ଭୁବନେଶ୍ବର: ଭାରତରେ ପ୍ରାୟ ବର୍ଷକୁ 14 ଲକ୍ଷ ଲୋକ ତମାଖୁ ସେବନ ଯୋଗୁ ଜୀବନ ହରାଉଛନ୍ତି। ପ୍ରତି ବର୍ଷ ଭାରତରେ ବିଭିନ୍ନ କାରଣରୁ ମୃତ୍ୟୁରୁ ପ୍ରାୟ 10 ପ୍ରତିଶତ କେବଳ ତମାଖୁ ଜନିତ। ଜନସାଧାରଣ, ଯୁବ ସମାଜକୁ ଏଥିରୁ ମୁକ୍ତ କରିବା ବିଷୟକୁ ଗମ୍ଭିରତାର ସହ ନେବାର ସମୟ ଆସିଛି। ଏହା କହିଛନ୍ତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଲୋକସେବା ଭବନ କନଭେନସନ ହଲରେ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳନ ଉପଲକ୍ଷେ ଆୟୋଜିତ ସଚେତନତା ଅଭିଯାନର ଶୁଭାରମ୍ଭ ଅବସରରେ ସେ ଏହା କହିଛନ୍ତି। ନିଶାଦ୍ରବ୍ୟ, ଅପମିଶ୍ରିତ ଓ ବିଷାକ୍ତ ମାଦକ ଦ୍ରବ୍ୟ ବିରୁଦ୍ଧରେ ଆରମ୍ଭ ହେଉଥିବା ସଚେତନତା ଅଭିଯାନରେ ସମସ୍ତେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । ନିଶା ନୁହେଁ ଜୀବନକୁ ଆପଣେଇବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ସଂକଳ୍ପ ନେବାକୁ ଆହ୍ୱାନ ଦେଇଛନ୍ତି।

ତମାଖୁ, ବିଷାକ୍ତ ମଦ ଓ ଡ୍ରଗ୍ସ ବ୍ୟବହାର ଓ ପ୍ରସାରକୁ ରୋକିବା ପାଇଁ ରାଜ୍ୟବ୍ୟାପୀ ପ୍ରଥମ ପର୍ଯ୍ୟାୟରେ ବିଶ୍ୱ ତମାଖୁ ବର୍ଜନ ଦିବସ ମେ 31 ତାରିଖରୁ ଜୁନ୍ 26 ତାରିଖ, ଦ୍ୱିତୀୟ ପର୍ଯ୍ୟାୟରେ ଜୁନ୍ 26ରୁ ଅଗଷ୍ଟ 15, ତୃତୀୟ ପର୍ଯ୍ୟାୟରେ ଅକ୍ଟୋବର 2 ଏବଂ ଚତୁର୍ଥ ପର୍ଯ୍ୟାୟରେ ଡିସେମ୍ବର 25ରୁ 2026 ଜାନୁଆରୀ 15 ତାରିଖ ପର୍ଯ୍ୟନ୍ତ ପ୍ରାୟ ଏକ ବର୍ଷ ଧରି ଏହି ସଚେତନତା ଅଭିଯାନ ଜାରି ରହିବ। ମୁଖ୍ୟମନ୍ତ୍ରୀ କହିଛନ୍ତି, "ତମାଖୁ ଜନିତ ମୃତ୍ୟୁକୁ ରୋକିବା ପାଇଁ କେବଳ ଗୋଟିଏ ଉପାୟ ହେଉଛି ସଚେତନତା। ଲୋକମାନେ ଏହାର ଭୟାବହତା ଜାଣିବା ସତ୍ତ୍ୱେ ଏଥିରୁ ଦୂରେଇ ପାରୁନାହାନ୍ତି। ଯଦି ଗୋଟିଏ ବ୍ୟକ୍ତିକୁ ସଚେତନ କରାଇପାରୁଛେ, ତେବେ ଆମେ ତା’ର ଜୀବନ ବଞ୍ଚାଇ ପାରୁଛେ। ତମାଖୁ ସେବନର ଅପକାରିତା ଏବଂ ସ୍ୱାସ୍ଥ୍ୟଗତ ଭୟାବହତା ଉପରେ ସଚେତନତା ସୃଷ୍ଟି ପାଇଁ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ସଚେତନତା ଅଭିଯାନକୁ ଘରେ ଘରେ ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ମୁଖ ଗହ୍ୱର କର୍କଟ କିମ୍ବା ଫୁସଫସ କର୍କଟର ଶତ ପ୍ରତିଶତ କାରଣ ହେଉଛି ତମାଖୁ ଏବଂ ସିଗାରେଟ ସେବନ । ଦୁନିଆରେ ଏକମାତ୍ର ସତ୍ୟ ହେଉଛି ମୃତ୍ୟୁ । ତେବେ ଏହା କଣ ଯନ୍ତ୍ରଣାଦାୟକ ହେବା ନିତ୍ୟାନ୍ତ ଆବଶ୍ୟକ । ତେଣୁ ଏକ ସୁସ୍ଥ ଜୀବନଶୈଳୀକୁ ଆପଣେଇବା ପାଇଁ ସମସ୍ତେ ସଚେତନ ହେବା ଉଚିତ । ତମାଖୁ, ସିଗାରେଟ ଓ ନିଶା ଦ୍ରବ୍ୟର ବିଜ୍ଞାପନ ମଧ୍ୟ ଯୁବ ସମାଜ ଉପରେ ପ୍ରଭାବ ପକାଉଛି । ଏହି ଛଳନାପୂର୍ଣ୍ଣ ବିଜ୍ଞାପନ ପ୍ରତି ମଧ୍ୟ ସଜାଗ ରହିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ନିଶା ଦ୍ରବ୍ୟ ଅପବ୍ୟବହାର, ବିଷାକ୍ତ ମଦ ଓ ଚୋରା ମଦର ବ୍ୟାପକତାକୁ ରୋକିବାକୁ ଅବକାରୀ, ଗୃହ ବିଭାଗ ଓ ନିଶା ନିୟନ୍ତ୍ରଣ ବ୍ୟୁରୋର ମିଳିତ ଉଦ୍ୟମରେ ଧରପଗଡ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯାଇ ଦୋଷୀମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ କରାଯାଉଛି । STFକୁ କ୍ଷମତାପନ୍ନ କରାଯାଇ ତମାଖୁ ସହିତ ଅନ୍ୟାନ୍ୟ ନିଶା ଦ୍ରବ୍ୟ ବିଶେଷ ଭାବେ ଚୋରା ଚାଲଣ ହେଉଥିବା ନିଶା ସାମଗ୍ରୀକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଚେଷ୍ଟା ଜାରି ରହିଛି ।
ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି, "ତମାଖୁ ସହିତ ସବୁ ପ୍ରକାର ନିଶା ଦ୍ରବ୍ୟ ଉପରେ ଅଙ୍କୁଶ ଲଗାଇବା ପାଇଁ ଖୁବଶୀଘ୍ର ନୂତନ ଅବକାରୀ ନୀତି ପ୍ରଣୟନ କରାଯିବ। ମୁଖ୍ୟମନ୍ତ୍ରୀ ବିଭିନ୍ନ ମାଦକ ତଥା ନିଶା ଦ୍ରବ୍ୟ ବ୍ୟବହାରର କୁପରିଣାମ ବିଷୟରେ ଅବଗତ କରାଇବା ଏବଂ ଅପମିଶ୍ରିତ, ବିଶାକ୍ତ ଏବଂ ଚୋରା ମଦ କାରବାର ସମ୍ପୂର୍ଣ୍ଣ ରୋକିବା ପାଇଁ ରାଜ୍ୟବ୍ୟାପୀ ସଚେତନତା ଅଭିଯାନର ଲୋଗୋ, ଟିଭି ସ୍ପଟ, ଥିମ୍ ସଙ୍ଗ୍ ଏବଂ ସୂଚନା ପୁସ୍ତିକା ଉନ୍ମୋଚନ କରିଛନ୍ତି।

କଠୋର ହେବ ଅବକାରୀ ଆଇନ:-
ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, "ପ୍ରଥମ କରି ରାଜ୍ୟରେ ଅବକାରୀ ବିଭାଗ ପକ୍ଷରୁ ଅଭିନବ ଉପାୟରେ ସଚେତନତା କରାଯାଉଛି। ବିଭିନ୍ନ ବିଭାଗର ସମନ୍ୱୟରେ ପଦକ୍ଷେପ ନିଆଯାଉଛି। ୩ଟି ପର୍ଯ୍ୟାୟରେ ଏହି ଜନ ଆନ୍ଦୋଳନ କାର୍ଯ୍ୟକ୍ରମ ହେବ। ଅବକାରୀ ଆଇନରେ କଠୋର ହେବ ଦଣ୍ଡ ବିଧାନ ବ୍ୟବସ୍ଥା। ବେଆଇନ ମଦ କାରବାର ଉପରେ ଲାଗିବ ରୋକ। କଠୋର ହେବ କାର୍ଯ୍ୟାନୁଷ୍ଠାନ। ଗଞ୍ଜେଇ ଚାଷ ଓ ବିକ୍ରୀ ଉପରେ ରୋକ ଦେବାକୁ ପଡ଼ିବ। ଅବକାରୀ ଆଇନରେ ପରିବର୍ତ୍ତନ ଆସିବ। କଠୋର ହେବ ଆଇନ । ଫଳରେ ଦୋଷୀ ଦଣ୍ଡିତ ହେବେ । ଗାଉଡ଼ ଲାଇନ ଭିତରେ ରହି ବ୍ୟବସାୟ ହେବ । ଟେକ୍ନୋଲୋଜିର ମଧ୍ୟ ବ୍ୟବହାର କରାଯିବ ।"
ଖାଇବା ଦୋକାନରେ କମ, ମଦ ଦୋକାନରେ ଅଧିକ ଭିଡ଼:-
ଏକାମ୍ର ବିଧାୟକ ବାବୁ ସିଂ କହିଛନ୍ତି, "ବିଗତ ୨୦ ବର୍ଷ ତଳେ ଓଡ଼ିଶାରେ ମଦ କାରବାର ସହରର ଦୂରରେ ହେଉଥିଲା । ଯିଏ ମଦ ପିଇବାକୁ ଯାଉଥିଲେ ଲୋକେ ଜାଣୁଥିଲେ । ସେ ଅଛୁଆଁ ହେଉଥିଲେ । ଏବେ ମଦ ଦୋକାନ ମନ୍ଦିର, ସ୍କୁଲ କଲେଜ ଓ ହସ୍ପିଟାଲ ପାଖରେ ଖୋଲିଲାଣି । ରାଜ୍ୟର ପ୍ରତି ଗଳି କନ୍ଦିରେ ମଦ ଦୋକାନ ଖୋଲିଗଲାଣି । ସକାଳ ହେଲେ ଲୋକଙ୍କୁ ଖାଇବା ଦୋକାନରେ କମ ମଦ ଦୋକାନରେ ଅଧିକ ଦେଖିବାକୁ ମିଳୁଛନ୍ତି । ଯୁବପିଢ଼ି ନିଶା କବଳକୁ ଯାଉଛନ୍ତି । ତେଣୁ ଏହାକୁ ରୋକିବାକୁ ପଡ଼ିବ । ଆଉ ଏହି ପଦକ୍ଷେପ ଭୁବନେଶ୍ବରରୁ ଆରମ୍ଭ ହେବ । ଭୁବନେଶ୍ୱରରୁ ମଦ ବନ୍ଦ ଆରମ୍ବ ହେଉ । କୋଭିଡରେ ଦୋକାନ ବନ୍ଦ ହେଲା ଲୋକେ ଘରେ ମଦ ପହଞ୍ଚାଇଲେ । ଏବେ ଏସବୁକୁ ରୋକିବାର ସମୟ ଆସିଛି ।"

ସବୁ ମଦୁଆଙ୍କୁ ରାସ୍ତାରେ ମାଡ଼:-
ବିଧାୟକ ବାବୁ ସିଂ ଆହୁରି ମଧ୍ୟ କହିଛନ୍ତି, "ପୋଲିସ ଏନେଇ କଡ଼ା ପଦକ୍ଷେପ ନେଉ। ସବୁ ମଦୁଆକୁ ରାସ୍ତାରେ ମାଡ଼ ମାରନ୍ତୁ। ୟୁପି, ବିହାରରେ ମଦ ବନ୍ଦ ହୋଇଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ମନ୍ତ୍ରୀଙ୍କ ଦକ୍ଷତା ଅଛି। ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ। କ୍ରାଇମ ପାଇଁ ମଦ ହିଁ 50 ପ୍ରତିଶତ କାରଣ। ତେଣୁ ଏହାକୁ ଦୃଷ୍ଟିରେ ରଖି ସରକାର ପଦକ୍ଷେପ ନିଅନ୍ତୁ। କେବଳ ସରକାର ସଚେତନ ହେଲେ କି କାର୍ଯ୍ୟାନୁଷ୍ଠାନ ନେଲେ ହେବନାହିଁ। ଲୋକଙ୍କୁ ବି ସଚେତନ ହେବାକୁ ପଡ଼ିବ। ସରକାରଙ୍କ ପାଖରେ ବାଧ୍ୟ ବାଧକତା ଥିବ। କିନ୍ତୁ ମୁଁ ନିଶା ଛୁଇଁବି ନାହିଁ କିମ୍ବା ନିଶା ଖାଇବିନାହିଁ ଏକଥା ନିଜେ ସଂକଳ୍ପ ନେବା ଦରକାର। ପ୍ରତି ବର୍ଷ ୧୦ ଲୋକଙ୍କ ନିଶା ଛଡାଇବା ସଂକଳ୍ପ ନେବା" ବୋଲି ସଚେତନତା ବାର୍ତ୍ତା ଦେଇଛନ୍ତି ବିଧାୟକ।
ଅବକାରୀ ବିଭାଗ ଶାସନ ସଚିବ ଗୁହା ପୁନମ ତାପସ କୁମାର କହିଛନ୍ତି,"ଅବକାରୀ, ଏନସିବି, ପୋଲିସ ଓ ଅନ୍ୟାନ୍ୟ ବିଭାଗ ସମନ୍ୱୟରେ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଗଞ୍ଜେଇ, ବେଆଇନ ମଦ, ଡ୍ରଗ୍ସ କାରବାର ଉପରେ ଚଢ଼ାଉ ହେଉଛି। 2024/25 ଆର୍ଥିକ ବର୍ଷରେ 27 ହଜାର 7 ଶହ ଏକର ନଷ୍ଟ କରାଯାଇଛି। ବାର୍ଷିକ ଆକ୍ସନ ପ୍ଲାନ ପ୍ରସ୍ତୁତ ହେଉଛି।"

ନିଶାମୁକ୍ତି ଅଭିଯାନର ବ୍ରାଣ୍ଡ ଆମ୍ବାସଡର ତଥା ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ କହିଛନ୍ତି, "ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଅଭିଯାନକୁ ଘରେ ଘରେ ପହଞ୍ଚାଇବା ଆମ ସମସ୍ତଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ। କାର୍ଯ୍ୟକ୍ରମରେ ଯୁଗ୍ମ ସଚିବ ଅର୍ଚ୍ଚନା ଦାସ ପଟ୍ଟନାୟକ, ଅତିରିକ୍ତ ସଚିବ ଦେବାଶିଷ ପଟ୍ଟନାୟକ, ଯୁଗ୍ମ ସଚିବ ତ୍ରିଲୋଚନ ପାତ୍ର, ଯୁଗ୍ମ ସଚିବ ରମେଶ ଚନ୍ଦ୍ର ଡାକୁଆ, ଉପ ସଚିବ ପ୍ରବୋଧ କୁମାର ଦ୍ବିବେଦୀ ଉପସ୍ଥିତ ଥିଲେ। ଓଡ଼ିଶା ପାନୀୟ ନିଗମର ପରିଚାଳନା ନିର୍ଦ୍ଦେଶକ ଅମ୍ବର କୁମାର କର ଧନ୍ୟବାଦ ଅର୍ପଣ କରିଛନ୍ତି। ଜିଲ୍ଲାପାଳ, ଅବକାରୀ ଅଧିକ୍ଷକମାନେ ଭିସି ଜରିଆରେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
ଏହା ମଧ୍ୟ ପଢ଼ନ୍ତୁ- ବିଶ୍ୱ ତମାଖୁ ବର୍ଜନ ଦିବସ: 'ଲୋଭନୀୟ ବିଜ୍ଞାପନ ତମାଖୁ ସେବନକୁ ଆକ୍ରୁଷ୍ଟ କରୁଛି'
ଏହା ମଧ୍ୟ ପଢ଼ନ୍ତୁ- ନିଶା କବଳରେ ଯୁବପିଢି ! କେମିତି ଛାଡିବେ ତମାଖୁ ? ଜାଣନ୍ତୁ ଉପାୟ
ଇଟିଭି ଭାରତ, ଭୁବନେଶ୍ବର