ସମ୍ବଲପୁର: ନ୍ୟାସନାଲ୍ ଆସେସ୍ମେଣ୍ଟ ଆଣ୍ଡ ଆକ୍ରିଡେସନ୍ କାଉନସିଲ୍ ( NAAC) ରେଟିଂ ଲାଞ୍ଚ ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଦେଶବ୍ୟାପୀ ବଡ଼ ଖୋଳତାଡ ଜାରି ରଖିଛି । ଦେଶର ବିଭିନ୍ନ ସହରରେ ଚଢାଉ ଜାରି ରହିଛି । ଦିଲ୍ଲୀ ସ୍ଥିତ ଦେଶର ଅନ୍ୟତମ ପ୍ରତିଷ୍ଠିତ ଜବାହାରଲାଲ ନେହେରୁ ବିଶ୍ବବିଦ୍ଯାଳୟ (ଜେଏନୟୁ) ପ୍ରାଧ୍ୟାପକଙ୍କ ସମେତ ଦେଶର ବିଭିନ୍ନ ସ୍ଥାନରୁ 10 ଜଣଙ୍କୁ ଗିରଫ କରାଯାଇ ସାରିଲାଣି । ଏହି ଶିକ୍ଷାବିତମାନେ ‘ନାକ’ କମିଟି ସଦସ୍ୟ । ଏହି ଘଟଣାରେ ଓଡିଶା ଲିଙ୍କ୍ ମଧ୍ୟ ସାମ୍ନାକୁ ଆସିଛି । ସମ୍ବଲପୁର ବିଶ୍ୱବିଦ୍ୟାଳୟର ଜଣେ ପ୍ରଫେସର ମଧ୍ୟ ‘ସିବିଆଇ’ ଦ୍ବାରା ଗିରଫ ହୋଇଥିବା CBI ପକ୍ଷରୁ ସୂଚନା ଦିଆଯାଇଛି ।
- ହାଇ ରେଟିଂ ଦେବା ପାଇଁ ଲାଞ୍ଚ କାରବାର ଅଭିଯୋଗ
ଆନ୍ଧ୍ର ପ୍ରଦେଶର ଗୁଣ୍ଟୁର ସ୍ଥିତ ଏକ ଶିକ୍ଷାନୁଷ୍ଠାନ ‘ନାକ’ ରେଟିଂ ବଢାଇବା ପାଇଁ ଲାଞ୍ଚ ଦେଇଥିବା ଅଭିଯୋଗରେ ଏହି ଗିରଫଦାରୀ ହୋଇଛି l ନାକ ରେଟିଂରେ A++ ଗ୍ରେଡ୍ ପାଇବା ପାଇଁ ଏହି ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ‘ନାକ’ ଟିମର ସଦସ୍ୟଙ୍କୁ ମୋଟା ଅଙ୍କର ଲାଞ୍ଚ ଦେଇଥିବା ଅଭିଯୋଗ ହୋଇଥିଲା ।ଏହି ମାମଲାରେ ‘ସିବିଆଇ’ ଚେନ୍ନାଇ, ବେଙ୍ଗାଲୁର, ବିଜୟୱାଡା, ପାଲାମୁ, ସମ୍ବଲପୁର, ଭୋପାଲ, ବିଳାସପୁର, ଗୌତମବୁଦ୍ଧ ନଗର, ନୂଆଦିଲ୍ଲୀ ଆଦି 20ଟି ସ୍ଥାନରେ ଚଢାଉ କରିଛି । ଏଥିରେ କେନ୍ଦ୍ରୀୟ ସଂସ୍ଥା ଲକ୍ଷାଧିକ ଟଙ୍କା ଓ ଅନ୍ୟ ସାମଗ୍ରୀ ଜବତ କରିଛି ।
ଏହା ମଧ୍ୟ ପଢନ୍ତୁ :- ବଜେଟକୁ ଲୋକାଭିମୁଖୀ କହିଲେ ମୋହନ, ନବୀନ ଆଣିଲେ କେନ୍ଦ୍ର ଅବହେଳା ଅଭିଯୋଗ ଖୋଲିଲା ନିର୍ମଳାଙ୍କ ବଜେଟ ପେଡି, ଓଡ଼ିଶାରୁ ଆସିଲା ମିଶ୍ର ପ୍ରତିକ୍ରିୟା |
- NAAC ଇନ୍ସପେକସନ କମିଟି ସଦସ୍ୟ ଥିଲେ ସମ୍ପୃକ୍ତ ଓଡିଆ ପ୍ରଫେସର
ସମ୍ବଲପୁର ବିଶ୍ୱବିଦ୍ୟାଳୟର ଏହି ବରିଷ୍ଠ ପ୍ରଫେସର ‘ନାକ’ ଇନ୍ସପେକସନ କମିଟିର ସଦସ୍ୟ ରହିଛନ୍ତି । ଏହି କମିଟି ଦେଶର ବିଭିନ୍ନ କଲେଜ ଓ ବିଶ୍ବବିଦ୍ୟାଳୟ ପରିଦର୍ଶନ କରି ଭିତ୍ତିଭୂମି ଓ ଗୁଣାତ୍ମକ ଶିକ୍ଷା ଓ ଅନ୍ୟ ମାପଦଣ୍ଡ ଆଧାରରେ ରେଟିଂ ବା ରାଙ୍କିଂ ଦେଇଥାଏ । ଏହାକୁ ନାକ ରାଙ୍କିଂ କୁହାଯାଏ । ତେବେ ଉଚିତ ମାପଦଣ୍ଡ ପୂରଣ କରିବାର ଦକ୍ଷତା ନଥିବା ସତ୍ତ୍ବେ ହାଇ ରାଙ୍କିଂ ହାତେଇବା ପାଇଁ କେନ୍ଦ୍ରୀୟ ଟିମ ‘ନାକ’ କୁ ପ୍ରଭାବିତ କରାଯାଇଥିବା ଓ ଏହାର ସଦସ୍ୟମାନଙ୍କୁ ଆନ୍ଧ୍ରର ସମ୍ପୃକ୍ତ ଶିକ୍ଷାନୁଷ୍ଠାନ ମୋଟା ଅଙ୍କର ଲାଞ୍ଚ ଦେଇଥିବା ଅଭିଯୋଗ ହୋଇଥିଲା । ଯେଉଁ ମାମଲାରେ କେନ୍ଦ୍ରୀୟ ସଂସ୍ଥା ତଦନ୍ତ ଜାରି ରଖିଛି । ବର୍ତ୍ତମାନ ସୁଦ୍ଧା 10 ଜଣ ଗିରଫ ହୋଇଥିବା ବେଳେ ଏହି ସଂଖ୍ୟା ବଢିବାର ସମ୍ଭାବନା ରହିଛି ।

ଇଟିଭି ଭାରତ, ସମ୍ବଲପୁର