ପୁରୀ: ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରାକୁ କିଭଳି ଶାନ୍ତି ଶୃଙ୍ଖଳାର ସହ ଆୟୋଜନ କରାଯାଇ ପାରିବ ସେନେଇ ସମସ୍ତ ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି ପୋଲିସ ଡିଜି ଓ୍ବାଇ ବି ଖୁରାନିଆ । ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନେଇ ସମୀକ୍ଷା କରିଛନ୍ତି ପୋଲିସ ଡିଜି । ସ୍ନାନ ପୂର୍ଣ୍ଣିମା ଠାରୁ ମହାପ୍ରଭୁଙ୍କ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ପୁରୀରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ । ଆକାଶ ମାର୍ଗରୁ ଡ୍ରୋନ ମାଧ୍ୟମରେ ସମସ୍ତ ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖାଯିବ । ସହରର ବିଭିନ୍ନ ସ୍ଥାନରେ ପର୍ଯ୍ୟାପ୍ତ ସିସିଟିଭି କ୍ୟାମେରା, AI କ୍ୟାମେରା ଦ୍ବାରା ଭିଡ଼ ଓ ଟ୍ରାଫିକ ନିୟନ୍ତ୍ରଣ କରାଯିବା ନେଇ ଗୁରୁତ୍ବ ଦିଆଯାଇଛି । ସେହିପରି ରଥଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥା ସହିତ ଅପରାଧିକ କାର୍ଯ୍ୟକଳାପ ଉପରେ ନଜର ରଖିବ ଡ୍ରୋନ୍ ।
ସୁରକ୍ଷା ବ୍ୟବସ୍ଥା ସମୀକ୍ଷା:
ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ପୁରୀ ଗସ୍ତରେ ଆସି ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି ପୋଲିସ ଡ଼ିଜି ଓ୍ବାଇ ବି ଖୁରାନିଆ । ଆଜି ପୂର୍ବାହ୍ନରେ ପୋଲିସ ଡ଼ିଜି ପୁରୀରେ ପହଞ୍ଚିବା ପରେ ପ୍ରଥମେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହିତ ଉଭୟ ଶ୍ରୀମନ୍ଦିର ଭିତରେ ଓ ବାହାରେ ସୁରକ୍ଷା ବ୍ୟବସ୍ଥା ନେଇ ଅନୁଧ୍ୟାନ କରିଛନ୍ତି । ଆସନ୍ତା ଜୁନ୍ ୧୧ରେ ପବିତ୍ର ସ୍ନାନ ଯାତ୍ରା ଓ ଜୁନ୍ ୨୭ରେ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଥିବାରୁ ସୁରକ୍ଷା ବ୍ୟବସ୍ଥାର ଟିକିନିଖି ଅନୁଧ୍ୟାନ କରିଛନ୍ତି ପୋଲିସ ଡ଼ିଜି । ପୋଲିସ ଡ଼ିଜି ଓ୍ବାଇ ବି ଖୁରାନିଆ ଶ୍ରୀମନ୍ଦିରରେ ସମସ୍ତ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିବା ପରେ ଏସପିଙ୍କ କନଫରେନ୍ସ ହଲ୍ରେ ପୋଲିସ ବିଭାଗର ବିଭିନ୍ନ ବରିଷ୍ଠ ଅଧିକାରୀଙ୍କୁ ନେଇ ସମୀକ୍ଷା କରିଛନ୍ତି । ପୋଲିସ ପାଇଁ ରଥଯାତ୍ରା ଏକ ବଡ଼ ଚାଲେଞ୍ଜ ଥିଲେ ମଧ୍ୟ ଚଳିତ ବର୍ଷ ରଥଯାତ୍ରାକୁ କିଭଳି ଶାନ୍ତି ଶୃଙ୍ଖଳାର ସହ ଆୟୋଜନ କରାଯାଇପାରିବ ସେ ଦିଗରେ ବିଶେଷ ଗୁରୁତ୍ବ ଦିଆଯାଇଛି ।

ଭିଡ଼ ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ AI:
ସେହିପରି ଭକ୍ତମାନଙ୍କ ସୁରକ୍ଷା, ଶୃଙ୍ଖଳିତ ଦର୍ଶନ, ଟ୍ରାଫିକ ଓ ଭିଡ଼ ନିୟନ୍ତ୍ରଣ ନେଇ ଆଲୋଚନା ହୋଇଛି । ଆଲୋଚନା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପୋଲିସ ଡ଼ିଜି ଓ୍ବାଇ ବି ଖୁରାନିଆ କହିଛନ୍ତି, "ଚଳିତ ବର୍ଷ ରଥଯାତ୍ରାରେ ଟ୍ରାଫିକ, ଭିଡ ଓ ଅନ୍ୟାନ୍ୟ ସମସ୍ତ ବ୍ୟବସ୍ଥା ନେଇ AIର ବ୍ୟବହାର କରାଯିବ । ଅପରାଧିକ କାର୍ଯ୍ୟକଳାପ ସହିତ ସୁରକ୍ଷା ବ୍ୟବସ୍ଥା ପାଇଁ ଆକାଶ ମାର୍ଗରୁ ଡ୍ରୋନ୍ର ବ୍ୟବହାର କରାଯିବ । ଯେକୌଣସି ପରିସ୍ଥିତି ଆସିଲେ ମଧ୍ୟ ପୋଲିସ କିଭଳି ସୁରକ୍ଷା ଯୋଗାଇପାରିବ ସେନେଇ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ତଟରକ୍ଷୀ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ କୋଷ୍ଟ ଗାର୍ଡ ଓ ଭାରତୀୟ ନୌସେନା ମଧ୍ୟ ସମୁଦ୍ର ମଧ୍ୟରେ କଡ଼ା ନଜର ରଖିବେ ।"

ସ୍ବତନ୍ତ୍ର ବାଟାଲିୟନ ନିୟୋଜିତ:
ରଥଯାତ୍ରା ସମୟରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବାକୁ ଥିବାରୁ ସୁରକ୍ଷା ବ୍ୟବସ୍ଥାରେ ଯେଭଳି କୌଣସି ତ୍ରୁଟି ନ ରହିବ ସେନେଇ ବେଶ୍ ସତର୍କ ରହିଛି ପୋଲିସ । ତେବେ କେବଳ ସ୍ନାନଯାତ୍ରା କିମ୍ଵା ରଥଯାତ୍ରା ନୁହେଁ, ଶ୍ରୀମନ୍ଦିର ଭିତରେ ଓ ବାହାରେ ସୁରକ୍ଷା ବ୍ୟବସ୍ଥାକୁ ପୋଲିସ ପକ୍ଷରୁ କଡ଼ାକଡ଼ି କରାଯାଇଛି । ଶ୍ରୀମନ୍ଦିର ସୁରକ୍ଷାକୁ ରାଜ୍ୟ ସରକାର ଗୁରୁତ୍ବ ଦେଇଥିବା ବେଳେ ସୁରକ୍ଷା ଦାୟିତ୍ବରେ ପ୍ରଥମେ ସ୍ବତନ୍ତ୍ର ବାଟାଲିୟନ ନିୟୋଜିତ ହେବା ପରେ ଆଜିଠାରୁ ଆର୍ମଡ ଭେଇକିଲ୍ ମଧ୍ୟ ସୁରକ୍ଷା ଦାୟିତ୍ବରେ ନିୟୋଜିତ ହୋଇଛି । ଏହି ଆର୍ମଡ ଭେଇକିଲ୍ ବୁଲେଟ ପ୍ରୁଫ ହୋଇଥିବାବେଳେ ଏଥିରେ ୮ ଜଣ ଦକ୍ଷ ସ୍ବତନ୍ତ୍ର ତାଲିମ ପ୍ରାପ୍ତ ନିୟୋଜିତ ଅଛନ୍ତି । ଯେକୌଣସି ମୁହୂର୍ତ୍ତରେ ଶତ୍ରୁ ଯଦି ଆକ୍ରମଣ କିମ୍ବା କୌଣସି ଅଘଟଣ ଘଟାଇବା ପାଇଁ ଚେଷ୍ଟା କରେ ତେବେ ଏହି ସ୍ବତନ୍ତ୍ର ଆର୍ମଡ ଭେଇକିଲ୍ ସେମାନଙ୍କୁ ମାତ୍ ଦେବ ।

ସୁରକ୍ଷା ବ୍ୟବସ୍ଥାକୁ ଭକ୍ତଙ୍କ ସ୍ବାଗତ :
ସେହିପରି ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ସଶସ୍ତ୍ର ପୋଲିସମାନେ ମୁତୟନ ହୋଇଛନ୍ତି । ସେପଟେ ଆତଙ୍କୀଙ୍କ ଟାର୍ଗେଟରେ ଶ୍ରୀମନ୍ଦିର ଥିବା ନେଇ ପୂର୍ବରୁ ଗୁଇନ୍ଦା ବିଭାଗ ସୂଚନା ଦେଇଥିବା ବେଳେ ଶ୍ରୀମନ୍ଦିର ପାଇଁ ଆବଶ୍ୟକ ଯଥା ସମ୍ଭବ ସମସ୍ତ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯିବ । ସେପଟେ ରଥଯାତ୍ରା ପାଇଁ ରେଲୱେ ଷ୍ଟେସନରେ କଡ଼ା ସୁରକ୍ଷା ଗ୍ରହଣ କରାଯିବାକୁ ଥିବାବେଳେ ପର୍ଯ୍ୟାପ୍ତ ମାତ୍ରାରେ ଜିଆରପି, ଆରପିଏଫଙ୍କୁ ନିୟୋଜିତ କରାଯିବ । ଏଥିସହ ସମ୍ପୂର୍ଣ୍ଣ ସିସିଟିଭି ବଳୟ ମଧ୍ୟରେ ରେଲୱେ ଷ୍ଟେସନକୁ ରଖାଯିବ । ବିଶେଷ କରି ଟ୍ରେନ୍ ଦ୍ବାରା ଆସୁଥିବା ଯାତ୍ରୀ ଓ ପର୍ଯ୍ୟଟକମାନଙ୍କ ଗତିବିଧି ଉପରେ କଡ଼ା ନଜର ରଖାଯିବ । ସେପଟେ ଭାରତ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲେ ମଧ୍ୟ ପୋଲିସ ପକ୍ଷରୁ ଗ୍ରହଣ କରାଯାଇଥିବା ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ ସ୍ବାଗତ କରିଛନ୍ତି ଭକ୍ତ ।
ଏହା ମଧ୍ୟ ପଢ଼ନ୍ତୁ... ରଥଯାତ୍ରା ପାଇଁ ତତ୍ପର ସ୍ଵାସ୍ଥ୍ୟ ବିଭାଗ, ନିରନ୍ତର ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ନିର୍ଦ୍ଦେଶ ରଥଯାତ୍ରା ପାଇଁ ପ୍ରଥମ ସମନ୍ୱୟ ବୈଠକ: ଗଡିବ ୩୬୫ ସ୍ଵତନ୍ତ୍ର ଟ୍ରେନ, 21 ପ୍ରସଙ୍ଗରେ ଆଲୋଚନା |
ବିଶ୍ବ ପ୍ରସିଦ୍ଧ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ପୋଲିସ ବିଭାଗ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ତେବେ ଆଜି ପୋଲିସ ଡ଼ିଜିଙ୍କ ଅଧ୍ୟକ୍ଷତାରେ ଏସପିଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ପୁରୀ ଏସପି ବିନୀତ ଅଗ୍ରୱାଲଙ୍କ ସହ ବରିଷ୍ଠ ପୋଲିସ ଅଧିକାରୀ ଆର. ପି କୋଚେ, ଏସ୍. କେ ପ୍ରିୟଦର୍ଶିନୀ, ଅରୁଣ ବୋଥ୍ରା, ଅମିତାଭ ଠାକୁର, ଦୟାଲ ଗଙ୍ଗୱାର, ରାଜେଶ କୁମାର, ପ୍ରଭୀଣ କୁମାର, ଅନୁପ କୁମାର ସାହୁ, ପିନାକ ମିଶ୍ର, ବି. ଗଙ୍ଗାଧର, ଭିଭେକାନନ୍ଦ ଶର୍ମା, ବିକ୍ରମ କେଶରୀ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।
ଇଟିଭି ଭାରତ, ପୁରୀ