ଭୁବନେଶ୍ୱର: ଭୁବନେଶ୍ୱରରୁ ଏବେ ଆବୁଧାବିକୁ ସିଧାସଳଖ ଉଡିବାକୁ ଯାଉଛି ବିମାନ । ସଂଯୁକ୍ତ ଆରବ ଏମିରେଟ୍ସର ରାଜଧାନୀ ଆବୁଧାବିକୁ ଭୁବନେଶ୍ୱରରୁ ସିଧାସଳକ ବିମାନ ଯାତ୍ରା କରିବାର ସୁବିଧା ପାଇବେ ଯାତ୍ରୀ । ତେବେ ଏହି ଯାତ୍ରା କେବେ ଠୁ ଆରମ୍ଭ ହେବାକୁ ଯାଉଛି ଏବଂ ଏଥିପାଇଁ ଟିକେଟ ଦାମ କେତେ ଟଙ୍କା ରହିଛି ଆସନ୍ତୁ ଜାଣିବା ।
ଏହି ଦିନ ଓଡ଼ିଶାରୁ ଆବୁଧାବିକୁ ବିମାନ ଉଡାଣ:
ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦର ଏକ ଓଡିଶାର ପ୍ରମୁଖ ଆଉ ଗୁରୁତ୍ୱପୂର୍ଣ୍ଣ ବିମାନ ବନ୍ଦର । ଯାହା ରାଜ୍ୟର ଏକ ମାତ୍ର ଆନ୍ତର୍ଜାତୀୟ ବିମାନ ବନ୍ଦର । ଚଳିତ ବର୍ଷ ଜୁନ୍ ୧୨ ତାରିଖରୁ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦର ଆବୁଧାବିକୁ ସିଧାସଳଖ ବିମାନ ଉଡ଼ାଣ ଆରମ୍ଭ କରିବାକୁ ଯାଉଛି । ଏହାର ଭଡ଼ା ୧୨ ହଜାର ଟଙ୍କାରୁ ଆରମ୍ଭ ହୋଇଥିବା ବେଳେ ବିମାନଟି ସାପ୍ତାହିକ ଉଡ଼ାଣ କରିବ ବୋଲି ଆଶା କରାଯାଉଛି । ଏକ ପାଖିଆ ବିମାନ ଉଡାଣ ପାଇଁ ଯାତ୍ରୀଙ୍କୁ ୧୨ ହଜାର ଟଙ୍କାରୁ ଅଧିକ ମୂଲ୍ୟ ଦେବାକୁ ପଡିବ । ସକାଳ ୯.୩୫ ମିନିଟରୁ ବିମାନ ଆବୁଧାବି ଅଭିମୁଖେ ଉଡାଣ କରିବ, ୧୨.୩୫ ମିନିଟରେ ଏହା ସେଠାରେ ପହଞ୍ଚିବା ନେଇ ପ୍ରାଥମିକ ସୂଚନା ମିଳିଛି ।

ଆଉ କେଉଁ ଦେଶକୁ ଭୁବନେଶ୍ଵରରୁ ସିଧାସଳଖ ଯାଇପାରିବେ ?
ଭୁବନେଶ୍ଵରରେ ସ୍ଥିତ ବିଜୁ ପଟ୍ଟନାୟକ ବିମାନବନ୍ଦର, ଏକ ଆନ୍ତର୍ଜାତୀୟ ବିମାନବନ୍ଦର ଭାବରେ ରାଜ୍ୟ ପାଇଁ ଏକ ମାଇଲଖୁଣ୍ଟ ଭାବରେ କାର୍ଯ୍ୟ କରିଆସୁଛି । ଯାହା ରାଜ୍ୟକୁ ଆନ୍ତର୍ଜାତୀକ ରାଷ୍ଟ୍ରଙ୍କ ସହ ସଂଯୋଗୀକରଣରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି । ତେବେ ଚଳିତ ମାସରେ ଭୁବନେଶ୍ବରରୁ ଆବୁଧାବିକୁ ପ୍ରଥମ ବିମାନ ଉଡାଣ କରୁଥିବା ବେଳେ ଭୁବନେଶ୍ୱରରୁ ଚାରୋଟି ପ୍ରମୁଖ ଦେଶକୁ ସିଧାସଳଖ ବିମାନ ସଂଯୋଗ ରହିଛି ।

ଯେପରିକି ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରୁ ବିଦେଶର ଅନେକ ସ୍ଥାନକୁ ସିଧାସଳଖ ଭାବରେ ବିମାନ ସେବା ଯୋଗାଇ ଦିଆଯାଇଛି । ଭୁବନେଶ୍ବରରୁ - ବ୍ୟାଙ୍କଂ, ଭୁବନେଶ୍ବରରୁ - ଦୁବାଇ, ଭୁବନେଶ୍ୱରରୁ - ସିଙ୍ଗାପୁର, ଭୁବନେଶ୍ବରରୁ - କ୍ବାଲାଲମ୍ପପୁର । ଚଳିତ ମାସ ଠାରୁ ଭୁବନେଶ୍ବରରୁ - ଆବୁଧାବିକୁ ସିଧାସଳଖ ଭାବରେ ବିମାନ ଉଡାଣ କରିବ ବୋଲି ସୂଚନା ମିଳିଛି । ତେବେ ଭୁବନେଶ୍ବରରୁ ଆବୁଧାବିକୁ ଉଡାଣ ନିମନ୍ତେ ଖୁବ ଶୀଘ୍ର ସଂପୂର୍ଣ୍ଣ ବିବରଣୀ ଭୁବନେଶ୍ଵର ବିମାନ ବନ୍ଦର ପକ୍ଷରୁ ପ୍ରକାଶ କରାଯିବ ।

ଏହା ମଧ୍ୟ ପଢନ୍ତୁ : ନୂଆବର୍ଷରୁ ନୂଆ ସେବା, ଭୁବନେଶ୍ବରରୁ ୫ଟି ଓ ଝାରସୁଗୁଡାରୁ 4ଟି ନୂଆ ସହରକୁ ଉଡାଣ ଆରମ୍ଭ ବିମାନ ବନ୍ଦରରେ ଆତଙ୍କୀ ହାମଲା ମକଡ୍ରିଲ୍, ଟର୍ମିନାଲରେ ଟଳିଲେ ଦୁଇ ଆତଙ୍କବାଦୀ ! |
ଦେଶ ମଧ୍ୟରେ କିଛି ନୂଆ ସ୍ଥାନକୁ ଉଡାଣ କରୁଛି ବିମାନ:
ଭୁବନେଶ୍ୱରରୁ ଗାଜିଆବାଦ, ଭୁବନେଶ୍ବରରୁ ପୋର୍ଟ ବ୍ଲେୟାର ଏବଂ ଭୁବନେଶ୍ବରରୁ ଗୋଆକୁ ସିଧାସଳଖ ବିମାନ ଚଳାଚଳ ଆରମ୍ଭ ହୋଇଛି । ଭୁବନେଶ୍ବର ବିମାନବନ୍ଦରରୁ ଦେଶ ମଧ୍ୟରେ ମୋଟ ୨୮ ଟି ସ୍ଥାନକୁ ବିମାନ ସଂଯୋଗ ରହିଛି । ପ୍ରତିଦିନ ଭୁବନେଶ୍ଵର ବିମାନବନ୍ଦରକୁ ପାଖାପାଖି ୫୫ ଟି ବିମାନ ଆଗମନ ଏବଂ ପ୍ରସ୍ଥାନ କରୁଛନ୍ତି । ଯେଉଁଥିରେ ପ୍ରତ୍ଯେକ ଦିନ ୭ ହଜାରୁ ୮ ହଜାର ମଧ୍ୟରେ ଯାତ୍ରୀ ଆଗମନ ଏବଂ ପ୍ରସ୍ଥାନ କରୁଛନ୍ତି ।

ଇଟିଭି ଭାରତ, ଭୁବନେଶ୍ୱର