CM Mohan Charan Majhi VISIT NUAPADA ନୂଆପଡ଼ା: ବିକାଶ ଟ୍ରାକରେ ଦୌଡ଼ିବ ନୂଆପଡ଼ା ଜିଲ୍ଲା । ରାଜପଥ ଠାରୁ ଆରମ୍ଭ କରି ରେଳପଥ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଜିଲ୍ଲାକୁ ଆଗ୍ରାଧିକାର ଦେବେ ରାଜ୍ୟ ସରକାର । ସେହିପରି କୃଷିକ୍ଷେତ୍ରର ବିକାଶ ପାଇଁ ଜିଲ୍ଲାର ୯୯ ପ୍ରତିଶତ ଚାଷଜମି ଜଳସେଚିତ ହେବ । ଗମନାଗମନ, ଶିକ୍ଷା ଓ ସ୍ବାସ୍ଥ୍ଯ କ୍ଷେତ୍ରରେ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ନୂଆପଡ଼ାରେ ୩୨୦ କୋଟି ଟଙ୍କାରୁ ଊର୍ଦ୍ଧ୍ବ ବ୍ୟୟ ପ୍ରକଳ୍ପର ଶିଳାନ୍ୟାସ ସହ ଶୁଭ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ମୁଖ୍ୟମନ୍ତ୍ରୀଙ୍କ ନୂଆପଡା ଗସ୍ତ:
ନୂଆପଡା ଜିଲ୍ଲାକୁ ଦୁଇ ଦିନିଆ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ନୂଆପଡା ମିନି ଷ୍ଟାଡିୟମ ଠାରେ ଆୟୋଜନ କରାଯାଇଥିବା ଜିଲ୍ଲାସ୍ତରୀୟ 'ମାରାଗୁଡ଼ା ଲୋକ ମହୋତ୍ସବ ୨୦୨୫' ସଂନ୍ଧ୍ୟାରେ ମୁଖ୍ୟଅତିଥି ଭାବରେ ଯୋଗଦେଇ ବିଶାଳ ଜନସମାବେଶକୁ ସମ୍ବୋଧନ କରିଛନ୍ତି । ବହୁ ପ୍ରାଚୀନ ପୂରାତନ ସିନ୍ଧୁ ସଭ୍ୟତା ଭଳି ନୂଆପଡାରେ ମଧ୍ୟ ପ୍ରାକ ଐତିହାସିକ ପ୍ରାଚୀନ ପୂରାତନ ମାରାଗୁଡ଼ା ସଭ୍ୟତା ରହିଥିବା ବିଶିଷ୍ଟ କବି ଲେଖକ ଗବେଷକ ପ୍ରତ୍ନତତ୍ଵବିତଙ୍କ ଠାରୁ ଜାଣିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।
ସେହିଭଳି ନୂଆପଡାର ସ୍ବାଧୀନତା ସଂଗ୍ରାମୀ ବରପୁତ୍ରମାନେ ସାହାସିକତାର ପରିଚୟ ଦେଇ ଦେଶ ସ୍ବାଧୀନତା ଝାସରେ ନିଜ ଜୀବନକୁ ବଳୀ ଦାନ ଦେଇଛନ୍ତି । ଯାହାକି ନୂଆପଡା ରକ୍ତ ରଞ୍ଜିତ ସାଲିହା ଗଡ଼ ମୁକସାକ୍ଷୀ ବୋଲି କହିଛନ୍ତି । ସେଠାରେ ଇଂରେଜ ସରକାରଙ୍କ ସୈନିକମାନଙ୍କ ସହିତ ଗରିଲା ଯୁଦ୍ଧ କରି ନୂଆପଡାର ଏକାଧିକ ବୀର ସ୍ବାଧୀନତା ସଂଗ୍ରାମୀମାନେ ଶହୀଦ ହୋଇଛନ୍ତି । ନୂଆପଡାର ଅଜର ଅମର ବରପୁତ୍ରମାନଙ୍କୁ ଭକ୍ତିପୁତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ନୂଆପଡ଼ାରେ 'ମାରାଗୁଡ଼ା ଲୋକ ମହୋତ୍ସବ'ରେ ଯୋଗ ଦେଇ ସମସ୍ତଙ୍କୁ ସମ୍ବୋଧିତ କରିଛନ୍ତି। pic.twitter.com/Q3u58XL0v7
— CMO Odisha (@CMO_Odisha) April 4, 2025
ପରେ ମାରାଗୁଡ଼ା ଲୋକ ମହୋତ୍ସବ ପଡିଆରେ ପହଞ୍ଚି ନୂଆପଡା ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ ବିଭିନ୍ନ ୬୩ଟି ପ୍ରକଳ୍ପ ପାଇଁ ୩୨୦ କୋଟି ଟଙ୍କାର ଅର୍ଥ ମଞ୍ଜୁର କରି ଏକକାଳୀନ ସମୂହ ଯୋଜନାର ଶିଳାନ୍ୟାସ କରିଛନ୍ତି । ନୂଆପଡା କଳା ସାହିତ୍ୟ ସଂସ୍କୃତି ତଥା ନୂଆପଡା ମାରାଗୁଡ଼ାର ପ୍ରାଚୀନ ସଭ୍ୟତା ମାରାଗୁଡ଼ା ଲୋକ ମହୋତ୍ସବ ନୂଆପଡା ଜିଲ୍ଲାକୁ ସମୃଦ୍ଧ କରିପାରିବ । ନୂଆପଡା ବିକାଶ ଧାରାରେ ମାରାଗୁଡା ମହୋତ୍ସବ ବାର୍ତ୍ତା ବହ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ନୂଆପଡ଼ାରେ ୩୨୦ କୋଟି ଟଙ୍କାରୁ ଊର୍ଦ୍ଧ୍ବ ବ୍ୟୟ ପ୍ରକଳ୍ପର ଶିଳାନ୍ୟାସ:
ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, "ନୂଆପଡାରେ ରାଜ୍ୟ ରାଜପଥ, ରେଳପଥର ସୁନିଶ୍ଚିତ ବିକାଶ ହେବ, ଗମନା ଗମନ ପାଇଁ ରାସ୍ତା, ବ୍ୟାରେଜ, ପୋଲ ନିର୍ମାଣ କରାଯିବ । ସ୍ୱାସ୍ଥ୍ୟ କ୍ଷେତ୍ରରେ ଆମ ସରକାର ସତ ଚେଷ୍ଟିତ । ତାହା ନୂଆପଡାରେ ମଧ୍ୟ ପ୍ରତିଫଳିତ ହେବ । ଆମ ସରକାର ଆସିବା ଦିନଠାରୁ ଦ୍ରୁତ ଗତିରେ ବିକାଶ ଧାରାରେ ଚାଲିଛି । ମାଆ ଭଉଣୀମାନଙ୍କ ପାଇଁ ସୁଭଦ୍ରା ଯୋଜନା ଉଦାହାରଣ ସୃଷ୍ଟି କରିଛି ।
‘ଧାନର MSP ବୃଦ୍ଧି କରି କୃଷକଙ୍କୁ ୮୦୦ ଟଙ୍କା ବୋନସ ଦେଇ ଉଦାହରଣ କରିଛି ସରକାର । ରାଜ୍ୟରେ ଲକ୍ଷପତି ଦିଦି ସୃଷ୍ଟି କରିବା ପାଇଁ ଆମ ସରକାର ବ୍ଲିଲୁ ପ୍ରିଣ୍ଟ ତିଆରି କରିସାରିଛି । ମାଆମାନଙ୍କୁ ଶଶକ୍ତ କରାଯିବ । ନୂଆପଡା ଜିଲ୍ଲାର ଚାଷଜମିକୁ ୯୯ ପ୍ରତିଶତ ଜଳ ସେଚନର ବ୍ୟବସ୍ଥା କରିବା ପାଇଁ ଆମେ ସଂକଳ୍ପ ବଦ୍ଧ । ୱାଟର ସୋର୍ସ ଦେଖି ବ୍ୟାରେଜ, ଚେକ ଡ୍ୟାମ, ବଡ଼ ବଡ଼ ଜଳାଶୟ ସୃଷ୍ଟି କରି ଚାଷୀଙ୍କୁ ପାଣି ଯୋଗାଇ ଦିଆଯିବ । ଗମନାଗମନ, ଶିକ୍ଷା ଓ ସ୍ବାସ୍ଥ୍ଯ କ୍ଷେତ୍ରରେ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ନୂଆପଡ଼ାରେ ୩୨୦ କୋଟି ଟଙ୍କାରୁ ଊର୍ଦ୍ଧ୍ବ ବ୍ୟୟ ପ୍ରକଳ୍ପର ଶିଳାନ୍ୟାସ ସହ ଶୁଭ ଉଦ୍ଘାଟନ କରାଯାଇଛି ।"
ନୂଆପଡ଼ାରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ:
ଗତକାଲି (ଶୁକ୍ରବାର) ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆପଡ଼ା ଗସ୍ତ କରିଥିବା ବେଳେ ସନ୍ଧ୍ୟା ୬ଟାରେ ନୂଆପଡା ଏୟାରଷ୍ଟ୍ରିପରେ ସ୍ୱତନ୍ତ୍ର ବୀମାନ ଯୋଗେ ଅବତରଣ କରିଥିଲେ । ସେଠାରେ ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାସ, ନୂଆପଡା ଆରକ୍ଷୀ ଅଧିକ୍ଷକ ଜି.ଆର. ରାଘବେନ୍ଦ୍ର ରେଡ୍ଡୀ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ଏହାପରେ ନୂଆପଡା ପୋଲିସ ବାହିନୀଙ୍କ ଦ୍ୱାରା ରାଷ୍ଟ୍ରୀୟ ମର୍ଯ୍ୟାଦାରେ ସଲାମୀ ଦେଇଥିଲେ ।
ଏହାପରେ କଲାହାଣ୍ଡି ସାଂସଦ ମାଳବିକା ଦେବୀ, ପୂର୍ବତନ କଲାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆ, ଖଡ଼ିଆଳ ପୂର୍ବତନ ବିଧାୟକ ହିତେଶ କୁମାର ବଗର୍ତ୍ତୀ ପୁଷ୍ପଗୁଚ୍ଛ ଦେଇ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇଥିଲେ । ପରେ ପୂର୍ବରୁ ନିର୍ଦ୍ଦାରିତ କାର୍ଯ୍ୟକ୍ରମ ଅନୁସାରେ, ମୁଖ୍ୟମନ୍ତ୍ରୀଙ୍କ କାରକେଡ ନୂଆପଡା ଅଭିମୁଖେ ଆଗେଇଥିଲା ।
ନୂଆପଡା ଏୟାର ଷ୍ଟ୍ରିପ ଠାରୁ ନୂଆପଡା ମହୋତ୍ସବ ପଡିଆ ପର୍ଯ୍ୟନ୍ତ ପ୍ରାୟ ୧୦କିମି ପର୍ଯ୍ୟନ୍ତ ବାଜା ଗାଜା ଘୁମୁରା, ଦୁଲଦୁଲି ସଂକୀର୍ତ୍ତନ୍ୟ ଆଦି ନୃତ୍ୟର ତାଳେତାଳେ ନୂଆପଡାବାସୀ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ । ଏହାପରେ ନୂଆପଡା ଏକତା ଛକ ଠାରେ ରହିଥିବା ସ୍ବାଧୀନତା ସଂଗ୍ରାମୀ ପୂର୍ବତନ ମନ୍ତ୍ରୀ ସ୍ବର୍ଗୀୟ ଘାସିରାମ ମାଝୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଏହା ମଧ୍ୟ ପଢ଼ନ୍ତୁ.. ଶିଳ୍ପ ସମୃଦ୍ଧ ହେବ ଖୋର୍ଦ୍ଧା, 14ଟି ନୂତନ ଶିଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ସମ୍ବଲପୁରରେ ଜନତା ଦରବାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ରାଜଧାନୀ ବାହାରେ ପ୍ରଥମ ଥର ଅଭିଯୋଗ ଶୁଣାଣି |
ସେପଟେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥାକୁ କଡାକାଡି କରି ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ମଧ୍ୟରାତ୍ରୀ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ମାରାଗୁଡ଼ା ଲୋକ ମହୋତ୍ସବରେ ରହି ଉଦବୋଧନ ଦେବାପରେ ନୂଆପଡା ସର୍କିଟ ହାଉସ ଠାରେ ରାତ୍ରୀ ଯାପନ କରିଛନ୍ତି । ନୂଆପଡାରେ ଆଜି ମୁଖ୍ୟମନ୍ତ୍ରୀଙ୍କ କୌଣସି କାର୍ଯ୍ୟକ୍ରମ ନଥିବା ବେଳେ, ଭୁବନେଶ୍ୱର ଫେରିଯିବେ ବୋଲି ଜଣାପଡ଼ିଛି ।
ଇଟିଭି ଭାରତ, ନୂଆପଡ଼ା