BUDHI THAKURANI JATRA 2025 ବ୍ରହ୍ମପୁର (ଗଞ୍ଜାମ) : ପରମ୍ପରା ଓ ରୀତିନୀତିକୁ ନେଇ ଆୟୋଜିତ ହୋଇଥିବା ବ୍ରହ୍ମପୁରର ପ୍ରସିଦ୍ଧ ମାଆ ବୁଢୀ ଠାକୁରାଣୀ ଯାତ୍ରା । ମାଆଙ୍କ ଯାତ୍ରାର ପଞ୍ଚମ ଦିବସରେ ସ୍ଥାପନ ହୋଇଛି ଧର୍ମଝଣ୍ଡା । ଠାକୁରାଣୀ ଯାତ୍ରାର ପରମ୍ପରା ଅନୁଯାୟୀ, ଯାତ୍ରାର ଚତୁର୍ଥ ଦିବସରେ ମାଆଙ୍କ ରାତ୍ର ସମୟର ଘଟ ପରିକ୍ରମା ସମୟରେ ମାଆ କମଳାବାରୀ ସାହିକୁ ଯାଇ ଧର୍ମଝଣ୍ଡା ପାଇଁ ନିମନ୍ତ୍ରଣ କରିଥାନ୍ତି । ଏହାପରେ ପଞ୍ଚମ ଦିବସରେ ସାହି ବାସିନ୍ଦାଙ୍କ ପକ୍ଷରୁ ତୁରନ୍ତ ଧର୍ମଝଣ୍ଡାକୁ ନେଇ ପାରମ୍ପାରିକ ଭାବରେ ମା'ଙ୍କ ଅସ୍ଥାୟୀ ମନ୍ଦିରରେ ପୂଜାର୍ଚ୍ଚନା କରିଥାନ୍ତି । ପରେ ମା'ଙ୍କ ଅସ୍ଥାୟୀ ମନ୍ଦିର ସମ୍ମୁଖରେ ଏହାକୁ ସ୍ଥାପନ କରାଯାଇଥାଏ । ଯାତ୍ରା ଶେଷ ହେବା ପର୍ଯ୍ୟନ୍ତ ସେହି ସ୍ଥାନରେ ମହିଳାମାନେ ଧର୍ମଝଣ୍ଡା ନିକଟରେ ପୂଜାର୍ଚ୍ଚନା କରିଥାନ୍ତି ।
ଧର୍ମଝଣ୍ଡା ସ୍ଥାପନ:
ବ୍ରହ୍ମପୁରର ପ୍ରସିଦ୍ଧ ମା' ବୁଢୀ ଠାକୁରାଣୀ ଯାତ୍ରାର ପଞ୍ଚମ ଦିବସରେ ସ୍ଥାପନ ହୋଇଥାଏ ଧର୍ମଝଣ୍ଡା । ପରମ୍ପରା ଆଧାରିତ ମା'ଙ୍କ ଯାତ୍ରା ଅଦ୍ୟାବଧି ସେହି ଗୁରୁତ୍ୱ ବଜାଇ ରଖିଛି । ଯାତ୍ରା ସମୟରେ ପ୍ରଥମେ ଆମନ୍ତ୍ରଣ କରାଯାଉଥିବା ଧର୍ମଝଣ୍ଡା ଯାତ୍ରାର ପଞ୍ଚମ ଦିବସରେ ମା'ଙ୍କ ଅସ୍ଥାୟୀ ମନ୍ଦିର ସମ୍ମୁଖରେ ଲାଗିବାର ବିଧି ରହିଛି । ନିୟମାନୁଯାୟୀ, କମଳାବାରୀ ସାହିରୁ ଯାତ୍ରାର ପଞ୍ଚାମ ଦିବସରେ ଧର୍ମଝଣ୍ଡାକୁ ଅଣାଯାଇ ସ୍ଥାପନ କରାଯାଇଛି ।

DHARMA JHANDA OF BUDHI THAKURANI JATRA:
ମା'ଙ୍କ ଯାତ୍ରାର କିମ୍ବଦନ୍ତୀ ଅନୁଯାୟୀ, ପ୍ରସିଦ୍ଧ ମା' ବୁଢୀ ଠାକୁରାଣୀ ଯାତ୍ରା ବଂଶାନୁକ୍ରମେ ଚାଲିଆସିଥିବା ବେଳେ ଯେତେବେଳେ ମା'ଙ୍କ ସ୍ବପ୍ନାଦେଶ ହୋଇଥିଲା ସେହି ସମୟରେ ଡେରା ସଂପ୍ରଦାୟର ମୁଖିଆ ଉପାଧି ପାଇଥିବା ଭକ୍ତ ମା'ଙ୍କୁ ଆଣି ଯାତ୍ରା କରିବା ପୂର୍ବରୁ ସମସ୍ତ ଜାତିଭାଇଙ୍କୁ ଜଣାଇ ଆଲୋଚନା କରିଥିଲେ । ସେହି ସମୟରେ ପୁରାତନ ବ୍ରହ୍ମପୁର ସହରକୁ ୧୮ଟି ମଣ୍ଡଳରେ ବିଭକ୍ତ କରାଯାଇ ୧୮ଜଣ ସେନା ନିଯୁକ୍ତ ହୋଇଥିଲେ । ସେହି ସମୟରେ କମଳବାରୀ ମାହିରେ ଜଣେ ପ୍ରମୁଖ ସେନାପତି ରହିଥିଲେ । ଉକ୍ତ ସେନାପତିଙ୍କ ଦାୟିତ୍ଵ ସେହି ସମୟରେ ରହିଥିଲା ମା'ଙ୍କ ପ୍ରହରା ତଥା ପ୍ରତୀକ ଧର୍ମଝଣ୍ଡାକୁ ନେଇ ମା'ଙ୍କ ଅସ୍ଥାୟୀ ମଣ୍ଡପରେ ସମ୍ମୁଖରେ ସ୍ଥାପନ କରିବେ । ସେହିଦିନଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଉକ୍ତ ସାହି ବାସିନ୍ଦା ହିଁ ମା'ଙ୍କ ଧର୍ମଝଣ୍ଡା ସାମୁହିକ ଭାବରେ ଆଣି ସ୍ଥାପନ କରୁଛନ୍ତି ।
Significance Of Dharma Jhanda
ଧର୍ମଝଣ୍ଡା ସ୍ଥାପନ କରିବା ପଛର କାରଣ: ଅନେକଙ୍କ ମତରେ, ପୁରୀ ଶ୍ରୀକ୍ଷେତ୍ର ଧାମରେ ଯେଭଳି ମହାପ୍ରଭୁଙ୍କ ସମ୍ମୁଖରେ ଅରୁଣସ୍ତମ୍ଭ ନିକଟରେ ରହି ଭକ୍ତ ଦର୍ଶନ କରନ୍ତି । ସେପରି ଧର୍ମଝଣ୍ଡା ନିକଟରେ ରହି ମା'ଙ୍କ ଦର୍ଶନ କରିବାର ବିଧି ରହିଛି । ଯାହା ମା'ଙ୍କ ଅସ୍ଥାୟୀ ମନ୍ଦିର ସମ୍ମୁଖରେ ପଞ୍ଚମ ଦିବସରେ ସ୍ଥାପନ ହୋଇଥିଏ । ଏହି ଧର୍ମଝଣ୍ଡାରେ ଲାଗିଥିବା ଦୁଇଟି ଲାଲ ଓ କଳାରଙ୍ଗର ପତାକା ଧର୍ମର ପତାକା ବୋଲି ବିଶ୍ୱାସ କରାଯାଏ ।
ଧର୍ମଝଣ୍ଡା ନିକଟରେ ମହିଳାମାନେ ପୂଜାର୍ଚ୍ଚନା କରିଥାନ୍ତି:
"ଧର୍ମଝଣ୍ଡା ସ୍ଥାପନ ପରେ ଏହା ନିକଟରେ ମୁଖ୍ୟତଃ ମହିଳାମାନେ ପୂଜାର୍ଚ୍ଚନା କରିବା ଆରମ୍ଭ କରିଥାନ୍ତି । ଉକ୍ତ ସ୍ଥାନରେ ମହିଳାମାନେ ହଳଦୀ ପାଣି ଢାଳି ପୂଜାର୍ଚ୍ଚନା କରିଥାନ୍ତି । ସେହି ସ୍ଥାନରେ ପଣାପାଣି ଦେବା ସହିତ ପିଠା ଓ ମିଠା ଭୋଗ କରି ନିଜର ଏବଂ ନିଜ ପରିବାରର ମଙ୍ଗଳକାମନା ପାଇଁ ଏହି ପୂଜାର୍ଚ୍ଚନା କରିଥାନ୍ତି" ବୋଲି କହିଛନ୍ତି ବ୍ରହ୍ମପୁର ଠାକୁରାଣୀ ଯାତ୍ରା ମୁଖ୍ୟ ପରିଚାଳକ ଦେଶୀ ବେହେରାର ପି.ଦୁର୍ଗାପ୍ରସାଦ ।
ଏହା ମଧ୍ୟ ପଢ଼ନ୍ତୁ... ବ୍ରହ୍ମପୁର ପ୍ରସିଦ୍ଧ ବୁଢୀ ଠାକୁରାଣୀ ଯାତ୍ରା ଆରମ୍ଭ, ବାପ ଘରକୁ ଆସିଛନ୍ତି ମା' ବୁଢ଼ୀ ଠାକୁରାଣୀ ଯାତ୍ରାରେ ମହୁରୀ ରାଜ ପରିବାର, ପ୍ରଥମେ ରାଜବାଟୀକୁ ଆସନ୍ତି ମାଆ, ପରେ ସାହି ପରିକ୍ରମା |
ଧର୍ମଝଣ୍ଡା ସ୍ଥାପନ ସମୟରେ ସ୍ୱତନ୍ତ୍ର ବେଶ ପଟୁଆର:
ଧର୍ମଝଣ୍ଡା ସ୍ଥାପନ ସମୟରେ ଦେଖିବାକୁ ମିଳିଥାଏ ସ୍ୱତନ୍ତ୍ର ବେଶ ପଟୁଆର । ଯାହାକି କମଳାବାରୀ ସାହି ବାସିନ୍ଦା ଏହି ସମୟରେ ସେହି ପୁରାତନ ବେଶ ପରମ୍ପରା ଦାଣ୍ଟୁ ବେଶରେ ସମସ୍ତେ ସଜ୍ଜିତ ହୋଇ ଆସିଥାନ୍ତି । ମୁଖ୍ୟତଃ ପୂର୍ବରୁ ରହିଥିବା ରାଜ ପରମ୍ପରା ଅନୁଯାୟୀ, ଧର୍ମଝଣ୍ଡା ସ୍ଥାପନ ସମୟରେ ଯେପରି ସେନାପତି ଓ ତାଙ୍କର ସହଯୋଗୀମାନେ ଆସି ଏହାକୁ ସ୍ଥାପନ କରୁଥିଲେ ଠିକ୍ ସେହିପରି ଏହି ଦାଣ୍ଡୁ ବେଶରେ ରାଜୁ, ସେନାପତି, ମନ୍ତ୍ରୀ , ଦାଣ୍ଡୁ ସମସ୍ତେ ବାଜା ବଜାଇ ସେହି ପରମ୍ପରାକୁ ବଜାଇ ରଖି ମା'ଙ୍କ ନିକଟକୁ ଆସି ଧର୍ମଝଣ୍ଡା ସ୍ଥାପନ କରିଥିବା ଦେଖିବାକୁ ମିଳିଛି । ଦାଣ୍ଡୁ ବେଶରେ ସଜ୍ଜିତ ହୋଇ ଅଞ୍ଚଳବାସାଙ୍କ ମଧ୍ୟରେ ଅଭିଜିତ କର ମା'ଙ୍କୁ ବାପା ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ, ପୁଣି ୨ ବର୍ଷକୁ ଥରେ ଯାତ୍ରା ଆରମ୍ଭ ହୋଇଥିବା ବେଳେ ଧର୍ମକୁ ସାକ୍ଷୀ ରଖି ଏହି ଧର୍ମଝଣ୍ଡା ସ୍ଥାପନ ହୋଇଥାଏ ବୋଲି କହିଛନ୍ତି ।
ଇଟିଭି ଭାରତ, ବ୍ରହ୍ମପୁର