେଇ ଡ୍ରୋନ ସାହାଯ୍ୟରେ ଚିହ୍ନଟ କରାଯିବ। ଏହା ସହିତ ଲୋକମାନେ ନିଆଁ ଲଗାଉଛନ୍ତି କି ନାହିଁ ତାହା ଅତି ସହଜରେ ଜଣାପଡିବ। ଯାହା ଫଳରେ କି ତୁରନ୍ତ ଭାବରେ ଜଙ୍ଗଲ ନିଆଁକୁ ଆୟତ୍ତ କରିପାରିବେ ବନ ବିଭାଗ।

ଜଙ୍ଗଲ ନିଆଁ
ଜଙ୍ଗଲ ନିଆଁ (ETV Bharat)
  • ବର୍ଷା ଦେବ ଆଶ୍ବସ୍ତି

ଜଙ୍ଗଲ ନିଆଁକୁ ଆଶ୍ବସ୍ତି ଦେବ ବର୍ଷା। ବର୍ତ୍ତମାନ ପାଣିପାଗ ଜନିତ ରିପୋର୍ଟ ଅନୁଯାୟୀ କିଛି ଦିନ ମଧ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ଯାହା ଫଳରେ ଜଙ୍ଗଲ ନିଆଁ କମିବା ନେଇ ମଧ୍ୟ ଆଶା କରାଯାଉଛି। ଏପରିକି ଅନେକ ବନ କର୍ମଚାରୀ ମାନେ ବହୁତ ମାତ୍ରାରେ ଆଶ୍ବସ୍ତି ପାଇବେ ବୋଲି କହିଛନ୍ତି।

  • ଜଙ୍ଗଲ ନିଆଁ ଲିଭାଇବା ବେଳେ ଅଘଟଣ

ଗ୍ରୀଷ୍ମ ତାତିକୁ ଏପଟେ ଜଙ୍ଗଲ ନିଆଁ। ଜଙ୍ଗଲ ନିଆଁ ଲିଭାଇବା ବେଳେ ଘଟିଛି ଅଘଟଣ। ରାଉରକେଲାର କୁଆଁରମୁଣ୍ଡାର ଅଞ୍ଚଳରେ ୬ ଜଣ ସ୍କ୍ବାର୍ଡ ଜଙ୍ଗଲରେ ନିଆଁ ଲିଭାଇବା କାର୍ଯ୍ୟରେ ନିଯୋଜିତ ହୋଇଥିଲେ। ତେବେ ନିଆଁର ପ୍ରକୋପ ଏତେ ମାତ୍ରାରେ ରହଥିଲା ଯେ ଜଣଙ୍କ ଦେହରେ ନିଆଁ ଲାଗିଯାଇଥିଲା। ଯାହା ଫଳରେ ଗୁରୁତର ଭାବରେ ଆହତ ହେବା ସହ ସେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

  • ଦେଶର ପ୍ରଥମ ରାଜ୍ୟ ଭାବେ OFMS ଫରେଷ୍ଟ ଫାୟାର ଆପ୍ଲିକେସନ୍ ବ୍ୟବହାର

ଦେଶର ପ୍ରଥମ ରାଜ୍ୟ ଭାବେ OFMS ଫରେଷ୍ଟ ଫାୟାର ଆପ୍ଲିକେସନ୍ ବ୍ୟବହାର କରାଯାଉଛି। ରାଜ୍ୟରେ ଲାଗୁଥିବା ଜଙ୍ଗଲ ନିଆଁ ଚିହ୍ନଟ କରିବା ପାଇ OFMS ଆପ୍‌ର ସାହାଯ୍ୟ ନେବେ ରାଜ୍ୟର ବନ କର୍ମଚାରୀ । ଯାହାକି ଜଙ୍ଗଲ ନିଆଁ ଅନୁସନ୍ଧାନ ଏବଂ ରିପୋଟିଂ ପାଇଁ ବେଶ ଉପଯୋଗୀ ହୋଇପାରିଛି। ଏହି ଆପ୍ ୧୦୦ ମିଟର ଦୂରତ୍ବ ଭିତରେ ଜଙ୍ଗଲ ନିଆଁକୁ ଚିହ୍ନଟ କରିଥାଏ। ଯେତେବେଳେ ଅଗ୍ନି ନିର୍ବାପନ ହୋଇଯାଏ, ଫାୟାର ଆଇକନ୍ ନାଲିରୁ ସବୁଜରେ ପରିବର୍ତ୍ତିତ ହୋଇଯାଏ।

  • ଚଳିତ ବର୍ଷ ୧୫ ହଜାର କିଲୋମିଟର ନୂଆ ଫାୟାର ଲାଇନ

ତେବେ ଜଙ୍ଗଲ ନିଆଁକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ୧୫ ହଜାର ୭୨୩ କିଲୋମିଟର ନୂଆ ଫାୟାର ଲାଇନ ସୃଷ୍ଟି କରାଯାଇଛି । ୧୬ ହଜାର ୬୩୦ କିଲୋମିଟର ପୁରୁଣା ଫାୟାର ଲାଇନର ମରାମତି କରାଯାଇଛି। ୩୩୪ ଟି ଅଗ୍ନି ସୁରକ୍ଷା ସ୍କ୍ୱାଡ୍ (Fire Protection squad) ଏବଂ ଯାନବାହନ ମୁତୟନ କରାଯାଇଛି। ୪ ହଜାର ୬୬୩ ଲିଫ ବ୍ଲୋୟର (Leaf Blower), ରେକ୍ ଏବଂ ଅଗ୍ନି ନିର୍ବାପନ ସୁରକ୍ଷା କିଟ୍ ଦିଆଯାଇଛି। ଜଙ୍ଗଲ ନିଆଁ ଆଲର୍ଟ ପାଇବାକୁ ପ୍ରାୟ ୬ ହଜାର ୭୦୦ ଫରେଷ୍ଟ ଗାର୍ଡ ଓ ଫରେଷ୍ଟରଙ୍କ ମୋବାଇଲ୍ ନମ୍ବର FSI ୱେବସାଇଟରେ ରେଜିଷ୍ଟର୍ କରାଯାଇଛି। ରାଜ୍ୟ ଏବଂ ବିଭାଗୀୟ ମୁଖ୍ୟାଳୟରେ ୨୪*୭ ଅଗ୍ନିନିୟନ୍ତ୍ରଣ କକ୍ଷ (Control Room) କାର୍ଯ୍ୟରତ ହେଉଛି।

  • ଫରେଷ୍ଟ ସର୍ଭେ ଅଫ ଇଣ୍ଡିଆ ୪ ବର୍ଷର ତଥ୍ୟ

୨୦୨୨ ମସିହାରେ ଜଙ୍ଗଲ ମଧ୍ୟରେ ୨୧ ହଜାର ୯୯୬ ସ୍ଥାନରେ ନିଆଁ ଲାଗିଥିବା ବେଳେ ଜଙ୍ଗଲ ବାହାରେ ୬ ହଜାର ୪୫୯ ସ୍ଥାନରେ ନିଆଁ ଲାଗିଥିବା ତଥ୍ୟ ମିଳିଛି । ଏହା ସହ ୨୮ ହଜାର ୭୫୫ ଟି ସ୍ଥାନରେ ନିଆଁ ଲାଗିଥିବା ଚିହ୍ନଟ କରାଯାଇଥିବା ବେଳେ ୨୬ ହଜାର ୩୪୮ ସ୍ଥାନରେ ନିଆଁକୁ ଆୟତ୍ତ କରାଯାଇଥିଲା । ଏବେ ନିଆଁକୁ ଆୟତ୍ତ କରିବାର ୯୧.୬୨ ପ୍ରତିଶତ ରହିଛି । ନିଆଁ ଲାଗିବା ଯୋଗୁଁ ୮୪୧୪.୫୫ ହେକ୍ଟର ଅଞ୍ଚଳ ପ୍ରଭାବିତ ହୋଇଛି । ସେହିପରି ୨୦୨୩ ମସିହାରେ ଜଙ୍ଗଲ ମଧ୍ୟରେ ୨୯ ହଜାର ୨୦୫ ସ୍ଥାନରେ ନିଆଁ ଲାଗିଥିବା ବେଳେ ଜଙ୍ଗଲ ବାହାରେ ୭ ହଜାର ୫୦୮ ସ୍ଥାନରେ ନିଆଁ ଲାଗିଥିଲା ତଥ୍ୟ ଦିଆଯାଇଛି । ଏହା ସହ ୩୬ ହଜାର ୭୧୩ ଟି ସ୍ଥାନରେ ନିଆଁ ଲାଗିଥିବା ଚିହ୍ନଟ କରାଯାଇଥିଲା । ସେଥିମଧ୍ୟରୁ ୩୬ ହଜାର ୩୨୧ ସ୍ଥାନରେ ନିଆଁକୁ ଆୟତ୍ତ କରାଯାଇଥିଲା । ୨୦୨୩ ରେ ନିଆଁକୁ ଆୟତ୍ତ କରିବା ୯୮.୯୩ ପ୍ରତିଶତ ରହିଥିବାବେଳେ ୯୫୫୦.୮୬ ହେକ୍ଟର ଅଞ୍ଚଳ ପ୍ରଭାବିତ ହୋଇଛି । ୨୦୨୪ ମସିହାରେ ଜଙ୍ଗଲ ମଧ୍ୟରେ ୧୭ ହଜାର ୧୪ ସ୍ଥାନରେ ନିଆଁ ଲାଗିଥିବା ବେଳେ ଜଙ୍ଗଲ ବାହାରେ ୫୮୫୪ ସ୍ଥାନରେ ନିଆଁ ଲାଗିଥିବା ତଥ୍ୟ ଦିଆଯାଇଛି । ୨୨ ହଜାର ୮୬୮ ସ୍ଥାନରେ ନିଆଁ ଲାଗିଥିବା ଚିହ୍ନଟ କରାଯାଇଛି । ସେଥିମଧ୍ୟରୁ ୨୨ ହଜାର ୮୩୭ ସ୍ଥାନରେ ନିଆଁକୁ ଆୟତ୍ତ କରାଯାଇଥିଲା। ନିଆଁକୁ ଆୟତ୍ତ କରିବା ୯୯. ୮୬ ପ୍ରତିଶତ ରହିଥିବାବେଳେ ୪୦୬୭.୦୫ ହେକ୍ଟର ଅଞ୍ଚଳ ପ୍ରଭାବିତ ହୋଇଛି।

ଏହା ମଧ୍ୟ ପଢନ୍ତୁ ଗାଁ ଆଡ଼କୁ ମାଡ଼ି ଆସୁଥିଲା ଜଙ୍ଗଲ ନିଆଁ, ଝାଡୁରେ ଲିଭାଇଲେ ଲିପିକା

ଏହା ମଧ୍ୟ ପଢନ୍ତୁ ହୁତୁହୁତୁ ହୋଇ ଜଳୁଛି ଜଙ୍ଗଲ, ବନାଗ୍ନି ଆଁରେ ଜଳିଗଲେ ମହିଳା