ବରଗଡ଼ ପରେ ସମ୍ବଲପୁର: ବରେଇପାଲିରୁ 5100 ବୋତଲ କଫ ସିରପ ଜବତ, 20 ଗିରଫ
ନିଶା ବେପାରୀଙ୍କୁ ବିକ୍ରି ପାଇଁ କଟକରୁ ସମ୍ବଲପୁର ନିଆଯାଉଥିଲା କଫ ସିରପ । ଜବତ କଫ୍ ସିରଫ ମୂଲ୍ୟ ପାଖାପାଖି 15,00000 ଟଙ୍କା ।

Published : October 14, 2025 at 3:01 PM IST
Cough Syrup Racket In Sambalpur ସମ୍ବଲପୁର: ସମ୍ବଲପୁର ପୋଲିସକୁ ବଡ଼ ସଫଳତା । ବିପୁଳ ପରିମାଣରେ କଫ ସିରପ ଜବତ କରିବା ସହ 20 ଜଣଙ୍କୁ ଗିରଫ କରିଛି ସମ୍ବଲପୁର ପୋଲିସ । ଜବତ କଫ ସିରପର ଆନୁମାନିକ ମୂଲ୍ୟ 15 ଲକ୍ଷ ଟଙ୍କା ହେବ । ନିଶା ବେପାରୀଙ୍କୁ ବିକ୍ରି ଉଦ୍ଦେଶ୍ୟରେ କଟକରୁ ସମ୍ବଲପୁର ଆସିଥିଲା ବିପୁଳ ପରିମାଣରେ କଫ ସିରପ । ଯୋଜନାକୁ ପଣ୍ଡ କରି ରାକେଟକୁ ଧରିବାରେ ସଫଳ ସମ୍ବଲପୁର ପୋଲିସ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସମ୍ବଲପୁର ଏସପି ମୁକେଶ ଭାମୁ ।
କଫ ସିରପ ସହ କାର ଟଙ୍କା ଜବତ:
ନିଶା ବେପାରୀଙ୍କୁ ବିକ୍ରି ଉଦ୍ଦେଶ୍ୟରେ ଏହି ସବୁ କଫ ସିରପ କଟକରୁ ସମ୍ବଲପୁରକୁ ଅଣାଯାଇଥିବା ସୂଚନା ଦେଇଛନ୍ତି ଏସପି l ଆଜି ପୋଲିସ 5100 ଗୋଟି କଫ ସିରପ ବୋତଲ ଜବତ କରିବା ସହ ସମ୍ପୃକ୍ତ 20 ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି l ଏହା ସହ ଗୋଟିଏ ସୁଇପ୍ଟ ଡିଜାୟାର ନମ୍ବର (OD-15-U-3750) କାର, ନମ୍ବର ବିହୀନ ମହିନ୍ଦ୍ରା ପିକଅପ ଗାଡି, ଇଂଜିନ ନମ୍ବର-TNM 1E64071, 5ଟି ମୋବାଇଲ, ନଗଦ 40920 ଟଙ୍କା ଜବତ ହୋଇଥିବା ସମ୍ବଲପୁର ଏସପି ସୂଚନା ଦେଇଛନ୍ତି l

ଡିଲ୍ ପୂର୍ବରୁ ପହଞ୍ଚିଗଲା ପୋଲିସ:
ପୋଲିସ ବିଭାଗ ଦେଇଥିବା ସୂଚନା ଅନୁସାରେ, ଗତକାଲି (ସୋମବାର) ଅପରାହ୍ନ 2ଟା 30ରେ ଵାରେଇପାଲି ଥାନାର ଅଧିକାରୀ ରାଧାକାନ୍ତ ବାରିକ ବିଶ୍ବସ୍ତ ସୂତ୍ରରୁ ଖବର ଏହି ରାକେଟ ବାବଦରେ ଜାଣିବାକୁ ପାଇଥିଲେ l କଟକରୁ ଏକ ପିକଅପ ଗାଡିରେ ବିପୁଳ ପରିମାଣର ବେଆଇନ କଫ ସିରପ ସମ୍ବଲପୁରକୁ ଅଣାଯାଇଥିବା ସୂଚନା ମିଳିଥିଲା l ଏହି ସବୁ କଫ ସିରପ ଵରେଇପାଲି ଥାନା ଅନ୍ତର୍ଗତ ମେସିନକଣ୍ଟା ଛକ ଠାରେ ଦଲାଲ ମାନଙ୍କ ସହ ଡିଲ ହେବାର ଥିଲା ବୋଲି ସେ ଖବର ପାଇଥିଲେ l

ବିଶ୍ବସ୍ତ ସୂତ୍ରରୁ ଖବର ପରେ ପୋଲିସର ଚଢାଉ:
ଏହା ପରେ ପୋଲିସର ଏକ ଟିମ ସେହି ସ୍ଥାନରେ ଅତର୍କିତ ଚଢ଼ାଉ କରି ଲୋକେଶ ପ୍ରଧାନ, ମହିନ୍ଦ୍ର କିସାନ, ପ୍ରଭାତ ଭୋଇ, ଆମୋଦ କରାଳି, ମନୀଷ ସିଂ ନାମକ 5 ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଏହି ସବୁ ସାମଗ୍ରୀ ଜବତ କରିଥିଲା l ତଦନ୍ତ ପରେ ଜଣା ପଡିଥିଲା ଯେ ଲୋକେଶ ପ୍ରଧାନ ସମ୍ବଲପୁର ସହରର ବିଭିନ୍ନ ନିଶା ବେପାରୀଙ୍କ ଠାରୁ ଟଙ୍କା ସଂଗ୍ରହ କରି କଟକରୁ ଏହି କଫ ସିରପ ମଗାଇ ଥିଲେ l ଏହା ପରେ ଅଧିକ ତଦନ୍ତ ପରେ ଏହି ରାକେଟରେ ସମ୍ପୃକ୍ତ ଥିବା ଆଉ 15 ଜଣଙ୍କସହ ମୋଟ 20 ଜଣଙ୍କୁ ପୋଲିସ ଗିରଫ କରି ଥିବା ସମ୍ବଲପୁର ଏସପି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି l

ଏହା ମଧ୍ୟ ପଢନ୍ତୁ: |
ନିଶା ଦଲାଲଙ୍କୁ ବିକ୍ରି ପାଇଁ ଆସୁଥିଲା କଫସିରଫ:
ସମ୍ବଲପୁର ଏସପି ମୁକେଶ ଭାମୁ କହିଛନ୍ତି, ‘ଏହି ଘଟଣା ନେଇ ଵରେଇପାଲି ଥାନାରେ କେସ ନମ୍ବର 195 , 13-10-2025, U/S-21(c) /29 NDPS Actରେ ଏକ ମାମଲା ରୁଜୁ ହୋଇଛି l ପାର୍ବଣ ଋତୁକୁ ନଜରରେ ରଖି ଆମେ ବର୍ତ୍ତମାନ ବେଆଇନ କଫ ସିରପ କାରବାର ଉପରେ ନଜର ରଖିଥିଲୁ l ଏହି ଘଟଣାରେ ମୋଟ 20 ଜଣ ଗିରଫ ହୋଇଛନ୍ତି l କଟକରୁ ଏହି ସବୁ କଫ ସିରପ ଆଣି ସେମାନେ ସହରର ବିଭିନ୍ନ ନିଶା ଦଲାଲଙ୍କୁ ଏହା ବିକ୍ରି କରିବାକୁ ଯୋଜନା କରିଥିଲେ l ମୁଖ୍ୟତଃ ଲୋକେଶ ପ୍ରଧାନ, ମହିନ୍ଦ୍ର କିସାନ, ପ୍ରଭାତ ଭୋଇ, ଆମୋଦ କରାଳୀ ଓ ମନୀଷ ସିଂ କଟକ ଯାଇ ଏହି ସବୁ କଫସିରଫକୁ ଏସ୍କଟ କରି ସେଠାରୁ ଆଣିଥିଲେ l ଏହି ସବୁ କଫସିରଫର ମୂଲ୍ୟ ପ୍ରାୟ 15 ଲକ୍ଷ ଟଙ୍କା ହେବ ।’
ଇଟିଭି ଭାରତ, ସମ୍ବଲପୁର

