ଶିଶୁରୋଗ ବିଶେଷଜ୍ଞ ସୁବର୍ଣ୍ଣା ଦେବୀ, 27 ବର୍ଷ ଧରି ଆଦିବାସୀ ଓ ଗରିବ ଶିଶୁଙ୍କୁ ମାଗଣା ଚିକିତ୍ସା
85 ବର୍ଷୀୟା ଅବସରପ୍ରାପ୍ତ ଡାକ୍ତର ପି. ସୁବର୍ଣ୍ଣା ଦେବୀ । ଗଞ୍ଜାମ ଜିଲ୍ଲା ଗ୍ରାମାଞ୍ଚଳ ଆଦିବାସୀ ଏବଂ ଗରିବ ଶିଶୁଙ୍କ ମାଗଣା ଚିକିତ୍ସା ପାଇଁ ଗୋପାଳପୁରରେ ଖୋଲିଛନ୍ତି 'ଓ୍ବାନନେସ ଚିଲଡ୍ରେନ୍ସ କ୍ଲିନିକ' ।

Published : September 25, 2025 at 7:03 PM IST
|Updated : September 26, 2025 at 11:09 AM IST
ସ୍ପେଶାଲ ରିପୋର୍ଟ: ସମୀର କୁମାର ଆଚାର୍ଯ୍ୟ
ବ୍ରହ୍ମପୁର: ଯା ଦେବୀ ସର୍ବ ଭୂତେଷୁ ମାତୃରୂପେଣ ସଂସ୍ଥିତା... ଯେତେବେଳେ ମର୍ତ୍ତ୍ୟରେ ଅସହ୍ୟ ହୋଇପଡେ ଅତ୍ୟାଚାର, ଧରାବତରଣ କରନ୍ତି ମା ଦୁର୍ଗା । ମହିଷାସୁରକୁ ବଧ କରି ମର୍ତ୍ତ୍ୟରେ ଫେରାଇ ଆଣନ୍ତି ଶାନ୍ତି । ଅଧର୍ମ ଉପରେ ଉଡେ ଧର୍ମର ଧ୍ୱଜା । ମା'..କେତେବେଳେ ଶକ୍ତି ରୂପୀ ତ କେତେବେଳେ ମାତୃ ରୂପୀ । ଲକ୍ଷ୍ୟ କିନ୍ତୁ ଗୋଟିଏ । ଶାନ୍ତିର ବାର୍ତ୍ତା ବାଣ୍ଟିବା । ଏ ବି ଜଣେ ଦେବୀ ପି. ସୁବର୍ଣ୍ଣା ଦେବୀ… ମାତୃ ରୂପରେ ଆବିର୍ଭୂତା । ରୋଗ ରାକ୍ଷସ ସହ ଲଢୁଥିବା ପ୍ରତିଟି ଅଭାବୀ ପରିବାର ପାଇଁ ତାଙ୍କର ହୃଦୟ ଖୋଲା । ଯେଉଁଠି ରୋଗୀଣା ଶିଶୁ ସେଠି ପହଞ୍ଚି ଯାଏ ତାଙ୍କର ସହାୟତାର ହାତ । ଅସୁସ୍ଥ ଶିଶୁଙ୍କ ପାଇଁ ସେ କୌଣସି ଦେବୀଙ୍କଠାରୁ କମ ନୁହଁନ୍ତି ।
27 ବର୍ଷ ହେଲା ଶିଶୁଙ୍କ ମାଗଣା ଚିକିତ୍ସା କରୁଛନ୍ତି ପି.ସୁବର୍ଣ୍ଣା-
ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ପି.ସୁବର୍ଣ୍ଣା ଦେବୀ । ରାଜ୍ୟର ବିଭିନ୍ନ ହସ୍ପିଟାଲରେ ଶିଶୁ ରୋଗ ବିଶେଷଜ୍ଞ ଭାବରେ କାର୍ଯ୍ୟ କରିଛନ୍ତି । ବୟସ 85 ଛୁଇଁଲାଣି । କିନ୍ତୁ ସେ ଥକି ପଡିନାହାନ୍ତି... ଚାକିରିରୁ ଅବସର ପରେ ମଧ୍ୟ ନିଜର କର୍ତ୍ତବ୍ୟ ପ୍ରତି ଥିବା ଭଲ ପାଇବା ତାଙ୍କ ସେବା ମନବୃତ୍ତିକୁ ଆହୁରି ବଳ ଯୋଗାଇଥିଲା । ଗ୍ରାମାଞ୍ଚଳରେ ରହୁଥିବା କଅଁଳ ଶିଶୁଙ୍କ ସେବା ପାଇଁ ତାଙ୍କ ମନ, ହୃଦୟ, ହାତ ସବୁବେଳେ ତତ୍ପର । ଦୀର୍ଘ 27 ବର୍ଷ ହେଲା ସେ ଗ୍ରାମାଞ୍ଚଳରେ ରହୁଥିବା ଶିଶୁଙ୍କୁ ମାଗଣାରେ ସ୍ବାସ୍ଥ୍ୟ ସେବା ଯୋଗାଇ ଆସୁଛନ୍ତି । ଗଞ୍ଜାମ ଜିଲ୍ଲାର ଗୋପାଳପୁର ନିକଟବର୍ତ୍ତୀ ଏକ ଗ୍ରାମାଞ୍ଚଳରେ ଓ୍ବାନନେସ ଚିଲ୍ଡ୍ରେନ୍ସ (ONENESS CHILDRENS) କ୍ଲିନିକ ଖୋଲି ନିଶୁଳ୍କ ସେବା ଦେଉଛନ୍ତି ।
ଗ୍ରାମାଞ୍ଚଳରେ ଅବସର ଜୀବନ ବିତାଇବାକୁ ନେଇଥିଲେ ନିଷ୍ପତ୍ତି-
ବୟସର ଅପରାହ୍ନରେ ଅନେକ ବିଶ୍ରାମ ନେବା ସହ ବିଳାଶପୂର୍ଣ୍ଣ ଜୀବନ ବିତାଇବା ପାଇଁ ପସନ୍ଦ କରନ୍ତି, କେହି କେହି ନିଜ ମାଟି ଛାଡି ବାହାର ଦେଶ ତଥା ରାଜ୍ଯକୁ ଚାଲିଯାଆନ୍ତି । କିନ୍ତୁ ସେମାନଙ୍କ ଠାରୁ ଟିକିଏ ଭିନ୍ନ ସୁବର୍ଣ୍ଣା । ତାଙ୍କ କହିବା କଥା ସହରରେ ଅନେକ ଶିଶୁ ରୋଗ ବିଶେଷଜ୍ଞ ତଥା ଡାକ୍ତର ଉପଲ୍ଲବ୍ଧ ରହିବେ ହେଲେ ଗ୍ରାମାଞ୍ଚଳର ଖଣ୍ଡମଣ୍ଡଳରେ ଡାକ୍ତର ଟିଏ ପାଇବା କେତେ ଯେ କଷ୍ଟ ତାହା ସେ ହୃଦୟଙ୍ଗମ କରିଥିଲେ । ଏଥିପାଇଁ 1998ରେ ଚାକିରିରୁ ଅବସର ପରେ ମନରେ ଯୋଜନା କରିଥିଲେ ଗ୍ରାମାଞ୍ଚଳ ଜୀବନରେ ଅବସର ଜୀବନ ବିତାଇବା ସହିତ ଗରୀବ ଜନସାଧାରଣଙ୍କ ସେବା କରିବେ । ବାସ୍ ଏଭଳି କିଛି ନିଷ୍ପତ୍ତି ନେବା ପରେ ସେ ଆଉ ପଛକୁ ଫେରି ଚାହିଁନଥିଲେ । କ୍ଲିନିକ ଖୋଲି ନିଷ୍ପାପ ଶିଶୁ ମାନଙ୍କୁ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ଜାରି ରଖିଛନ୍ତି ନିଜସ୍ୱ ଉଦ୍ୟମ ।
ପି. ସୁବର୍ଣ୍ଣା କୁହନ୍ତି, "ପ୍ରଥମେ କ୍ୟାନସର ୱାର୍ଡ ପରେ ଶିଶୁ ଭବନରେ ନିଯୁକ୍ତି ପରେ କାର୍ଯ୍ୟ ଆରମ୍ଭ ହୋଇଥିଲା । ସେଠାରେ ଶିଶୁ ଚିକିତ୍ସା କ୍ଷେତ୍ରରେ ଏମ୍.ଡି ଶିକ୍ଷା ସହିତ ସେଠାରେ ହିଁ ଚାକିରି କରିଥିଲି । ପରେ ବୁର୍ଲା , କଟକ , ବ୍ରହ୍ମପୁର ଭଳି ରାଜ୍ୟର ତିନି ପ୍ରମୁଖ ମେଡିକାଲ କଲେଜରେ କାର୍ଯ୍ୟ କରିବାର ସୁଯୋଗ ମିଳିଥିଲା । ଆଉ ଶେଷରେ 1998 ମସିହାରେ ବ୍ରହ୍ମପୁର ମେଡିକାଲ କଲେଜରୁ ଅବସରଗ୍ରହଣ କରିଥିଲି । "
ସୁବର୍ଣ୍ଣାଙ୍କ ହାତ ବାଜିଲେ ସୁସ୍ଥ ହୋଇଯାଆନ୍ତି ଅସୁସ୍ଥ ଶିଶୁ-
ବୟସରେ ଅପରାହ୍ନରେ ପହଞ୍ଚିଛନ୍ତି ସୁବର୍ଣ୍ଣା । କିନ୍ତୁ ଥରେ ଆପ୍ରୋନ ପିନ୍ଧି ବେକରେ ଷ୍ଟେଥୋ ପକାଇବା ପରେ ସେ ନିଜ ବୟସ ଭୁଲି ଯାଆନ୍ତି । କଅଁଳ ଶିଶୁଙ୍କୁ ଦେଖିବା ମାତ୍ରେ ତାଙ୍କ ଚେହେରା ଖୁସିରେ ଭରି ଯାଏ, ମୁହଁ ଦେଖି ସେ ପଢିପାରନ୍ତି ଶିଶୁ ଶରୀରରେ ହେଉଥିବା ଯନ୍ତ୍ରଣା । ଜନ୍ମ ଦେଇଥିବା ମାଆ ପିଲା ପେଟର ଭୋକ ବୁଝିପାରେ କିନ୍ତୁ ସୁବର୍ଣ୍ଣା ତାର ଶରୀରର ଅସୁସ୍ଥତାକୁ ବୁଝି ପିଡାରୁ ଦୂର ପାଇଁ ଲେଖି ଦିଅନ୍ତି ଔଷଧ । ତାଙ୍କ ହାତ ବାଜିବା ମାତ୍ରେ ଅସୁସ୍ଥ ଶିଶୁ ସୁସ୍ଥ ହୋଇଯାଏ ।
ଗୋପାଳପୁର ବାସିନ୍ଦା ରବି କୁମାର କୁହନ୍ତି," ସେ ମାଗଣାରେ ଭଲ ସେବା କରୁଛନ୍ତି, ମାଆଙ୍କ ହାତ ବାଜିଲେ ଅସୁସ୍ଥ ପିଲା ସୁସ୍ଥ ହୋଇଯାଉଛନ୍ତି ।"
ଜନ୍ମ ପରେ ଶିଶୁର ଯତ୍ନ ପାଇଁ କରିଛନ୍ତି ସଚେତନ-

କେବଳ ଶିଶୁ ମାନଙ୍କୁ ଚିକିତ୍ସା ସେବା ଯୋଗାଇ ଦିଅନ୍ତି ତା ନୁହେଁ ବରଂ ଗର୍ଭବତୀ ମାଆ ମାନେ କିପରି ଗର୍ଭଧାରଣ ପର୍ଯ୍ୟନ୍ତ ନିଜର ଯତ୍ନ ନେବେ ଏବଂ ସନ୍ତାନ ପ୍ରସବ ପରେ ମାଆ ଏବଂ ଶିଶୁ କିପରି ସୁରକ୍ଷିତ ଭାବରେ ଜୀବନ ଧାରଣ କରିବେ ସେ ନେଇ ସଦାସର୍ବଦା ପରାମର୍ଶ ଦେଇ ଆସୁଛନ୍ତି ପି. ସୁବର୍ଣ୍ଣା ଦେବୀ । ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ପି.ସୁବର୍ଣ୍ଣା ଦେବୀଙ୍କ ଘର ଆନ୍ଧ୍ରପ୍ରଦେଶରେ । ବିବାହ ପରେ ସେ ବ୍ରହ୍ମପୁର ଆସିଥିଲେ । ସେଠାରେ ଅଣ୍ଡର ଗ୍ରାଜୁଏଟ ଶିକ୍ଷା ଶେଷ କରିବା ପରେ ଓଡ଼ିଶାର କଟକରେ ରାଜ୍ୟ ସରକାରଙ୍କ ନିଯୁକ୍ତି ପ୍ରକ୍ରିୟାରେ ସାମିଲ ହୋଇ ଶିଶୁରୋଗ ଚିକିତ୍ସା ଆରମ୍ଭ କରିଥିଲେ ।
ଶିଶୁଙ୍କ ଶରୀରରେ ଦେଖାଯାଉଥିଲା ରୋଗ ସମ୍ପର୍କରେ କରିଛନ୍ତି ଗବେଷଣା-
ଚାକିରି ଜୀବନରେ ଯେତିକି ଡାକ୍ତର ବିଦ୍ୟାର୍ଥୀଙ୍କୁ ନିଜର ପରାମର୍ଶ ଓ ଉପଦେଶ ଦେଇ ଶିକ୍ଷା ପ୍ରଦାନ କରିଛନ୍ତି ତାଠାରୁ ଅଧିକା ଗବେଷଣାତ୍ମକ କାର୍ଯ୍ୟ କରିଛନ୍ତି ସେ । ଉତ୍ତରପ୍ରଦେଶର କାନପୁର ଠାରେ C.S. I.R ଫେଲୋସିପ୍ ମାଧ୍ୟମରେ ଇଣ୍ଡିଆନ୍ ଚାଇଲ୍ଡ ହୁଡ୍ ସିରୋସିସ୍ ଭଳି ବହୁଳ ମାତ୍ରାରେ ଦେଖାଯାଉଥିବା ରୋଗ ସଂପର୍କରେ ଗବେଷଣାତ୍ମକ ତଥ୍ୟ ଉପସ୍ଥାପନା କରାଯିବା ସହିତ MKCG ରେ I.C.M.R ଅନ୍ୟ ଏକ ଗବେଷଣାତ୍ମକ କାର୍ଯ୍ୟ କରିଥିଲେ । ଏପରିକି ଅବସର ପରେ ୟୁନିସେଫରେ ଦୁଇରୁ ତିନି ବର୍ଷ ଧରି କନସଲଟେଣ୍ଟ ହୋଇ କାର୍ଯ୍ୟ କରିଥିବା କୁହନ୍ତି ।
ଶିଶୁ ମୃତ୍ୟୁହାର କମାଇବାକୁ ଉଦ୍ୟମ କରିଥିଲେ-

ସେହି ସମୟରେ ରାଜ୍ୟରେ ନବଜାତ ଶିଶୁର ମୃତ୍ୟୁହାର ଅଧିକା ରହିଥିଲା । ପ୍ରତି ଏକ ହଜାର ଶିଶୁ ମଧ୍ୟରେ 88 ଜଣ ରହିଥିଲେ । ସେଥି ମଧ୍ୟରୁ 60 ପ୍ରତିଶତ ଜନ୍ମରୁ ଏକ ମାସ ମଧ୍ୟରେ ଶିଶୁଙ୍କ ମୃତ୍ୟୁ ହାର ଦେଖିବାକୁ ମିଳୁଥିବା ଯୋଗୁଁ ତାହାକୁ ଦୃଷ୍ଟିରେ ରଖି ନାଲସ୍ ଆର୍ ମିଲସ୍ ବୋଲି ଏକ ପ୍ରକଳ୍ପ ଆରମ୍ଭ କରିଥିଲେ । ଶିଶୁଟି ଜନ୍ମ ହେବା ପରେ ତୁରନ୍ତ କିଛି ଶିଶୁ ଶ୍ୱାସ ନେଇପାରନ୍ତି ନାହିଁ । ସେହି କ୍ଷେତ୍ରରେ ତୁରନ୍ତ ସହୟତା ନକଲେ ସେହି ଶିଶୁର ମାନସିକ ସ୍ଥିତି ସଠିକ୍ ରହିବ ନାହିଁ, ତାହାକୁ ଡାକ୍ତର ଓ ବିଦ୍ୟାର୍ଥୀଙ୍କୁ ଅବଗତ କରିବା ଭଳି କାର୍ଯ୍ୟକୁ ଗୁରୁତର ସହିତ ନେଇଥିଲେ ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ପି.ସୁବର୍ଣ୍ଣା ଦେବୀ । ସେହି ସମୟରେ ମେଡିକାଲ କଲେଜର ଶିଶୁ ରୋଗ କ୍ଷେତ୍ରରେ ସେତେଟା ଗୁରୁତ୍ବ ଦିଆଯାଉନଥିଲା । ଯାହାକୁ ନେଇ ଏକ ପ୍ରକଳ୍ପ ମାଧ୍ୟମରେ ଆମେରିକା ଆସୋସିଏସନ୍ ଅଫ୍ ଫିଜିସିଆନ୍ ଅଫ୍ ଇଣ୍ଡିଆ ପ୍ରୋଜେକ୍ଟ ମିଳିଥିବା ଆଠ ହଜାର ଡଲାର ଅର୍ଥରେ ଏକ ଗାଡି କ୍ରୟ କରି ତାହାରି ମାଧ୍ୟମରେ ଗଞ୍ଜାମ ଏବଂ ଗଜପତି ଜିଲ୍ଲାର ପ୍ରତେକ ଗ୍ରାମାଞ୍ଚଳକୁ ପରିକ୍ରମା କରି ସମସ୍ତ ପି.ଏଚ୍.ସି ଠାରୁ ପ୍ରାଥମିକ ସ୍ୱାସ୍ଥକେନ୍ଦ୍ର ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନବ ଜାତଶିଶୁର ଯତ୍ନକୁ ନେଇ ବ୍ୟାପକ ତାଲିମ ସହିତ ସଚେତନତା କରିବା ସହିତ ଏହାକୁ ଯାଇ ବିଦେଶରେ ତାହାକୁ ଉପସ୍ଥାପନା କରିଥିଲେ ସୁବର୍ଣ୍ଣା ଦେବୀ ।
ଧାଇର ସାଥି ପାଇଁ ପୁସ୍ତକ ଲେଖିଥିଲେ-

'ମୁଁ ମୋର କାର୍ଯ୍ୟକୁ ଭଲ ପାଏ'

ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ପି .ସୁବର୍ଣ୍ଣା କୁହନ୍ତି," ମୁଁ ମୋର କାର୍ଯ୍ୟକୁ ଭଲ ପାଏ । ତେଣୁ ତ ଏପରି ନିଶୁଳ୍କ ଚିକିତ୍ସା ସେବା ଯୋଗାଇ ଆସୁଛି । ଗୋଟିଏ ପଟେ ନିଜର କର୍ତ୍ତବ୍ୟ ଭଲ ଲାଗୁଥିବା ବେଳେ ଅନ୍ୟପଟେ ଅବସରପରେ ମାସିକ ପେନସନ୍ ଆସୁଥିବା ଯୋଗୁଁ ରୋଗୀଙ୍କ ସେବା କରି ଅର୍ଥ ମାଗିବା ଆବଶ୍ୟକ ପଡୁନାହିଁ । ପରିବାର କହିଲେ ସ୍ୱାମୀ ଗତ କିଛି ବର୍ଷ ତଳେ ଆରପାରକୁ ଚାଲିଯାଇଥିବା ବେଳେ ଦୁଇ ପୁଅ ନିଯୁକ୍ତି ପାଇସାରିଥିବା ଯୋଗୁଁ ଅର୍ଥର ଆବଶ୍ୟକତା ନଥିବା ହୃଦବୋଧ କରି ଏପରି ନିଶୁଳ୍କ ସେବା କରି ନିଜକୁ ଆତ୍ମସନ୍ତୋଷ ମିଳୁଛି ।"
ସ୍ବାର୍ଥପର ଦୁନିଆରେ ନିଃସ୍ବାର୍ଥପର ସେବା ପାଇଁ ପରିଚିତ ସୁବର୍ଣ୍ଣା ଦେବୀ । ସେବା ପାଇଁ କୌଣସି ବୟସର ମାପ କାଠି ରଖିବା କଥା ନୁହଁ ବୋଲି ସେ ପ୍ରମାଣିତ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ସମାଜସେବାରେ ସମର୍ପିତ: ଶୋଷିଲାଙ୍କୁ ଜଳ, ଭୋକିଲାଙ୍କୁ ଭୋଜନ - MANORANJAN TRUE SOCIAL WORKER
ଏହା ମଧ୍ୟ ପଢନ୍ତୁ-ନିଃସ୍ବାର୍ଥପର ସେବାର ଅନ୍ୟ ନାମ ପଦ୍ମଶ୍ରୀ କେ.ଏମ୍ ପାଠୀ, 85 ବର୍ଷରେ ବି ଥକି ପଡିନାହାନ୍ତି
ଇଟିଭି ଭାରତ, ବ୍ରହ୍ମପୁର

