ଯାଜପୁର: ଯାଜପୁର ଜିଲ୍ଲାରେ ବ୍ୟାପୁଛି ଝାଡ଼ାବନ୍ତି । ଘରେ ଘରେ ଝାଡାବାନ୍ତିର ଶିକାର ହେଉଛନ୍ତି ଲୋକେ । ପାଖାପାଖି 4ଟି ବ୍ଲକ କୋରେଇ, ଧର୍ମଶାଳା,ରସୁଲପୁର ଓ ବ୍ୟାସନଗର ପୌର ପରିଷଦ ଅଞ୍ଚଳ ରେ 200ରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଅଛନ୍ତି । ବ୍ୟାସନଗର ପୌରାଞ୍ଚଳରେ ସର୍ବାଧିକ 65 ଜଣ ଆକ୍ରାନ୍ତ ଥିବା ବେଳେ କୋରେଇ ବ୍ଲକରେ ସର୍ବନିମ୍ନ 7 ଜଣ ଆକ୍ରାନ୍ତ ଥିବା ସୂଚନା ମିଳିଛି l
ଯାଜପୁର ଜିଲ୍ଲାର 4ଟି ବ୍ଲକରେ ବ୍ୟାପୁଛି ଝାଡ଼ାବନ୍ତି, ଝାଡ଼ାବାନ୍ତିର କାରଣ ପାଣିପାଗର ପରିବର୍ତ୍ତନ
ଗତ ଦୁଇଦିନ ଭିତରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଅଚାନକ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି । ଧର୍ମଶାଳା ମେଡ଼ିକାଲରେ ଏବେ ପାଖାପାଖି ୪୦ ଜଣ ଝାଡ଼ାବାନ୍ତିରେ ଚିକିତ୍ସିତ ଅବସ୍ଥାରେ ଅଛନ୍ତି । ତେବେ ମେଡିକାଲ୍ରେ ରୋଗୀଙ୍କୁ ଠିକ୍ ଭାବେ ଚିକିତ୍ସା ମିଳୁନଥିବା ଅଭିଯୋଗ ହୋଇଛି । ରୋଗୀ ତଳେ ଶୋଇ ଚିକିତ୍ସିତ ହେଉଥିବାର ଅଭାବନୀୟ ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି । ଏନେଇ ଖବର ପାଇ ଯାଜପୁର ସିଡିଏମ୍ଓ ପ୍ରକାଶ ଚନ୍ଦ୍ର ବଳ ଧର୍ମଶାଳା ଓ ଯାଜପୁର ରୋଡ ମେଡିକାଲ ପରିଦର୍ଶନ କରିଥିଲେ ଏବଂ ରୋଗୀଙ୍କୁ ଭଲ ଚିକିତ୍ସା ଦିଆଯିବା ଉପରେ ଗୁରୁତ୍ୱ ଦେବା ନେଇ ପ୍ରତିଶ୍ରୁତି ଦେଇଥିଲେ । ଅଚାନକ ପାଣିପାଗର ପରିବର୍ତ୍ତନ ଝାଡ଼ାବାନ୍ତିର କାରଣ ବୋଲି କହିଛନ୍ତି ଯାଜପୁର ସିଡିଏମ୍ଓ l
ଯାଜପୁର ରୋଡ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ଥିତି ଅନୁଧ୍ୟାନ କଲେ କୋରେଇ ବିଧାୟକ:
ସେପଟେ ଏହି ଖବର ପାଇ କୋରେଇ ବିଧାୟକ ଆକାଶ ଦାସନାୟକ, ପୂର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ ଯାଜପୁର ରୋଡ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି l ତେବେ ଧୀରେ ଧୀରେ ଜିଲ୍ଲାର 4ଟି ବ୍ଲକରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏହାଉପରେ ରୋକ ଦେବା ପାଇଁ ସ୍ୱତନ୍ତ୍ର ଡାକ୍ତରୀ ଟିମ ଗଠନ କରାଯାଇଥିବା ସିଡିଏମଓ କହିଛନ୍ତି l ସେପଟେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗୁରୁତର ହେଇଥିବା ରୋଗୀଙ୍କୁ କଟକ ଓ ଯାଜପୁର ଟାଉନ ମୁଖ୍ୟ ଚିକିତ୍ସାଳୟ ପଠା ଯାଇଥିବା ସୂଚନା ମିଳିଛି l
ଇଟିଭି ଭାରତ, ଯାଜପୁର