ବ୍ରହ୍ମପୁର: ପବିତ୍ର ଶୀତଳଷଷ୍ଠୀ ଅବସରରେ ଉତ୍ସବମୁଖର ହୋଇପଡିଛି ରେଶମ ସହର ବ୍ରହ୍ମପୁର । ସହରର ପ୍ରମୁଖ ଶୈବପୀଠରେ ପାରମ୍ପାରିକ ରୀତିନୀତିରେ ଅନୁଷ୍ଠିତ ହୋଇଯାଇଛି ଦେବଦମ୍ପତିଙ୍କ ବିବାହ ଉତ୍ସବ । ଏହାପରେ ଆସନ୍ତାକାଲି ହେବ ପାରମ୍ପାରିକ ବାଦ୍ୟ ସହିତ ଶୋଭାଯାତ୍ରାରେ ସୁସଜ୍ଜିତ ରଥରେ ନଗର ପରିକ୍ରମା । ଯାହାକୁ ନେଇ ରହିଛି ସମସ୍ତଙ୍କର ଅପେକ୍ଷା ।
ଦେବଦମ୍ପତିଙ୍କ ବିବାହ ଉତ୍ସବ ଅବସରରେ ବ୍ରହ୍ମପୁର ସହର ହୋଇପଡିଛି ଚଳଚଞ୍ଚଳ । ଶୀତଳଷଷ୍ଠୀ ନିମନ୍ତେ ସହରର ସମସ୍ତ ଶିବ ମନ୍ଦିରକୁ ସୁସଜ୍ଜିତ କରାଯାଇଥିବା ବେଳେ ସମସ୍ତ ଶୈବ ପୀଠରେ ପାଳିତ ହୋଇଯାଇଛି ଶିବ ବିବାହ ଉତ୍ସବ । ପାରମ୍ପାରିକ ରୀତିନୀତିରେ ମାତା ପାର୍ବତୀଙ୍କ ପିତା ମାତା ଏବଂ ମହାଦେବଙ୍କ ପିତା ଓ ମାତା ଭାବରେ ବହୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରକେ ଆୟୋଜିତ ହୋଇଥିଲା ବିବାହ ଉତ୍ସବ । ଗୋଟିଏପଟେ ଭକ୍ତମାନେ ଦେବଦମ୍ପତିଙ୍କ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ଅପେକ୍ଷାରତ ରହୁଥିବା ବେଳେ ଏହି ଅବସରରେ ସହରର ସାନବଜାର ସ୍ଥିତ କପିଳେଶ୍ୱର ମହାଦେବ ମନ୍ଦିରରେ ବାଜା ପଟୁଆରେ ମଧ୍ୟରେ ହୋଇଥିଲା ମହାଦେବ ଓ ମାତା ପାର୍ବତୀଙ୍କର ବିବାହ ଉତ୍ସବ ।
ସେହିପରି ଅନୁରୂପ ଭାବରେ ସହରର ଗୋଷାଣିନୂଆଗାଁ ସ୍ଥିତ ପ୍ରସିଦ୍ଧ ଉତ୍ତରେଶ୍ଵର ମନ୍ଦିର, ବିଦ୍ୟୁତପୁର କୋଲେନୀ ସ୍ଥିତ ମୁକ୍ତଶ୍ୱେର ମହାଦେବ ମନ୍ଦିର , ନୀଳକଣ୍ଠେଶ୍ଵର ମନ୍ଦିର , ପଶ୍ଚିମେଶ୍ଵର ମନ୍ଦିର , ବାଲୁଙ୍କେଶ୍ଵର, କପିଳେଶ୍ଵର ମନ୍ଦିର ,ଗୋକର୍ଣ୍ଣେଶ୍ୱର , କମାପଲ୍ଲୀ ସ୍ଥିତ ବୈଦ୍ୟନାଥେଶ୍ଵର, ଚନ୍ଦ୍ରଚୁଡେଶ୍ଵର, ପାତାଳେଶ୍ଵର, ସମେତ ସମସ୍ତ ଶୈବପୀଠ ରେ ଭକ୍ତ ଏବଂ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ଆୟୋଜିତ ହୋଇଥିଲା ଶିବ ପାର୍ବତୀ ବିବାହ ଉତ୍ସବ ।
ଭୋର ସମୟରୁ ମନ୍ଦିର ଦ୍ୱାରଫିଟା ନୀତି ଠାରୁ ଆରମ୍ଭ କରି ସମସ୍ତ ପ୍ରକାର କାର୍ଯ୍ୟ ଆୟୋଜିତ ହୋଇଥିବା ବେଳେ ନିର୍ବନ୍ଧ କାର୍ଯ୍ୟ ପରେ ମହାଦେବଙ୍କୁ ବର ବେଶରେ ସଜ୍ଜିତ କରାଯାଇ ଆଖପାଖ ଅଞ୍ଚଳ ପରିକ୍ରମା କରିବା ପରେ ବାଟବରଣ ସହିତ ମନ୍ଦିର ପରିସରରେ ପ୍ରସ୍ତୁତ ହୋଇଥିବା ବିବାହ ବେଦୀରେ ଠାକୁରଙ୍କୁ ଅଣାଯାଇଥିଲା । ପରେ ପାର୍ବତୀଙ୍କୁ ବେଦୀଙ୍କୁ ଆଣିବା ପରେ ଶଙ୍ଖ, ଘଣ୍ଟ, ହୁଳହୁଳି ସାଙ୍ଗକୁ ବାଦ୍ୟ ବାଜଣା ଏବଂ ବେଦମନ୍ତ୍ର ଉଚ୍ଚାରଣରେ ଅନୁଷ୍ଠିତ ହୋଇଥିଲା ବିବାହ ଉତ୍ସବ ।
"ସମାଜରେ ଯେମିତି ରୀତି ନୀତି ଅନୁସାରେ ପୁଅ ଝିଅଙ୍କ ବାହାଘର ହୋଇଥାଏ ସେମିତି ଆଜି ବହୁ ପୂଣ୍ୟର ଦିନରେ ପ୍ରଭୁ ଶିବ ଏବଂ ମା ପାର୍ବତୀଙ୍କର ଆଜି ଶୀତଳଶଷ୍ଠୀ ଯାତ୍ରାରେ ବହୁ ପୂରାତନ ମନ୍ଦିର କପିଳଶ୍ୱର ମହାଦେବଙ୍କ ମନ୍ଦିରରେ ବିବାହ ହୋଇଛି । ଶିବ ଏବଂ ମା ପାର୍ବତୀଙ୍କର କିଭଳି ବିବାହ ହେଉଛି ଦେଖିବା ପାଇଁ ବହୁତ ଭକ୍ତଙ୍କ ସମାଗମ ହୋଇଥିଲା । ରୀତି ନୀତି ଅନୁସାରେ ଭଗବାନଙ୍କର କାର୍ଯ୍ୟ ବହୁ ଆଡମ୍ବରରେ ହେଉଛି ଦେଖିବା ପାଇଁ ଭିଡ ଜମିଛି," ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା କାହ୍ନୁଚରଣ ବେହେରା ।