ETV Bharat / state

ରେଳ ନିୟମ ମାନୁନାହାନ୍ତି ଅମାନିଆ, ଦୁଇ ବର୍ଷରେ ବନ୍ଧା ହେଲେଣି ୧୩୯

ବୃଦ୍ଧି ପାଉଛି ଲେଭଲ୍ କ୍ରସିଂରେ ସୁରକ୍ଷା ମାନଦଣ୍ଡ ଉଲ୍ଲଂଘନ ମାମଲା । ଦୁଇ ବର୍ଷରେ ୧୭୭ ମାମଲାରେ ଗିରଫ ସଂଖ୍ୟା ୧୩୯ ।

ରେଳ ନିୟମ ମାନୁନାହାନ୍ତି ଅମାନିଆ
ଦୁଇ ଜଣ ମହିଳା ଫାଟକ ବନ୍ଦ ଥିବା ସତ୍ତ୍ବେ ରେଳଧାରଣା ପାର୍‌ କରୁଛନ୍ତି (ETV Bharat Odisha)
author img

By ETV Bharat Odisha Team

Published : October 12, 2025 at 2:03 PM IST

3 Min Read
Choose ETV Bharat

ବ୍ରହ୍ମପୁର: ନିୟମ ମାନୁନାହାନ୍ତି ଅମାନିଆ । ରେଳ ଫାଟକ ପଡିଥିବା ସମୟରେ ରେଳଧାରଣା ପାର୍‌ କରିବାକୁ ମନା କରାଯାଏ । ଜୀବନ ପ୍ରତି ବିପଦ ଥାଏ । ତଥାପି ନିୟମ ମାନୁନାହାନ୍ତି ଅମାନିଆ । ତେଣୁ ରେଳବାଇ ଲେଭଲ କ୍ରସିଂରେ ସୁରକ୍ଷା ମାନଦଣ୍ଡ ଉଲ୍ଲଂଘନ ମାମଲା ବୃଦ୍ଧି ପାଇବାରେ ଲାଗିଛି । ଗତ ଦୁଇ ବର୍ଷରେ ଏଭଳି ମାମଲା ବୃଦ୍ଧି ପାଇବା ସହିତ ପ୍ରାୟ ଅଦ୍ୟାବଧି ରୁଜୁ ହୋଇଥିବା ୧୭୭ ମାମଲାରେ ଗିରଫ ହୋଇଛନ୍ତି ୧୩୯ ଜଣ । ଯାହାକୁ ନେଇ ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ଲେଭଲ୍ କ୍ରସିଂ (ଏଲ୍ସି) ଗେଟ୍ ଉଲ୍ଲଂଘନ ଏବଂ ସଡକଯାନ ଦ୍ୱାରା ଗେଟ୍ ଭାଙ୍ଗିବା ଭଳି ଘଟଣା ବୃଦ୍ଧି ପାଇବା ନେଇ ଗମ୍ଭୀର ଚିନ୍ତା ପ୍ରକାଶ କରିଛି । ଯାହା କେବଳ ଜୀବନକୁ ବିପଦରେ ପକାଏ ନାହିଁ ବରଂ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳରେ ଟ୍ରେନ ସେବାରେ ବାଧା ଏବଂ ବିଳମ୍ବ ସୃଷ୍ଟି କରୁଛି ।


ଏପରିକି ଲେଭଲ୍ କ୍ରସିଂରେ ଅସାବଧାନତାପୂର୍ଣ୍ଣ ଗାଡିଚାଳନା ଟ୍ରେନର ସମୟାନୁବର୍ତ୍ତିତାକୁ ପ୍ରଭାବିତ କରୁଛି । ରେଳବାଇ ଜନସାଧାରଣଙ୍କ ସହଯୋଗକୁ ଆହ୍ୱାନ କରିବା ସହିତ ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ସୁରକ୍ଷିତ ଏବଂ ଦାୟିତ୍ୱପୂର୍ଣ୍ଣ ଆଚରଣ ପାଇଁ ଏବଂ ରେଳବାଇ ଲେଭଲ୍ କ୍ରସିଂରେ ସୁରକ୍ଷା ମାନଦଣ୍ଡ ପାଳନ କରିବାକୁ ନିବେଦନ କରାଯାଇଛି ।

ରେଳ ନିୟମ ମାନୁନାହାନ୍ତି ଅମାନିଆ (ETV Bharat Odisha)



ଫାଟକ ବନ୍ଦ ହେବା ପରେ କିମ୍ବା ବନ୍ଦ ହେଉଥିବା ସମୟରେ କଣ ଘଟିଥାଏ ଘଟଣା:

ମୁଖ୍ୟତଃ ରେଳ ଫାଟକ ବନ୍ଦ ହେବା ପରେ କିମ୍ବା ବନ୍ଦ ହେଉଥିବା ସମୟରେ ଅନେକ କ୍ଷେତ୍ରରେ ଫାଟକ ବନ୍ଦ ହେବା ପରେ କିମ୍ବା ବନ୍ଦ ହେଉଥିବା ସମୟରେ ମଧ୍ୟ ସଡକ ବ୍ୟବହାରକାରୀ ମାନେ ଜୋର ଜବରଦସ୍ତି ରେଳଫାଟକ ଗେଟ୍ ପାର କରିବାକୁ ଚେଷ୍ଟା କରନ୍ତି । ଯାହା ଫଳରେ ରେଳ ବିଭାଗର ବୁମ୍ ବାରିୟର ଏବଂ ସିଗନାଲ କ୍ଷତି ହୋଇଥାଏ । ଏପରି ଏହି ଦାୟିତ୍ୱହୀନ ଆଚରଣ ଟ୍ରେନ ଚଳାଚଳର ସମୟାନୁବର୍ତ୍ତିତାକୁ କ୍ଷତି ପହଞ୍ଚାଉଥିବା ବେଳେ ଟ୍ରେନ ପରିଚାଳନାରେ ବାଧା ଏବଂ ଧନ ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ ।

କଣ କହୁଛି ରେଳବାଇ ତଥ୍ୟ ?

  • ରେଳ ବିଭାଗ ପକ୍ଷରୁ ପ୍ରଦାନ କରାଯାଇଥିବା ତଥ୍ୟ ଅନୁଯାୟୀ,
  • ଗତ ୨୦୨୪ ମସିହାର ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ଅଧୀନରେ ଲେଭଲ୍ କ୍ରସିଂ ଗେଟ୍ ଭାଙ୍ଗିବାର ମୋଟ ୧୧୩ ଗୋଟି ଘଟଣାର ରିପୋର୍ଟ କରାଯାଇଥିଲା ଯାହା ମଧ୍ୟରୁ ୯୨ ଜଣଙ୍କୁ ଗିରଫ କରାଯାଇଥିଲା ।
  • ସେହିପରି ୨୦୨୪ ମସିହାରେ (ଅକ୍ଟୋବର ୮ ତାରିଖ)ମୋଟ ୮୮ଗୋଟି ଏପରି ଘଟଣାର ରିପୋର୍ଟ କରାଯାଇଥିଲା ।
  • ୭୨ ଜଣଙ୍କୁ ଗିରଫ କରାଯାଇଛି ।
  • ୨୦୨୫ ମସିହାରେ (ଅକ୍ଟୋବର ୮ ତାରିଖ )ସୁଦ୍ଧା ମୋଟ ୬୪ ଗୋଟି ଲେଭଲ୍ କ୍ରସିଂ ଗେଟ୍ ଭାଙ୍ଗିବା ଘଟଣା ରେକର୍ଡ କରାଯାଇଛି । ଏପର୍ଯ୍ୟନ୍ତ ୪୭ ଜଣଙ୍କୁ ଗିରଫ କରାଯାଇଛି

RAILWAYS LEVEL CROSSING SAFETY
ଜଣେ ବ୍ୟକ୍ତି ଫାଟକ ବନ୍ଦ ଥିବା ସତ୍ତ୍ବେ ପାର୍‌ କରୁଛନ୍ତି (ETV Bharat Odisha)

କେଉଁଠି କେତେ ଘଟଣା ରିପୋର୍ଟ ?

ଏପରିକି ଚଳିତ ୨୦୨୫ ମସିହାରେ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ବିଭିନ୍ନ ଅଞ୍ଚଳରେ ଏଲ୍ସି ଗେଟ୍ ଭାଙ୍ଗିବା ଘଟଣାକୁ ଦେଖିଲେ ସେଥିରୁ କେବଳ ବ୍ରହ୍ମପୁର ଅଞ୍ଚଳରେ 8ଟି ଘଟଣା ଘଟିଥିବା ବେଳେ ଭୁବନେଶ୍ୱର ଅଞ୍ଚଳରେ ୧୧ଟି ଘଟଣା ରିପୋର୍ଟ ହୋଇଥିଲା । ସେହିପରି ପୁରୀ, ଭଦ୍ରକ ଏବଂ ଯାଜପୁର କେନ୍ଦୁଝ ରୋଡ୍ ଅଞ୍ଚଳର ପ୍ରତେକ 7ଟି ଘଟଣା, କଟକ ଅଞ୍ଚଳରେ ୬ଟି ଘଟଣା, ପଲାସା ଏବଂ ଖୋର୍ଦ୍ଧା ରୋଡ୍ ଅଞ୍ଚଳରେ ପ୍ରତେକ ୫ଟି ଘଟଣା ରିପୋର୍ଟ କରାଯାଇଛି ।


ସଚେତନ ରହିବାକୁ ରେଳବାଇ କରୁଛି ଅପିଲ୍‌:

ଅନ୍ୟପଟେ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ନିରାପତ୍ତା ବିଭାଗ ଏବଂ ରେଳବାଇ ସୁରକ୍ଷା ବଳ (ଆରପିଏଫ) କର୍ମଚାରୀଙ୍କ ଦ୍ୱାରା ପରିଚାଳିତ କ୍ରମାଗତ ସଚେତନତା ଅଭିଯାନ ଜାରି ରହିଛି । ଏହା ସହ ଲେଭଲ୍ କ୍ରସିଂରେ ସଡକ ବ୍ୟବହାରକାରୀଙ୍କ ନିରନ୍ତର ପରାମର୍ଶ ପରେ ମଧ୍ୟ ନିୟମ ଉଲ୍ଲଂଘନକାରୀଙ୍କ ଦ୍ୱାରା ଏପରି ଘଟଣା ଜାରି ରହିଛି । ଖୋର୍ଦ୍ଧା ରୋଡ଼ ରେଳ ପ୍ରଶାସନ ପୁଣି ଥରେ ଜନସାଧାରଣଙ୍କୁ ଲେଭଲ୍ କ୍ରସିଂ ନିକଟକୁ ଯିବା ସମୟରେ ସତର୍କତା ଅବଲମ୍ବନ କରିବା ସହ ରେଳବାଇକୁ ସହଯୋଗ କରିବାକୁ ଅନୁରୋଧ କରୁଛି । ଗତିଶୀଳ ଟ୍ରେନ ବ୍ରେକ ଲଗାଇବା ପରେ ମଧ୍ୟ ତୁରନ୍ତ ଅଟକି ରହିପାରିନଥାଏ । କାରଣ ଏହାର ଗତି ଏବଂ ଲୋଡ୍ ଉପରେ ନିର୍ଭର କରି ଏକ ନିର୍ଦ୍ଦିଷ୍ଟ ଦୂରତା ଅଟକିବା ଆବଶ୍ୟକ ହୋଇଥାଏ । ତେଣୁ ବନ୍ଦ ଥିବା କିମ୍ବା ବନ୍ଦ କରାଯାଉଥିବା ଲେଭଲ୍ କ୍ରସିଂ ଗେଟ୍ ଅତିକ୍ରମ କରିବାର ଯେ କୌଣସି ପ୍ରୟାସ ବିପର୍ଯ୍ୟୟକୁ ନିମନ୍ତ୍ରଣ କରିଥାଏ ।

RAILWAYS LEVEL CROSSING SAFETY
ଫାଟକ ଉଠିବା ପୂର୍ବରୁ ଲୋକଙ୍କ ଯାତାୟତ (ETV Bharat Odisha)



ଜୀବନ ପ୍ରତି ବିପଦ ଥାଏ:

ଏପରି ବେପରୁଆ କାର୍ଯ୍ୟ କେବଳ ଉଲ୍ଲଂଘନକାରୀ ଏବଂ ଯାତ୍ରୀଙ୍କ ଜୀବନକୁ ବିପଦରେ ପକାଇନଥାଏ ବରଂ ରେଳ ସମ୍ପତ୍ତିକୁ କ୍ଷତି ପହଞ୍ଚାଇଥାଏ । ଯାହାଦ୍ୱାରା ଟ୍ରେନ ଚଳାଚଳରେ ବିଳମ୍ବ କରିଥାଏ ଓ ଯାତ୍ରୀ ଏବଂ ପଣ୍ୟବାହୀ ଟ୍ରେନ ଗୁଡ଼ିକର ସମୟାନୁବର୍ତ୍ତିତାକୁ ପ୍ରଭାବିତ କରିଥାଏ । ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ରେଳ ଆଇନର ବ୍ୟବସ୍ଥା ଅନୁଯାୟୀ ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ଜନସାଧାରଣଙ୍କୁ ସୁରକ୍ଷା ବିଷୟରେ ଶିକ୍ଷା ଦେବା ପାଇଁ ସମ୍ବେଦନଶୀଳ ଲେଭଲ୍ କ୍ରସିଂ ଫାଟକରେ ନିରନ୍ତର ସଚେତନତା ଅଭିଯାନ ଏବଂ ପରାମର୍ଶ କାର୍ଯ୍ୟକ୍ରମ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ପକ୍ଷରୁ ଆୟୋଜନ କରାଯାଉଛି । ରେଳ ସୁରକ୍ଷା ବଳ (RPF) ଏବଂ ସ୍ଥାନୀୟ ପ୍ରଶାସନ ଏହିପରି ଉଲ୍ଲଂଘନକୁ ବନ୍ଦ କରାଇବା ଏବଂ ସୁଗମ ଟ୍ରେନ ପରିଚାଳନା ସୁନିଶ୍ଚିତ କରିବା ପାଇଁ ସମନ୍ୱୟ ସହ କାର୍ଯ୍ୟ କରୁଥିବା କୁହାଯାଇଛି ।

ଜନସାଧାରଣଙ୍କୁ ଅପିଲ୍‌:

ପୂର୍ବତଟ ରେଳପଥ ପୁଣି ଥରେ ସମସ୍ତ ନାଗରିକଙ୍କୁ ରେଳ ସୁରକ୍ଷା ନିୟମ ପାଳନ କରିବାକୁ, ଲେଭଲ୍ କ୍ରସିଂରେ ଦାୟିତ୍ୱପୂର୍ଣ୍ଣ ଭାବରେ କାର୍ଯ୍ୟ କରିବାକୁ ଏବଂ ନିରାପଦ, ସମୟାନୁବର୍ତ୍ତୀ ଏବଂ ଦକ୍ଷ ଟ୍ରେନ ସେବା ବଜାୟ ରଖିବାରେ ସାହାଯ୍ୟ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରିଛି ।

‘ସତର୍କ ରହିବା ଉଚିତ୍‌’

ବ୍ରହ୍ମପୁର ସହରରେ ନିୟମିତ ଭାବରେ ରେଳ ଫାଟକ ଅତିକ୍ରମ କରି ଯାଉଥିବା ଛାତ୍ର ସୁବ୍ରତ ଦଳେଇ କୁହନ୍ତି, ‘ଯେତେବେଳେ ଶିକ୍ଷାନୁଷ୍ଠାନକୁ ଯାଇଥାନ୍ତି ସେହି ସମୟରେ ଅନେକ ରେଳ ଫାଟକ ପଡିଥିବା ସମୟରେ ରହିଥିବା ନିୟମକୁ ନମାନି ଯାତାୟତ କରୁଥିବା ଦେଖିବାକୁ ମିଳିଥାଏ । ମୁଖ୍ୟତଃ ସମସ୍ତେ ଟ୍ରେନର ହର୍ଣ୍ଣକୁ ଶୁଣି ରେଳଧାରଣା ପାର ହେବା ବେଳେ ସତର୍କତା ହେବା କଥା । ଜଣେ ବିଦ୍ୟାର୍ଥୀ ଭାବରେ ଆମେ ଟ୍ରେନ ଫାଟକ ଗେଟ୍ ପଡିଲେ ରହିଯାଇଥାଉ । ଏପରିକି କିଏ ଯାଉଥିଲେ ଆମେ ସେହି ସମୟରେ ଅଟକି ରହିବାକୁ ପରାମର୍ଶ ଦେଇଥାଉ ।’

ଏହା ମଧ୍ୟ ପଢନ୍ତୁ:

ବଢୁଛି ଟ୍ରେନ ଆଲାର୍ମ ଚେନ ଟାଣିବା ଅପରାଧ, ୯ ମାସରେ ୧୪୮୦ ଜଣ ଗିରଫ

ବ୍ରହ୍ମପୁରରୁ ସୁରଟ ଗଡ଼ିଲା ଅମୃତ ଭାରତ ଏକ୍ସପ୍ରେସ୍, ପ୍ରଧାନମନ୍ତ୍ରୀ ଦେଖାଇଲେ ସବୁଜ ପତାକା

‘ରେଳ ଫାଟକ ନିୟମ ମାନୁ’

ସେହିପରି ଅନ୍ୟ ଜଣେ ଛାତ୍ରୀ ମଧ୍ୟ କହିଛନ୍ତି, ‘ରେଳ ଫାଟକର ରହିଥିବା ନିୟମକୁ ଅନେକ ମାନିନଥାନ୍ତି । ହେଲେ ପରିବାର ପକ୍ଷରୁ ଆମକୁ ବାରମ୍ୱାର ପରାମର୍ଶ ଦିଆଯାଉଛି ରେଳବାଇ ଲେଭଲ୍ କ୍ରସିଂ ପାର ହେବା ସମୟରେ ସାବଧାନତା ଗ୍ରହଣ କରିବା ପାଇଁ । ତେଣୁ ଆମେ ଯାତାୟତ ସମୟରେ ଅନେକ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି ।’


ଇଟିଭି ଭାରତ, ବ୍ରହ୍ମପୁର