ଭୁବନେଶ୍ବର: ଡ୍ରପ୍ ଆଉଟ୍ ପାଇଁ ଦାୟୀ ପରିବହନ ବିଭାଗ। ଏପରି କିଛି ଅଭିଯୋଗ ଆଣିଛି ଛାତ୍ର କଂଗ୍ରେସ । ଓଡ଼ିଶାରେ ଛାତ୍ରଛାତ୍ରୀ ମାନେ ଅଧାରୁ ପାଠ ଛାଡିବାର ଏକ ପ୍ରମୁଖ କାରଣ ହେଉଛି ପରିବହନ ବିଭାଗ । ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ଛାତ୍ର କଂଗ୍ରେସ । ସେପଟେ ରାଜ୍ୟରେ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ବସ ଭଡା କ୍ଷେତ୍ରରେ ସବସିଡି ବ୍ୟବସ୍ଥା କରିବା ପାଇଁ ଦାବି କରିଛି ଦଳ ।
ଡ୍ରପ୍ ଆଉଟ୍ ପାଇଁ ପରିବହନ ବିଭାଗ ଦାୟୀ
ଏନେଇ ଛାତ୍ର କଂଗ୍ରେସ ସଭାପତି ଉଦିତ୍ ପ୍ରଧାନ କହିଛନ୍ତି,"ରାଜ୍ଯରେ ଗରିବ ଛାତ୍ରଛାତ୍ରୀ ମାନେ ଦୂର ଦୂରାନ୍ତକୁ ଯାଉଛନ୍ତି ପାଠ ପଢିବାକୁ । ସେମାନଙ୍କ ପାଖରେ ଗାଡି ଖର୍ଚ୍ଚ ପାଇଁ ପଇସା ନାହିଁ । ସେମାନେ କେମିତି ପାଠ ପଢିବେ । ଡ୍ରପ୍ ଆଉଟ୍ ପାଇଁ ପରିବହନ ବିଭାଗ ଦାୟୀ । ବିଜେପି ସରକାର ସେମାନଙ୍କ ପାଇଁ କଣ ପଦକ୍ଷେପ ନେଇଛନ୍ତି । ସେଥିପାଇଁ ଅଧାରୁ ପାଠ ଛାଡୁଥିବା ନଜର ଆସିଛି ।ଡ଼ବଲ ଇଞ୍ଜିନ୍ ସରକାର ଅଛି ରେଳ ଯାତ୍ରା ପାଇଁ ବି ରିହାତି କରନ୍ତୁ ସରକାର । ଛାତ୍ରଛାତ୍ରୀଙ୍କୁ ବସ୍ ଏବଂ ଟ୍ରେନରେ ଯାତ୍ରା କରିବା ସମୟରେ ରିହାତି ଦିଆଯାଉ ।ଲୋକଙ୍କ ସରକାର କହୁଥିବା ମୋହନ ସରକାର ଏନେଇ ଏକ ବିଜ୍ଞପ୍ତି ପ୍ରକାଶ କରନ୍ତୁ ।"
'ବସ ଭଡା କ୍ଷେତ୍ରରେ ସବସିଡି ଦିଅନ୍ତୁ ସରକାର'
ସେ ଆହୁରି ମଧ୍ୟ କହିଛନ୍ତି,"ଛାତ୍ରଛାତ୍ରୀ ମାନେ ବହୁ ଦୁରଦୂରାନ୍ତରୁ ଶିକ୍ଷା ଦାନ ପାଇଁ ଆସିଥାନ୍ତି ।ଏହା ଦ୍ବାରା ବହୁତ ଖର୍ଚ୍ଚାନ୍ତ ହେଉଛନ୍ତି । କର୍ଣ୍ଣାଟକ ସରକାରଙ୍କ ଭଳି ରାଜ୍ୟ ସରକାର ଏହି ବସ ଭଡା କ୍ଷେତ୍ରରେ ସବସିଡି ଦିଅନ୍ତୁ । ନିଜକୁ ଡବଲ ଇଞ୍ଜିନ ସରକାର କହୁଥିବାରୁ ରେଳମନ୍ତ୍ରୀଙ୍କ ସହ କଥା ହୋଇ ରେଳ ଭଡ଼ା କ୍ଷେତ୍ରରେ ବି ସବସିଡି ବ୍ୟବସ୍ଥା କରନ୍ତୁ । ନଚେତ୍ ଆନ୍ଦୋଳନ ଡ଼ାକରା ଦେବ ଛାତ୍ର କଂଗ୍ରେସ । ଜୁନ 10 ତାରିଖ ଯାଏଁ ସରକାରକୁ ସମୟ ଦେଲୁ । ଯଦି ସରକାର ଛାତ୍ରଛାତ୍ରୀ ମାନଙ୍କ ପାଇଁ ରିହାତି ନ କରିବେ ତେବେ ରାଜ୍ୟ ସାରା ଆନ୍ଦୋଳନ କରିବୁ ।"
ଇଟିଭି ଭାରତ, ଭୁବନେଶ୍ବର