Hanuman jayanti 2025 କେନ୍ଦୁଝର/କେନ୍ଦ୍ରାପଡା: ଆଜି ମହାବିଷୁବ ସଂକ୍ରାନ୍ତି ଓ ମହାବୀର ଜନ୍ମୋତ୍ସଵ । ରାଜ୍ୟରେ ସବୁଠି ଧୁମଧାମରେ ପାଳନ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଗସ୍ତରେ ପ୍ରଥମେ ମହାବୀର ହନୁମାନଙ୍କ ପୂଜାର୍ଚ୍ଚନା କରିଥିଲେ।ସେପଟେ ଭାଇଚାରାର ନିଆରା ନିଦର୍ଶନ ଦେଇଛି କେନ୍ଦ୍ରାପଡା । ବିଶାଳ ହିନ୍ଦୁ ଶୋଭାଯାତ୍ରା ଚାଲିଥିବା ବେଳେ ମୁସଲମାନ ସମ୍ପ୍ରଦାୟ ପକ୍ଷରୁ ଶୋଭାଯାତ୍ରାରେ ଆସୁଥିବା ହିନ୍ଦୁ ଭାଇ ମାନଙ୍କୁ ପାଣି ବୋତଲ, ମୃଦୁ ପାନୀୟ ଓ ସରବତ ଦେଇ ଆପ୍ୟାୟିତ କରିବା ଭାଇଚାରା ପ୍ରଦର୍ଶନ କରିଛି ।
ଶୋଭାଯାତ୍ରାରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ:
ଆଜି ଦିନିକିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ଆସିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପ୍ରଥମେ ଜିଲ୍ଲାର ଆରାଧ୍ୟା ଦେବୀ ମା’ ତାରିଣୀଙ୍କ ବାର୍ଷିକ ଚଇତି ପର୍ବରେ ଯୋଗଦେଇ ମା‘ଙ୍କ ଆର୍ଶୀବାଦ ଗ୍ରହଣ କରିଥିଲେ ମୁଖ୍ୟମନ୍ତ୍ରୀ । ପରେ କେନ୍ଦୁଝର ସହରର ଲାବଣ୍ୟ ଛକରେ ଥିବା ମହାବୀର ପୂଜା କମିଟି ଦ୍ବାରା ବାର୍ଷିକ ମହୋତ୍ସବରେ ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀ ଉକ୍ତ କମିଟିର ସଦସ୍ୟ ଥିବାବେଳେ ଆଜି ପ୍ରଥମେ ମହାବୀର ହନୁମାନଙ୍କ ପୂଜାର୍ଚ୍ଚନା କରିଥିଲେ । ପରେ ମହୋତ୍ସବ କମିଟି ଦ୍ଵାରା ଆୟୋଜିତ ଝଣ୍ଡା ଶୋଭାଯାତ୍ରାରେ ଯୋଗଦେଇଥିଲେ ।

ଖୁସି ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ:
ଭାଇଚାରାର ଏହି ଶୋଭାଯାତ୍ରାରେ ସାମିଲ ହୋଇ ମୁଖ୍ୟମନ୍ତ୍ରୀ ଖୁସିବ୍ୟକ୍ତ କରିଥିଲା ବେଳେ ମହାବୀର ହନୁମାନଙ୍କ କୃପାରୁ ଜିଲ୍ଲାବାସୀଙ୍କ ସୁଖଶାନ୍ତିରେ କଟିବ ବୋଲି ପାର୍ଥନା କରିଥିଲେ । କେନ୍ଦୁଝର ଆଗାମୀ ଦିନରେ ସୁନାର ଜିଲ୍ଲା ହେବ ବୋଲି କାମନା କରିଥିଲେ ମୁଖ୍ୟମନ୍ତ୍ରୀ । ଏହି ଶୋଭାଯାତ୍ରାରେ ଅନ୍ୟମାନଙ୍କ ମଧ୍ୟରେ ସାଂସଦ ଅନନ୍ତ ନାୟକ, ତେଲକୋଇ ବିଧାୟକ ଡ଼ ଫକୀର ନାଏକ, ପାଟଣା ବିଧାୟକ ଅଖିଳ ନାୟକଙ୍କ ସହ ବହୁ ଜିଲ୍ଲା ବିଜେପି ପଦାଧିକାରୀ ଯୋଗ ଦେଇଥିଲେ । ପରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ବର ଅଭିମୁଖେ ବାହାରି ଯାଇଥିଲେ ।

କେନ୍ଦ୍ରାପଡା ବାଣ୍ଟିଲା ଭାଇଚାରା ବାର୍ତ୍ତା:
କେନ୍ଦ୍ରାପଡା ସହର ଦେଇଛି ଭାଇଚାରାର ବାର୍ତ୍ତା । ଆଜି ମହାବିଷୁବ ସଂକ୍ରାନ୍ତି ଓ ମହାବୀର ଜନ୍ମୋତ୍ସଵ ଅବସରରେ ବିଶ୍ୱ ହିନ୍ଦୁ ପରିଷଦ,ଧର୍ମରକ୍ଷା ସେନା,ବଜରଙ୍ଗ ଦଳ ପକ୍ଷରୁ ବିଶାଳ ହିନ୍ଦୁ ଶୋଭାଯାତ୍ରା ଚାଲିଥିବା ବେଳେ ମୁସଲମାନ ସମ୍ପ୍ରଦାୟ ପକ୍ଷରୁ ଶୋଭାଯାତ୍ରାରେ ଆସୁଥିବା ହିନ୍ଦୁ ଭାଇ ମାନଙ୍କୁ ପାଣି ବୋତଲ, ମୃଦୁ ପାନୀୟ ଓ ସରବତ ଦେଇ ଆପ୍ୟାୟିତ କରିବା ଭାଇଚାରା ପ୍ରଦର୍ଶନ କରିଛି ।

ଓଡ଼ିଆ ନବବର୍ଷ ଓ ମହାବୀର ଜନ୍ମୋତ୍ସଵରେ ହିନ୍ଦୁଙ୍କ ବିଶାଳ ରାଲି:
ବିଶ୍ୱ ହିନ୍ଦୁ ପରିଷଦ,ବଜରଙ୍ଗ ଦଳ ଓ ଧର୍ମ ରକ୍ଷା ସେନା ପକ୍ଷରୁ ପାଳିତ ହୋଇଛି ପଣା ସଂକ୍ରାନ୍ତି ଓ ସଙ୍କଟ ମୋଚନଙ୍କ ଜନ୍ମ ଜୟନ୍ତୀ । ଅନ୍ୟପଟେ ଆଜି ହେଉଛି ଓଡ଼ିଆ ନୂଆବର୍ଷ । ଭକ୍ତ ଶ୍ରେଷ୍ଠ ପବନ ନନ୍ଦନଙ୍କ ଜନ୍ମୋତ୍ସଵ ପାଳନ ହେଉଥିବାରୁ ଚଳଚଞ୍ଚଳ ସାରା ରାଜ୍ୟ ସମେତ କେନ୍ଦ୍ରାପଡା ଜିଲ୍ଲା । ଆଜି ଠାରୁ ବୈଶାଖ ମାସ ଆରମ୍ଭ ହେଉଥିବା ବେଳେ ସଂକ୍ରାନ୍ତି ତିଥିରେ ପଡୁଥିବା ଏହି ମହାପର୍ବ ପାଳନ ପୂର୍ବକ କେନ୍ଦ୍ରାପଡା ଜିଲ୍ଲାର ୯ଟି ବ୍ଲକ ଓ ୨ଟି ମ୍ୟୁନିସିପାଲିଟିର ଅନ୍ୟୁନ ୨୦ ହଜାରରୁ ଊର୍ଦ୍ଧ୍ବ ଭକ୍ତ କେନ୍ଦ୍ରାପଡ଼ାର ପ୍ରସିଦ୍ଧ ପ୍ରଭୁ ବଳଦେବଜୀଉଙ୍କ ମନ୍ଦିରରୁ ଅତ୍ୟାଧୁନିକ ବାଦ୍ୟଯନ୍ତ୍ର ସହ ମୋଟର ସାଇକେଲ ଓ ପାଦରେ ଚାଲି ଚାଲି ଶୋଭାଯାତ୍ରାରେ ବାହାରି କେନ୍ଦ୍ରାପଡା ତିନିମୁହାଣୀ ସ୍ଥିତ ଶ୍ରୀରାମ ମନ୍ଦିର ପର୍ଯ୍ୟନ୍ତ ଆସିଥିଲେ । ଏହି ଶୋଭାଯାତ୍ରାକୁ ସ୍ମରଣୀୟ କରାଇବା ଏହାକୁ "ବିଶାଳ ହିନ୍ଦୁ ଏକତା ଶୋଭାଯାତ୍ରା" ନାମକରଣ କରାଯାଇଥିବା ବେଳେ ଏଥିରେ ଉଭୟ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟ ସାମିଲ ହୋଇ ସମାଜକୁ ସୁବାର୍ତ୍ତା ଦେଇଛନ୍ତି ।

ମୁସଲମାନ ସମ୍ପ୍ରଦାୟ ପକ୍ଷରୁ ପାଣି ଓ ମୃଦୁପାନୀୟ ବଣ୍ଟନ:
ଏହି ଅବସରରେ କେନ୍ଦ୍ରାପଡ଼ା ସଂଖ୍ୟାଲଘୁ ସମ୍ପ୍ରଦାୟର ଭାଇମାନେ ଶୋଭାଯାତ୍ରାରେ ଆସୁଥିବା ହିନ୍ଦୁ ଭାଇମାନଙ୍କୁ ଥଣ୍ଡା ପାଣି, ମୃଦୁପାନୀୟ ଓ ସରବତ ବଣ୍ଟନ କରିଥିଲେ । ସଂଖ୍ୟାଲଘୁ ସମ୍ପ୍ରଦାୟର ମହମ୍ମଦ ସଲିମ ଖାନ କୁହନ୍ତି,‘ଆମେ କେନ୍ଦ୍ରାପଡ଼ାବାସୀ ସମସ୍ତ ପର୍ବପର୍ବାଣୀକୁ ସାଙ୍ଗ ହୋଇ ପାଳନ କରିଥାଉ । ହୋଲି, ଦୀପାବଳି ଭଳି ହନୁମାନ ଜନ୍ମ ଓ ଓଡ଼ିଆ ନୂଆବର୍ଷକୁ ଆମେ ମୁସଲମାନ ହିନ୍ଦୁ ଭାଇଙ୍କ ସହ ମିଶି ପାଳନ କରୁଥିବା ବେଳେ ଇଦ,ବକ୍ରିଇଦ ଭଳି ପର୍ବକୁ ହିନ୍ଦୁ ଭାଇମାନେ କାନ୍ଧରେ କାନ୍ଧ ମିଳାଇ ପାଳନ କରି ସାରା ରାଜ୍ୟକୁ ଭାଇଚାରାର ବାର୍ତ୍ତା ଦେଇଥାନ୍ତି । ସେହିପରି ଆଜି ଆସୁଥିବା ରାଲିରେ ଆମେ ସାମିଲ ହେବା ସହ କେନ୍ଦ୍ରାପଡା ସବୁବେଳେ ଭାଇଚାରା ପ୍ରଦର୍ଶନ କରିଥାଏ ଓ ଆମେ ବିଭିନ୍ନ ପ୍ରକାର ପାନୀୟ ଦେଇ ହିନ୍ଦୁ ଭାଇମାନଙ୍କୁ ଆପ୍ୟାୟିତ କରିଥାଉ ।
ଜୟ ଶ୍ରୀରାମ ନାରାରେ କମ୍ପିଲା କେନ୍ଦ୍ରାପଡା ସହର:
କେନ୍ଦ୍ରାପଡା ସହର ହେଲା ଗେରୁଆମୟ । ସାରା ରାଜ୍ୟ ସହ ଦେଶକୁ ସୁବାର୍ତ୍ତା ଦେଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାର ଦୁଇ ସମ୍ପ୍ରଦାୟ । ଗୋଟିଏ ପଟେ ମହାବୀର ହନୁମାନଙ୍କ ଜନ୍ମୋତ୍ସଵ ପାଇଁ ହିନ୍ଦୁ ଧର୍ମର ତିନି ବଳିଷ୍ଠ ସଙ୍ଗଠନ ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା ବାହାରିଥିବା ବେଳେ ଅନ୍ୟପଟେ ଏହି ବିଶାଳ ଶୋଭାଯାତ୍ରାରେ ସାମିଲ ହୋଇଥିବା ହିନ୍ଦୁ ଭାଇମାନଙ୍କୁ ଥଣ୍ଡା ପାଣି ଓ ମୃଦୁପାନୀୟ ଦେଇ ଆପ୍ୟାୟିତ କରିଛନ୍ତି ମୁସଲମାନ ସମ୍ପ୍ରଦାୟର ଲୋକେ ଯାହାକି ସମ୍ପ୍ରତି ଭାଇଚାରାର ଏକ ଉଦାହରଣ ପାଲଟିଛି । ତେବେ ସାମ୍ପ୍ରତିକ ସମୟରେ ଦେଶର ବିଭିନ୍ନ ସ୍ଥାନରେ ଉପୁଜୁଥିବା ହିନ୍ଦୁ ମୁସଲମାନ ବିଭେଦ ଭଳି ସମସ୍ୟାକୁ କେନ୍ଦ୍ରାପଡ଼ା ଜିଲ୍ଲାର ଏହି ଭାଇଚାରାର ଉଦାହରଣ । ଧର୍ମ ଆଧାରରେ ପର୍ବ ପାଳନ ନହୋଇ ଭ୍ରାତୃତ୍ୱ ଭାବରେ ପର୍ବପର୍ବାଣି ପାଳନ କରାଯାଉ ବୋଲି କହିଛନ୍ତି ଲୋକେ । ସେହିପରି ଏହି ବିଶାଳ ହିନ୍ଦୁ ଏକତା ଶୋଭାଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ଗତରାତିରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ଗତକାଲି ଉଭୟ ଗୋଷ୍ଠୀର ମୁରବୀ ମାନଙ୍କୁ ନେଇ ଏକ ବୈଠକ କରାଯାଇ ସାମୁହିକ ସୁବ୍ୟବସ୍ଥା କରାଯାଇଥିଲା।
ଏହା ମଧ୍ୟ ପଢନ୍ତୁ: ଓଡ଼ିଆ ନବବର୍ଷରେ ଓଡ଼ିଶାବାସୀଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଶୁଭେଚ୍ଛା, କହିଲେ 'ସାକାର ହେଉ ସ୍ବପ୍ନ' |
ବ୍ୟାପକ ପୋଲିସ ମୁତୟନ:
ତେବେ କେନ୍ଦ୍ରାପଡା ଜିଲ୍ଲାରେ କୌଣସି ପ୍ରକାର ବିଶୃଙ୍ଖଳାକୁ ଏଡ଼ାଇବା ପାଇଁ ପୋଲିସ ମୁତୟନ କରାଯାଇଥିଲା ବେଳେ ଏନେଇ ପ୍ରତିକ୍ରିୟା ରଖି କେନ୍ଦ୍ରାପଡା ଏସପି ସିଦ୍ଧାର୍ଥ କଟାରିୟା କହିଛନ୍ତି,"ଆମର ପୋଲିସ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି । ୧୦ ପ୍ଲାଟୁନ ପୋଲିସ ଫୋର୍ସ ସହ ୨ ଜଣ ଅତିରିକ୍ତ ଏସପି, ୬ଜଣ ଡ଼ିଏସପିଙ୍କ, ୧୫୦ଜଣ ଗୃହରକ୍ଷୀ, ୧୫୦ଜଣ ଅଫିସର ମୋବିଲାଇଜ କରୁଛନ୍ତି । ଏହା ସହ ୨ଟି ଡ୍ରୋନ ଓ ୩୧ଟି କ୍ୟାମେରାରେ ରାଲିକୁ ନିରୀକ୍ଷଣ କରାଯିବା ସହ ଜିଲ୍ଲାର ସମସ୍ତ ଆଇଆଇସିଙ୍କୁ ନିଯୁକ୍ତ କରାଯାଇଛି । ସେହିପରି କାର୍ଯ୍ୟକାରୀ ମାଜିଷ୍ଟ୍ରେଟ ଭାବେ ୮ ଜଣଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଦାୟିତ୍ୱ ଦିଆଯାଇଥିବା ସୂଚନା ମିଳିଛି ।
ଇଟିଭି ଭାରତ, କେନ୍ଦୁଝର ଓ କେନ୍ଦ୍ରାପଡା