ଭୁବନେଶ୍ୱର: ୱାକଫ ବିଲରେ ଦଳର ଆଭିମୁଖ୍ୟକୁ ନେଇ ସମାଲୋଚିତ ହେଉଛନ୍ତି ବିଜେଡି ଓ ବିଜେଡିର ସଭାପତି ନବୀନ ପଟ୍ଟନାୟକ । ନବୀନଙ୍କ ସହ ରାଜନୀତିରୁ ସନ୍ୟାସୀ ଘୋଷଣା କରିଥିବା ଭିକେ ପାଣ୍ଡିଆନ ମଧ୍ୟ ଟାର୍ଗେଟରେ ଅଛନ୍ତି । ଉଭୟଙ୍କୁ ଦଳ ଭିତରେ ଓ ବାହାରେ ଘେରୁଛନ୍ତି ନେତା । ବିଶେଷ କରି ବିଜେଡିରୁ ବିତାଡିତ, ବିଜେଡିରେ କଣଠେସା ଓ ହାରୁ ନେତା ଉଭୟଙ୍କ ଉପରେ ରାଗ ସୁଝାଉଛନ୍ତି । ସୁଯୋଗର ଫାଇଦା ନେଇ କରୁଛନ୍ତି ସମାଲୋଚନା ।
କଥାରେ ଅଛି 'ନଇଁ ପଡିଥିବ ଯେତେବେଳେ ବିଧାଏ ମାରିବ ସେତେବେଳେ' । ଏହି ଢଗ ସାମ୍ପ୍ରତିକ ଓଡିଶା ରାଜନୀତି ପାଇଁ ବେଶ ପ୍ରଯୁଜ୍ୟ । ବିଶେଷ କରି ବିଜେଡି ସମ୍ପର୍କିତ ନେତାଙ୍କ କ୍ଷେତ୍ରରେ ଏହା ଲାଗୁ । ବିଭିନ୍ନ କାରଣରୁ ସାଧାରଣ ନିର୍ବାଚନ ପୂର୍ବରୁ ଓ ପ୍ରକ୍ରିୟାରେ ବହୁ ନେତା ବିଜେଡି ସଭାପତି ନବୀନ ପଟ୍ଟନାୟକ ଓ ତାଙ୍କ ପରାମର୍ଶଦାତା ଭିକେ ପାଣ୍ଡିଆନଙ୍କ ଉପରେ ଖପ୍ପା ଥିଲେ । ବିଜେଡି ସଭାପତି ଓ ପରାମର୍ଶଦାତାଙ୍କୁ ଟାର୍ଗେଟ କରିବା ଲାଗି ସୁଯୋଗ ଉଣ୍ଡି ଥିଲେ । ସୁଯୋଗ ମିଳିଲେ ଉଭୟଙ୍କୁ ଘେରିବାକୁ ପ୍ରସ୍ତୁତ ହୋଇଥିଲେ । ବିଜେଡିରେ କୋଣଠେସା ଓ ପ୍ରତ୍ୟାଖ୍ୟାନ ହୋଇଥିବା ନେତାଙ୍କୁ ୱାକଫ ବିଲ ବଡ଼ ସୁଯୋଗ ଆଣି ଦେଇଛି । ନବୀନ ଓ ପାଣ୍ଡିଆନଙ୍କୁ ସଣ୍ଢୁଆସି ଆକ୍ରମଣ ଆରମ୍ଭ କରି ଦେଇଛନ୍ତି ଏହି ନେତା । ଦଳରେ ଏହାକୁ ନେଇ ଅସନ୍ତୋଷ ବଢୁଥିବା ବେଳେ ନବୀନ ଆଜି ପ୍ରଥମ ଥର ଲାଗି ଘଟଣାକୁ ନେଇ ମୁଁହ ଖୋଲିଛନ୍ତି ।
ସାଧାରଣ ନିର୍ବାଚନରେ ବିଜେଡି କ୍ଷମତାଚ୍ୟୁତ ହେବାକୁ ଦଳ ଭିତରେ ଓ ବାହାରେ ପାଣ୍ଡିଆନଙ୍କୁ ସମସ୍ତେ ଦାୟୀ କରୁଛନ୍ତି । ସେହିପରି ଏବେ ୱାକଫ ବିଲକୁ ନେଇ ଅନେକ ନେତା ପାଣ୍ଡିଆନଙ୍କ ଉପରେ ରାଗ ଶୁଝାଇବାକୁ ସୁଯୋଗ ପାଇଯାଇଛନ୍ତି । ଏହି ନେତାଙ୍କ ମଧ୍ୟରେ ଅଛନ୍ତି ଦଳ ଭିତ ଓ ବାହାର ନେତା । ଦଳର ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ, ପ୍ରତାପ ଜେନା ଓ ପ୍ରଭାତ ତ୍ରିପାଠୀ, ବଦ୍ରୀ ପାତ୍ର ଓ ଗଣେଶ୍ୱର ବେହେରା ପ୍ରମୁଖ । ଦଳରୁ ବିଦା ହୋଇଥିବା ସୌମ୍ୟ ରଞ୍ଜନ ପଟ୍ଟନାୟକ, ସୁଜିତ କୁମାର ଓ କଂଗ୍ରେସ ନେତା ନରସିଂହ ମିଶ୍ର ମଧ୍ୟ ସୁଯୋଗର ହାତ ଛଡା କରି ନାହାନ୍ତି । ନବୀନଙ୍କ ଆଶୀର୍ବାଦ ସତ୍ତ୍ବେ କଟକ ବାରବାଟୀ ବିଧାନସଭା କ୍ଷେତ୍ରରୁ ଦେବାଶିଷ ସାମନ୍ତରାୟ 2019ରେ ମହମ୍ମଦ ମୋକିମଙ୍କ ଠାରୁ ହାରିଥିଲେ । 2024ରେ ପାରାଦ୍ୱୀପ ନହେଲେ କଟକ ବାରବାଟୀରୁ ଟିକେଟ ଆଶା ରଖିଥିଲେ ସେ । ହେଲେ ଦଳ ଉଭୟ ସ୍ଥାନରେ ଦେବାଶିଷଙ୍କ ପ୍ରାର୍ଥୀତ୍ବକୁ ନାକଚ କରି ରାଜ୍ୟସଭା ପଠେଇ ଥିଲା । ବର୍ତ୍ତମାନ ଦେବାଶିଷ ପାଣ୍ଡିଆନ ଓ ନବୀନଙ୍କୁ ଟାର୍ଗେଟ କରିବା ସୁବିଧାବାଦୀ ରାଜନୀତି ବୋଲି ଦଳୀୟ ନେତା ସୁବାସ ସିଂ କହିଛନ୍ତି ।
ସେହିଭଳି ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ତ୍ରିପାଠୀ ଚିଟଫଣ୍ଡ ସ୍କାମରେ ଜେଲ ଯାଇଥିଲେ । ପ୍ରଭାତଙ୍କ ରାଜନୈତିକ ଗଡ଼ ବାଙ୍କୀ ସମ୍ଭାଳିବାକୁ ପୁଅ ଦେବୀ ରଞ୍ଜନ ତ୍ରିପାଠୀଙ୍କୁ ଟିକେଟ ଦେଇଥିଲା । 2019 ଓ 2024ରେ ଦଳ ତାଙ୍କୁ ଜିତାଇ ବିଧାନସଭା ଆଣିଛି । ହେଲେ ସେ ଏବେ ନବୀନ ଓ ପାଣ୍ଡିଆନଙ୍କୁ ନେଇ ଅଙ୍କ କଷୁଛନ୍ତି । ସେହିଭଳି ଅନ୍ୟତମ ହାରୁ ନେତା ପ୍ରତାପ ଜେନା ମଧ୍ୟ ମୌକାର ଫାଇଦା ଉଠାଇ ପାଣ୍ଡିଆନଙ୍କୁ ନିଶାନା କରିବାରେ ଲାଗିଛନ୍ତି । ମାହାଙ୍ଗା ଟ୍ରିପଲ ମର୍ଡର କେସରେ ଛନ୍ଦି ହୋଇଥିଲେ ପ୍ରତାପ । ନବୀନ ସରକାରଙ୍କ ସମୟରେ ନିର୍ଦୋଷରେ ଖଲାସ ହୋଇଥିଲେ । ପ୍ରତାପଙ୍କ ଗଡ଼ ରକ୍ଷା କରିବା ପାଇଁ ପ୍ରତାପଙ୍କ ପୁଅ ଅଙ୍କିତକୁ ଟିକେଟ ଦେଇଥିଲେ ନବୀନ । କିନ୍ତୁ ବିଭିନ୍ନ ପ୍ରସଙ୍ଗରେ ପ୍ରତାପ ଜେନାଙ୍କ ଛବି ମଳିନ ପଡିଥିବାରୁ ନବୀନଙ୍କ ଶୁଭଦୃଷ୍ଟି ସତ୍ତ୍ବେ ହାରିଥିଲେ ଅଙ୍କିତ ।
ସେହିପରି ବିଧାୟକ ଗଣେଶ୍ବର ବେହେରା କଂଗ୍ରେସରେ ଥିବା ବେଳେ 2000 ମସିହାରୁ କ୍ରମାଗତ ଭାବେ ହାରୁଥିଲେ । ବିଜେଡି ଟିକେଟରେ ସେ ତୃତୀୟ ଥର ପାଇଁ ବିଧାୟକ ହେବାର ସୁଯୋଗ ମଧ୍ୟ ପାଇଛନ୍ତି । ସେ ମଧ୍ୟ ଦଳରେ ଥାଇ ମଧ୍ୟ ପରୋକ୍ଷରେ ଦଳ ବିରୋଧୀ ବିବୃତି ଦେଇଛନ୍ତି । ସେହିପରି ବଦ୍ରୀ ନାରାୟଣ ପାତ୍ର ଓ ଭୁପିନ୍ଦର ସିଂହ ମଧ୍ୟ ଅଖାଡୁଆ ପ୍ରଶ୍ନ କରି ଦଳକୁ ଅକଳରେ ପକେଇଛନ୍ତି । ସେହିଭଳି କଂଗ୍ରେସ ନେତା ନରସିଂହ ମିଶ୍ର ମଧ୍ୟ ବିଜେଡି ମାମଲାରେ ମୁଣ୍ଡ ପୂରାଇଛନ୍ତି । ପୁଅକୁ ଥଇଥାନ କରିବାକୁ ନିର୍ବାଚନ ପୂର୍ବରୁ ବିଜେଡି ନେତାଙ୍କୁ ଲୁଚିଛପି ଭେଟୁଥିଲେ ବୋଲି ଚର୍ଚ୍ଚା ହେଉଛି । କଥା ଆଗକୁ ନବଢିବାରୁ ଏବେ ନରସିଂହ ସେଇ ରାଗ ଶୁଝାଉଛନ୍ତି ବୋଲି ବିଜେଡିର ରାଜ୍ୟସଭା ସାଂସଦ ସୁଲତା ଦେଓ କହିଛନ୍ତି ।
ବିଜେଡିରେ ସାମିଲ ହୋଇ ରାଜ୍ୟସଭା ଯାଇଥିଲେ ସୌମ୍ୟ ରଞ୍ଜନ ପଟ୍ଟନାୟକ । 2019 ନିର୍ବାଚନ ବିଧାନସଭା ନିର୍ବାଚନ ଲଢ଼ି ଖଣ୍ଡପଡାରୁ ସର୍ବାଧିକ ଭୋଟରେ ବିଜୟ ହୋଇଥିଲେ । ଦଳର ପରିଚାଳନା, ଦଳରେ ପ୍ରଶାସନିକ ଦଖଲକୁ ନେଇ ସେ ମୁଁହ ଖୋଲିଥିଲେ । ସମ୍ପାଦକୀୟ ଜରିଆରେ ବିଭିନ୍ନ ପ୍ରସଙ୍ଗ ଉଠାଇ ସେ ବିଜେଡି ଓ ବିଜେଡି ନେତୃତ୍ୱକୁ ଟାର୍ଗେଟ କରିଥିଲେ । 2024 ସାଧାରଣ ନିର୍ବାଚନ ପୂର୍ବରୁ ତାଙ୍କୁ ଜନ ବିରୋଧୀ ଆଖ୍ୟା ଦେଇ ବିତାଡିତ କରିଥିଲା ବିଜୁ ଜନତା ଦଳ । ସେହିପରି ସୌମ୍ୟଙ୍କ ଗଣମାଧ୍ୟମ ସଂସ୍ଥା ସହ ତାଙ୍କ ସମ୍ପର୍କିତ ବିଭିନ୍ନ ଅନୁଷ୍ଠାନ ଉପରେ ରେଡ଼ କରିଥିଲେ ରାଜ୍ୟର ବିଭିନ୍ନ ତଦନ୍ତକାରୀ ସଂସ୍ଥା । ସୁପ୍ତ ପ୍ରାୟ ସୌମ୍ୟ ଏବେ ସୋସିଆଲ ମିଡିଆ ପୋଷ୍ଟ କରି ବିଜେଡିକୁ ଘେରିଛନ୍ତି ।
ସୌମ୍ୟ ଲେଖିଛନ୍ତି, "ଓଡ଼ିଶା ବାହାରେ ରହି ଓଡ଼ିଶାକୁ ଦୂରରୁ ଦେଖିବା ଫଳରେ ଅନେକ କଥା ମନକୁ ଆସୁଛି । ଓଡ଼ିଶା ରାଜନୀତିରେ ଯାହା ସବୁ ଘଟୁଛି ତାହା ଦେଖି ଅମୋଦିତ ହେବା ଛଡ଼ା ଅନ୍ୟ ଗତି ନାହିଁ । ନବୀନଙ୍କ ଆଚରଣ ଓ ଉଚ୍ଚାରଣ ଆମକୁ ଅଧିକ ବ୍ୟଥିତ ଓ ବିବ୍ରତ କରୁଛି । ନବୀନ ବେଶୀ କଥା କହନ୍ତି ନାହିଁ । ତେବେ ଯେତେବେଳେ ତାଙ୍କୁ ରାଜନୈତିକ ସହକର୍ମୀମାନେ ଧୋକା ଦିଅନ୍ତି, ସେ କ୍ଷୁବ୍ଧ ହୋଇ ଯେଉଁ ଭାଷା ବ୍ୟବହାର କରନ୍ତି ତା' ହେଲା "ବେଇମାନ" । 'Waqf Bills' ପ୍ରସଙ୍ଗରେ ବିଜେପିକୁ ସମର୍ଥନ ଦେବା ନ ଦେବା ନେଇ ତାଙ୍କ ଦଳର ନେତାମାନଙ୍କର ଆଚରଣ ଓ ଉଚ୍ଚାରଣରୁ ଆମେ କ'ଣ ବୁଝିବା ? ନବୀନଙ୍କୁ ଆମେ କେଉଁ ଭାଷାରେ ବର୍ଣ୍ଣନା କରିବା ? ମୋତେ ଲାଗେ, "ଚୁପ ସୈତାନ" ଛଡ଼ା ଆଉ ଭଲ ଶବ୍ଦ ମିଳିବ ନାହିଁ ।
ସେ ଆହୁରି ଲେଖିଛନ୍ତି, "ଦିନ ଥିଲା, ନବୀନ ବାବୁଙ୍କୁ ଓଡ଼ିଆମାନଙ୍କର 'ହୃଦୟ ସମ୍ରାଟ' ବୋଲି ତାଙ୍କର ତୋଷାମଦକାରୀମାନେ କହି ବୁଲୁଥିଲେ । ନବୀନ ବାବୁ ଏହାକୁ ନେଇ କ'ଣ ଭାବୁଥିଲେ ଜଣା ନାହିଁ । କିନ୍ତୁ ନିଶ୍ଚୟ ଉପଭୋଗ କରୁଥିବେ । ପିତାଙ୍କ ନାମରେ ଗଢ଼ିଥିବା ‘'ବିଜୁ ଜନତା ଦଳ, ଓଡ଼ିଶାବାସୀଙ୍କ ବଳ" ବୋଲି ସମସ୍ତେ କହୁଥିଲେ । ଆଜି କ'ଣ ହୋଇଛି ଯେ ଏତେ କଥା ଘଟି ଯାଉଛି, ଅଥଚ ସମ୍ରାଟ ଚୁପ୍ ବସିଛନ୍ତି ! ବିଜେଡି ବଳ କେଉଁଠି ହଜିଗଲା ଯେ ସେ ଏକ ସ୍ଥିର ନିଷ୍ପତ୍ତି ନେଇ ପାରୁନାହାନ୍ତି ? ଦିନକରେ ୩ ଥର ଏ ପ୍ରସଙ୍ଗରେ ଭିନ୍ନଭିନ୍ନ ନିଷ୍ପତ୍ତି ନେଇଛନ୍ତି । ପୁଣି ଶେଷରେ ବିବେକ କଥା କହିଛନ୍ତି ! ଦଳର ବିବେକ କ'ଣ, ତାହା ସ୍ପଷ୍ଟ ଜଣାପଡୁନାହିଁ। ବିଭିନ୍ନ ଆଡୁ ଟଣାଓଟରା ହୋଇ ବିବେକ ଦଂଶନ ଭୋଗିବା ଛଡ଼ା ଅନ୍ୟ କୌଣସି ବାଟ ନାହିଁ ।
ସେ ଏହା ମଧ୍ୟ କହିଛନ୍ତି, "ଇଂରାଜୀରେ କଥା ଅଛି- "Better late than never" । ଏବେବି ସମୟ ଅଛି, ଓଡ଼ିଶାର ସ୍ବାର୍ଥ ଓ ସ୍ବାଭିମାନକୁ ଅଗ୍ରାଧିକାର ଦେଇ ଏକ ଆଞ୍ଚଳିକ ଦଳ ଗଢ଼ିଥିବା ବନ୍ଧୁମାନେ ଓଡ଼ିଶାବାସୀଙ୍କୁ ଆଉ ଧୋକା ନ ଦିଅନ୍ତୁ । ମଣିଷ ମାତ୍ରେ ଭୁଲ କରେ । ଭୁଲ୍କୁ ସ୍ବୀକାର କରି ଆଗେଇଯିବା ସୁପୁରୁଷର ଲକ୍ଷଣ । କିନ୍ତୁ ଭୁଲକୁ ଜାଣିଶୁଣି ଠିକ ବୋଲି ପ୍ରମାଣିତ କରିବା ପାଇଁ ବାହାସ୍ଫୋଟ ମାରୁଥିବା ନେତାମାନେ ଜାଣିବା ଦରକାର ଯେ ଏହା କାପୁରୁଷର ଲକ୍ଷଣ । ଆଜି ନହେଲେ ବି କାଲି, ଈଶ୍ୱର ଏଥିପାଇଁ ଉଚିତ ନ୍ୟାୟ କରିବେ ।"
ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା ମଧ୍ୟ ସୁଯୋଗ ଦେଖି ଦଳୀୟ ନେତାଙ୍କୁ ନେଇ ମଝିରେ ମଝିରେ ମୁଁହ ଖୋଲିଛନ୍ତି । କିନ୍ତୁ ନବୀନଙ୍କୁ ସୌମ୍ୟଙ୍କ ଆକ୍ଷେପକୁ ସେ ନାପସନ୍ଦ କରିଛନ୍ତି । ଅଶୋକ କହିଛନ୍ତି, "ସୌମ୍ୟ ବାବୁ ଜ୍ଞାନୀ ଗୁଣି ଲୋକ । ସୋସିଆଲ ମିଡିଆରେ ସେ ମତ ଦେଇଛନ୍ତି । ଯାହା ଅତ୍ୟନ୍ତ କଟୁ ଓ ରୁଚିହୀନ । ଏଭଳି ଭାଷା ତାଙ୍କ ମୁହଁରେ ଶୋଭା ପାଏନାହିଁ । କଷ୍ଟ ଦେଉଛି ଏହା ମନରେ ।"