କଟକ: "ପିଲା ଦିନେ କଲମ ଧରି ପାରୁନଲେ । ବାପା ମାଡ ମାରୁଥିଲେ, ମାତ୍ର ମାଆ କଲମ ଧରିବା ଶିଖାଇଲେ। " ଯେଉଁ ହାତ କଲମ ଧରିବାକୁ ପୂରା ସକ୍ଷମ ନଥିଲା, ସେହି ହାତରେ ଉଚ୍ଚ ଶିକ୍ଷା ଲାଭ କରି ଏବେ ଅନ୍ୟମାନଙ୍କୁ ଶିକ୍ଷିତ କରାଉଛନ୍ତି । ଆମେ କହୁଛୁ ଜଣେ ସହକାରୀ ପ୍ରଫେସର (Assistant Professor)ଙ୍କ କଥା । ସରକାରୀ କଲେଜରେ ଅଧ୍ୟାପନା କରୁଥିବା ଏହି ଯୁବ ଅଧ୍ୟାପକ କିଏ ? କେମିତି ସଂଘର୍ଷରୁ ସଫଳତାର ପାହାଚ ଚଢି଼ଲେ ? ଆସନ୍ତୁ ଜାଣିବା ତାଙ୍କ ପୂରା କାାହଣୀ ।
ଜ୍ଞାନ ଦାସ । ଘର କୋନ୍ଦ୍ରାପଡ଼ା ଜିଲ୍ଲା ଜନରାବାରିମୁଲ । ପରିବାର କହିଲେ ବାପା, ମାଆ ଏବଂ ଦୁଇ ଭାଇ ଭଉଣୀ । ଘରର ବଡ଼ ପୁଅ ଜ୍ଞାନ । ହେଲେ ସେ ଜନ୍ମରୁ ଥିଲେ ଦିବ୍ୟାଙ୍ଗ । ଦୁଇ ହାତର ଲମ୍ବ 5ରୁ7 ଇଞ୍ଚ । ବାମ ହାତ କହୁଣିଠାରୁ ନଥିବା ବେଳେ, ଡାହାଣ ହାତରେ ପାପୁଲି ନଥିଲା । ଯାହାକୁ ନେଇ ଚିନ୍ତାରେ ଥିଲେ ବାପା ଗୋପାଳଚନ୍ଦ୍ର ଦାସ ଓ ମାଆ କନକ ଲତା । ପିଲାଟି ବେଳୁ କଲମ ଧରିପାରୁ ନଥିଲେ। ବାପା ଆକଟ କରୁଥିଲେ, ହେଲେ ମାଆ ଶିଖାଇ ଥିଲେ କଲମ ଧରା । ସେବେଠାରୁ ସେ ଆଉ ପଛକୁ ଚାହିଁନାହାନ୍ତି ଜ୍ଞାନ ।
'ଜୀବନ ସଂଘର୍ଷ ପୂର୍ଣ୍ଣ ଥିଲା, ହେଲେ ବିଶ୍ବାସ ହେଉନି'
ପିଲା ଦିନ କଥା ମନେ ପଡ଼ିଲେ ତାଙ୍କୁ ଦୁଃଖ ତ ଲାଗେ, ହେଲେ ଜ୍ଞାନ ହସି ହସି କୁହନ୍ତି "ଜୀବନ ସଂଘର୍ଷ ପୂର୍ଣ୍ଣ ରହିଥିଲା । ତେବେ ପଛକୁ ଫେରି ଦେଖିଲେ ଲାଗୁନି ମୋ ଜୀବନରେ ଏତିକି ସଂଘର୍ଷ ଥିଲା । ନିଜକୁ ବିଶ୍ବାସ କରିପାରେନି ଆଜି ମୁଁ ଏହି ଯାଗାରେ ପହଞ୍ଚି ପାରିଛି । ଭଗବାନଙ୍କ ଆଶୀର୍ବାଦ ଯୋଗୁଁ ସବୁ ସମ୍ଭବ ହୋଇଛି। "
2004ରେ ଜ୍ଞାନ, ଫାଷ୍ଟ ଡିଭିଜନରେ ପାସ କରିଥିଲେ ମାଟ୍ରିକ ଦଶମ ପରୀକ୍ଷା (Matric) । ପରେ ବାଣିଜ୍ୟରେ ଯୁକ୍ତ ଦୁଇ (Intermediate) । ତାପରେ ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ବାଣିଜ୍ୟରେ ସ୍ନାତକ ( Graduation) ଏବଂ ସ୍ନାତକୋତ୍ତର (Post Graduation) ଡିଗ୍ରୀ ହାସଲ । କଟକ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟରେ ଲ ପାସ ( LLB) କରିଥିଲେ । 2022ରେ ଉତ୍କଳ ବିଶ୍ବବିଦ୍ୟାଳରୁ ପିଏଚଡି (PHD) ସଂପୂର୍ଣ୍ଣ କରିଥିଲେ ।

ଗୋଟିଏ ପଟେ ଉଚ୍ଚ ଶିକ୍ଷା ଚାଲିଥିଲା, ଅନ୍ୟପଟେ ଏଣ୍ଟ୍ରାନ୍ସ ଦେଇ ଚାକିରି କରୁଥିଲେ । 2016ରେ ଷ୍ଟେଟ ସିଲେକସନ ବୋର୍ଡ (SSB) ପରୀକ୍ଷାରେ କୃତକାର୍ଯ୍ୟ ହୋଇ କେନ୍ଦ୍ରାପଡା ସ୍ଵୟଂ ଶାସିତ ମହାବିଦ୍ୟାଳୟରେ ବାଣିଜ୍ୟ ବିଭାଗ ଅଧ୍ୟାପକ ପଦବୀରେ ଚାକିରି ଆରମ୍ଭ କରିଥିଲେ । ପ୍ରାୟ 5 ବର୍ଷ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ବାଣିଜ୍ୟ ବିଭାଗରେ ବିଭାଗୀୟ ମୁଖ୍ୟ ଭାବରେ ଦାୟିତ୍ୱ ତୁଲାଇ ଥିଲେ । ପ୍ରାୟ ସାଢ଼େ 7 ବର୍ଷ ପରେ ସେ OPSC କ୍ଲିୟର କଲେ ଏବଂ କେନ୍ଦୁଝର ମହିଳା ମହାବିଦ୍ୟାଳୟରେ ସହକାରୀ ପ୍ରଫେସର ( Assistance Professor) ଭାବେ କାର୍ଯ୍ୟରତ ଅଛନ୍ତି ।

38 ବର୍ଷୀୟ ଜ୍ଞାନ ଦାସ । ଦିବ୍ୟାଙ୍ଗ ହେଲେ ବି ପାଠ ପଢ଼ାରେ ବେଶ ପାରଙ୍ଗମ । କଲେଜରେ ପାଠପଢ଼ା ବେଳେ, ବ୍ଲାକବୋର୍ଡରେ ହାତରେ ଚକ ଓ ମାର୍କର ଧରି ପିଲାଙ୍କୁ ପାଠ ମଧ୍ୟ ପଢ଼ାନ୍ତି ।
ନିଜ କାମ ନିଜେ କରିବାକୁ ଭଲପାଆନ୍ତି ଜ୍ଞାନ :
ଇଚ୍ଛା ଶକ୍ତି ଥିଲେ ସବୁ କାର୍ଯ୍ୟ ସମ୍ଭବ। ଏକଥାକୁ ପ୍ରମାଣ କରି ଦେଖାଇଛନ୍ତି ଜ୍ଞାନ । ନୋଟ ବୁକରେ ଲେଖିବା ହେଉ କିମ୍ବା ଲାପଟପ ଅପରେସନ, ସଠିକ ଭାବେ କରିପାରୁଛନ୍ତି । ଏହା ତ ଥିଲା ପାଠ ପଢ଼ିବା କିମ୍ବା ପଢ଼ାଇବା କଥା । ନିଜର ସମସ୍ତ କାମ ନିଜେ ହିଁ କରିପାରନ୍ତି ସେ । ପୋଷାକ ପିନ୍ଧିବା ହେଉ କମ୍ବା ପାଣି ପିଇବା । ପରିବା କାଟିବା ହେଉ କିମ୍ବା ରୋଷେଇ କରିବା କିମ୍ବା ଠାକୁର ପୂଜା । ଅନ୍ୟର ସାହାଯ୍ୟ ବିନା ସବୁକିଛି କରନ୍ତି ।

କୃତିମ ହାତ ଲଗାଇବାକୁ ଜ୍ଞାନଙ୍କୁ ଅନେକ ସ୍ଥାନରୁ ଅଫର ଆସିଥିଲା । ଏପରିକି କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଅନୁରୋଧ ଆସିଥିଲା । ମାତ୍ର ସେ କେବେ ଏହାକୁ ଗ୍ରହଣ କରି ନଥିଲେ । ଜ୍ଞାନଙ୍କ ଯୁକ୍ତି, 'ଭଗବାନ ଯାହା ଦେଇଛନ୍ତି ତାହାକୁ ବ୍ୟବହାର କରି, ଚଳିବା ଉଚିତ।' କୃତ୍ରିମ ହାତ ଲଗାଇଲେ ଭଲ ଭାବରେ କୌଣସି କାମ କରିପାରିବେ ନାହିଁ ବୋଲି ସେ ଅନୁଭବ କରନ୍ତି । ତେବେ ଅନ୍ୟମାନଙ୍କ ପରି, ନିଜର ହାତ ନଥିବାକୁ ନେଇ ସେ କେବେ ବି ମନ ଦୁଃଖ କରି ନାହାନ୍ତି । ଭିନ୍ନକ୍ଷମ ପାଇଁ ସେ କେବେ ପରିହାସର ଶିକାର ମଧ୍ୟ ହୋଇନାହାନ୍ତି ।

ଜୀବନସାଥିକୁ ନେଇ ଏମିତି କହିଲେ ଜ୍ଞାନ:
ଚାକିରି କରିଛନ୍ତି, ବିବାହ ବୟସ ମଧ୍ୟ ହୋଇଯାଇଛି । ହେଲେ ଏବେ ବି ବ୍ୟାଚଲର । ଜ୍ଞାନଙ୍କ ବିଚାରରେ ' ପତ୍ନୀ ଏମିତିଆ ହେବା ଉଚିତ ଯିଏ ମନର କଥା ବୁଝି ପାରୁଥିବେ ଓ ଯାହା ମୁଁ କରିପାରୁନି ତାହା ସେ କରିପାରୁଥିବେ । ହୁଏତ ଭଗବାନ ଆଉ ଏକ ପରୀକ୍ଷା କରି ପାରନ୍ତି। '

ଜ୍ଞାନ ଯେଉଁ କାର୍ଯ୍ୟରେ ହାତ ମାରିଛନ୍ତି ତାହା ସଫଳ:
କେନ୍ଦୁଝରରେ ରୁହନ୍ତି ଜ୍ଞାନ। କଲେଜ ଛୁଟି ବେଳେ ପରିବାର ସହ କଟକରେ ସମୟ କାଟନ୍ତି । ସାନ ଭଉଣୀ ଉତ୍କଳିକା ଦାସ କହିଛନ୍ତି, " ଭାଇ ପାଇଁ ପୂରା ପରିବାର ଗର୍ବିତ। ପିଲାଟି ଦିନରୁ ଭାଇ , କେଉଁଠି ବି ହାରିନାହିଁ। ତାର ଦୃଢ଼ ଇଚ୍ଛାଶକ୍ତି ପାଇଁ ସେ ସବୁବେଳେ ବିଜୟୀ ହୋଇଛି । ସେ ଯେଉଁ କାମ କରେ ନିଜେ କରେ। କାହା ଉପରେ ସେ ନିର୍ଭରଶୀଳ ହୁଏ ନାହିଁ । ଏପରିକି ସେ ଚାଲି ଚାଲି ଗଲେ ବି କେହି ଯଦି ଲିଫ୍ଟ ଅଫର କରନ୍ତି ମାତ୍ର ଭାଇ ମନା କରି ଦିଏ । ଭଗବାନ ତାକୁ ଦୁଇ ହାତ ଦେଇଥିଲେ ସେ ଆହୁରି ଭଲ କରିଥାନ୍ତା ।"
ଅକ୍ଷମତା ଯେ ଏକ ବାଧା ବା ପ୍ରତିବନ୍ଧକ ନୁୁହେଁ, ତାହା ପ୍ରମାଣିତ କରିଛି ଜ୍ଞାନ ଦାସଙ୍କ ଦୃଢ଼ ଇଚ୍ଛାଶକ୍ତିର ବିଜୟ କଥା । ...
