Potato Price Drop, Demand Cold Storage ଢେଙ୍କାନାଳ: ହାଣ୍ଡିଶାଳରେ ପ୍ରଥମେ ଖୋଜାପଡେ ଆଳୁ । ଆଳୁ ବିନା ଯେମିତି ରୋଷେଇ ଅଧୁରା । କେତେବେଳେ ତାଉ ଦେଖାଏ ଆଳୁ ତ କେତେବେଳେ ପାଲଟେ ଅଲୋଡା । ଏମିତିକି ଆଳୁ କି ନେଇ ଓଡ଼ିଶା-ପଡୋଶୀ ରାଜ୍ୟ ମଧ୍ୟରେ ଦେଖିବାକୁ ମିଳିଛି ବାକ୍ ଯୁଦ୍ଧ । ଢେଙ୍କାନାଳ ଜିଲ୍ଲାରେ ଏବେ ଆଳୁ ଯେମିତି ଏକ ପ୍ରକାର ଅଲୋଡା ପାଲଟିଛି । ଶୀତଳ ଭଣ୍ଡାର ନଥିବାରୁ ଷଢୁଛି ଆଳୁ । ଅଭାବୀ ବିକ୍ରିର ଶିକାର ହେଉଛନ୍ତି ଚାଷୀ । କାହିଁକି ଏପରି ପରିସ୍ଥିତି ଉତ୍ପନ୍ନ ହୋଇଛି ? ଜାଣନ୍ତୁ ଏହି ରିପୋର୍ଟରୁ ।
ଜିଲ୍ଲାରେ କେତେ ଆଳୁ ଚାଷ ହୋଇଛି ?
ଢେଙ୍କାନାଳ ଜିଲ୍ଲାରେ ପ୍ରାୟ 600 ଏକର ପାଖାପାଖି ଲାଗିଛି ଅର୍ଥାତ 60 ହଜାର କୁଇଣ୍ଟାଲ ଆଳୁ ଉତ୍ପାଦନ ହୋଇଛି ।
ମୂଲ ପାଉନି ଆଳୁ ଚାଷୀ:
ଆଳୁକୁ ନେଇ ରାଜ୍ୟରେ ସବୁବେଳେ ଚର୍ଚ୍ଚା । ଏକଦା ଆଳୁର ଉତ୍କଟ ଅଭାବ ଯୋଗୁଁ ବିଚରା ଖାଉଟି ହନ୍ତସନ୍ତ ହେଉଥିଲେ । ମାତ୍ର ଏପଟେ ଆଳୁର ଅଭାବୀ ବିକ୍ରୀ ଯୋଗୁଁ ଚାଷୀକୂଳ ହତାସ ହୋଇପଡିଛନ୍ତି । ଯାହା ଫଳରେ ବିକ୍ରି ହୋଇ ନପାରି କୁଇଣ୍ଟାଲ କୁଇଣ୍ଟାଲ ଆଳୁ ପଚି ଯାଉଛି । ଯାହାକୁ ନେଇ ଆଳୁଚାଷୀ ହତାସ ହୋଇପଡୁଛନ୍ତି । ଖୋଦ ରାଜ୍ୟ ଯୋଗାଣ ମନ୍ତ୍ରୀଙ୍କ ଜିଲ୍ଲା ଢେଙ୍କାନାଳର ଜିଲ୍ଲାରେ ଏପରି ସ୍ଥିତି ଉପୁଜିଛି ।

ଆଳୁ ରଖିବେ କେଉଁଠି ?
ଗତ କିଛି ମାସ ପୂର୍ବେ ଆଳୁ କିଲୋ ପିଛା ଅନ୍ୟୁନ ୬୦/୭୦ଟଙ୍କା ଏପରିକି ଆଳୁ ପରିବା ବଜାରରେ ସ୍ୱପ୍ନ ପାଲଟି ଯାଇଥିଲା । ଏବେ କିନ୍ତୁ କିଲୋ ପିଛା 10 ଟଙ୍କାରେ ବିକ୍ରି ହେଉଛି । ଯାହାକୁ ନେଇ ଚିନ୍ତାରେ ପଡିଯାଇଛନ୍ତି ଚାଷୀ । ଏକଦା ରାଜ୍ୟରେ ଆଳୁର ଏପରି ଉତ୍କଟ ଅଭାବ ସାଧାରଣ ଖାଉଟିଙ୍କ ମୁଣ୍ଡବ୍ୟଥାର କାରଣ ହୋଇପଡିଥିଲା । ମାତ୍ର ଏପଟେ ପଚି ଯାଉଛି କୁଇଣ୍ଟାଲ କୁଇଣ୍ଟାଲ ଆଳୁ । ହତାସ ହୋଇପଡିଛନ୍ତି ଆଳୁ ଚାଷୀ । ଚାଷୀଙ୍କ ଚିନ୍ତା, ବିଲରୁ ଆମଦାନୀ ବସ୍ତା ବସ୍ତା ଆଳୁ ରଖିବେ କେଉଁଠି ?
ଢେଙ୍କାନାଳରୁ ବିଭିନ୍ନ ଅଞ୍ଚଳରୁ ଆସୁଛି ଚାଷୀଙ୍କ ଅଭିଯୋଗ:
ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ବ୍ଲକର ଗନ୍ଦିଆ,ବଣିଆ ପଡା, ପୁରୁହଖୋଜ, ସନ୍ଥପୁର ଆଦି ଅଞ୍ଚଳର ଆଳୁ ଚାଷୀ ମାନେ ହଜାର ହଜାର ଟଙ୍କା ଖର୍ଚ୍ଚ କରିବା ସହିତ ନିଜର ମୁଣ୍ଡ ଝାଳ ତୁଣ୍ଡରେ ମାରି ଆଳୁ ଚାଷ କରିଥିଲେ । ଆମଦାନୀ ପରେ ବେପାରୀ କିଲୋ ପିଛା ମାତ୍ର ୧୦ଟଙ୍କା ଦର କହୁଥିବାରୁ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛନ୍ତି ।
ଶୀତଳ ଭଣ୍ଡାର ନାହିଁ, ପଚୁଛି ଆଳୁ:
ସେପଟେ ଜିଲ୍ଲାରେ ସଂରକ୍ଷଣ ପାଇଁ ବିକଳ୍ପ ଶୀତଳ ଭଣ୍ଡାର ନାହିଁ । ଫଳରେ ଆଖି ଆଗରେ ନିଜର ଝାଳବୁହା ପରିଶ୍ରମ ଫଳ ଏପରି ପଚି ଷଢି ନଷ୍ଟ ହୋଇଯାଉଥିବା ଆଳୁ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗିଦେଇଛି । ତେବେ ନଈ ବଢ଼ିରୁ କୁଟାଖିଏ ମିଳିଯିବା ଲୋଭରେ ବାଧ୍ୟ ହୋଇ କିଛି ଚାଷୀ ଗନ୍ଦିଆ ଫାର୍ମର ପ୍ରଦ୍ୟୁସର କମ୍ପାନୀ ନାମକ ଏକ ଫାର୍ମର ପ୍ରମୋଟରକୁ ବାଧ୍ୟ ହୋଇ ଆଶ୍ରା କରିଛନ୍ତି । ଆଉ କୁଇଣ୍ଟାଲ ପିଛା ୨୭୦ଟଙ୍କା ସାଙ୍ଗକୁ ନିଜ ହାତରୁ ଗାଡି ଭଡା ଖର୍ଚ୍ଚ କରି ଜଗତପୁରର ଏକ ଘରୋଇ ଶୀତଳ ଭଣ୍ଡାରକୁ ଆଳୁ ନେଇ ରଖୁଛନ୍ତି l

ଶୀତଳ ଭଣ୍ଡାରରେ ଥିଲେ ଆମେ ଉପକୃତ ହୋଇଥାନ୍ତୁ:
ଗନ୍ଦିଆ ପୁରୁହଖୋଜ ଗ୍ରାମର ଆଳୁ ଚାଷୀ ସୁଶାନ୍ତ କୁମାର ସାହୁ କହିଛନ୍ତି, ‘ବିଗତ ଦିନରେ ଆଳୁର ଚାହିଦାକୁ ଦେଖି ଗୋଟେ ଏକର ଆଳୁ ଚାଷ କରିଥିଲି । ସରକାରଙ୍କ ଠାରୁ ଆଳୁ ବିହନ ଆଣି ଆଳୁ ଚାଷ କରିଥିଲି । ଏହି ଆଳୁ ଚାଷରେ ୪୦ ରୁ ୪୫ହଜାର ଟଙ୍କା ଖର୍ଚ୍ଚ କରିଛୁ । ଭଲ ଅମଳ ମଧ୍ଯ ହୋଇଥଲା l ଆଳୁର ଚାହିଦା ନଥିବାରୁ ବେପାରୀ ଜୁଟିଲେ ନାହିଁ l ଦୈନିକ ୩୦ରୁ ୪୦ କେଜି ଆଳୁ ପଚିବାକୁ ଲାଗୁଛି । ଆମ ଅଞ୍ଚଳରେ ଶୀତଳ ଭଣ୍ଡାର ଥିଲେ ଆମକୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ି ନଥାନ୍ତା l ଆମେ ବାଧ୍ୟ ହୋଇ ଜଗତପୁର ଶୀତଳ ଭଣ୍ଡାର ଉପରେ ନିର୍ଭର କରୁଛୁ l ତେଣୁ ଆମ ଜିଲ୍ଲାରେ ଶୀତଳ ଭଣ୍ଡାର ବ୍ୟବସ୍ଥା କରାଗଲେ ଆମେ ଚାଷୀମାନେ ଉପକୃତ ହେବୁ l’
ଘୋଡା ଛ’କୁ ଦାନା ନ’:
ବଣିଆ ପଡା ଗ୍ରାମର ଆଳୁ ଚାଷୀ ତ୍ରିନାଥ ପାଣିଗ୍ରାହୀ କହିଛନ୍ତି, ‘କେବଳ ଗନ୍ଦିଆ ଅଞ୍ଚଳ ନୁହେଁ । ଜିଲ୍ଲାର ସଦର, କାମାକ୍ଷାନଗର, ଓଡାପଡା, ଭୁବନ ଓ ପରଜଙ୍ଗ ଆଦି ପ୍ରାୟ ଜିଲ୍ଲାର ସମସ୍ତ ଅଞ୍ଚଳର ଆଳୁ ଚାଷୀଙ୍କ ଅବସ୍ଥା ଏପରି ସଙ୍ଗୀନ ହୋଇପଡିଛି । ଆଳୁ ସଙ୍କଟ ଦୂର କରିବାକୁ ସରକାର ଓ ବିଭାଗୀୟ ଯୋଗାଣ ମନ୍ତ୍ରୀ ରାଜ୍ୟର ସମସ୍ତ ବ୍ଲକରେ ଶୀତଳ ଭଣ୍ଡାର କରି ଦିଆଯିବ । ଚାଷୀ ମାନଙ୍କୁ ଆଳୁ ବିହନ ଯୋଗାଇ ଦିଆଯାଇଛି ଆଳୁ ପ୍ରଚୁର ହେବ । ଆଉ ଆଳୁ ଅଭାବ ହେବ ନାହିଁ । ଆଉ ଚାଷୀ ମାନେ ଆଳୁ ଚାଷ କରନ୍ତୁ କହି ବାହାସ୍ପୋଟ ମାରିଲେ । ମାତ୍ର ବିଲରୁ ଆମଦାନୀ କରିଥିବା ଆଳୁକୁ ସଂରକ୍ଷିତ କିପରି ହେବ ସେକଥା ଭୁଲିଗଲେ ବିଭାଗୀୟ ଯୋଗାଣ ମନ୍ତ୍ରୀ । ଆଉ ଏବେ ଆଳୁ ଚାଷ କରି ଘୋଡା ଛଅ ଟଙ୍କାକୁ ଦାନା ନଅ ଟଙ୍କା ଭଳି ଚାଷୀ ମାନେ ଫସି ଯାଇଛନ୍ତି ।’

ବେପାରୀ ଆସୁନାହାନ୍ତି ପଚୁଛି ଆଳୁ:
ଗନ୍ଦିଆ ଫାର୍ମର ପ୍ରଡ୍ୟୁସର କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ରବିନ ସନ୍ ସାହୁ କହିଛନ୍ତି, ‘ଆମେ ଆଳୁ ମିଶନ ପାଇ କାମ କରୁଛୁ l ଚାଷୀ ମାନଙ୍କୁ ଆଳୁ ବିହନ ଯୋଗାଇ ଦିଆଯାଇଥିଲା l ପ୍ରଚୁର ପରିମାଣରେ ଆଳୁ ଚାଷ କରିଛନ୍ତି l ଭଲ ଆଳୁ ଚାଷ ମଧ୍ଯ ହୋଇଛି । ବେପାରୀ କେହି ଆସୁନଥିବାରୁ ଆଳୁ ପ୍ରଚୁର ପରିମାଣରେ ପଚୁଛି l ଶୀତଳ ଭଣ୍ଡାର ନଥିବାରୁ ଚାଷୀମାନେ ଆଳୁକୁ ସଂରକ୍ଷିତ କରି ରଖିପାରୁନାହାନ୍ତି । ସରକାର ଯଦି ଏଠାରେ ଶୀତଳ ଭଣ୍ଡାର କରନ୍ତେ ତାହେଲେ ଚାଷୀମାନେ ହତାଶ ହେବେ ନାହିଁ l’
ଶୀତଳ ଭଣ୍ଡାର ପାଇଁ ଜମି ଚିହ୍ନଟ:
ଢେଙ୍କାନାଳ ଜିଲ୍ଲା ଉଦ୍ୟାନ କୃଷି ବିଭାଗର ଉପନିର୍ଦ୍ଦେଶିକା ଗୀତାଶ୍ରୀ ପାଢ଼ୀ କହିଛନ୍ତି, ‘ପ୍ରତ୍ୟେକ ସବଡିଭିଜନରେ ଶୀତଳ ଭଣ୍ଡାର ହେବ । ସଦରରେ ଏକ ଜାଗା ଚିହ୍ନଟ ହୋଇସାରିଛି । ହିନ୍ଦୋଳ ଓ କାମାକ୍ଷାନଗରରେ ସ୍ଥାନ ଚିହ୍ନଟ ହୋଇଛି । 3ଟି ସ୍ଥାନରେ ଜାଗା ଚିହ୍ନଟ ହୋଇଥିବା ବେଳେ ସରକାରୀ ସ୍ତରରେ ଏହି ଶୀତଳ ଭଣ୍ଡାର ଗୁଡିକ ହେବ ।

ସଠିକ୍ ସମୟରେ ଯୋଗା ଯାଇଥିଲା ଆଳୁ ବିହନ:
ଉପନିର୍ଦ୍ଦେଶିକା ଗୀତାଶ୍ରୀ ପାଢ଼ୀ ଆହୁରି କହିଛନ୍ତି, ‘ଶୀତଳ ଭଣ୍ଡାର ପାଇଁ ଆଳୁ ଉତ୍ପାଦନ ବଢାଇବା ଆବଶ୍ୟକତା ରହିଛି । ଏଥିପାଇଁ ଆମେ 537 ହେକ୍ଟରରେ ଆଳୁ ଚାଷ କରାଯାଇଛି । ହେକ୍ଟର ପିଛା ଚାଷୀଙ୍କୁ 13 କୁଇଣ୍ଟାଲ ଦେଇଥିଲୁ । କିଲୋ 10 ଟଙ୍କା ହିସାବରେ ଚାଷୀ ମାନେ ଆଳୁ ବିହନ ନେଇଥିଲେ । ହିମାଚଳ ପ୍ରଦେଶରୁ ଆସୁଥିବା ଭଲ ଆଳୁ ବିହନ ଚାଷୀଙ୍କୁ ଦିଆଯାଇଥିଲା । ଏଥର ଆମେ ଠିକ୍ ସମୟରେ ଚାଷୀଙ୍କୁ ବିହନ ଯୋଗାଇ ଦେଇଛୁ । 13 କୁଇଣ୍ଟାଲରୁ ସେମାନେ 130 କୁଇଣ୍ଟାଲ ନିଶ୍ଚିତ ପାଇଛନ୍ତି । ପ୍ରଥମ ଫେଜରେ ଅର୍ଥାତ ଅକ୍ଟୋବର ଶେଷ ସୁଦ୍ଧା ଯେଉଁମାନେ ଆଳୁ ଲଗାଇଥିଲେ । ସେମାନେ ଡିସେମ୍ବର ଓ ଜାନୁଆରୀ ଯାହା ଉତ୍ପାଦନ ହେଲା । ତାହାକୁ ଚାଷୀ 20ରୁ 25 ଟଙ୍କାରେ ବିକ୍ରି କରିଛନ୍ତି । ସେମାନଙ୍କୁ ଆଉ ଆବଶ୍ୟକତା ପଡିନଥିଲା ଶୀତଳ ଭଣ୍ଡାରରେ ଆଳୁ ରଖିବା ।’
ଘରୋଇ ଶୀତଳ ଭଣ୍ଡାର ଭରସା !
ସେ ଆହୁରି କହିଛନ୍ତି, ‘ପରବର୍ତ୍ତୀ ସମୟରେ ଯେଉଁମାନେ ଡିସେମ୍ବର ବା ଜାନୁଆରୀରେ ନେଇଥିଲେ । ସେମାନେ ଏବେ 15ରୁ 20 ଟଙ୍କାରେ ବିକ୍ରି କରୁଛନ୍ତି । କ୍ଷତି ବର୍ତ୍ତମାନ ପର୍ଯ୍ୟନ୍ତ ପାଇନାହାନ୍ତି । ସେମାନେ କିପରି ଆଳୁ ସଂରକ୍ଷଣ କଲେ ଅଧିକ ଲାଭ ପାଇବେ । ଏଥିପାଇଁ ଯେଉଁ ଚାଷୀ ସଂଗଠନ ସବୁ ହୋଇଛି ଏପିଓ ଯାହା ହୋଇଛି । ସେମାନଙ୍କ ମାଧ୍ୟମରେ କଙ୍କଡାହାଡରୁ ଗତ ସପ୍ତାହରେ ପ୍ରାୟ 160ରୁ 200 କୁଇଣ୍ଟାଲ ଗୋଲଡେନ ଏପିଓ ଅଛି ତାହା ମାଧ୍ୟମରେ ପଠାଇଛୁ । କଟକରେ ଥିବା ଜୟଗୁରୁ ଶୀତଳ ଭଣ୍ଡାର ମାଲିକକୁ ଆମେ ଡକାଇ ଚାଷୀ ଭାଇଙ୍କ ସହ ବୈଠକ କରାଯାଇଥିଲା । କେତେ ଟଙ୍କାରେ ସେମାନେ ରଖିବେ, କେତେ ଦିନ ରଖିବେ ଏ ସମ୍ପର୍କରେ ବୁଝାଇଥିଲୁ । ଏବେ କିଛି କିଛି ଆଳୁ ରଖାଯାଇଛି ।
ଇଟିଭି ଭାରତ, ଢେଙ୍କାନାଳ