କେନ୍ଦୁପତ୍ର ତୋଳାଳୀ ଓ ବନ୍ଧାଳିଙ୍କୁ ୪୧ କୋଟି ସହାୟତା, ଦେବଗଡରେ ୨୦୫ କୋଟି ପ୍ରକଳ୍ପର ଉଦଘାଟନ
ଦେବଗଡ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୩୦୦ ଶଯ୍ୟା ବିଶିଷ୍ଟ ନବ ନିର୍ମିତ ଡାକ୍ତରଖାନାକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି ।


Published : June 3, 2025 at 7:58 PM IST
ଦେବଗଡ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଦିନିକିଆ ଦେବଗଡ଼ ଜିଲ୍ଲା ଗସ୍ତରେ ଯାଇଛନ୍ତି । ଦେବଗଡ଼ରେ ମୁଖ୍ୟମନ୍ତ୍ରୀ ପ୍ରାୟ ୨୦୫ କୋଟି ଟଙ୍କା ମୂଲ୍ୟର ୧୫ଟି ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ପ୍ରକଳ୍ପ ଗୁଡିକ ମଧ୍ୟରେ ୧୧ଟି ସ୍ୱାସ୍ଥ୍ୟ ସେବା ପ୍ରକଳ୍ପ ଏବଂ 4 ଟି ଶିକ୍ଷା ଭିତ୍ତିଭୂମି ଉନ୍ନତିକରଣ ପ୍ରକଳ୍ପ ରହିଛି । ଏଥିସହିତ ଦେବଗଡ଼ ଜିଲ୍ଲାର ୩୦୦ ଶଯ୍ୟା ବିଶିଷ୍ଟ ନବ ନିର୍ମିତ ଡାକ୍ତରଖାନାକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି ।
- ଦେବଗଡରେ ଡାକ୍ତରଖାନା ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, "ଦେବଗଡ ଜିଲ୍ଲାର ବିକାଶ ପାଇଁ ସମସ୍ତ ସାମର୍ଥ୍ୟ ଅଛି । ଆମେ ତାହାର ସଠିକ ଉପଯୋଗ କରି ଜିଲ୍ଲାକୁ ରାଜ୍ୟ ବିକାଶ ଧାରାର ମୁଖ୍ୟସ୍ରୋତରେ ଯୋଡିବୁ । ଆମ ସରକାର ଆସିବା ପରେ ଆମେ ଓଡିଶାର 30ଟି ଜିଲ୍ଲାର ସମାନୁପାତିକ ବିକାଶକୁ ଗୁରୁତ୍ୱ ଦେଉଛୁ । ସମାଜର ଶେଷ ଧାଡ଼ିରେ ଥିବା ଲୋକଟିଏ ଯେପରି ସବୁ ମୌଳିକ ସୁବିଧା ପାଇପାରିବ ସେଥିପ୍ରତି ଆମେ ଗୁରୁତ୍ୱ ଦେଉଛୁ । ଶିକ୍ଷା, ସ୍ୱାସ୍ଥ୍ୟ, ଭିତ୍ତିଭୂମି, କୃଷି, ଶିଳ୍ପ, ପୁଞ୍ଜିନିବେଶ ଓ ରୋଜଗାର ଉପରେ ଗୁରୁତ୍ୱ ଦେଲେ ହିଁ ସମୃଦ୍ଧ ଓଡ଼ିଶା ଗଠନର ସ୍ଵପ୍ନ ସମ୍ଭବ ହୋଇପାରିବ । ସମସ୍ତଙ୍କୁ ନେଇ ସବୁ କ୍ଷେତ୍ରର ବିକାଶ ଜରିଆରେ ୨୦୩୬ ମସିହା ସୁଦ୍ଧା ସମୃଦ୍ଧ ଓଡିଶା ଏବଂ ୨୦୪୭ ମସିହା ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ପୂରଣ କରିବା ପାଇଁ ଆମର ଉଦ୍ୟମ ଜାରି ରହିଛି ’’।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ଦେବଗଡ ଜିଲ୍ଲାକୁ ରାଜ୍ୟର ଏକ ଅଗ୍ରଣୀ ଓ ବିକଶିତ ଜିଲ୍ଲା ଭାବରେ ଗଢି ତୋଳିବା ଆମର ପ୍ରାଥମିକ ଲକ୍ଷ୍ୟ । ଏହି ଲକ୍ଷ୍ୟକୁ ପୂରଣ କରିବା ପାଇଁ ଜିଲ୍ଲାର ସମସ୍ତ ଜନସାଧାରଣଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ, ବିଜୁଳି ଓ ଗମନାଗମନ ଭଳି ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ଆମ ସରକାର ତ୍ୱରିତ ପଦକ୍ଷେପ ଗ୍ରହଣ କରୁଛନ୍ତି । ଓଡିଶାର ଜନସାଧାରଣକୁ ଯେଉଁ ପ୍ରତିଶ୍ରୁତି ଦେଇ ଆମେ ଲୋକଙ୍କ ସେବା କରିବାର ଦାୟିତ୍ୱ ନେଇଛୁ, ତାକୁ କାର୍ଯ୍ୟରେ ପରିଣତ କରିବା ପାଇଁ ଆମେ ଗୋଟିଏ ମିନିଟ ବି ନଷ୍ଟ କରିନାହୁଁ । ଆମ ସରକାର ଆସିବାର ଏକ ବର୍ଷ ହେବାକୁ ମାତ୍ର ୯ ଦିନ ବାକି ଅଛି । ଆଉ ଏଇ ଏକ ବର୍ଷ ଭିତରେ ଆମେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ତଥା ରାଜ୍ୟର ସାମଗ୍ରୀକ ବିକାଶ ପାଇଁ ଅନେକ ଉନ୍ନୟନମୂଳକ ଓ କଲ୍ୟାଣକାରୀ ପଦକ୍ଷେପ ଗ୍ରହଣ କରିଛୁ ।
- କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ 41 କୋଟି
କାର୍ଯ୍ୟକ୍ରମରେ ରାଜ୍ୟର ସମସ୍ତ କେନ୍ଦୁପତ୍ର ତୋଳାଳୀ ଓ ବନ୍ଧାଳିଙ୍କ ପାଇଁ ୪୧ କୋଟି ୧୭ ଲକ୍ଷ ଟଙ୍କାର ସହାୟତା ରାଶି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏଥିରେ କେନ୍ଦୁପତ୍ର ତୋଳାଳୀଙ୍କୁ ଚପଲ ପାଇଁ ୧୬୦ ଟଙ୍କା, କେରି ସଂଗ୍ରହ କପଡା ପାଇଁ ୨୦୦ ଟଙ୍କା, ତୋଳାଳୀ ଓ ସିଜନାଲ ଷ୍ଟାଫଙ୍କ ଟୋପି ପାଇଁ ୧୦୦ ଟଙ୍କା, ବନ୍ଧାଳି ମାନଙ୍କ ପାଇଁ ମଶାରୀ ଓ କମ୍ବଳ ପାଇଁ ଜଣଙ୍କ ପିଛା ୭୦୦ ଟଙ୍କା ପ୍ରଦାନ କରାଯିବ । ଏହା ଦ୍ୱାରା ରାଜ୍ୟର ପ୍ରାୟ ୯ ଲକ୍ଷ କେନ୍ଦୁପତ୍ର ତୋଳାଳୀ, ବନ୍ଧାଳି ଓ ସିଜନାଲ ଷ୍ଟାଫ ଉପକୃତ ହେବେ । କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ଦେବଗଡ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ଦେବଗଡ ଜିଲ୍ଲାପାଳ କବିନ୍ଦ୍ର ଚନ୍ଦ୍ର ସାହୁ ସ୍ୱାଗତ ଭାଷଣ ଦେଇଥିବା ବେଳେ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡଃ ବିଶ୍ଵମୋହନ ମିଶ୍ର ଧନ୍ୟବାଦ ଦେଇଛନ୍ତି ।
ଏହା ମଧ୍ୟ ପଢନ୍ତୁ କେନ୍ଦ୍ର ସରକାରର 11 ବର୍ଷ ଏବଂ ରାଜ୍ୟ ସରକାରଙ୍କ ଏକ ବର୍ଷର ହିସାବ ଦେବ ବିଜେପି
ଏହା ମଧ୍ୟ ପଢନ୍ତୁ ଖୁବଶୀଘ୍ର ଖୋଲିବ କଳିଙ୍ଗ ଷ୍ଟୁଡିଓ; ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ଡିପିଆର ପ୍ରସ୍ତୁତ ପାଇଁ ଦେଲେ ନିର୍ଦ୍ଦେଶ
ଇଟିଭି ଭାରତ, ଭୁବନେଶ୍ବର

