ଶଙ୍ଖ ଶାମୁକା ହସ୍ତଶିଳ୍ପ ପାଇଁ ସମର୍ପିତ ଜଗନ୍ନାଥ, ପାଇଛନ୍ତି ରାଷ୍ଟ୍ରୀୟ ପୁରସ୍କାର
ଦୀର୍ଘ 35 ବର୍ଷ ହେଲା ଶଙ୍ଖ ଶାମୁକାରୁ ଆକର୍ଷଣୀୟ ଜିନିଷ ପ୍ରସ୍ତୁତ କରୁଛନ୍ତି ପୁରୀର ଜଗନ୍ନାଥ ମହାପାତ୍ର । ଏହି ହସ୍ତଶିଳ୍ପକୁ ସାରା ବିଶ୍ବରେ ପରିଚିତ କରାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ।


Published : September 26, 2025 at 8:35 PM IST
|Updated : September 26, 2025 at 10:14 PM IST
ସ୍ପେଶାଲ୍ ରିପୋର୍ଟ: ଶକ୍ତି ପ୍ରସାଦ ମିଶ୍ର
ପୁରୀ: ଓଡ଼ିଶା ହେଉଛି କଳା ସଂସ୍କୃତି ଓ ପାରମ୍ପରିକ ହସ୍ତଶିଳ୍ପ ସାମଗ୍ରୀର ରାଜ୍ୟ। ଓଡ଼ିଶାର ସମୃଦ୍ଧ କଳା ସଂସ୍କୃତି ଓ ହସ୍ତଶିଳ୍ପ ହିଁ ସାରା ବିଶ୍ଵରେ ଓଡ଼ିଆଙ୍କୁ ସ୍ବତନ୍ତ୍ର ପରିଚୟ ଦେଇଛି । ବିଭିନ୍ନ ପ୍ରକାର ହସ୍ତଶିଳ୍ପ ମଧ୍ୟରୁ ଶଙ୍ଖ ଶାମୁକା ହସ୍ତଶିଳ୍ପ ଟିକିଏ ଭିନ୍ନ । ପୁରୀ ସମୁଦ୍ର ମୁହାଣରୁ ମିଳୁଥିବା ଜଳଜୀବଙ୍କ ଶଙ୍ଖ ଶାମୁକାରୁ ତିଆରି ହେଉଛି ଆଖି ଖୋସି ହୋଇଗଲା ପରି ଜିନିଷ । ଘର ସାଜସଜ୍ଜା ସାମଗ୍ରୀ ଠାରୁ ଆରମ୍ଭ କରି ବିଭିନ୍ନ ଅଳଙ୍କାର ମନ କିଣି ନେଉଛି । ଯିଏ ଥରୁଟିଏ ଦେଖୁଛି ଧୋବଫରଫର ଶଙ୍ଖ ଶାମୁକା ହସ୍ତଶିଳ୍ପକୁ ଘଡିଏ ଚାହିଁ ରହୁଛି । ପୁରୀ ସହରର ଜଗନ୍ନାଥ ମହାପାତ୍ର ଏହି ହସ୍ତଶିଳ୍ପକୁ ନୂଆ ପରିଚୟ ଦେଇ ରାଷ୍ଟ୍ରୀୟ ପୁରସ୍କାର ପାଇଛନ୍ତି । ବର୍ଷ ବର୍ଷ ହେଲା ଏହା ତାଙ୍କର ନିଶା ଓ ପେଶା ପାଲଟିଛି । ଏହି କାରିଗରୀ ଶିଖାଇ ଅନେକଙ୍କୁ ରୋଜଗାରକ୍ଷମ କରାଇଛନ୍ତି ସେ ।

ଶଙ୍ଖ ଶାମୁକା ହସ୍ତଶିଳ୍ପୀ ଜଗନ୍ନାଥ ମହାପାତ୍ର:
ପୁରୀ ସହରର ୪୮ ବର୍ଷିୟ ଶଙ୍ଖ ଶାମୁକା ହସ୍ତଶିଳ୍ପୀ ଜଗନ୍ନାଥ ମହାପାତ୍ର । ଏହି ହସ୍ତଶିଳ୍ପକୁ ସାରା ବିଶ୍ଵରେ ପ୍ରଚାର ପ୍ରସାର ପାଇଁ ନିଜ ଜୀବନକୁ ସମର୍ପିତ କରିଦେଇଛନ୍ତି । ଦୀର୍ଘ 35 ବର୍ଷ ହେଲା ସେ ଏହି କାର୍ଯ୍ୟ ଜାରି ରଖିଛନ୍ତି । ଏସସିଏସ କଲେଜ ରୋଡର ଅମଲା କ୍ଲବ୍ ସମ୍ମୁଖରେ ତାଙ୍କ ଘର । ଜଗନ୍ନାଥଙ୍କ ବାପା ରଘୁନାଥ ମହାପାତ୍ର ଜଣେ ପ୍ରସିଦ୍ଧ ଶଙ୍ଖ ଶାମୁକା ହସ୍ତଶିଳ୍ପୀ ଥିଲେ। ବାପାଙ୍କ ଠାରୁ ଶଙ୍ଖ ଶାମୁକା କାରୁକାର୍ଯ୍ୟ ଶିକ୍ଷା ଲାଭ କରିଥିଲେ। ପରେ ବିଭିନ୍ନ ଚିତ୍ର, ଘର ସାଜସଜ୍ଜା ସାମଗ୍ରୀ ଶଙ୍ଖ ଶାମୁକାରେ କରିଥିଲେ ଜଗନ୍ନାଥ। ତାଙ୍କ ନିଆରା ହସ୍ତଶିଳ୍ପ ପାଇଁ ବେଶ୍ ଖୁବ୍ କମ୍ ଦିନରେ ପ୍ରସିଦ୍ଧି ଲାଭ କରିଥିଲେ । ଏହି ହସ୍ତଶିଳ୍ପ ପାଇଁ ରାଜ୍ୟ ଓ ଜାତୀୟ ପୁରସ୍କାର ଖୁବ୍ କମ୍ ବୟସରେ ହାସଲ କରିଥିଲେ। ଯାହାକି ଜଗନ୍ନାଥଙ୍କୁ ବହୁତ୍ ଉତ୍ସାହିତ୍ କରିଥିଲା ।
ଶଙ୍ଖ ଶାମୁକା ହସ୍ତଶିଳ୍ପ ପାଇଁ ରାଷ୍ଟ୍ରୀୟ ପୁରସ୍କାର ପାଇଛନ୍ତି:

ଜଗନ୍ନାଥ ଶଙ୍ଖ ଶାମୁକା ଦେଇଛନ୍ତି ନୂଆ ରୂପ । ସୁନ୍ଦର୍ ସୁନ୍ଦର ଶଙ୍ଖ ଶାମୁକା କାରୁକାର୍ଯ୍ୟ କରି ପାଇଛନ୍ତି ସ୍ବତନ୍ତ୍ର ଖ୍ୟାତି । ଶଙ୍ଖ ଶାମୁକା ହସ୍ତଶିଳ୍ପ ପାଇଁ ଜଗନ୍ନାଥ ମହାପାତ୍ର ୨୦୦୧ ରେ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କ ଠାରୁ ପାଇଥିଲେ ରାଷ୍ଟ୍ରୀୟ ପୁରସ୍କାର । ୨୦୦୦ ମସିହାରେ ରାଜ୍ୟ ହସ୍ତଶିଳ୍ପ ପୁରସ୍କାର, ୧୯୯୬ ରେ ରାଜ୍ୟ ଦକ୍ଷତା ପୁରସ୍କାର ସହିତ ତାଙ୍କର ଅନନ୍ୟ କଳାକୃତି ପାଇଁ ହରିୟଣା ରାଜ୍ୟ ସରକାର ୨୦୦୪ରେ କଳାଶ୍ରୀ ସମ୍ମାନରେ ପୁରସ୍କୃତ କରିଥିଲେ ।

ଶଙ୍ଖ ଶାମୁକା ହସ୍ତଶିଳ୍ପୀ ଜଗନ୍ନାଥ ମହାପାତ୍ର କହିଛନ୍ତି, "ମୁଁ ଶଙ୍ଖ ଶାମୁକାରେ ବିଭିନ୍ନ କାରୁକାର୍ଯ୍ୟ ତିଆରି କରେ । ଏହା ହେଉଛି ଶଙ୍ଖ ଶାମୁକା ହସ୍ତ ଶିଳ୍ପ। ଶାମୁକାରେ ବିଭିନ୍ନ ପ୍ରକାର ସାମଗ୍ରୀ ତିଆରି ହୁଏ । ଶାମୁକାରେ ଘର କରଣା, ଅଳଙ୍କାର ଓ ସମୁଦ୍ରରୁ ଆସୁଥିବା ଶଙ୍ଖରେ ବିଭିନ୍ନ ଚିତ୍ର ହୁଏ। ଏହି ଶଙ୍ଖ ଶାମୁକା ହସ୍ତଶିଳ୍ପକୁ ନେଇ ମୁଁ ଆମ ଦେଶରେ ବିଭିନ୍ନ ସ୍ଥାନରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ହୋଇଥିବା ହସ୍ତଶିଳ୍ପ ପ୍ରଦର୍ଶନୀରେ ସାମିଲ ହୋଇଛି । ଏହି ହସ୍ତଶିଳ୍ପ ପାଇଁ ମୁଁ ରାଜ୍ୟ ଓ ଜାତୀୟ ସ୍ତରରେ ପୁରସ୍କୃତ ହୋଇଛି। ଯୁବପିଢ଼ି ଓ ମହିଳା ମାନେ ଶଙ୍ଖ ଶାମୁକା ହସ୍ତଶିଳ୍ପ ଶିକ୍ଷା ଲାଭ କଲେ ରୋଜଗାର ପାଇ ପାରିବେ। "
ଯୁବ ପୀଢ଼ିଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି ଜଗନ୍ନାଥ:

ଏହି ନିଆରା ହସ୍ତଶିଳ୍ପକୁ ସାରା ବିଶ୍ଵରେ ଅଧିକ ପ୍ରଚାର ପ୍ରସାର ପାଇଁ ଅଣ୍ଟା ଭିଡ଼ିଛନ୍ତି ଜଗନ୍ନାଥ। ନିଜ ଘରେ ସ୍ଥାନୀୟ ଯୁବକ ଓ ମହିଳାଙ୍କୁ ଏହି ହସ୍ତ ଶିଳ୍ପ ପ୍ରଶିକ୍ଷଣ ଦେବା ଆରମ୍ଭ କରିଥିଲେ। ତାଙ୍କ ଠାରୁ ଏହି ଶଙ୍ଖ ଶାମୁକା କାରୁକାର୍ଯ୍ୟ ପ୍ରଶିକ୍ଷଣ ନେଇ ସହରର ପ୍ରାୟ 50ରୁ ଉର୍ଦ୍ଧ୍ବ ପରିବାର ଅନେକ ପୁରୁଷ ଓ ମହିଳା ମାନେ ରୋଜଗାର କରି ସ୍ବାବଲମ୍ବୀ ହୋଇପାରିଛନ୍ତି ।

ପୁରୀ ଏକ ପର୍ଯ୍ୟଟନ ସହର ହୋଇଥିବା ବେଳେ ପ୍ରତ୍ୟେକ ଦିନ ସୂର୍ଯ୍ୟ ଉଇଁବା ମାତ୍ରେ ହଜାର ହଜାର ପର୍ଯ୍ୟଟକଙ୍କ ପୁରୀକୁ ସୁଅ ଛୁଟେ । ଏଠାକୁ ଆସିବା ମାତ୍ରେ ଶଙ୍ଖ ସାମୁକାରୁ ପ୍ରସ୍ତୁତ ଧୋବ ଫରଫର ଦିଶୁଥିବା ବିଭିନ୍ନ ଘରକରଣା ହେଉକି ଚିତ୍ରକଳା ବା ଅଳଙ୍କାର ସାମଗ୍ରୀ ପର୍ଯ୍ୟଟକଙ୍କ ଦୃଷ୍ଟି ଆକର୍ଷଣ କରିବାଟା ଥୟ । ତେଣୁ ପାରମ୍ପରିକ ହସ୍ତଶିଳ୍ପ ସାମଗ୍ରୀର ବେଶ୍ ଚାହିଦା ରହିଛି ।

ଶଙ୍ଖ ଶାମୁକା ହସ୍ତଶିଳ୍ପୀ ଜଗନ୍ନାଥ ମହାପାତ୍ର କହିଛନ୍ତି, "ପୁରୀ ହେଉଛି ଏକ ପର୍ଯ୍ୟଟନ ସ୍ଥଳୀ ଏଣୁ ଏଠାରେ ହସ୍ତଶିଳ୍ପ ପାଇଁ ଭଲ ବଜାର ରହିଛି। ଭାରତ ସରକାର ମଧ୍ୟ ହସ୍ତ ଶିଳ୍ପ ସାମଗ୍ରୀର ପ୍ରଚାର ପ୍ରସାର ପାଇଁ ବିଭିନ୍ନ ପ୍ରଦର୍ଶନୀ କରୁଛନ୍ତି। ଲୋକାଲ ଫର ଭୋକଲ କାର୍ଯ୍ୟକ୍ରମ କରୁଛନ୍ତି। ରାଜ୍ୟ ବାହାରୁ ବହୁତ୍ ବରାଦ ଆସୁଛି । ତେବେ ମୋର ଇଚ୍ଛା ଏହି ପାରମ୍ପରିକ ଶଙ୍ଖ ଶାମୁକା ହସ୍ତଶିଳ୍ପ ଆଗକୁ ଯାଉ। ଅଧିକ ମହିଳା ଓ ଯୁବପିଢ଼ି ଏହା ଶିକ୍ଷା ଲାଭ କରି ସ୍ବାବଲମ୍ବୀ ହୁଅନ୍ତୁ। "

5 ଟଙ୍କାରୁ ଆରମ୍ଭ କରି 40 ହଜାର ପର୍ଯ୍ୟନ୍ତ ଦାମ୍ ରହିଛି :

ଶାମୁକାରେ ବିଭିନ୍ନ ପ୍ରକାର ଶାଢ଼ୀ ପିନ, ହେୟାର କ୍ଲିପ, ଅଳଙ୍କାର, ଲକେଟ, ପେନ୍ ଷ୍ଟାଣ୍ଡ, ଧୂପ ଦାନି, ମାଛ, ଚଢ଼େଇ ମୂର୍ତ୍ତି ତିଆରି ହୁଏ ଓ ଶଙ୍ଖ ଉପରେ ଚିତ୍ର ହୁଏ। ୫ ଟଙ୍କିଆ ଚାବି ରିଙ୍ଗରୁ ଆରମ୍ଭ କରି ୪୦ ହଜାର ଟଙ୍କାର ଦଶ ଅବତାର ମୂର୍ତ୍ତି ତିଆରି ହେଉଛି ଏହି ଶଙ୍ଖ ଶାମୁକାରେ । ଶଙ୍ଖ ଶାମୁକା ହସ୍ତଶିଳ୍ପର ଚାହିଦା ଦେଶ ଓ ବିଦେଶରେ ମଧ୍ୟ ଭଲ ରହିଛି । ତେଣୁ ରାଜସ୍ଥାନ, ଦିଲ୍ଲୀ, ପଞ୍ଜାବ ସମେତ ବିଭିନ୍ନ ରାଜ୍ୟରୁ ବରାଦ ମୁତାବକ ଏହି ହସ୍ତଶିଳ୍ପ ସାମଗ୍ରୀ ବିକ୍ରି ପାଇଁ ପଠାଯାଉଛି ।

କେମିତି ଶଙ୍ଖ ସାମୁକାକୁ ସୁନ୍ଦର ରୂପ ଦିଆଯାଇଥାଏ ?

ତେବେ ସମୁଦ୍ରରୁ ଆସୁଥିବା ଶଙ୍ଖ ଶାମୁକାକୁ ପ୍ରଥମେ ଗରମ ପାଣିରେ କଷ୍ଟିକ୍ ଶୋଢ଼ା ଓ ଚୂନ ପାଣିରେ ବୁଡାଇ ଦିଆଯାଏ । ଫଳରେ ଏହା ଉପରେ ଥିବା ଆସ୍ତରଣ ଟି ସଫା ହୋଇଯାଏ । ପରେ ଏହାକୁ ପଲିସି ମେସିନ ଦ୍ବାରା ପଲିସି କରାଯାଏ । ପଲିସ ହେବା ପରେ ଏନାମେଲ ରଙ୍ଗରେ ଚିତ୍ର କରାଯାଏ । ପରେ ପୁଣି ଶଙ୍ଖକୁ ଏସିଡରେ ଅଳ୍ପ କିଛି ସମୟ ବୁଡ଼ାଯାଏ । ଏହା ଫଳରେ ଏସିଡ ସଂସ୍ପର୍ଶରେ ଆସି ଏନାମେଲ ରଙ୍ଗ ଛାଡିଯାଏ । ଶଙ୍ଖ ଉପରେ ଏନାମେଲ ରଙ୍ଗ ଦିଆଯାଇ ଯେଉଁ ଚିତ୍ର ହୋଇଥାଏ ତାହା ଏସିଡ ଲାଗିଲେ ଛାଡି ଯାଏ । ଏହା ପରେ ଶଙ୍ଖ ଉପରେ ଉକ୍ତ ଚିତ୍ରଟି ଆକାର ଧାରଣ କରିଥାଏ ।
ପୁରୀ ସମୁଦ୍ରରୁ ମିଳୁନି ଭଲ ଶଙ୍ଖ ଶାମୁକା, ତେଣୁ ରାମେଶ୍ବରରୁ ଆସୁଛି:

ଶଙ୍ଖ ଶାମୁକାରୁ ଆକର୍ଷଣୀୟ ଜିନିଷ ତିଆରି ହେଉଛି ସତ କିନ୍ତୁ ପୁରୀ ସମୁଦ୍ର ମୁହାଣରୁ ଶଙ୍ଖ ଶାମୁକା ମିଳୁନି। ଗତ ୧୯୯୯ ମହାବାତ୍ୟା ପରଠାରୁ ପୁରୀ ସମୁଦ୍ରରୁ ଆଉ ମିଳୁନାହିଁ । ଏଣୁ ଜଗନ୍ନାଥ ରାମେଶ୍ବରରୁ ଶଙ୍ଖ ଓ ଶାମୁକା ମଗାଇ ନିଜ ଘରେ ବିଭିନ୍ନ ହସ୍ତଶିଳ୍ପ ସାମଗ୍ରୀ କରୁଛନ୍ତି। ଜଗନ୍ନାଥଙ୍କ ଠାରୁ ଶଙ୍ଖ ଶାମୁକା ହସ୍ତଶିଳ୍ପ ଶିକ୍ଷା ଲାଭ କରୁଥିବା ଯୁବକ ସତ୍ୟବ୍ରତ ମହାନ୍ତି କହିଛନ୍ତି, "ଜଗନ୍ନାଥ ସାରଙ୍କ ସହ ପରିଚିତ ହେବା ପରେ ମୁଁ ଏହି ଶଙ୍ଖ ଶାମୁକା ହସ୍ତ ଶିଳ୍ପ ଶିକ୍ଷା ଲାଭ କରୁଛି। ବିଭିନ୍ନ ଖେଳନା, ମୂର୍ତ୍ତି, ସାଜସଜ୍ଜା ସାମଗ୍ରୀ, ପେଣ୍ଟିଂର ବେଶ୍ ଚାହିଦା ରହିଛି। ବଡ ସମସ୍ୟା ହେଉଛି ପୁରୀରେ ଶଙ୍ଖ ଶାମୁକା ଅଭାବ ରହିଛି, ରମେଶ୍ୱର ଏହା ଆସୁଛି । ତେଣୁ ଅଧିକ ଖର୍ଚ୍ଚ ଲାଗୁଛି । ଯଦି ସରକାର ଶଙ୍ଖ ଶାମୁକା ଯୋଗାଇବାରେ କିଛି ସହଯୋଗ କରିବା ସହ କିଛି ଋଣ ଦେବାରେ ସହଯୋଗ କରନ୍ତେ ଯୁବପିଢ଼ି ଏହାକୁ ଜୀବିକା ଭାବେ ଗ୍ରହଣ କରିପାରିବ ।"

ହସ୍ତଶିଳ୍ପୀ ଜଗନ୍ନାଥ ମହାପାତ୍ରଙ୍କ ପତ୍ନୀ ପୁଷ୍ପାଞ୍ଜଳି ମହାପାତ୍ର କୁହନ୍ତି, "ମୋ ଶ୍ବଶୁରଙ୍କ ଠାରୁ ସ୍ବାମୀ ଏହି ହସ୍ତଶିଳ୍ପ ଶିକ୍ଷା ଲାଭ କରିଥିଲେ। ଶଙ୍ଖ ଶାମୁକା ବିଭିନ୍ନ ଅଳଙ୍କାର, ଘର ସାଜସଜ୍ଜା ସାମଗ୍ରୀ ତିଆରି କରାଯାଉଛି । ଲୋକ ମାନେ ବହୁତ୍ ପସନ୍ଦ ମଧ୍ୟ କରୁଛନ୍ତି। ଏହି ସାମଗ୍ରୀ ରାଜ୍ୟ ବାହାରକୁ ଯାଉଥିବା ବେଳେ ଆମ ପାଖକୁ ବିଭିନ୍ନ ସ୍ଥାନରୁ ବରାଦ ମଧ୍ୟ ଆସୁଛି । ଏଠାରେ ପ୍ରଶିକ୍ଷଣ ନେଉଥିବା ପିଲା ମାନେ ଏହା ଯୋଗୁଁ କାମ ପାଇବା ସହ ରୋଜଗାର କରି ସ୍ବାବଲମ୍ବୀ ହୋଇ ପାରିଛନ୍ତି। ଏଠାକୁ ମହିଳା, ଯୁବପିଢ଼ି ମାନେ ଶଙ୍ଖ ଶାମୁକା ହସ୍ତଶିଳ୍ପ ଶିକ୍ଷା ଲାଭ କରି ରୋଜଗାର କରି ନିଜ ଘର ପରିବାର ଚଳାଇ ପରୁଛନ୍ତି।"

ଶଙ୍ଖ ଶାମୁକା ହସ୍ତଶିଳ୍ପ ଶିକ୍ଷା ଲାଭ କରୁଥିବା ମମତା ମହାପାତ୍ର କୁହନ୍ତି, "ଜଗନ୍ନାଥ ମହାପାତ୍ର ଦୀର୍ଘ 35ରୁ ଅଧିକ ହେବ ଶଙ୍ଖ ଶାମୁକା ହସ୍ତ ଶିଳ୍ପ ସାମଗ୍ରୀ କରୁଛନ୍ତି। ଶଙ୍ଖ ଶାମୁକା ବହୁତ୍ ଆକର୍ଷଣୀୟ ସାମଗ୍ରୀ କରାଯାଉଛି। ବାହାର ରାଜ୍ୟକୁ ଏହି ସାମଗ୍ରୀ ପଠା ଯାଉଛି। ବିଭିନ୍ନ ଜାତୀୟ ସ୍ତରର ପ୍ରଦର୍ଶନୀକୁ ମଧ୍ୟ ସାମଗ୍ରୀ ଯାଉଛି । ସ୍ଥାନୀୟ ଲୋକ ମାନେ ମଧ୍ୟ ଆସି ବିଭିନ୍ନ ସାମଗ୍ରୀ ନେଉଛନ୍ତି। ଏଠାରେ ୧୦୦ ରୁ ଅଧିକ ପିଲା ଏହି ଶଙ୍ଖ ଶାମୁକା ହସ୍ତଶିଳ୍ପ ଶିକ୍ଷା ଲାଭ କଲେଣି। ସେହି ପିଲାମାନେ ପ୍ରଶିକ୍ଷଣ ପାଇ ସ୍ବାବଲମ୍ବୀ ହୋଇ ପାରିଛନ୍ତି। ମୁଁ ମଧ୍ୟ ଏହି ହସ୍ତ ଶିଳ୍ପ ଶିକ୍ଷା କରୁଛି। ଏହାକୁ ଶିଖିଲେ ଜଣେ ରୋଜଗାର କରି ନିଜ ଘର ପ୍ରତିପୋଷଣ କରିବାରେ ସକ୍ଷମ ହୋଇ ପାରିବେ।

ଏହା ମଧ୍ୟ ପଢନ୍ତୁ-ଶିଶୁରୋଗ ବିଶେଷଜ୍ଞ ସୁବର୍ଣ୍ଣା ଦେବୀ, 27 ବର୍ଷ ଧରି ଆଦିବାସୀ ଓ ଗରିବ ଶିଶୁଙ୍କୁ ମାଗଣା ଚିକିତ୍ସା
ଏହା ମଧ୍ୟ ପଢନ୍ତୁ-ଇଚ୍ଛାଶକ୍ତି ଆଗରେ ହାର୍ ମାନିଲା ବୟସ, ରୋନାଲିଶା ବନିଲେ ନୃତ୍ୟ ଗୁରୁଇଟିଭି ଭାରତ, ପୁରୀ


