Chandipur Missile Test: ବାଲେଶ୍ବର: ଚାନ୍ଦିପୁର ଆଇଟିଆର LC-III କ୍ଷେପଣାସ୍ତ୍ର ଘାଟିରୁ ଆଜି ଦିନ 12ଟାରେ VLSRSAM କ୍ଷେପଣାସ୍ତ୍ର ସଫଳ ପରୀକ୍ଷଣ ହୋଇଛି । ଏହି ପରୀକ୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ୩ ଗୋଟି ଅସ୍ଥାୟୀ ଆଶ୍ରୟସ୍ଥଳୀରେ ୬ଟି ଗାଁର ମୋଟ ୩୨୦୦ ଜଣଙ୍କୁ ସ୍ଥାନାନ୍ତର ପାଇଁ ସୁବନ୍ଦୋବସ୍ତ କରାଯାଇଥିଲା ।
Vertically-Launched Short-Range Surface-to-Air Missile (VLSRSAM) was successfully flight tested today, against a high-speed aerial target at very close range and low altitude, establishing the Near-Boundary-Low Altitude capability of the missile system pic.twitter.com/QXxqi6AxXi
— DRDO (@DRDO_India) March 26, 2025
ଲୋକଙ୍କୁ ସ୍ଥାନାନ୍ତରିତ:
ଚାନ୍ଦିପୁର ଆଇଟିଆର LC-III କ୍ଷେପଣାସ୍ତ୍ର ଘାଟିରୁ କ୍ଷେପଣାସ୍ତ୍ର ପରୀକ୍ଷା କରାଯିବା ପାଇଁ ନିର୍ଦ୍ଧାରିତ ହୋଇଥିବା ସାଢ଼େ ଦୁଇ କିଲୋମିଟର ପରିଧି ଅଞ୍ଚଳର ଜନସାଧାରଣଙ୍କ ସ୍ଥାନାନ୍ତର ଓ ସୁରକ୍ଷା ନିମନ୍ତେ ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଇଥିଲା । ଜୟଦେବକସବା ପାହି ଓ ସାହାଜାନଗର ପାହି (୧୧୫୦), ଭୀମପୁର ପାହି ଓ ତୁଣ୍ଡରା ପାହି (୯୧୫) ଓ ଖଡୁପାହି ଓ କୁସୁମୁଳୀ (୧୧୩୫) ଅଞ୍ଚଳର ମୋଟ ୩୨୦୦ ଲୋକଙ୍କ ପୁନର୍ବାସ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ସୁବନ୍ଦୋବସ୍ତ କରାଯାଇଥିଲା ।
ଆଶ୍ରୟସ୍ଥଳୀରେ ଖାଦ୍ୟ-ପାନୀୟର ବ୍ୟବସ୍ଥା:
ଜୟଦେବକସବା ପାହି ଓ ସାହାଜାନନଗର ପାହି ଜନସାଧାରଣଙ୍କ ନିମନ୍ତେ ଅସ୍ଥାୟୀ ଶିବିର ଜୟଦେବକସବା ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀଠାରେ ନିର୍ମାଣ କରାଯାଇଥିଲା । ଭୀମପୁର ଓ ତୁଣ୍ଡରା ପାହିର ଜନସାଧାରଣଙ୍କ ନିମନ୍ତେ ଅସ୍ଥାୟୀ ଶିବିର ଭୀମପୁର ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀଠାରେ ନିର୍ମାଣ କରାଯାଇଥିଲା । ଖଡୁପାହି ଓ କୁସୁମୁଳୀ ପାହିର ଜନସାଧାରଣଙ୍କ ନିମନ୍ତେ ଅସ୍ଥାୟୀ ଶିବିର ଖଡୁ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ଠାରେ ନିର୍ମାଣ କରାଯାଇଥିଲା । ଆଶ୍ରୟସ୍ଥଳୀ ଗୁଡିକରେ ସ୍ଥାନାନ୍ତରିତ ଲୋକଙ୍କ ସହଜତା ପାଇଁ ୧୦୦ରୁ ଊର୍ଦ୍ଧ୍ବ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିଲା ।

ଅଢେଇ କିଲୋ ମିଟର ଭିତରେ ସ୍ଥାନାନ୍ତରିତ:
ସମସ୍ତ ବ୍ୟବସ୍ଥା ଏବଂ ଲୋକମାନଙ୍କ ସୁବିଧା ବିଷୟରେ ଅଧିକ ସୂଚନା ଦେଇ ଉପଜିଲ୍ଲାପାଳ ମଧୁସ୍ମିତା ସାମନ୍ତରାୟ କହିଛନ୍ତି ଯେ, ‘ଆମର ତିନୋଟି ଯୋନ କରାଯାଇ, ଦେଢ଼ କିଲୋମିଟରରୁ ଅଢେଇ କିଲୋ ମିଟର ଭିତରେ ଯେତେ ଲୋକ ଅଛନ୍ତି ସେମାନଙ୍କୁ ସ୍ଥାନାନ୍ତରିତ କରାଯାଇଛି । ସେମାନଙ୍କ ପାଇଁ ଆଶ୍ରୟସ୍ଥଳୀକୁ ଆସିବା ଗାଡ଼ି ବ୍ୟବସ୍ଥା କରାଯାଇଥିଲା । ସମସ୍ତଙ୍କ ପାଇଁ ଜଳଖିଆ, ପିଇବା ପାଣି ଏବଂ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଥିଲା । ଯେହେତୁ ସେମାନେ ତାଙ୍କ କାମଦାମ ଛାଡ଼ି ଆସିଛନ୍ତି ସେମାନଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଛି । ସମସ୍ତେ ଏ ବାବଦରେ ଭଲରେ ଜାଣିଛନ୍ତି ଏବଂ ସହଯୋଗ କରିଛନ୍ତି ଯେହେତୁ ଏଇଟା ଏକ ନିତି ଦିନିଆ କଥା। କାହାକୁ କିଛି ଅସୁବିଧା ନହେଉ ସେଥିପ୍ରତି ଧ୍ୟାନ ଦିଆଯାଇଛି ।’

ଇଟିଭି ଭାରତ, ବାଲେଶ୍ବର